ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ
ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ
ବୈଜ୍ଞାନିକ ଦୃଷ୍ଟିକୋଣକୁ ଯେଉଁମାନେ ନାସ୍ତିକତା ବୋଲି କହୁଛନ୍ତି ସେମାନେ ଭୁଲ କହୁଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ନାସ୍ତିକତା ଭିତରେ ପ୍ରଭେଦ ରହିଛି । ବିନା କୌଣସି କାରଣ ଦର୍ଶାଇ ଈଶ୍ୱର ସତ୍ତାକୁ ଅସ୍ବୀକାର କରୁଥିବା ଯେକୌଣସି ବ୍ୟକ୍ତିକୁ ନାସ୍ତିକ କୁହାଯାଇପାରେ ।
ସେଭଳି ବ୍ୟକ୍ତି ଅନେକ ପ୍ରକାର ଭିତ୍ତିହୀନ ବିଶ୍ବାସ ତା ' ମନରେ ଭରି ରଖୁଥାଏ । ସେ ଈଶ୍ବରକୁ ମୁହଁରେ ଅସ୍ବୀକାର କରୁଥିଲେ ବି ମନରେ ଈଶ୍ବର ପ୍ରତି ଭୟ ନିଶ୍ଚୟ ଥାଏ । ମଜା କଥା ହେଲା ତା'ର ଈଶ୍ବର ପ୍ରତି ଭୟଥିଲେ ମଧ୍ୟ ଅପରାଧ କଲା ବେଳକୁ ଈଶ୍ବରକୁ ଖାତିର କରେନାହିଁ । ସେ ତା'ର ବ୍ୟକ୍ତିଗତ ଅନୁଭବରୁ ଜାଣିଥାଏ ଯେ ମୋର ଏହି ଅପରାଧ ଯଦି କେହି ମଣିଷ ଦେଖୁନାହାନ୍ତି କିମ୍ବା ଜାଣି ନାହାନ୍ତି ତେବେ ଈଶ୍ବର ବି କିଛି କରି ପାରିବେନାହିଁ ।
ଅପରାଧ ଜନିତ ମନରେ ଗ୍ଲାନିବୋଧ ହେଲେ ନାସ୍ତିକ ବ୍ୟକ୍ତି କେବେ କେମିତି ମନ୍ଦିରକୁ ଯାଇ ପୂଜା କରି କିଛି ଦାନ ଦକ୍ଷିଣା ଦେଇଦେଲେ ସବୁ ପାପରୁ ମିଳିଯିବାର ଆତ୍ମସନ୍ତୋଷ ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା ବ୍ୟକ୍ତି ପ୍ରତ୍ୟେକ ଘଟଣା ଓ ବସ୍ତୁ ସମ୍ପର୍କରେ ପ୍ରଥମେ ଜାଣିବାକୁ ଚେଷ୍ଟା କରେ । ତାହାର ଉପକାରିତା ଓ ଅପକାରିତା ସମ୍ପର୍କରେ ତଥ୍ୟ ସଂଗ୍ରହ କରେ । ଶାନ୍ତ ଚିତ୍ତରେ ବିଚାର କରେ ଘଟଣା ବା ବସ୍ତୁ ଯଦି ବ୍ୟକ୍ତି , ପରିବାର ଓ ସମାଜପାଇଁ ଉପଯୁକ୍ତ ବୋଲି ସେ ଅନୁଭବ କରେ ତେବେ ହିଁ ତାକୁ ବିଶ୍ବାସ କରେ ଏବଂ ବ୍ୟବହାର କରେ ।
ସେହିକ୍ରମରେ ସେ ଈଶ୍ବର ସତ୍ତାକୁ ମଧ୍ୟ ତର୍କସଙ୍ଗତ ଭାବେ ଅସ୍ବୀକାର କରିଥାଏ । ସେ ଅନୁଭବ କରେ ଯେ ଈଶ୍ବର ସତ୍ତାକୁ ମାନିବା ଦ୍ବାରା ତାଙ୍କର କୌଣସି ଉପକାର ହେଉନାହିଁ କିମ୍ବା ନମାନିଲେ ମଧ୍ୟ ଫଳ ପ୍ରାପ୍ତ କରିଥାଏ । ସେ କୌଣସି ପ୍ରାରବ୍ଧ ଅନୁସାରେ ଚମତ୍କାରୀ ଢଙ୍ଗରେ ଆଶାତୀତ ଫଳ ପାଇବାର ଅନୁଭବ ପାଏନାହିଁ ।
ଭାରତରେ ପ୍ରାଚୀନ କାଳରୁ ମହାବୀର ଜୈନ , ଗୌତମ ବୁଦ୍ଧ ଓ ଋଷି ଚାର୍ବାକ ଭଳି ମହାନ ଚିନ୍ତକମାନଙ୍କ ଠାରୁ ନାସ୍ତିକ ଦର୍ଶନ ଚାଲିଆସିଛି । ସେମାନେ ସମସ୍ତେ ଈଶ୍ବର ସତ୍ତାକୁ ଅସ୍ବୀକାର କରିଛନ୍ତି । ଈଶ୍ବର ଆରାଧନାପାଇଁ ନିର୍ଦ୍ଧାରିତ କର୍ମକାଣ୍ଡ ସବୁକୁ ଅନାବଶ୍ୟକ ବୋଲି କହିଛନ୍ତି।
ଦୁନିଆରେ ଉପଲବ୍ଧ ପ୍ରାକୃତିକ ସାଧନ ହିଁ ଜୀବନରେ ସୁଖ ଓ ଶାନ୍ତି ଦେଇପାରିବ ବୋଲି ପ୍ରଚାର କରିଛନ୍ତି । ସେମାନେ କିନ୍ତୁ ବୈଜ୍ଞାନିକ ଅନୁସନ୍ଧାନପାଇଁ ବିଶେଷ କିଛି କରିଯାଇ ନାହାନ୍ତି । ସେତେବେଳେ ଆସ୍ତିକ ହେଉ ବା ନାସ୍ତିକ , କେହି ପ୍ରକୃତିର ରହସ୍ୟ ଜାଣିବାକୁ ଚେଷ୍ଟା କରୁ ନଥିଲେ । ଆସ୍ତିକମାନଙ୍କ ପାଇଁ ପ୍ରକୃତି ଥିଲା ଈଶ୍ବରଦ୍ବାରା ସୃଜନ । ସେମାନେ ଈଶ୍ବରର ଅନୁସନ୍ଧାନ ଓ ବିଭିନ୍ନ ଦେବୀ ଦେବତାମାନଙ୍କ ସ୍ମୃତିକୁ ବେଶୀ ଗୁରୁତ୍ଵଦେଇଥିଲେ ।
ଆତ୍ମା , ପରମାତ୍ମା , ସ୍ବର୍ଗ , ନର୍କ , ପ୍ରାରବ୍ଧ , ପୁନର୍ଜନ୍ମ ଓ ଭାଗ୍ୟ ବିଷୟରେ ଜାଣିବାପାଇଁ ଜୀବନ ସାରା ଗଭୀର ଅଧ୍ୟୟନ , ଗବେଷଣା ଓ ସାଧନା କରୁଥିଲେ । ବିଡମ୍ବନା ହେଇଛି ଯେ ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଈଶ୍ବର ସମ୍ପର୍କୀୟ ବିଷୟ ଉପରେ ସଠିକ ତଥ୍ୟ ଉପସ୍ଥାପନ କରି ପାରିନାହାନ୍ତି । ଯେଉଁ କେତେ ଜଣ କିଛି ତଥ୍ୟ ଦେଇଛନ୍ତି ତାହା ସବୁ ବିବାଦିତ ଏବଂ ବିରୋଧାଭାସ ସୃଷ୍ଟି କରିଛି । ସେଥିପାଇଁ ଦୁନିଆରେ ' ଈଶ୍ବର ଏକ ' ବୋଲି ସର୍ବସମ୍ମତି ପ୍ରାପ୍ତ କରି ପାରିନାହିଁ ।
ସବୁ ଈଶ୍ବରଙ୍କ ଲୀଳା , ତାଙ୍କ ଲୀଳା ସାଧାରଣ ମଣିଷର ବୁଝିବାର ବାହାରେ ବୋଲି କହି ଅସ୍ତିକମାନେ ଚୁପ ରହୁଛନ୍ତି । ନାସ୍ତିକମାନଙ୍କ ପାଖରେ ସେତେବେଳେ ବିଶେଷ ବୈଜ୍ଞାନିକ ଜ୍ଞାନ ଓ ସାଧନ ନଥିଲା । ତେଣୁ ଯେଉଁ କେତେ ଜଣ ନିଜର ସାଧାରଣ ବୁଦ୍ଧିରେ ଯାହା ଯେତିକି ସାଧନ ନିର୍ମାଣ କରିପାରୁଥିଲେ ବାକି ସମସ୍ତେ ସେତିକିରେ କାମ ଚଳାଉ ଥିଲେ । ସେତେବେଳେ ବିଦ୍ୟୁତ ଶକ୍ତିର ଉଦ୍ଭାବନ ହୋଇ ନଥିବାରୁ କେବଳ ଯାନ୍ତ୍ରିକ ବସ୍ତୁ ତିଆରି ହୋଇ ପାରୁଥିଲା ।
ବିଦ୍ୟୁତ ଶକ୍ତି ଉଦ୍ଭାବନ ହେବାପରେ ପ୍ରଯୁକ୍ତି ବିଦ୍ୟାର ଅଦ୍ଭୁତ କ୍ରାନ୍ତି ଆସିଲା । ପ୍ରାଚୀନ ଯୁଗରେ ଯାହା କଳ୍ପନାତୀତ ଥିଲା ଆଜି ତାହା ବାସ୍ତବରେ ପରିଣତ ହୋଇଛି । ପୃଥିବୀର ଚାରି ପାର୍ଶ୍ବରେ ଥିବା ବ୍ରହ୍ମାଣ୍ଡରେ କ'ଣ କ'ଣ ଅଛି , ବୈଜ୍ଞାନିକମାନେ ଟିକିନିଖି କରି ଖୋଜି ସାରିଲେଣି । କିନ୍ତୁ ଅସ୍ତିକମାନଙ୍କର ତଥାକଥିତ ସ୍ଵର୍ଗଲୋକ , ପାତାଳଲୋକର ସନ୍ଧାନ ଏଯାଏଁ ପାଇନାହାନ୍ତି । ହୁଏତ ସେ ଦୁଇଟି ମଧ୍ଯ ଈଶ୍ବର ଭଳି ଅଦୃଶ୍ୟ ସ୍ଥାନ । ମଣିଷକୁ କେବେ ମଧ୍ୟ ଦେଖା ଯିବନି । ବୈଜ୍ଞାନିକ ଦୃଷ୍ଟିକୋଣ ଅର୍ଥାତ ଜିଜ୍ଞାସୁ ପ୍ରବୃତ୍ତି । ଯେଉଁ ମଣିଷର ଜିଜ୍ଞାସୁ ପ୍ରବୃରି ଯେତେ ପ୍ରବଳ ସେ ସେତିକିବେଶୀ ଅଧ୍ୟୟନ , ଅନୁସନ୍ଧାନ ଓ ଗବେଷଣା କରିଥାଏ । ଏହାଦ୍ବାରା ବୈଜ୍ଞାନିକ କୌଶଳ ଏବଂ ପ୍ରଯୁକ୍ତି ବିଦ୍ୟାର ବିକାଶ ହୋଇଥାଏ ।
ଆଜି ଯେତେପ୍ରକାର ଭୌତିକ ସାଧନ ଉପଲବ୍ଧ ହୋଇଛି ସେସବୁ ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା ବ୍ୟକ୍ତିମାନେ ହିଁ ଆବିଷ୍କାର କିମ୍ବା ଭଦ୍ଭାବନ କରିଛନ୍ତି । ଏଥିରେ ନାସ୍ତିକତା କିମ୍ବା ଆସ୍ତିକତାର କୌଣସି ଅବଦାନ ନାହିଁ । ସେଥିପାଇଁ କେତେକ ବୈଜ୍ଞାନିକ ଈଶ୍ବର ବିଶ୍ବାସୀ ବା ଆସ୍ତିକ ବୋଲି କୁହାଯାଏ ।
ଦୁନିଆର ପ୍ରତ୍ୟେକ ଦେଶରେ କୌଣସି ନା କୌଣସି ଧର୍ମର ପ୍ରଚଳନ ଅଛି । ସେଠିକାର ଅଧ୍ଵବାସୀମାନେ ସ୍ଥାନୀୟ ଧର୍ମକୁ ମାନୁଛନ୍ତି । ତେଣୁ ସେମାନଙ୍କ ଘରେ ଜନ୍ମ ନେଇଥିବା ସନ୍ତାନମାନେ ଆସ୍ତିକ ହେବା ସ୍ବାଭାବିକ । ପିଲାଟି ବଡ ହୋଇ ଶିକ୍ଷା ଗ୍ରହଣ କଲାପରେ ଯଦି ତା'ର ବୈଜ୍ଞାନିକ ଦୃଷ୍ଟିକୋଣ ଥାଏ , ତେବେ ସେ ଧାର୍ମିକ କର୍ମକାଣ୍ଡକୁ ନେଇ ତର୍କ କରେ ଏବଂ ସେ ପାଏ ଏକ ନୂତନ ତଥ୍ୟ ।
ଯାହାର ବୈଜ୍ଞାନିକ ଦୃଷ୍ଟିକୋଣ ନଥାଏ , ସେ ତା'ର ପାଠ ପଢିବା ସହିତ ନିଜ ଧର୍ମର ସମସ୍ତ ନହେଲେ ବିକିଛି କିଛି କର୍ମକାଣ୍ଡ , ପୂଜା ଓ ପ୍ରାର୍ଥନା କରିଥାଏ । ଏହାଦ୍ବାରା ଯେହେତୁ ତା'ର ପ୍ରତ୍ୟକ୍ଷ ଭାବେ କୌଣସି କ୍ଷତି ହେଇନି , ତେଣୁ ଈଶ୍ବର ବା ଧର୍ମକୁ ଅସ୍ବୀକାର କରିବା ଆବଶ୍ୟକ ଅନୁଭବ କରେନାହିଁ ବରଂ ପରୀକ୍ଷାରେ ଭଲ ନମ୍ବର ଆଣିବା , ଭଲ ଚାକିରିଟିଏ ପାଇବା ଇତ୍ୟାଦି ପାଇଁ ଈଶ୍ବରଙ୍କ ଆଶୀର୍ବାଦ ବୋଲି କୁହନ୍ତି । ଯଦିଓ ନିଜେ କଠିନ ଶାରୀରିକ ଓ ମାନସିକ ପରିଶ୍ରମ କରି ସଫଳ ହୁଅନ୍ତି କିନ୍ତୁ କ୍ରେଡିଟ ଦିଅନ୍ତି ଈଶ୍ବରକୁ । ଆଜିକାଲି ଅବଶ୍ୟ ନିରୀଶ୍ବରବାଦୀ ଦମ୍ପତିଙ୍କ ଘରେ ଜନ୍ମ ହେଇଥିବା ପିଲା ଜନ୍ମରୁ ହିଁ ନାସ୍ତିକ ଏବଂ ନାସ୍ତିକ ହୋଇ ହିଁ ବଡ଼ ହୁଏ ।
(ସଂଗ୍ରାହକ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment