ନାସ୍ତିକତାର ଆବଶ୍ୟକତା ଅଛି କି ?
ନାସ୍ତିକତାର ଆବଶ୍ୟକତା ଅଛି କି ?
ଦୁନିଆର ପ୍ରାୟ ଅଧିକାଂଶ ମଣିଷ ସମାଜ ଆସ୍ତକବାଦ ଭଲ ଓ ଗ୍ରହଣୀୟ ବୋଲି ଧରି ନେଇଥାନ୍ତି । ସେମାନେ ଦାବି କରିଥାନ୍ତି ଯେ ଆସ୍ତକବାଦ ହିଁ ମଣିଷ ସମାଜରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିପାରେ । ଯଦି ଏହା ସତ ତେବେ ପ୍ରଶ୍ନଉଠୁଛି ନାସ୍ତିକବାଦ ସୃଷ୍ଟି ହେଲା କାହିଁକି ?
ଆସ୍ତିକବାଦକୁ ତ୍ୟାଗ କରି ନାସ୍ତିକ ହେବାକୁ କିଛି ଲୋକ ଇଛା କରୁଛନ୍ତି କାହିଁକି ?
ଏମିତି କ'ଣ ଧିରେ ଧିରେ ସମସ୍ତ ଆସ୍ତିକ ଦିନେ ନାସ୍ତିକ ହୋଇପାରିବେ ? ଆସନ୍ତୁ ଏହିସବୁ ପ୍ରଶ୍ନ ଉପରେ ବିଚାର କରିବା ।
କିଛି ଲୋକ ବିତର୍କ କରି କହୁଛନ୍ତି ଆସ୍ତିକ ଓ ନାସ୍ତିକ ଏକା କଥା କିମ୍ବା ମୁଦ୍ରାର ଦୁଇପାଖ । ସେମାନଙ୍କ ମତ ନାସ୍ତିକତା ମଧ୍ୟ ଏକ ଧର୍ମ ବା ବିଶ୍ବାସ । ମୁଁ କିନ୍ତୁ ଆସ୍ତିକ ନୁହେଁ କି ନାସ୍ତିକ ବି ନୁହେଁ । ମୁଁ ଅନ୍ଧ ବିଶ୍ବାସୀ ମଧ୍ୟ ନୁହେଁ । ମୁଁ ଏକ ବାସ୍ତବିକ ମଣିଷ ।
ମାନସିକ ଦ୍ଵନ୍ଦରେ ରହୁଥିବା ତଥାକଥିତ ଆସ୍ତିକମାନେ ଏହିଭଳି ଯୁକ୍ତି ଦେଇଥାନ୍ତି । ଯିଏ ପ୍ରକୃତରେ ନାସ୍ତିକ ସିଏ ଏଭଳି କଥା କହେନାହିଁ ।
ଏହାକୁ ଆମେ ବିତର୍କ ବୋଲି କହିବା କାହିଁକି ଆସନ୍ତୁ ବିଚାର କରିବା । ନାସ୍ତିକତା ସ୍ବୟଂ କୌଣସି ମାର୍ଗ ବା ପନ୍ଥା ନୁହେଁ ବରଂ ଆସ୍ତିକତାର ଈଶ୍ବର ରୂପୀ ଅସତ୍ୟ ଏବଂ ଭ୍ରମ ବିରୁଦ୍ଧରେ ଏକ ବିରୋଧ ଏବଂ ବିଦ୍ରୋହ ମାତ୍ର । ଯଦି ଆସ୍ତିକବାଦ ନଥାନ୍ତା , ତେବେ ନାସ୍ତିକବାଦ ମଧ୍ୟ ନଥାନ୍ତା । ଏହାର ଏକ ଉଦାହରଣ ହେଉଛି ଯଦି ଗୋଟିଏ ନବଜନ୍ମିତ ଶିଶୁକୁ କୌଣସି ଧର୍ମ ପାଳନ କରୁ ନଥିବା ପରିବାରରେ ପାଳନ , ପୋଷଣ କରାଯିବ , ତେବେ ସେହି ପିଲାଟି ବଡ଼ ହେଲେ କେବଳ ଏକ ସାଧାରଣ ମାନବୀୟ ପ୍ରବୃତ୍ତି ସମ୍ପନ୍ନ ମଣିଷଟିଏ ହେବ । ସେ ନାସ୍ତିକ ହେବନାହିଁ । ଅର୍ଥାତ ଆସ୍ତିକତା ହେଉଛି କୃତିମ ଓ ଅସହଜ ବ୍ୟବସ୍ଥା ।
ପିଲାକୁ ଜନ୍ମସଂସ୍କାର ଦ୍ବାରା ହିନ୍ଦୁ , ସୁନ୍ନତ କରି ମୁସଲମାନ ଏବଂ ବାପିସ୍ମା ପ୍ରକ୍ରିୟା ଦ୍ବାରା ଖ୍ରୀଷ୍ଟିୟାନ ବନେଇ ଦିଆଯାଉଛି । ତାପରେ ତା'ମନରେ କୌଣସି ସର୍ବଶକ୍ତିମାନ ଈଶ୍ବରର କୃପାର ଲୋଭ କିମ୍ବା ଈଶ୍ବର ଅସନ୍ତୁଷ୍ଟ ହେଲେ ଦଣ୍ଡ ଭୋଗ କରିବାର ଭୟ ଭରି ଦିଆଯାଇଛି । ନାସ୍ତିକତା ବସ୍ତୁତଃ ଏହି ମିଥ୍ୟା ଜାଲ ଏବଂ ଶୋଷଣ ବିରୁଦ୍ଧରେ ଏକ ବିଦ୍ରୋହର ସ୍ୱର । ଏହାକୁ ଆସ୍ତିକତା ମୁଦ୍ରାର ଅନ୍ୟ ପାଖ ବୋଲି କହିବା ଭୁଲ । ନାସ୍ତିକତାର ଆବଶ୍ୟକ ମୋର ଥିଲା । କାରଣ ମୁଁ ପିଲାଟି ଦିନରୁ ଆସ୍ତିକତାର ଭ୍ରମ ଜାଲରେ ପଡି ଯାଇଥିଲି । ମୋର ସନ୍ତାନକୁ ନାସ୍ତିକ ହେବାର ଆବଶ୍ୟକତା ପଡ଼ିଲାନାହିଁ । ତା ' ପାଇଁ କମିକ୍ସ ବହିର ସୁପରମ୍ୟାନ , ସ୍ପାଇଡର ମ୍ୟାନ ଭଳି କାଳ୍ପନିକ ଚରିତ୍ର ଯାହା , ଧର୍ମଗ୍ରନ୍ଥମାନଙ୍କରେ ଥିବା ତଥାକଥିତ ଦେବୀ ଦେବତାଙ୍କର ଚରିତ୍ର ସେଇୟା । ସେମାନଙ୍କର ଶକ୍ତି କେବଳ ବହି ଭିତରେ ହିଁ ରହୁଛି ।
ବାହାର ଦୁନିଆରେ ସେମାନଙ୍କ ସର୍ବଶକ୍ତିମାନର ପ୍ରମାଣ କିଛିନାହିଁ । ଦେବ ଦେବୀଙ୍କ ବିନା ପୂଜାରେ ମଧ୍ୟ ମୋ ପୁଅ ଜଣେ ଶୃଙ୍ଖଳିତ , ସମ୍ବେଦନଶୀଳ ଏବଂ ସୁନାଗରିକ ରୂପେ ପରିଚିତ । ଉଚ୍ଚଶିକ୍ଷା ପ୍ରାପ୍ତକରି ବେଶ ଭଲ ସ୍ଥାନରେ ଚାକିରି କରୁଛି । ଯାହା ଭିତରେ ଈଶ୍ବର ପ୍ରତି କୌଣସି ଶ୍ରଦ୍ଧା , ବିଶ୍ବାସ ଓ ଆସ୍ଥା ନଥାଏ , ତାଙ୍କ ପିଲାମାନେ ବଡ ହୋଇ ହିନ୍ଦୁ , ମୁସଲମାନ କିମ୍ବା ଖ୍ରୀଷ୍ଟିୟାନ ହେବାର ପ୍ରଶ୍ନ ଉଠୁନି । ସେମାନେ କେବେ ନାସ୍ତିକ ମଧ୍ୟ ହେବେନି । ସେମାନେ ଜଣେ ଜଣେ ସହଜ ଓ ବାସ୍ତବିକ ମଣିଷ ହୋଇ ରହିବେ ।
ଯେଉଁମାନେ ମୋ ଭଳି ପ୍ରଥମେ ଆସ୍ତିକ ଥିଲେ ସେମାନଙ୍କ ଭିତରେ ଯଦି ବୈଜ୍ଞାନିକ ଚିନ୍ତନ ଜାଗ୍ରତ ହୁଏ ତେବେ ହିଁ ସେମାନେ ନାସ୍ତିକ ହୋଇଥାନ୍ତି । ଏହା ସତ୍ତ୍ବେ ଯେତେଦିନ ପର୍ଯ୍ୟନ୍ତ ଦୁନିଆରେ କାଳ୍ପନିକ ଈଶ୍ବର ବିଶ୍ବାସର ମିଥ୍ୟା ଭ୍ରମ ରହିବ ସେତେଦିନ ପର୍ଯ୍ୟନ୍ତ ହିଁ ନାସ୍ତିକ ବାଦର ଆବଶ୍ୟକତା ରହିବ। ବର୍ତ୍ତମାନ ଦୁନିଆର ଏକ ସର୍ଭେ ରିପୋର୍ଟରୁ ଜଣାପଡୁଛି ବହୁ ସଂଖ୍ୟାରେ ଲୋକମାନେ ନିରୀଶ୍ବରବାଦକୁ ସମର୍ଥନ କରୁଛନ୍ତି । ସେମାନେ ଯୁଗ ଯୁଗରୁ ଚାଲିଆସିଥିବା ଏକ ମିଥ୍ୟା ସତ୍ତାକୁ ପରିତ୍ୟାଗ କରି ଦେଖୁଛନ୍ତି କୌଣସି ଫରକ ପଡୁନି ବରଂ ସେମାନଙ୍କର ମୂଲ୍ୟବାନ ସମୟ , ମାନବ ସମ୍ବଳ ଓ ଧନ ନଷ୍ଟ ହେଉନାହିଁ ।
ଆମେ ଦେଖୁଛୁ ଦୁନିଆର ଯେଉଁ ଦେଶରେ ଈଶ୍ବର ସତ୍ତାର ପ୍ରଭାବ ବେଶୀ ସେହି ସବୁ ଦେଶର ବିକାଶ ଓ ପ୍ରଗତି ପଛରେ ରହିଛି । ସେହି ଦେଶର ଲୋକମାନେ କାମ ଚୋର , ଅଳସୁଆ , ଭାଗ୍ୟବାଦୀ ଓ ଦରିଦ୍ର । ଏହାର ବିପରୀତ ଯେଉଁ ଦେଶରେ ଈଶ୍ବର ପ୍ରଭାବ କମ ସେହି ଦେଶ ପ୍ରଗତି କରିଚାଲିଛି । ଏହି ଅପ୍ରିୟ ସତ୍ୟକୁ ଯିଏ ଶୁଣି ବୁଝିବାକୁ ଚାହିଁବ ତାଙ୍କୁ ହିଁ ବୁଝାଇ ହେବ । କିନ୍ତୁ ଯେଉଁମାନେ ନିଜ ବୁଝିବା ଶକ୍ତିକୁ ଧର୍ମଗ୍ରନ୍ଥର ପୃଷ୍ଠା ଭିତରେ କିମ୍ବା ବାବାମାନଙ୍କ ପାଖରେ ବନ୍ଧକ ରଖ୍ ବସିଛନ୍ତି , ସେମାନଙ୍କୁ କସ୍ମିନ କାଳେ ବୁଝାଇ ହେବନାହିଁ ।
ସେମାନେ କୌଣସି ପ୍ରଶ୍ନର ଯୁକ୍ତି ଯୁକ୍ତ ଉତ୍ତର ନପାଇଲେ ଅସହିଷ୍ଣୁ ହୋଇପଡନ୍ତି । ତୁମେ ମୋ ଭଗବାନଙ୍କୁ ସମାଲୋଚନା କଲେ , ମୁଁ ତୁମକୁ ହତ୍ୟା କରିବା ପାଇ ମଧ୍ୟ ପଛେଇବି ନାହିଁ । ଏହିଭଳି ଧମକ ଦେଉଥିବା ଅସ୍ଥିକମାନେ ପ୍ରମାଣିତ କରି ଦେଉଛନ୍ତି ଯେ ତଥାକଥ୍ତ ଭଗବାନଙ୍କର କୌଣସି ଶକ୍ତି ନାହିଁ ।
( ଥିଲେ ତ ସେ ହିଁ ନାସ୍ତିକମାନଙ୍କୁ ସିଧା ଦଣ୍ଡ ଦେଉଥାନ୍ତେ ) ତେଣୁ ଆମ ବିଶ୍ବାସକୁ ( ମିଛ ହେଉ ପଛେ )
ଯିଏ ଆହତ କରୁଛି ଆମେ ହିଁ ଦଣ୍ଡ ଦେବୁ ।ଆସ୍ତିକମାନେ ହୁଏତ ଭଲକରି ଜାଣନ୍ତି ଯେ ଭଗବାନ ବୋଲି କିଛି ନାହିଁ କିମ୍ବା ନାସ୍ତିକମାନଙ୍କୁ ଦଣ୍ଡ ଦେବାପାଇଁ ଭଗବାନଙ୍କର କୌଣସି ଶକ୍ତି ନାହିଁ । ତଥାପି ମୁହଁରେ କୁହନ୍ତି ଆମେ ପକ୍କା ଆର୍ଥିକ । ନାସ୍ତିକମାନେ ତ ଈଶ୍ବର ସତ୍ତା ଉପରେ ସନ୍ଦେହ କରି ପ୍ରଶ୍ନ କରୁଛନ୍ତି କିନ୍ତୁ ଆସ୍ତିକ ବୋଲାଉଥିବା ଲୋକମାନେ ତ ସିଧା ସିଧା ଅସ୍ବୀକାର କରୁଛନ୍ତି । ତେଣୁ ପ୍ରଶ୍ନ ଉଠୁଛି- ଅସଲ ନାସ୍ତିକ କିଏ ?
(ସଂଗ୍ରାମକୁ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment