ଚାରି ଯୁଗ ର ଅବତାର ବାଦ
ଚାରି ଯୁଗ ଓ ଅବତାରବାଦ
ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମାଣ୍ଡରେ ଚାରିଗୋଟି ଯୁଗର ପ୍ରଚଳନ ହେଉଛି -
1.ସତ୍ୟଯୁଗ , 2.ତ୍ରେତୟାଯୁଗ , 3. ଦ୍ୱାପରଯୁଗ ଏବଂ 4.କଳିଯୁଗ ।
ଯୁଗମାନଙ୍କର ସମୟସୀମା ନିମ୍ନ ମତେ ନିର୍ଦ୍ଧାରଣ କରାଯାଇଛି ।
1000 ବୈଦିକ ବର୍ଷ = 43 , 2000 ପୃଥ୍ବୀ ବର୍ଷ ( ଆଧୁନିକ ଯୁଗର ହିସାବ )
ଅର୍ଥାତ ଏକ ବୈଦିକବର୍ଷ , ଏହି ଯୁଗର 432 ବର୍ଷ ସହିତ ସମାନ ।
ସତ୍ୟଯୁଗ ସବୁଠାରୁ ଦୀର୍ଘକାଳ ଥିଲା । ସତ୍ୟଯୁଗ କଳିଯୁଗ ଠାରୁ ଚାରିଗୁଣ ( 17,28,000 ) ବର୍ଷ ,
ତ୍ରେତୟାଯୁଗ ତିନିଗୁଣ ( 12,96,000 ) , ଏବଂ ହାପର ଦୁଇଗୁଣ ( 864,000 ) ବର୍ଷ ଥିଲା ।
କଳିଯୁଗ ସବୁଠାରୁ କମ ( 43,2000 ) ବର୍ଷ । 10,000 ବୈଦିକ ବର୍ଷକୁ ମହାଯୁଗ କୁହାଯାଏ ।
ଅର୍ଥାତ 432,00,000 ପୃଥ୍ବୀ ବର୍ଷ ପରେ ପୁଣି ସତ୍ୟ ଯୁଗ ଆରମ୍ଭ ହେବ । ଅସଲ କଥାହେଉଛି ଯେ କୌଣସି ଯୁଗର ଆରମ୍ଭ କେବେ ହୋଇଛି ଓ ଶେଷ କେବେ ହୋଇଛି କେଉଁଠି ଲେଖା ଯାଇନାହିଁ । କାରଣ ସେତେବେଳେ ତିଆରି ହୋଇଥିବା କୌଣସି କ୍ୟାଲେଣ୍ଡର ତ ନାହିଁ । ତେଣୁ ଦ୍ବାପର ଯୁଗ କେବେ ସରିଲା ଓ କଳିଯୁଗ କେବେ ଆରମ୍ଭ ହେଲା ଜଣାନାହିଁ ।
ଏଇଠି ପ୍ରଶ୍ନ ଉଠୁଛି - ସତ୍ୟଯୁଗରେ ପ୍ରଥମେ ବୈଦିକବର୍ଷର ଗଣନା କେମିତି ହୋଇଥିଲା ? କାରଣ ବର୍ଷ ଗଣନାପାଇଁ ନିମ୍ନତମ ସମୟର ମାପ ଏକକ ( Unit ) ନିହାତି ଆବଶ୍ୟକ । ଯଥା : ସେକେଣ୍ଡ , ମିନିଟ , ଘଣ୍ଟା , ଦିନ , ମାସ ଓ ବର୍ଷ । ସେତେବେଳେ କେଉଁ ସୂତ୍ର ଓ ଯନ୍ତ୍ର ବ୍ୟବହାର କରି ସମୟକୁ ମାପ କରୁଥିଲେ ଏବଂ ଏକହଜାର ବୈଦିକ ବର୍ଷର ଗଣନା କରିଥିଲେ ?
ଏହିପରି ସଂଖ୍ୟାନ ହୁଏତ ଭୁଲ ହୋଇପାରେ କିନ୍ତୁ ପ୍ରତ୍ୟେକ ଯୁଗର ସମୟସୀମା ଲକ୍ଷାଧ୍ୟକ ବର୍ଷ ଥିଲା ବୋଲି ସମସ୍ତେ ମାନୁଛନ୍ତି । ଯୁଗ ଗୁଡିକର ମହତ୍ତ୍ବ ହେଉଛି ଯେ , ବିଭିନ୍ନ ଯୁଗରେ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରି ପୃଥ୍ବୀକୁ ଅବତରଣ କରିଛନ୍ତି । ପୃଥିବୀରେ କେବଳ ଭାରତରେ ହିଁ ଅବତାରମାନେ ଆସି କରିଥିବା କାମର ବର୍ଣ୍ଣନା ଧର୍ମଶାସ୍ତ୍ରମାନଙ୍କରେ ପଢିବାକୁ ମିଳୁଛି ।
ଆମେରିକା , ରୁଷିଆ , ଅଷ୍ଟ୍ରେଲିଆ , ଜାପାନ ଆଦି ଦେଶକୁ ଅବତାରମାନେ ଯାଇଥିଲେ କି ନାହିଁ , କୌଣସି ତଥ୍ୟ ଉପଲବ୍ଧ ନାହିଁ ।
ବର୍ତ୍ତମାନ ଆମେ ଦେଖିବା , ପ୍ରତ୍ୟେକ ଯୁଗରେ ବିଷ୍ଣୁ କେତେକେତେ ଥର ଅବତାର ନେଇ ପୃଥ୍ବୀକୁ ଆସିଛନ୍ତି ?
କୁହାଯାଏ - ସତ୍ୟଯୁଗ ଥିଲା ଏକ ସୁବର୍ଣ୍ଣ ଯୁଗ । ସେହି ଯୁଗରେ ସବୁକିଛି ଠିକ ଠାକ ଥିଲା ।
। ସମସ୍ତେ ସୁଖ ଓ ଶାନ୍ତିରେ ବାସ କରୁଥିଲେ । ସମସ୍ତେ ସତ୍ୟବାଦୀ ଥିଲେ । ସତ୍କର୍ମ ମଧ୍ୟ କରୁଥିଲେ ଏବଂ ଧର୍ମପରାୟଣ ଥିଲେ
ପ୍ରଶ୍ନ ଉଠୁଛି - ଏହା ଯଦି ସତ , ତେବେ ବିଷ୍ଣୁଙ୍କୁ ସେହି ଯୁଗରେ ଚାରିଥର ଅବତାର ଗ୍ରହଣ କରି , ଦୁଷ୍ଟ ନାଶି , ଶିଷ୍ଟ ରକ୍ଷା କରିବା ଆବଶ୍ୟକ ପଡିଲା କାହିଁକି ?
ଗୀତାରେ ନିଜେ କୃଷ୍ଣ କହିଛନ୍ତି - " ୟଦାୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ , ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହଂ । ପରିତ୍ରାଣାୟ ସାଧୁନଂ , ବିନାଶାୟ ଦୁଗ୍ଧତାଂ , ଧର୍ମ ସଂସ୍ଥାପନାର୍ଥାୟ ସମ୍ଭାବମି ଯୁଗେ ଯୁଗେ । "
ସତ୍ୟ ଯୁଗରେ ଚାରି ଅବତାରଙ୍କର ନାମ - 1 ମାଛ ଅବତାର , 2 କୃମ ଅବତାର , 3 ବରାହ ଅବତାର ଏବଂ 4 ନୃସିଂହ ଅବତାର ।
ସେଥ୍ରୁ ଦୁଇଟି ଜଳଚର , ଗୋଟିଏ ପଶୁ ଓ ଅନ୍ୟଟି ମଣିଷ ଓ ପଶୁ ମିଶ୍ରିତ । ବିଚିତ୍ର କାଳ୍ପନିକ ଅବତାର । ଏଥୁରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସତ୍ୟଯୁଗରେ ସବୁ କିଛି ଠିକ ନଥିଲା । ଧର୍ମ ଗୁରୁମାନେ ସତ୍ୟଯୁଗକୁ ଏତେ ପ୍ରଶଂସା କରୁଛନ୍ତି କାହିଁକି ?
ଏଇଠି ଆଉ ଏକ ପ୍ରଶ୍ନ ବି ଉଠୁଛି - ସତ୍ୟ ଯୁଗରେ ଦୁଷ୍ଟମାନଙ୍କୁ ସୃଷ୍ଟି କରିଥିଲା କିଏ ?
ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମା କ'ଣ ଜାଣିଶୁଣି ଦୁଷ୍ଟ ଓ ଶିଷ୍ଟମାନଙ୍କୁ ଏକାସହିତ ସୃଷ୍ଟି କରିଥିଲେ ?
ପରେ ବିଷ୍ଣୁଙ୍କୁ କହୁଥିଲେ - ତୁମେ ଯାଅ ଦୁଷ୍ଟମାନକୁ ନାଶ କରି ଶିଷ୍ଟମାନଙ୍କୁ ରକ୍ଷାକର ?
ବିଷ୍ଣୁ ପ୍ରତିଥର ଆସି ଗୋଟିଏ ଗୋଟିଏ ଦୁଷ୍ଟକୁ ମାରି ଫେରିଯାଉଥିଲେ । ବାକି ସବୁ କଅଣ କେବଳ ଶିଷ୍ଟ ମଣିଷ ରହୁଥିଲେ ?
ସତ୍ୟଯୁଗ ପରେ ତ୍ରେତୟାଯୁଗ ଆସିଲା । ସେତେବେଳେ ମଧ୍ୟ ସେହି ସମସ୍ୟା ରହିଲା । ବିଷ୍ଣୁଙ୍କୁ ତିନିଥର - ବାମନ , ପର୍ଶୁରାମ ଓ ରାମ ଅବତାର ନେବାକୁ ହେଲା ।
ଦ୍ଵାପରଯୁଗରେ ବଳରାମ ଓ କୃଷ୍ଣ ଅବତାର ନେବାକୁ ପଡିଲା । ଏଗୁଡିକ ସବୁ ମାନବଅବତାର । ଶେଷରେ କଳ୍କୀଅବତାରନେଇ କଳିଯୁଗରେ ଆସିବାକଥା । ଆମେ ଯେହେତୁ କଳିଯୁଗରେ ବାସ କରୁଛୁ ଏବଂ ଗତ ହଜାର ହଜାର ବର୍ଷ ତଳର ପୁରାଣ ଓ ଇତିହାସ ପଢିବାକୁ ପାଉଛୁ , କେଉଁଥରେ ମଧ୍ୟ କଳ୍କୀ ଅବତାରଙ୍କ ଉପସ୍ଥିତି ବର୍ଣ୍ଣନା କରା ଯାଇନାହିଁ କାହିଁକି ?
ଆମେ ପ୍ରତିଦିନ ଦେଖୁଛୁ ଭାରତର ପ୍ରତ୍ୟେକ ରାଜ୍ୟର ସହର ଓ ଗ୍ରାମରେ ଅନ୍ୟାୟ , ଅତ୍ୟାଚାର , ଶୋଷଣ ଜାତିକୁ ନେଇ ଭେଦଭାବ ସବୁ ଚାଲିଛି । ସବୁଠି ଶିଷ୍ଟ ଲୋକମାନେ ହିଁ ଦୁଃଖ କଷ୍ଟ ଭୋଗ କରୁଛନ୍ତି କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ଦମନ କରିବାପାଇଁ କେବେ କୌଣସି ଅବତାର ପୁରୁଷକୁ ଦେଖ୍ ପାରୁନାହୁଁ । ବିଷ୍ଣୁ ଆଜି ପର୍ଯ୍ୟନ୍ତ ଅବତାର ଗ୍ରହଣ କରି ଆସିନାହାନ୍ତିର ଅନ୍ୟ ଏକ ଅର୍ଥ ମଧ୍ୟ ହୋଇପାରେ ଯେ କୃଷ୍ଣଙ୍କ କହିବା ଅନୁସାରେ ' '
ଧର୍ମର ହାନୀ ହେଲେ ମୁଁ ଆସିବି " ଅର୍ଥାତ କଳିଯୁଗରେ ସତ୍ୟଯୁଗ ଭଳି ଧର୍ମର ହାନୀ ଘଟିନାହିଁ ।
ସେଥିପାଇଁ ପ୍ରଶ୍ନ ଉଠୁଛି - କଳିଯୁଗର , କଳ୍କୀ ଅବତାର ଆମଦେଶରେ ଅବତରଣ କଲେଣି ନ ଆହୁରି କେତେ ହଜାର ବର୍ଷ ପରେ ଅବତରଣ କରିବେ ?
ଆମଦେଶ ଓ ସମାଜର ଦୟନୀୟ ଅବସ୍ଥା ଦେଖ୍ ବିଶ୍ବାସ ହେଉନାହିଁ ଯେ ବିଷ୍ଣୁ ଅବତରଣ କରିସାରିଛନ୍ତି । କେବେ ଅବତରଣ କରିବେ ସେକଥା ମଧ୍ୟ କୌଣସି ଶାସ୍ତ୍ରରେ ଲେଖାନାହିଁ କିମ୍ବା କୌଣସି ଧର୍ମଗୁରୁ କହି ପାରୁନାହାନ୍ତି ।
ଆଉ ଏକ ସମସ୍ୟା ହେଉଛି - ଯଦି ଅବତାର ପୁରୁଷ କେବଳ କିଛି ବର୍ଷ ପାଇଁ ପୃଥ୍ବୀକୁ ଆସି ଗୋଟିଏ ଦୁଇଟି ଦୁଷ୍ଟଙ୍କୁ ଦମନକରି ଫେରି ଯାଆନ୍ତି , ତେବେ ସମାଜର ସୁଖ ଓ ଶାନ୍ତି ସ୍ଥାୟୀ ନୁହେଁ ।
ଯେମିତି ଟ୍ରାଫିକ ପୋଲିସ ଠିଆ ହୋଇଥିବା ବେଳେ , ସମସ୍ତେ ଟ୍ରାଫିକ ନିୟମ ମାନି ଚାଲିଥାନ୍ତି କିନ୍ତୁ ପୋଲିସ ନ ଥିଲେ ଅନେକ ଲୋକ ନିୟମ ମାନନ୍ତି ନାହିଁ । । ଦ୍ବିତୀୟ ସମସ୍ୟା ହେଉଛି - ସାଧାରଣତଃ ମନୁଷ୍ୟର ହାରାହାରି ବୟସ ଅତି ବେଶୀରେ ଏକଶହ ବର୍ଷ । ଯଦି ଅବତାର ପୁରୁଷ ହଜାର ହଜାର ବର୍ଷ ବ୍ୟବଧାନରେ ଆସିବେ , ତେବେ ତାଙ୍କର ଅନୁପସ୍ଥିତିରେ କୋଟି କୋଟି ଶିଷ୍ଟ ବ୍ୟକ୍ତି ତ ଦୁଷ୍ଟମାନଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ , ଦୁଃଖ ଭୋଗ କରି କରି ମରି ସାରିଥିବେ ।
ସେମାନଙ୍କର ବିଷ୍ଣୁଙ୍କ ଅବତାର ଯୋଗୁ ଲାଭ କଅଣ ହେବ ?
ଧର୍ମଶାସ୍ତ୍ରର ବର୍ଣ୍ଣନା ଅନୁସାରେ ସତ୍ୟଯୁଗରୁ , ଦ୍ୱାପରଯୁଗ ପର୍ଯ୍ୟନ୍ତ ପୃଥିବୀରେ ତିନି ପ୍ରକାର ମଣିଷ ଜାତୀୟ ପ୍ରାଣୀ ଦେଖା ଯାଉଥିଲେ ।
ଦେବତା , ଦାନବ ଓ ମାନବ । ଦେବତା ସର୍ବଶକ୍ତିମାନ କିନ୍ତୁ ଦାନଵ ମଧ୍ୟ ଖୁବ ଶକ୍ତିଶାଳୀ ଥିଲେ । ସେମାନଙ୍କୁ ନିହତ କରିବାପାଇଁ ଦେବତାମାନଙ୍କୁ ସଶସ୍ତ୍ର ଯୁଦ୍ଧ କରିବାକୁ ପଡୁଥିଲା ।
ଦେବତାଙ୍କ ଦୈବୀଶକ୍ତି ( ଯାହା ଆମେ ଚମତ୍କାରୀ ଶକ୍ତି ବୋଲି କହୁ ) ଦାନବଙ୍କୁ ଦମନ କରିବାପାଇଁ କାମ କରୁନଥିଲା । କିନ୍ତୁ ମାନବମାନେ ସତ୍ୟଯୁଗରେ ଯେମିତି ଥିଲେ , ଆଜିର କଳିଯୁଗରେ ମଧ୍ୟ ସେମିତି ଅଛନ୍ତି । ସେମାନଙ୍କର ଶରୀର ଗଠନର ଆକାର ଓ ଶକ୍ତି ସୀମିତ । ମାନସିକ ସ୍ତରରେ ଅବଶ୍ୟ ଖୁବ ଉନ୍ନତି ହୋଇଯାଇଛି । ପୃଥିବୀରେ ମଣିଷ ବ୍ୟତୀତ ଅନ୍ୟାନ୍ୟ ଜଳଚର , ସ୍ଥଳଚର ଓ ଆକାଶରେ ବିଚରଣ କରିପାରୁଥିବା ପକ୍ଷୀମାନେ ମଧ୍ୟ ବାସ କରୁଛନ୍ତି ।
କେତେକ ହିଂସ୍ର ପ୍ରାଣୀଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ସହିତ , ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉଥିବା କ୍ଷୟ - କ୍ଷତିକୁ ଶୀଘ୍ର ପୂରଣ କରିବାପାଇଁ ମନୁଷ୍ୟ ଅନେକ ବୈଜ୍ଞାନିକ ଉପାୟ ଖୋଜି ସାରିଲାଣି । ମଣିଷ ଆଉ ଅବତାର ପୁରୁଷଙ୍କ ଠାରୁ ସୁରକ୍ଷା ପାଇବାର ଭରସାରେ ବସି ରହୁନି । ଗତ 2013 ମସିହାରେ କେଦାରନାଥ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ହଜାର ହଜାର ଶ୍ରଦ୍ଧାଳୁ ବିପଦରେ ପଡିଗଲେ କିନ୍ତୁ ଯେଉଁ ଦେବତାଙ୍କୁ ଦର୍ଶନ କରିବାକୁ ଯାଇଥିଲେ , ସେହି ଦେବତା , ନିରବରେ ସବୁ ଦେଖୁଥିଲେ
ଏବଂ ଅନ୍ୟ ମଣିଷମାନେ ହିଁ ଯେତିକି ପାରିଲେ , ସେତିକି ଲୋକମାନଙ୍କ ଜୀବନ ରକ୍ଷା କଲେ । ତଥାପି 25 ହଜାରରୁ ଉର୍ଦ୍ଧ୍ୱ ଯାତ୍ରୀ ପ୍ରାଣ ହରାଇଥିଲେ । ଗତ ତିନିଯୁଗ ଅପେକ୍ଷା କଳିଯୁଗରେ ତ ମଣିଷମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇଗଲାଣି । ସାଇକେଲ ଠାରୁ ଉଡ଼ାଜାହାଜ ପର୍ଯ୍ୟନ୍ତ , ଯୋଗାଯୋଗ ପାଇଁ ଟେଲିଫୋନ , ମୋବାଇଲ , ଇଣ୍ଟରନେଟ , ଟେଲିଭିଜନ ଇତ୍ୟାଦି , ଗ୍ରୀଷ୍ମ କିମ୍ବା ଶୀତରୁ ରକ୍ଷା ପାଇବାପାଇଁ ସବୁସୁବିଧା ଯୁକ୍ତ ବାସଭବନ ନିର୍ମାଣ କରି ପାରୁଛି , ଉତ୍ତମ ସ୍ବାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ଏବଂ ରୋଗ ବୈରାଗର ଚିକିତ୍ସା ପାଇଁ ଆଧୁନିକ ଔଷଧ ଓ ଉପକରଣ ଦୁନିଆର ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ ଅଛି । ତେଣୁ ଆମେ ଗର୍ବର ସହ କହିପାରିବା ଯେ ପୂର୍ବର ତଥାକଥିତ ଯୁଗମାନଙ୍କ ଆପେକ୍ଷା କଳିଯୁଗରେ ମଣିଷ ଅନେକ ସୁବିଧା ପାଇ ସୁଖରେ ରହିପାରୁଛି ।
ବିଜ୍ଞାନର ପ୍ରଗତି ଯୋଗୁ ମଣିଷ ଆଜି ଚନ୍ଦ୍ର ଉପଗ୍ରହ ଉପରେ ପାଦ ଥୋଇ ଫେରି ଆସିଲାଣି । ମଙ୍ଗଳ ଗ୍ରହକୁ ରକେଟ ପଠାଇ ସାରିଲାଣି । ଏସବୁପାଇଁ କୌଣସି ଅବତାରପୁରୁଷ ସାହାଯ୍ୟ କରୁନାହିଁ । ଦୁଃଖର ବିଷୟହେଉଛି - ସବୁ କ୍ଷେତ୍ରରେ ମଣିଷ ଆଗେଇ ଯାଉଥିଲେ ମଧ୍ୟ ଗୋଟିଏ କ୍ଷେତ୍ରରେ ପଛେଇ ରହିଛି । ତାହା ହେଉଛି ଧାର୍ମିକ ଅନ୍ଧବିଶ୍ବାସ । ଯେହେତୁ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି କୌଣସି ଏକ ଧାର୍ମିକ ସମ୍ପ୍ରଦାୟଙ୍କ ସହିତ ଯୋଡିହୋଇ ରହୁଛି ଏବଂ ପ୍ରତ୍ୟେକ ସମ୍ପ୍ରଦାୟ ଏକ ନିର୍ଦ୍ଦିଷ୍ଟ ତଥାକଥିତ ଈଶ୍ବର ସରା ସହିତ ଯୋଡି ହୋଇ ରହୁଛି ତେଣୁ ସମସ୍ତେ ଭାବୁଛନ୍ତି ମୋର ଈଶ୍ବର ହିଁ ସତ୍ୟ ଓ ଶ୍ରେଷ୍ଠ । ଅନ୍ୟର ଈଶ୍ବର ମିଛ । ଅସଲ ସମସ୍ୟା ହେଉଛି - ଏହିଭଳି ଅନ୍ଧବିଶ୍ବାସ । ଏହି ମାନବୀୟ ସମସ୍ୟାଗୁଡିକର ସମାଧାନ କରିବା ସର୍ବ ଶକ୍ତିମାନ ବିଷ୍ଣୁଙ୍କ ପାଇଁ ଆଦୌ କଷ୍ଟକର ହେବା ଉଚିତ ନୁହେଁ ।
ଲୋକମାନଙ୍କ ମନ ଓ ମସ୍ତିଷ୍କରେ ପ୍ରେମ , ସଦଭାବନା , ଅହିଂସା ଓ ତ୍ୟାଗ ଭରି ଦେଲେ ସବୁ ସହଜ ହୋଇଯାଆନ୍ତା ।
ବାରହାତିଆ ଖଣ୍ଡା ଧରି କଳ୍କୀ ଅବତାର ନେଇ ଆସି ବିଷ୍ଣୁ କାହାସହିତ ଲଢେଇ କରିବେ ? ମଣିଷ ତ ଏବେ ଖଣ୍ଡା ଜାଗାରେ ଗୋଳା ବାରୂଦର ବ୍ୟବହାର କଲାଣି । ବର୍ତମାନ ସମସ୍ତେ ବୁଝିବା ଅତି ଆବଶ୍ୟକ ଯେ ନିରୀଶ୍ବରବାଦୀମାନେ ପୃଥିବୀର ଅନେକ ଦେଶରେ ଲୋକମାନଙ୍କ ମନରୁ ଧାର୍ମିକ ଅନ୍ଧବିଶ୍ବାସ ଦୂର କରିପାରିଥିବାରୁ ସେହି ଦେଶରେ ଅପରାଧ ସଂଖ୍ୟା କମି ଗଲାଣି । ମାନବବାଦ ବୃଦ୍ଧିପାଇଲାଣି । ଆମ ଦେଶରେ ସୁଖ ଓ ଶାନ୍ତି ପାଇଁ ଆମେ କାହିଁକି କୌଣସି କାଳ୍ପନିକ ଅବତାର ପୁରୁଷକୁ ଅପେକ୍ଷା କରିବା ?
ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ
Comments
Post a Comment