ପୁସ୍ତକ ର ନାମ ହେତୁବାଦୀ ରହସ୍ୟ ଏଥିରେ 28 ଅଧ୍ୟାୟ ଅଛି
96 page book size 21×14cm
ଯଦି ଏହି ପୁସ୍ତକଟିକୁ କିଣିବାକୁ ଚାହୁଁଛନ୍ତି ତେବେ
ଏହି numberରେ ଯୋଗାଯୋଗ କରନ୍ତୁ
9482016260
E-mail balmikinayak@gmail.com
1. ସଂସ୍କୃତିର ପରିଭାଷା
2. ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ
3. ଆତ୍ମା ଏକ ତଥ୍ୟ ନା କେବଳ ତର୍କ ?
4. ମାନବୀୟ ସମସ୍ୟା ଓ ଦୈବୀ ସମାଧାନ
5. ବାବା ମାର୍କା ନକଲି ଧନ୍ଦା
6. ଅହେତୁକ ବିଶ୍ବାସର ହେତୁ
7. ପ୍ରାକୃତିକ ବିପର୍ଯ୍ୟୟ ଦୈବୀ ପ୍ରକୋପ ନୁହେଁ
8. ଈଶ୍ବର ସବୁବେଳେ ନିରବ - ବିଜ୍ଞାନ ନୁହେଁ
9. ନୈତିକତା ବନାମ ଧାର୍ମିକତା
10. ବିଭୂତିର ମାୟା
11. ଭିତ୍ତିହୀନ ବିଶ୍ବାସର ସଙ୍କେତ
12. ଭକ୍ତର ଭଗବାନ : ଏକ ବିଶ୍ଳେଷଣ
13. ଭିତ୍ତିହୀନ ବିଶ୍ବାସ କେବେ ଦୂର ହେବ ?
14. ଧାର୍ମିକ ଅସହିଷ୍ଣୁତା କାହିଁକି ?
15. ଭବିଷ୍ୟତରେ ନାସ୍ତିକବାଦର ସ୍ଥିତି
16. ମିଡ଼ବ୍ରେନ ଆକ୍ଟିଭେସନ : ଏକ ଗୋଲକ ଧନ୍ଦା
17. ଭିଭିହୀନ ବିଶ୍ବାସ ବିରୁଦ୍ଧରେ ସଂଘର୍ଷ
18. ନିରୀଶ୍ବରବାଦୀ ପରମ୍ପରା
19. ଅସହିଷ୍ଣୁତାର ପରିଭାଷା
20. କେବଳ ପ୍ରଶ୍ନ ନୁହେଁ , ତର୍କସଙ୍ଗତ ଉତ୍ତର ସତ୍ୟକୁ ସିଦ୍ଧ କରେ
21. ସଫଳତା ଓ ବିଫଳତାର ହେତୁ
22. ଭୟରୁ ଈଶ୍ବର ସୃଷ୍ଟି ଏକ ଅନୁଶୀଳନ
23. ଭିଭିହୀନ ବିଶ୍ବାସର ବିନାଶରୁ ହିଁ ବିକାଶର ଜନ୍ମ ସମ୍ଭବ 24. ହେତୁବାଦୀମାନଙ୍କ ମନ ମଧ୍ୟ ଆହତ ହୁଏ
25. ହେତୁବାଦର ଆଭିମୂଖ୍ୟ ଓ ଆବଶ୍ୟକତା
26. ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା
27. ଆସ୍ତିକତା , ନାସ୍ତିକତା ଓ ଈମାନଦାରୀ
28. ପଞ୍ଚୁକ ପାଳନର ଆବଶ୍ୟକତା କଅଣ ?
ସଂସ୍କୃତିର ପରିଭାଷା
ଦୁନିଆରେ ମାନବ ବିକାଶ ଲାଭ କଲାପରେ , ପରିବାର ଓ ସମାଜ ଗଠନ ହେବା ସହିତ ସମାଜକୁ ନିୟନ୍ତ୍ରତ ରଖିବାପାଇଁ ସାମାଜିକ ନୀତି ଓ ନିୟମ ବି ପ୍ରଣୟନ ହେଲା ।
ସମାଜର ପ୍ରତ୍ୟେକ ମଣିଷଙ୍କୁ ସଞ୍ଜମ ଓ ଶୃଙ୍ଖଳିତ ରଖିବାପାଇଁ ନୀତି , ନିୟମ ଆବଶ୍ୟକ ଥିଲା । ଧିରେ ଧିରେ ନୀତି , ନିୟମର ଶୃଙ୍ଖଳା ଭିତ୍ତିରେ ସମାଜରେ ସଂସ୍କାର ସ୍ଥାପିତ ହେଲା ।
ବ୍ୟକ୍ତିଗତ ଜୀବନର ବିକାଶଠାରୁ ଆରମ୍ଭ କରି , ପରିବାର ଓ ସମାଜର ମଙ୍ଗଳ ସାଧନ ପର୍ଯ୍ୟନ୍ତ , ପ୍ରତ୍ୟେକ ସ୍ତରରେ ସଂସ୍କାରକୁ ବାଧ୍ୟତା ମୂଳକ ଭାବେ ପାଳନ କରାଗଲା ।
ଯେ କେହି ସମାଜ ନିର୍ଦ୍ଧାରିତ ସଂସ୍କାରକୁ ଅବଜ୍ଞା କରିବ , ତା'ପାଇଁ କଠୋର ଦଣ୍ଡବିଧାନ ମଧ୍ୟ ରହିଲା । ସଂସ୍କାରକୁ ମାନି ଚଳିବା ନୀତିକୁ ସଂସ୍କୃତି ରୂପେ ମାନ୍ୟତା ମିଳିଲା ।
ସଂସ୍କାରକୁ ଆମେ ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ କରିପାରିବା । ଗୋଟିଏ ହେଉଛି ଭୌତିକ ବା ବାସ୍ତବ ଜଗତର ସଂସ୍କାର । ଦ୍ୱିତୀୟଟି ହେଉଛି ଆଧିଭୌତିକ ବା ଆଧ୍ୟାତ୍ମିକ ସଂସ୍କାର ।
ଭୌତିକ ଜଗତରେ ମଣିଷର ସମସ୍ତ ଭଲ ମାନବୀୟ ଗୁଣ ଯଥା , ଦୟା , କ୍ଷମା , ତ୍ୟାଗ , ପରୋପକାର , ସମ୍ବେଦନଶୀଳ ଓ ପ୍ରେମ ରହିବା ଉଚିତ । ଆଧିଭୌତିକ ଜଗତର ସଂସ୍କାରରେ , ତଥାକଥିତ କାଳ୍ପନିକ ଈଶ୍ବରଙ୍କ ପ୍ରତି ଗଭୀର ଆଧିଭୌତିକଆସ୍ଥା ଓ ଆଦିମ କାଳରୁ ରଚନା କରା ଯାଇଥିବା ବିଭିନ୍ନ ଧର୍ମଶାସ୍ତ୍ରର ତଥ୍ୟ ଉପରେ ଅତୁଟ ବିଶ୍ବାସ ରଖି ପୂଜା , ପ୍ରାର୍ଥନା , ହୋମ , ଯଜ୍ଞ ଆଦି ଧର୍ମୀୟ କର୍ମକାଣ୍ଡ କରିବା ।
ମଣିଷର ପ୍ରକୃତି ଭିତରେ ଉତ୍ତମ ଗୁଣ ସହିତ କେତେକ ବଦଗୁଣ ଯଥା : ଇର୍ଷା , ଦ୍ବେଷ , ଘୃଣା , ହିଂସା , ଲୋଭ , ମୋହ ଆଦି ଭରି ରହୁଥିବାରୁ , ଭୌତିକ ସଂସ୍କାର କଳୁଷିତ ହୋଇ ପଡୁଛି । ସମାଜର ଦଣ୍ଡ ବ୍ୟବସ୍ଥା ଯେତେ କଠୋର ହେଲେ ମଧ୍ୟ ସମାଜରେ ବିଭିନ୍ନ ପ୍ରକାର ଅନ୍ୟାୟ , ଅତ୍ୟାଚାର , ଶୋଷଣ ଓ ହତ୍ୟା ଭଳି ଅପରାଧ ଘଟୁଛି । ସେଥିପାଇଁ ମାନସିକ ସ୍ତରରେ ଭୟ ସୃଷ୍ଟିକରି , ଦୁଷ୍ଟ ପ୍ରକୃତିର ମଣିଷମାନଙ୍କୁ , ନିୟନ୍ତ୍ରଣ କରିବାପାଇଁ ଆଧ୍ୟାତ୍ମିକ ସଂସ୍କାର ଏକ ସଫଳ ଉପାୟ ବୋଲି , ପୁରୁଣା କାଳର ସମାଜ ସୁଧାରକମାନେ ଚିନ୍ତା କରିଥିଲେ । ସେଥିରେ ନିଜର କର୍ମ ଅନୁସାରେ ପାପ ଓ ପୂଣ୍ୟ ଅର୍ଜନ କରି ସ୍ବର୍ଗ କିମ୍ବା ନର୍କ ଭୋଗ କରିବା ତଥ୍ୟକୁ ବିଭିନ୍ନ କଥା ଓ କାହାଣୀ ମାଧ୍ୟମରେ ପ୍ରଚାର କରିଥିଲେ ପରବର୍ତୀ କାଳରେ ସେହିସବୁ କାଳ୍ପନିକ ଚରିତ୍ର ଓ କାହାଣୀ ଜନମାନସକୁ ପ୍ରଭାବିତ କରିରଖୁଛି ଆଧ୍ୟାତ୍ମିକ ସଂସ୍କୃତି ନାମରେ ଆଜିର ଆଧୁନିକ ବିଜ୍ଞାନ ଯୁଗରେ ମଧ୍ୟ ଲକୀର କେ ଫକୀର ନୀତିରେ ( ଅର୍ଥାତ ଶଗଡ଼ ଗୁଳାରେ ଚାଲିବା ) ପୁରୁଣା ପର୍ବ ପର୍ବାଣିଗୁଡ଼ିକୁ କୌଣସି ବିଶେଷ ପରିବର୍ତ୍ତନ ନ କରି , ଆମେ ପାଳନ କରୁଛୁ ।
ଯେଉଁ ଗଣପର୍ବଗୁଡିକ ଆଗରୁ କେବଳ ଗାଁ'ଗହଳରେ ଗରିବ ଓ ଅଶିକ୍ଷିତ ଲୋକମାନେ ହିଁ ପାଳନ କରୁଥିଲେ , ଆଜି ସହରରେ ବାସ କରୁଥିବା ଶିକ୍ଷିତ ଓ ଧନୀ ଲୋକମାନେ ମଧ୍ୟ ସେହିସବୁ ଗଣପର୍ବଗୁଡିକୁ ପରମ୍ପରା ନାମରେ ପାଳନ କରିବାକୁ ଚେଷ୍ଟା କରୁଛନ୍ତି ।
ପୂର୍ବକାଳର ଗଣପର୍ବରେ ବୈଜ୍ଞାନିକ କାରଣ କ'ଣ ଅଛି ? ଆଜିର ଯୁଗରେ ସେଗୁଡିକ ପାଳନ କରିବା କେତେ ଆବଶ୍ୟକ ?
ସେଗୁଡିକ ପାଳନ ନ କଲେ ଆମର କ'ଣ କ୍ଷତି ହେବ ?
ସେ ସମ୍ପର୍କରେ ଚିନ୍ତା କରିବା ବା ପ୍ରଶ୍ନ କରିବାକୁ କେହି ସାହସ କରି ପାରୁନାହାନ୍ତି । ଓଡ଼ିଶାର ଏକ ପାରମ୍ପରିକ ଗଣାପୂଜା ହେଉଛି - କାର୍ତ୍ତିକ ମାସର ବୋଇତ ଭସାଣି ପର୍ବ । କାର୍ତ୍ତିକ ମାସକୁ ଏକ ଧାର୍ମିକମାସ ବୋଲି କହନ୍ତି । ଏହି ମାସରେ ଆହୁରି ଅନେକ ଧର୍ମୀୟ କର୍ମକାଣ୍ଡ ବି କରାଯାଏ । ଏଇଠି ପ୍ରଶ୍ନ ଉଠୁଛି - କାର୍ତ୍ତିକମାସଟି ଯଦି ଧାର୍ମିକମାସ , ତେବେ ଅନ୍ୟ ଏଗାରଟି ମାସ କଣ ଅଧାର୍ମିକ ମାସ ?
ମହାଦେବ ଦାସଙ୍କ ରଚିତ " କାର୍ତ୍ତିକ ମାହାତ୍ମ୍ୟ " ରେ ଲେଖାଅଛି ' '
କାର୍ଭିକ ମହିମା ଯେ ଶୁଣି , ଶ୍ରବଣେ ସର୍ବ ଧର୍ମ କିଣି ।
ହୃଦେ ରଖୁବ ଯତ୍ନ କରି , ଅଶେଷ ଜନ୍ମ ପାପ ହରି ।
ବଢ଼ଇ ଆୟୁ , ଯଶ , ଧର୍ମ , ଶିରୀ , ସମ୍ପଦ ଶୁଭକର୍ମ ।
ବିଶେଷ ହୁଏ ଧର୍ମ ମନ ,ଉତ୍ତମ ଜ୍ଞାନ ଧନ ଜନ ।
ଅବଶ୍ୟ ଲଭଇ ଏତକ , କେବେ ହେଁ ନଲାଗେ ପାତକ ।
ନଳିନୀ ଜଳେ ଯେହ୍ନେ ଆପ , ପଦ୍ମ ପୁରାଣେ ତେହ୍ନେ ପାପ ।
ଶରୀର ନ ପାଇଲ ପିଢୀ , ଶ୍ରବଣ ମାତ୍ରେ ଯାଏ ଛାଡି ।
ଏଥୁରୁ ଯାହା ବୁଝା ପଡୁଛି ଏଗାର ମାସରେ ମଣିଷ କରିଥିବା ପାପ ବା ଅପକର୍ମର ଦୋଷ , ଏହି ପୁରାଣ ଶ୍ରବଣ କରି କାର୍ତ୍ତିକ ମାସରେ ପୂଜା , ପାଠକଲେ କ୍ଷୟ ହୋଇଯିବ । ଏହା କ'ଣ ବିଶ୍ବାସ ଯୋଗ୍ୟ ?
ଆଉ ଗୋଟିଏ ମଜା କଥା ହେଉଛି ଭାରତର ପ୍ରତ୍ୟେକ ପ୍ରଦେଶରେ ହିନ୍ଦୁମାନେ ବାସ କରୁଥିଲେ ବି ଉତ୍ତର ଭାରତୀୟମାନେ ପୂର୍ଣ୍ଣମୀଠାରୁ ଆସନ୍ତା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ମାସ ବୋଲି ଗଣନା କରୁଛନ୍ତି ।
କିନ୍ତୁ ଦକ୍ଷିଣ ଭାରତୀୟମାନେ ଅମାବାସ୍ୟାଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ଏକ ମାସ ଗଣନା କରୁଛନ୍ତି । ଅର୍ଥାତ କାର୍ତ୍ତିକ ମାସଟି ପନ୍ଦର ଦିନିଆ ନା ପଇଁଚାଳିଶ ଦିନିଆ ମାନି ଆମେ ପୂଜା ଓ ବ୍ରତ କରିବା ?
ଓଡ଼ିଶାରେ ଗୁରୁବାରକୁ ଲକ୍ଷ୍ମୀବାର ବୋଲି ମାନନ୍ତି କିନ୍ତୁ କର୍ଣ୍ଣାଟକରେ ଶୁକ୍ରବାରକୁ ବରଲକ୍ଷ୍ମୀ ଦିନ ବୋଲି ମାନନ୍ତି ।
ପ୍ରଶ୍ନ ଉଠୁଛି - ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଝିଅ ଟିଏ ଯଦି ବିବାହ କରିସାରି କର୍ଣ୍ଣାଟକରେ ରହିବ , ତେବେ ସେ କେଉଁ ବାରଟି ଲକ୍ଷ୍ମୀବାର ବୋଲି ମାନିବ ?
ଯଦି ଗୁରୁବାରକୁ ମାନିବ ଓ ଶୁକ୍ରବାରକୁ ନ ମାନିବ , ତେବେ କର୍ଣ୍ଣାଟକର ଲକ୍ଷ୍ମୀ କ'ଣ ତାକୁ କ୍ଷମା କରିଦେବେ ?
ହୁଏତ ମାନସିକ ଦ୍ବନ୍ଦ ଓ ଧର୍ମଭୟ ଦୃଷ୍ଟିରୁ ତାକୁ ଉଭୟ ବାରକୁ ମାନିବାକୁ ପଡିବ । ବର୍ତ୍ତମାନ ଆମେ ବାସ୍ତବିକ , ଚଳନ୍ତି ଆଧୁନିକ ସମାଜର ଚିତ୍ର ଦେଖିବା । ଯେଉଁ ସ୍ତ୍ରୀମାନେ ଉଚ୍ଚଶିକ୍ଷା ପ୍ରାପ୍ତକରି ନିଜର ମାତୃଭୂମିରୁ ଦୂରରେ ଥିବା ସହରମାନଙ୍କରେ ଚାକିରି କରୁଛନ୍ତି , ସେମାନେ ଓଡ଼ିଆ ଘରର ସାଧାରଣ ଶିଷ୍ଟାଚାର , ସଣ୍ଠଣା ଓ କର୍ତ୍ତବ୍ୟବୋଧକୁ ପ୍ରାୟ ଭୁଲିଗଲେଣି । ଶାଢ଼ୀ ପିନ୍ଧିବା ତ ଦୂରରକଥା , ହାତରେ ଶଙ୍ଖା ଓ ମଥାରେ ସିନ୍ଦୁର ପିନ୍ଧିବାକୁ ବି ପସନ୍ଦ କରୁନାହାନ୍ତି ।
ଅର୍ଥାତ ଆଧୁନିକ ଜୀବନଶୈଳୀ ଓ ପରିପାଟୀକୁ ମୁକ୍ତମନରେ ସ୍ବୀକାର କରିସାରିଲେଣି । ଏହାର ଅର୍ଥ ନୁହେଁ ଯେ ସେମାନେ କିଛି ଖରାପ କାମ କରୁଛନ୍ତି । ସମୟ ଓ ପରିବେଶ ସହିତ ନିଜକୁ ଖାପ ଖୁଆଇ ସହଜ ଭାବେ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଖରାପ କଥା ନୁହେଁ ।
କିନ୍ତୁ ସେମାନେ ଓଡ଼ିଶାର ଆଧ୍ୟାତ୍ମିକ ସଂସ୍କୃତି ନାମରେ ଗଣପର୍ବ ପାଳନ କରିବାକୁ ବେଶୀ ଉତ୍ସାହିତ ହେଉଥିବା ଦେଖି ମନରେ ପ୍ରଶ୍ନ ଉଠୁଛି - ଏମିତି ଦୋଗଲା ମନୋବୃତ୍ତି ଓ ଆତ୍ମପ୍ରବଞ୍ଚନା କାହିଁକି ?
ଉଚ୍ଚଶିକ୍ଷା ପ୍ରାପ୍ତକରି ଚାକିରି କରୁଥିବା ଯୁବକ ଯୁବତୀ ନିଜର ଘରଠାରୁ ଦୂରରେ ରହୁଥିବାରୁ ସେମାନଙ୍କ ଉପରେ ପରିବାରର କୌଣସି ପ୍ରତିବନ୍ଧକ ରହୁନାହିଁ । ଆର୍ଥିକ ସ୍ବଚ୍ଛଳତା ଯୋଗୁଁ ଯାହା ଇଛା ତାହା ଖାଇବା ପିଇବା ଓ ପିନ୍ଧିବା ପାଇଁ ସେମାନେ ସ୍ବତନ୍ତ୍ର ରହୁଛନ୍ତି ।
ଯୁବ ବୟସରେ ଉଶୃଙ୍ଖଳ ହେବା ଏକ ସହଜ ସ୍ବଭାବ । ସେଥୂପାଇଁ ଆଜିକାଲି ' ଲିଭଇନ ' ଅର୍ଥାତ ବାହା ନହୋଇ ମଧ୍ୟ ଯୁବକ ଯୁବତୀ ଗୋଟିଏ ଘରେ , ଏକା ସହିତ ସ୍ବାମୀ ସ୍ତ୍ରୀଙ୍କ ଭଳି ସମ୍ପର୍କ ରଖି ପାରୁଛନ୍ତି । କିଛି ଦିନ ସାଙ୍ଗରେ ରହିବାପରେ ଯଦି ମନ ନ ମିଶିଲା , ଦୁହେଁ ଅଲଗା ହୋଇଯାନ୍ତି । ଅନ୍ୟ ଏକ ନୂତନ ସାଥି ଖୋଜନ୍ତି ।
ସେମାନେ ଯେତେ ଧାର୍ମିକ ଓ ରୂଢିବାଦୀ ପରିବାରରୁ ଆସିଥିଲେ ମଧ୍ୟ ଅନୈତିକ ଓ ଉଶୃଙ୍ଖଳ ଆଧୁନିକ ଜୀବନଶୈଳୀକୁ ବିନା ସଙ୍କୋଚରେ ଉପଭୋଗ କରୁଛନ୍ତି ।
ଗଣପର୍ବଗୁଡିକ ଓଡ଼ିଶାର ଗାଁ'ଗହଳର ଲୋକମାନଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ଥିଲା । ସମସ୍ତେ ଏକାଠି ହୋଇ ନାଚି , ଗାଇ , ହସଖୁସିରେ ବନ୍ଧୁ ମିଳନର ଆନନ୍ଦ ଉପଭୋଗ କରୁଥିଲେ । ଗାଁ'ରୁ ଆସି ସହରର ସମସ୍ତ ଆଧୁନିକ ଭୌତିକ ସାଧନ ବ୍ୟବହାର କରୁଥିବା ଲୋକମାନେ , କେବେ ତାଙ୍କର ପିଲାମାନଙ୍କର ' ବର୍ଥଡେ ' ( ଜନ୍ମଦିନ ) ପାଳନ କରିବାକୁ ଗାଁ'କୁ ଯାଇ , କ୍ୟାଣ୍ଡେଲ ଜାଳି , କେକକାଟି ବନ୍ଧୁ ପରିଜନଙ୍କ ସହ ଖୁସି ବାଣ୍ଟୁଛନ୍ତିକି ?
ନିଜର ବିବାହ ବାର୍ଷିକୀ ଦିନ ସାଙ୍ଗ ସାଥୀମାନଙ୍କ ଗହଣରେ କେକକାଟି , ଖାଇପିଇ ସେଲିବ୍ରେଟ କରୁଛନ୍ତି । ଯେଉଁ ଗାଁ'ରେ ବିବାହ କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ ସେହି ଗାଁ'କୁ ଯାଇ ସେଭଳି କରୁଛନ୍ତିକି ? ନାହିଁ । କାରଣ ସେମାନଙ୍କ ମତରେ ଏଗୁଡିକ ହେଉଛି ସହରୀ ସଂସ୍କୃତି , ଗାଁ'ରେ ଏଗୁଡିକର ମହତ୍ତ୍ଵ କମିଯିବ । ସେହିଭଳି ଗାଁ'ର ପର୍ବକୁ ସହରକୁ ଟାଣିଆଣି ପାଳନ କରିବା ଦ୍ବାରା ସେହି ପର୍ବର ମହତ୍ତ୍ବ ନଷ୍ଟ ହେଉନାହିଁକି ?
ଓଡ଼ିଆ ସଂସ୍କୃତିର ଏକ ଅବକ୍ଷୟ ମୂଲ୍ୟ ସମ୍ପର୍କରେ ମୋର ବ୍ୟକ୍ତିଗତ ଅନୁଭବ ଏଇଠି ଉଲ୍ଲେଖ କରିବା ଉଚିତ ଭାବୁଛି । ବେଙ୍ଗାଲୁରୁ ସହରରେ ଅନେକ ଓଡ଼ିଆ ଆସି ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି । ଆର୍ଥିକ ସ୍ବଚ୍ଛଳତା ବୃଦ୍ଧି ପାଇଥିବାରୁ କଥାବାର୍ତ୍ତା , ଖିଆ ପିଆ , ରହଣି ସହଣୀ ସବୁକିଛି ବଦଳି ଯାଉଛି । ସେମାନଙ୍କୁ ଦେଖିଲେ ଲାଗୁନାହିଁ ଯେ , ଏମାନେ ସେହି ଗରିବ ଓ ପଛୁଆ ପ୍ରଦେଶର ଲୋକ । ଓଡ଼ିଆ ଭାଷାରେ ପାଠପଢା ଆରମ୍ଭ କରି ଇଂରାଜୀ ଭାଷାରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିବା ଯୁବକ ଯୁବତୀ ଆଜି ଓଡ଼ିଆ ବହି କିମ୍ବା ପତ୍ରିକା ଖଣ୍ଡେ ପଢିବାକୁ ନାକ ଟେକୁଛନ୍ତି । ମୁଁ ଦେଖେ , ଦୁଇଜଣ ଓଡ଼ିଆ ଲୋକ ହିନ୍ଦୀ ବା ଇଁରାଜୀରେ କଥାବାର୍ତ୍ତା କରୁଛନ୍ତି । ଏହାର କାରଣ ପଚାରିଲେ ନିର୍ଲଜ ଭାବେ କୁହନ୍ତି ବାହାରେ ରହି ରହି ଅଭ୍ୟାସ ହୋଇଗଲାଣି । ଓଡ଼ିଆରେ ଆମେ ଠିକ ଭାବେ ଭାବ ବ୍ୟକ୍ତ କରିପାରୁ ନାହୁଁ । ମାତୃଭାଷାକୁ ଭୁଲି ଯାଉଥିବା ଲୋକମାନେ କିନ୍ତୁ ପର୍ବପର୍ବାଣୀ ଗୁଡିକୁ ଜାବୁଡି ଧରି ବସିଛନ୍ତି । ଏହାକୁ ଆପଣ କେଉଁ ସଂସ୍କୃତି ବୋଲି କହିବେ ?
ଯେଉଁ ସମୟରେ ଯାତାୟାତ କରିବାପାଇଁ ସାଧନ ସୀମିତ ଥିଲା , ସେତେବେଳେ ସାହାସୀ ଓଡିଆ ସାଧବ ପୁଅମାନେ , ନିଜର ଉତ୍ପାଦିତ ବସ୍ତୁଗୁଡ଼ିକୁ , ବୋଇତ ସାହାଯ୍ୟରେ ଦୂରରେ ଥିବା ସିଂହଳ , ଜାଭା , ସୁମାତ୍ରା ଓ ବର୍ମା ଆଦି ଦେଶମାନଙ୍କୁ ମହାସମୁଦ୍ରରେ ନିଜର ଜୀବନକୁ ବାଜି ଲଗେଇ , ନେଇ ଯାଇ ବ୍ୟବସାୟ କରୁଥିଲେ । ସେହିମାନଙ୍କର ସ୍ମୃତିରେ , ଆମ ପ୍ରଦେଶର ସମୁଦ୍ର କୂଳରେ ବାସ କରୁଥିବା ଲୋକମାନେ ବୋଇତ ଭସାଣି ପର୍ବ ପାଳନ କରୁଥିଲେ । ଧିରେ ଧିରେ ତାହା ସାରା ଓଡ଼ିଶାର ପୁରପଲ୍ଲୀରେ ଏକ ଗଣପର୍ବ ରୂପେ ପାଳନ ହେଲା । ବୋଇତର ପ୍ରତୀକ କଦଳୀ ବାହୁଙ୍ଗାରେ ଦୀପ ଜାଳି ନିକଟସ୍ଥ ନଦୀ ବା ପୁଷ୍କରଣୀରେ ପ୍ରବାହିତ କଲେ ।
ବର୍ତ୍ତମାନ ସହରର ସୀମିତ ଜଳରାଶି ଥିବା ଯେକୌଣସି ପୋଖରୀ କିମ୍ବା ଗାଡ଼ିଆରେ ଶହ ଶହ ସଂଖ୍ୟାରେ କଦଳୀ ବାହୁଙ୍ଗା ଭସେଇବା ଦ୍ବାରା ଜଳ ପ୍ରଦୂଷଣ ବୃଦ୍ଧିପାଉଛି । ବୋଇତ ଭସାଣି ସମୟରେ ଗାଁ'ର ସ୍ତ୍ରୀମାନେ ହୁଳହୁଳି ପକାଇଥା'ନ୍ତି । ତାହା ଏକ ଅଦ୍ଭୁତ ଅନୁଭବ ଦେଇଥାଏ । ଆଜି ସହରର ସ୍ତ୍ରୀମାନଙ୍କୁ ହୁଳହୁଳି ପକେଇବା ଆସୁନାହିଁ କିମ୍ବା ଏହା ଏକ ରୂଢିବାଦୀ ପରମ୍ପରା ବୋଲି ଭାବୁଛନ୍ତି । ଶେଷରେ ଆମେ ଏତିକି କହିପାରିବା ଯେ , ଓଡ଼ିଶାର ଅସଲ ସାମାଜିକ , କଳା , ଭାଷା ଓ ଭାଇଚାରା ସଂସ୍କୃତିକୁ ଭୁଲିଯାଇ , କେବଳ ଲୋକ ଦେଖାଣିଆ ଆଧ୍ୟାତ୍ମିକ ସଂସ୍କୃତି ନାମରେ ସ୍ବଳ୍ପ ସମୟପାଇଁ ପୂଜା ପାଠ କରିଦେଲେ ଆମର ପ୍ରଗତି ହୋଇ ପାରିବନାହିଁ । ଗଭୀର ଅଧ୍ୟୟନ , କଠିନ ପରିଶ୍ରମ , ଓ ସତଚରିତ୍ର ଗଠନ ଦ୍ବାରା ହିଁ ଆମର ବିକାଶ ହେବ ଏବଂ ପ୍ରକୃତ ଓଡ଼ିଆ ସଂସ୍କୃତି ଯୁଗ ଯୁଗ ଧରି ବଞ୍ଚି ରହିବ ।
(ସଂଗ୍ରାହକୁ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment