ବିଶ୍ବାସକୁ ନୁହେଁ , ଭିରିହୀନ ବିଶ୍ବାସକୁ ଆଘାତ ଲାଗେ
ବିଶ୍ବାସକୁ ନୁହେଁ , ଭିରିହୀନ ବିଶ୍ବାସକୁ ଆଘାତ ଲାଗେ
ବିଗତ ଦିନ ମାନଙ୍କରେ ଧାର୍ମିକ ଅସହିଷ୍ଣୁତାର ଅନେକ ବିଭତ୍ସ ରୂପ ଦେଖିବାକୁ ମିଳିଛି । ବିଭିନ୍ନ ଧାର୍ମିକ ସଙ୍ଗଠନର ଧର୍ମାନ୍ଧ ଲୋକମାନେ ମାନବତାବାଦୀ , ମୁକ୍ତ ଚିନ୍ତକ , ବୁଦ୍ଧିଜୀବୀ ମହାନ ବ୍ୟକ୍ତିମାନଙ୍କୁ ନିର୍ମମ ଭାବେ ହତ୍ୟାକରି ଚାଲିଛନ୍ତି । ବୈଜ୍ଞାନିକ ଚିନ୍ତନକୁ ପ୍ରଚାର କରୁଥିବା ଏବଂ ଭିତ୍ତିହୀନ ରୂଢିବାଦୀ ପରମ୍ପରାକୁ ବିରୋଧ କରୁଥିବା ବୁଦ୍ଧିଜୀବୀମାନେ ପ୍ରତିଦିନ ଧର୍ମୋନ୍ମାଦ ଲୋକମାନଙ୍କ ଦ୍ବାରା ଅପମାନିତ ହେଉଛନ୍ତି ।
ଚିନ୍ତାର ବିଷୟ ହେଉଛି - ଭାରତରେ ଅନ୍ଧବିଶ୍ବାସକୁ ବିରୋଧ କରିବାର ଅର୍ଥ ଧର୍ମକୁ ବିରୋଧ କରାଯାଉଛି ବୋଲି କୁହାଯାଉଛି ।
ସେଥୂପାଇଁ ଅନ୍ଧବିଶ୍ବାସକୁ ବିରୋଧ କରୁଥିବା , ତର୍କଶୀଳ ବା ହେତୁବାଦୀ ବ୍ୟକ୍ତିଙ୍କୁ IPC ଧାରା 295 ( A ) ଅନୁସାରେ ଫସାଇ ଦିଆ ଯାଉଛି । ପ୍ରକୃତ କଥା ହେଉଛି - ହେତୁବାଦର ପ୍ରଚାର କେବଳ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ।
ଭାରତୀୟ ସମ୍ବିଧାନର Article 51 , A ( H ) ଅନୁସାରେ ' ' ବିଜ୍ଞାନର ପ୍ରଚାର ଓ ପ୍ରସାର କରିବା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ହେବା ଉଚିତ ।
ଧର୍ମୋନ୍ମାଦ ଲୋକମାନଙ୍କ ଦ୍ବାରା ହେତୁବାଦୀମାନଙ୍କ ଉପରେ ଆକ୍ରମଣର ତାଲିକା ବହୁତ ଲମ୍ବା । ଏଇ ଅଳ୍ପ କିଛି ତାଜା ଉଦାହରଣ ହେଉଛି - ପୁନାରେ ଡ଼.ଦାମୋଦର ଦାଭୋଲକର , ଆଉ କିଛି ଦିନ ପରେ କମ୍ରେଡ ଗୋବିନ୍ଦ ପାନସାରେଙ୍କୁ ହତ୍ୟା କରାଯିବାପରେ , କର୍ଣ୍ଣାଟକରେ ଏମ.ଏମ କୁଲବୁର୍ଗୀଙ୍କୁ ଏବଂ ଜଣେ ପ୍ରଗତିଶୀଳା ମହିଳା ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଗଲା ।
ସେହିଭଳି ବଙ୍ଗଳା ଦେଶର ଜନଜାଗରଣ ମଞ୍ଚର କର୍ମକର୍ତ୍ତା ନୀଳାୟନୀଳଙ୍କୁ ହତ୍ୟା କରାଗଲା । ସେହି ଦେଶରେ ଅଭିଜିତ ରାୟଙ୍କୁ ମଧ୍ୟ ହତ୍ୟା କରାଗଲା । ଆହୁରି ଦୁଇଜଣ ୱାଶୀକୁର ଏବଂ ଅନନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଉପରୋକ୍ତ ସମସ୍ତଙ୍କର ଗୋଟିଏ ମାତ୍ର ଦୋଷ ଥିଲା ଯେ , ସେମାନେ ମାନବତାର ରକ୍ଷା ପାଇଁ ରୁଢିବାଦୀ ପରମ୍ପରାକୁ ବିରୋଧ କରୁଥିଲେ । ସେମାନଙ୍କୁ ହତ୍ୟା କରିଥିବା ଲୋକମାନେ କୌଣସି ନା କୌଣସି ଧର୍ମ ସମ୍ପ୍ରଦାୟ ସହିତ ଯୋଡି ହୋଇଥିଲେ । ଯେଉଁମାନଙ୍କର ନିଜ ଧର୍ମ ଉପରେ କୌଣସି ଜ୍ଞାନ ନାହିଁ ।
ଏଇଠି ପ୍ରଶ୍ନ ଉଠୁଛି - ଭୁଲକୁ ଭଲ ବୋଲି ଦର୍ଶାଇ ଜନସଚେତନତା ସୃଷ୍ଟିକରିବା କ'ଣ ଏତେ ବଡ଼ ଦୋଷ - ଯାହାପାଇଁ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଗଲା ?
ଅସଂଖ୍ୟ ହେତୁବାଦୀ ନିଜର ବୈଜ୍ଞାନିକ ଚିନ୍ତନ ଯୋଗୁ ଧର୍ମାନ୍ଧମାନଙ୍କ ଦ୍ବାରା ଦାଖଲ କରାଯାଉଥିବା ମିଥ୍ୟା କେସ ପାଇଁ କୋର୍ଟ କଚେରୀକୁ ପ୍ରସିଦ୍ଧ ହେତୁବାଦି ସନଲ ଏଡାମାରଗୁ ଦର୍ଘ ସମୟ କଟର ପନ୍ଥୀ ମାନଙ୍କ ଧମକ ଯୋଗୁ ନିଜଦେଶରୁ ନିର୍ବାସିତ ହୋଇ ରହିଛନ୍ତି ।
ବିଶ୍ବର ତେରଟି ଦେଶରେ ନାସ୍ତିକବାଦକୁ ଅପରାଧ ଶ୍ରେଣୀରେ ରଖାଯାଇଛି ।
ୟୁରୋପିଆନ ୟୁନିୟନର ସତେଇଶିଟି ଦେଶରେ , ' ଭଗବାନଙ୍କୁ ନିନ୍ଦା କରିବା ' ( Blaspheme ) ଆଇନ ଅନୁସାରେ ତିନି ବର୍ଷ ଜେଲ ଦଣ୍ଡ ଦିଆ ଯାଇଥାଏ । ଭାରତରେ ବର୍ତ୍ତମାନ Blaspheme ଆଇନ ଲାଗୁ ହୋଇନାହିଁ । , ତଥାପି ଧାର୍ମିକ ବିଶ୍ବାସକୁ ଆଘାତ ଦେଉଥିବା ବ୍ୟକ୍ତିକୁ IPC 295 ଅନୁସାରେ ଦଣ୍ଡ ବିଧାନ ଅଛି । ଏଇଠି ଗୋଟିଏ ହେତୁବାଦୀ ପ୍ରଶ୍ନ ଉଠୁଛି - ସତ ବିଶ୍ବାସକୁ କିଏ ଓ କିପରି ଆଘାତ କରିପାରିବ ? ସତ୍ୟକୁ ଯିଏ ଜାଣି ବୁଝି ବିଶ୍ବାସ କରୁଥିବ , ସେ କାହାରି କୁତ୍ସାରଟନାରେ ବା ସମାଲୋଚନା ଶୁଣି ବିଚଳିତ ହେବ କାହିଁକି ? ଏହାର ଦୁଇଟି ଉଦାହରଣ ଦେଖିବା -
1.'କ ' ଜଣେ ବ୍ୟକ୍ତି , ତା'ର ବାପା ଓ ମାଆଙ୍କୁ ପିଲାଟି ଦିନରୁ ଚିହ୍ନିଛି , ଜାଣିଛି ଏବଂ ଅନୁଭବ ମଧ୍ୟ କରିଛି । ତେଣୁ ସେ ନିଜର ବାପା ଓ ମା'ଙ୍କୁ ଦୃଢତାର ସହ ବିଶ୍ବାସ କରୁଛି । କେହି ଯଦି ଆସି ' କ ' କୁ କହିବି - ଏମାନେ ତୋର ଅସଲି ବାପା ଓ ମାଆ ନୁହନ୍ତି , ଏମାନେ ନକଲି । ' ତା କଥା ଶୁଣି ' କ ' ରାଗିବା ପରିବର୍ତ୍ତେ ବ୍ୟକ୍ତି ଜଣଙ୍କର ନିର୍ବୋଧପଣ ଦେଖ୍ ହସିବ । କାରଣ ' କ ' ସ୍ଥିର ନିଶ୍ଚିତ ଯେ ତା'ର ବିଶ୍ବାସ ସତ୍ୟ ଉପରେ ଆଧାରିତ । ପ୍ରମାଣ ସ୍ବରୂପ ବାପା ଓ ମାଆ ଜୀବିତ ଅଛନ୍ତି
2.ମନେ କରନ୍ତୁ - ' ଖ ' ବ୍ୟକ୍ତି ଜଣେ ଈଶ୍ବର ବିଶ୍ବାସୀ ଲୋକ । ସେ ଐଶ୍ବରୀୟ ଚମତ୍କାରିତା ଉପରେ ଗଭୀର ବିଶ୍ବାସ ରଖୁଛି । ଦିନେ ଜଣେ ସିଦ୍ଧତାନ୍ତ୍ରିକ ' ଖ ' ର ଜାତକ ଗଣନା କରି କହିଲା - ତୋ ଭାଗ୍ୟରେ ଅପାର ଧନ ସମ୍ପତି ପ୍ରାପ୍ତିର ଯୋଗ ଅଛି । ସେହି ଧନ ତୋ'ର ପୈତୃକ ଘର ତଳେ ମାଟିରେ ପୋତି ହୋଇ ରହିଛି । ଯଦି ପାରିବୁ ମାଟି ଖୋଳି ସଂଗ୍ରହ କର । ' ଖ ' ଧନ ଲାଳସା ଯୋଗୁ ତାତ୍ତ୍ୱିକର ପ୍ରସ୍ତାବକୁ ଗ୍ରହଣ କଲା । ପୈତୃକ ଘରଟି ଭାଙ୍ଗି ମାଟି ଖୋଳିବା ପ୍ରସ୍ତାବ ଶୁଣି ଯଦି ତାଙ୍କର ଜଣେ ହେତୁବାଦୀ ବନ୍ଧୁ କହିବେ ' ' ତାତ୍ତ୍ୱିକର କଥାରେ ବିଶ୍ବାସ କରନାହିଁ ଏହା ସବୁ ଅନ୍ଧବିଶ୍ୱାସ । ଜାତକ ମଧ୍ୟ ଅବୈଜ୍ଞାନିକ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ତିଆରି ହୋଇଛି । ତେଣୁ ଘର ଭାଙ୍ଗିବା ଉଚିତ ହେବନାହିଁ । ' ଏହା ଶୁଣି ' ଖ ' ମାନସିକ ଆଘାତ ପାଇବ ଏବଂ ହେତୁବାଦୀ ବନ୍ଧୁଙ୍କ ଉପରେ ରାଗିଯାଇ କହିବ - ' ମୁଁ ଯଦି ଜ୍ୟୋତିଷ ଓ ତାନ୍ତ୍ରିକ ଉପରେ ବିଶ୍ବାସ କରୁଛି ତ ତୁମେ ଜିଏ ମୋ ବିଶ୍ୱାସକୁ ଆଘାତ କରିବାପାଇଁ ?
ସେହି ଅନ୍ଧବିଶ୍ବାସ ଯୋଗୁ ' ଖ ' ର ଘର ଭାଙ୍ଗିବ , ମାଟି ଖୋଳା ହେବ କିନ୍ତୁ କିଛି ନ ମିଳିବାରୁ ସେ ପୁଣି ତାନ୍ତ୍ରିକ ପାଖକୁ ଯାଇ ଧନ ନ ମିଳିବାର କାରଣ ପଚାରିବ । ତାନ୍ତ୍ରିକ ବିନା ସଙ୍କୋଚରେ , ଏକ ନିର୍ଭରଯୋଗ୍ୟ ଉତ୍ତର ଦେବ - " ମଣିଷ ନିଜ ପ୍ରାରବ୍ଧର ଫଳ ପାଏ ବତ୍ସ । ତୁ ହୁଏତ ଗତ ଜନ୍ମରେ କିଛି ଅପକର୍ମ କରିଥିଲୁ ସେଥିପାଇଁ ମାଟି ତଳେ ପୋତା ହୋଇଥିବା ଧନ ଉଭେଇଗଲା । ' ' ବର୍ତ୍ତମାନ ' ଖ'ର ଅକଲ ଗୁଡୁମ । ନିଜର ଭାଗ୍ୟକୁ ଦୋଷ ଦେଇ ଘରକୁ ଫେରିବ । ସେ ତଥାପି ଜ୍ୟୋତିଷଙ୍କୁ ଅବିଶ୍ବାସ କରିବ ନାହିଁ କିମ୍ବା ସେ ତଥାପି ବୁଝି ପାରିବନାହିଁ ଯେ ଘର ଭାଙ୍ଗିବା ପୂର୍ବରୁ ହେତୁବାଦୀ ବନ୍ଧୁ କହିଥିବା କଥା ସତହେଲା ।
ବିଡମ୍ବନା ହେଉଛି ଯେ ଏହିଭଳି ଘଟଣାର ବାରମ୍ବାର ପୁନରାବୃରି ହେଉଥିଲେ ମଧ୍ୟ ଅନ୍ଧ ବିଶ୍ଵାସର ଅନ୍ତ ହେଉନାହିଁ । ଅନ୍ଧବିଶ୍ବାସ ଯୋଗୁ ଅସଂଖ୍ୟ ମଣିଷଙ୍କ ପ୍ରାଣହାନୀ ମଧ୍ୟ ଘଟୁଛି । ଶେଷରେ ଆମେ କହିପାରିବା - ଯେଉଁଠି ସତ୍ୟ ପ୍ରମାଣ ସହିତ ପ୍ରତିଷ୍ଠିତ , ସେଇଠି କେହି ଆହତ ହୁଅନ୍ତିନାହିଁ । ଏହାର ବିପରୀତ ଯେଉଁଠି ସତ୍ୟ କେବଳ ଅନୁମାନ ଓ କଳ୍ପନା ଉପରେ ଆଧାରିତ , ସେଇଠି ମଣିଷର ଇଗୋ ବା ଆତ୍ମଅହଙ୍କାର ଆହତ ହୁଏ । ନିଜର ଆତ୍ମଅହଙ୍କାରକୁ ବଞ୍ଚାଇ ରଖିବାପାଇଁ ସେ କ୍ରୋଧ ପ୍ରକଟକରେ । ଧର୍ମକୁ ବଞ୍ଚେଇବାକୁ ନୁହେଁ ।
ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ
Comments
Post a Comment