ଦାନବଙ୍କ ସୃଷ୍ଠି କେଉଁଠୁ
ଦାନବଙ୍କ ସୃଷ୍ଟି କେଉଁଠୁ ?
ମାନବ ସହିତ ସମଗ୍ର ପ୍ରାଣୀ ଜଗତର ସୃଷ୍ଟିକର୍ତ୍ତା ତଥାକଥିତ ' ଈଶ୍ୱର ' ବା ' ଗଡ଼ ' ବୋଲି ସାରାଦୁନିଆର ଲୋକମାନଙ୍କ ଏକ ବହୁମାନ୍ୟ ( ସର୍ବ ମାନ୍ୟ ନୁହେଁ ) ବିଶ୍ବାସ । ଏହା ସତ କି ମିଛ , ସେ ବିଷୟରେ ସମସ୍ତେ ସହମତ ହୋଇ ପାରୁ ନଥିବାରୁ ଏହି ବିଶ୍ବାସ ( ? ) ସର୍ବମାନ୍ୟ ହୋଇପାରୁନି । ସମସ୍ତ ଧର୍ମ ଶାସ୍ତ୍ରରେ ଲିଖ୍ତ ତଥ୍ୟକୁ ପ୍ରମାଣ ରୂପେ ଉପସ୍ଥାପନକରି ଧର୍ମଗୁରୁମାନେ ଦାବି କରୁଛନ୍ତି - ' ଈଶ୍ୱର ହିଁ ବିଶ୍ବ ବ୍ରହ୍ମାଣ୍ଡର ସୃଷ୍ଟିକର୍ତା ' ଏହାକୁ ନେଇ ପ୍ରଶ୍ନ ଉଠୁଛି - ଯଦି ଈଶ୍ବର ଏକ , ତେବେ ମଣିଷମାନଙ୍କ ପାଇଁ ଧର୍ମ ବା Religion ଅଲଗା ଅଲଗା କାହିଁକି ? ଧର୍ମୀୟକର୍ମକାଣ୍ଡ ଓ ପୂଜା ପଦ୍ଧତି ଅଲଗାକାହିଁକି ? ସମସ୍ତ ଧର୍ମ ଏକାଭଳି ନୁହେଁ କାହିଁକି ? ଏହାର ତର୍କସଙ୍ଗତ ଉତ୍ତର କାହାରି ପାଖରେ ନାହିଁ । ଅନ୍ୟପକ୍ଷରେ ବିକଶିତ ବିଜ୍ଞାନ ଦ୍ବାରା ପରୀକ୍ଷା ଓ ନିରୀକ୍ଷା କରି ବୈଜ୍ଞାନିକମାନେ ଦାବି କରୁଛନ୍ତି ' ବିବର୍ତ୍ତନବାଦ ' ଯୋଗୁ ବିଶ୍ବର ସୃଷ୍ଟି ସମ୍ଭବ ହୋଇଛି । ବିବର୍ତ୍ତନବାଦ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ଗବେଷଣା ହୋଇ ଆଜି ସମଗ୍ର ଦୁନିଆରେ ସତ୍ୟ ରୂପେ ପ୍ରମାଣିତ ହୋଇସାରିଲାଣି । ତଥାପି କେତେକ କଟର ଧାର୍ମିକ ଗୋଷ୍ଠୀ ପୂର୍ବରୁ ଲିଖ୍ ଧର୍ମଶାସ୍ତ୍ରର ତଥ୍ୟ , ଯାହା ଅବିଶ୍ୱାସନୀୟ , ଅତାର୍କିକ ଓ ଅବୈଜ୍ଞାନିକ ଜଣା ପଡୁଥିଲେ ମଧ୍ୟ ନିରାଟ ସତ ବୋଲି ଦାବି କରୁଛନ୍ତି । ସୁଖର କଥା ଯେ , ଆଜିର ଶିକ୍ଷିତ ସମାଜ ସେମାନଙ୍କର ଏହି ଦାବିକୁ ଅସ୍ବୀକାର କରିବାକୁ ସାହସ କଲେଣି । ଧର୍ମଶାସ୍ତ୍ରର କାଳ୍ପନିକ କାହାଣୀ ଓ ତଥ୍ୟ ଉପରେ ସନ୍ଦେହ ପ୍ରକଟ କରି ତର୍କ କରିବା ଆରମ୍ଭ କଲେଣି । ପରିଣାମ ସ୍ବରୂପ , ଆଜିର ଯୁଗରେ ଐଶ୍ବରୀୟ ସତ୍ତାକୁ ଅସ୍ବୀକାର କରୁଥିବା ନିରୀଶ୍ବରବାଦୀଙ୍କ ସଂଖ୍ୟା ସାରା ପୃଥିବୀରେ ବୃଦ୍ଧି ପାଇବାକୁ ଲାଗିଛି । ଏକ ସର୍ଭେ ରିପୋର୍ଟ ଅନୁସାରେ , ଦୁନିଆରେ ନିରୀଶ୍ବରବାଦୀଙ୍କ ଜନସଂଖ୍ୟା ତୃତୀୟ ସ୍ଥାନରେ ପହଞ୍ଚି ଗଲାଣି । ଧର୍ମଗୁରୁମାନଙ୍କ ତର୍କ ହେଉଛି - ' ସ୍ରଷ୍ଟା ବିନା ସୃଷ୍ଟି ସମ୍ଭବ ନୁହେଁ ' । ଏଇଠି ପ୍ରଶ୍ନ ଉଠୁଛି – “ ଯଦି ସ୍ରଷ୍ଟା ବିନା ସୃଷ୍ଟି ସମ୍ଭବ ନୁହେଁ , ତେବେ ଈଶ୍ବରଙ୍କ ସୃଷ୍ଟିକର୍ତା କିଏ ? " ଏହାର ଉତ୍ତରରେ ସେମାନେ କୁହନ୍ତି - ' ଈଶ୍ବର ସ୍ବୟଂ ସମ୍ଭୂତ । ତାଙ୍କର କେହି ସ୍ରଷ୍ଟା ନାହାନ୍ତି । ' ବୈଜ୍ଞାନିକମାନେ ମଧ୍ୟ ସେହି ତର୍କ ଅନୁସାରେ ପ୍ରଶ୍ନ କରୁଛନ୍ତି ' ଈଶ୍ବର ଯଦି ସ୍ଵୟଂ ସମ୍ଭୂତ ହୋଇପାରିଛନ୍ତି , ତେବେ ସମଗ୍ର ବିଶ୍ବ ସ୍ବୟଂ ସମ୍ଭୂତ ହୋଇପାରିବନି କାହିଁକି ? ' ଏହି ତର୍କ - ବିତର୍କ କେତେ ବର୍ଷ ଧରି ଚାଲିବ ଜଣାନାହିଁ ? ସମାଧାନ କେବେ ହେବ ତାହା କେବଳ ସମୟ ହିଁ କହିବ ।
ଆମେ ଆଉ ଏକ ସନ୍ଦେହ ଓ ପ୍ରଶ୍ନ ଉପରେ ଏଇଠି ଆଲୋଚନା କରିବା। ଦାନବଙ୍କ ସୃଷ୍ଟି କେଉଠୁ ହୋଇଥିଲା ? :
ଭାରତରେ ଦାନବ ଶବ୍ଦର ଅନେକ ସମାନାର୍ଥକ ଶବ୍ଦ ରହିଛି । ଯଥା ଅସୁର, ରାକ୍ଷସ, ଦୈତ୍ୟ, ଓ ଯକ୍ଷ । ସମସ୍ତ ଦାନବଜାତିର ଗୁଣ ଓ ପ୍ରକୃତି ପ୍ରାୟ ଏକାଭଳି ହୋଇଥାଏ ବୋଲି ଧମଶାସ୍ତ୍ରମାନଙ୍କର ବର୍ଣ୍ଣନାରୁ ଜଣାଯାଏ । ଖ୍ରୀଷ୍ଟିୟାନ ଓ ମୁସଲମାନ ଧର୍ମରେ ମଧ୍ୟ ସୈତାନର ଉଲ୍ଲେଖ ଅଛି । ଦାନବ ବା ଶୈତାନମାନଙ୍କ ସମ୍ପର୍କରେ ଯେତେ ପ୍ରକାରର ବର୍ଣ୍ଣନା ଅଛି ଓ ପରବର୍ତ୍ତୀ ସମୟରେ ବ୍ୟାଖ୍ୟାକାରମାନେ କରିଛନ୍ତି , ସେସବୁକୁ ନେଇ ଆଲୋଚନା କରିବା ସମ୍ଭବ ନୁହେଁ । ତେ ପ୍ରକାରେ ଓ କେଉଁଠୁ କରିବା । ଦାନବଙ୍କ ସୃଷ୍ଟି - ଦାନବ ଗୁଡିକ ଖରାପ ପ୍ରକୃତିର ପ୍ରାଣୀ । ସେମାନେ ମାନବ ଅପେକ୍ଷା କୁହାଯାଏ ଦେବତାମାନଙ୍କୁ ବେଶୀ ଘୃଣା କରୁଥିଲେ । ଦେବତାମାନଙ୍କୁ ଗୁରୁତ୍ବ ଦେଇ ପୂଜା କିମ୍ବା ତପସ୍ୟା କରୁଥି ମୁନି , ଋଷିମାନଙ୍କୁ ମଧ୍ଯ ଘୃଣା କରୁଥିଲେ । ଦାନବମାନଙ୍କ ବ୍ୟବହାର ଓ ଆଚରଣରେ କ୍ଷୁବ୍ଧ ହୋଇ ଦେବତାମାନେ ଦାନବମାନଙ୍କୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦାନବମାନେ ମଧ୍ୟ ଦେବତାମାନଙ୍କ ଭଳି ଶକ୍ତିଶାଳୀ ହେଉଥିବାରୁ ଦୁହିଁଙ୍କ ମଧ୍ୟରେ ଘମାସାନ ଯୁଦ୍ଧ ହେଉଥିଲା । ଶେଷରେ କଳେ , ବଳେ , କୌଶଳେ ଦେବତାମାନେ ହିଁ ଜିତି ଯାଉଥିଲେ । ଏଇଠି ଆଉ ଗୋଟିଏ ପ୍ରଶ୍ନ ଉଠୁଛି - ସବୁ ଯୁଗରେ ଦାନବମାନେ କେବଳ ଦେବତାମାନଙ୍କୁ ଘୃଣା କରୁଥିଲେ କାହିଁକି ? ଏଥୁରୁ ଅନୁମାନ କରି ହେଉଛି ଯେ ଦେବତାମାନେ ନିଶ୍ଚୟ ଦାନବମାନଙ୍କୁ ଅବହେଳା କରୁଥିଲେ । ସେମାନଙ୍କର ମୌଳିକ ଆବଶ୍ୟକତାକୁ ହୁଏତ ପୂରଣ କରୁ ନଥିଲେ । ଅନେକ ଶାସ୍ତ୍ରରେ କେତେକ ଦାନବ ବହୁତ ଭଲ ଗୁଣର ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ରାବଣ ତ ମହାଦେବ ଶିବଙ୍କ ଭକ୍ତ ଥିଲା । ସେସମୟର ଦୈତ୍ୟରାଜାମାନେ ନିଜ ନିଜ ରାଜ୍ୟରେ ବହୁତ ଭଲ ଓ ସୁ ଶାସନ କରୁଥିବା ମଧ୍ୟ ଲେଖା ଅଛି । ତଥାପି ଦେବତାମାନେ ସେମାନଙ୍କୁ ବଧ କରିବାପାଇଁ ଏତେ ଫନ୍ଦି ଫିକର । କରୁଥିଲେ କାହିଁକି ? ଏହିସବୁ ଯୁଦ୍ଧ ଓ ଘଟଣାର ବର୍ଣ୍ଣନା କୌଣସି ଦେଶର ଇତିହାସ ପୃଷ୍ଠାରେ ଉଲ୍ଲେଖ ନାହିଁ । ଦେବତା ଓ ଦାନବଙ୍କ ସଂଘର୍ଷର ସ୍ଥାନ , କାଳ ଓ ପାତ୍ରର ବଣ୍ଣନା କେବଳ ଧର୍ମଶାସ୍ତ୍ରରେ ହିଁ ମିଳିବ । ଦାନବ ସହିତ ମାନବଙ୍କ ସଂଘର୍ଷ ହୋଇଥିବା କାହାଣୀ କେଉଁଠି ନାହିଁ । ଆଜିର ଯୁଗରେ ପୃଥିବୀର କୌଣସି ଦେଶରେ ଦେବ ଓ ଦାନବଙ୍କ ଯୁଦ୍ଧ ହେଉଥିବା ଖବର କୌଣସି ଟେଲିଭିଜନରେ କିମ୍ବା ଇଣ୍ଟରନେଟରେ ପାଇବେ ନାହିଁ ।
ଏଇଥରୁ ବୁଝା ପଡୁଛି - ଈଶ୍ବର ଯଦିଓ ସମସ୍ତ ପ୍ରାଣୀଙ୍କୁ ସୃଷ୍ଟି କରିଥିଲେ , ସେ ନିଜର ପ୍ରତିଦ୍ବନ୍ଦୀ ଦାନବଜାତିକୁ ସୃଷ୍ଟି କରିଥିବା ବିଶ୍ବାସ ହେଉନି ।
ଏହା ବି ହୋଇପାରେ , ଈଶ୍ବର ଯେଉଁଭଳି ସ୍ବୟଂ ସମ୍ଭୂତ , ଦାନବମାନେ ମଧ୍ୟ ସେହିଭଳି ସ୍ବୟଂ ସମ୍ଭୁତ । କାଳକ୍ରମେ ଡାଏନାସୋର ଭଳି ବିଶାଳକାୟ ଦାନବମାନେ ସଂସାରରୁ ସମ୍ପୂର୍ଣ୍ଣ ଲୋପ ପାଇଯାଇଛନ୍ତି । ଏହା ବି ହୋଇପାରେ ଯେ , ମାନବ ଯଦି କଳ୍ପନା ଶକ୍ତି ବଳରେ ତଥାକଥ୍ତ ଦେବତାଙ୍କୁ ସୃଷ୍ଟି କରିଥିଲା , ସେହିଭଳି ତଥାକଥ୍ତ ଦାନବଙ୍କୁ ମଧ୍ଯ ସୃଷ୍ଟି କରିଥିଲା । କାଳକ୍ରମେ ଦାନବଙ୍କ ଆବଶ୍ୟକତା ପଡୁନଥିବା ଅନୁଭବ କରି ମାନବ ସମାଜ ଦାନବ ଜାତିକୁ ମନରୁ ପାଶୋରି ଗଲାଣି । ସେହିଭଳି ଭବିଷ୍ୟତରେ କେବେ ଯଦି ମାନବ ସମାଜ ଦେବତାମାନଙ୍କ ଆବଶ୍ୟକତାକୁ ମଧ୍ୟ ଅଦରକାରୀ ବୋଲି ଅନୁଭବ କରିବ , ତେବେ ସମ୍ଭବତଃ ଦେବତାମାନେ ମଧ୍ୟ ଧରା ପୃଷ୍ଠରୁ ଲୋପ ପାଇଯିବେ । ସେତେବେଳେ ଅନ୍ତତଃ ଧର୍ମ ଯୁଦ୍ଧର ଅବସାନ ଘଟିଯିବ । ସମାଜର ନୀତି ଓ ନିୟମ ଦ୍ବାରା ମଣିଷମାନଙ୍କୁ ସହଜରେ ନିୟଂତ୍ରଣ କରିହେବ । ଯିଏ ଯେମିତି ଦୋଷ କରିବ , ତାକୁ ସେମିତି ତୁରନ୍ତ ଦଣ୍ଡ ମଧ୍ୟ ମିଳିବ । ଆସନ୍ତା ଜନ୍ମ ପର୍ଯ୍ୟନ୍ତ ନ୍ୟାୟ ପାଇବାପାଇଁ କାହାକୁ ଅପେକ୍ଷା କରିବାକୁ ପଡିବ ନାହିଁ । ସାରା ଦୁନିଆରେ ଗୋଟିଏ ମାତ୍ର ' ମାନବଧର୍ମ ' ରହିବ । ଉଚ୍ଚ ନୀଚ୍ଚ ଜାତିର ଭେଦ ଭାବ ମଣିଷ ଜାତିରେ ରହିବନାହିଁ । ବ୍ୟକ୍ତି ନିଜର ଗୁଣ , ପ୍ରତିଭା ଓ କର୍ମ ଅନୁସାରେ ସମ୍ମାନିତ ହେବ କିମ୍ବା ଦଣ୍ଡିତ ହେବ ।
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment