ଧର୍ମ ଓ ବିଜ୍ଞାନ କିଏ ଆଗ ?



ନମୋଃ ବୁଦ୍ଧାୟ ବନ୍ଧୁଗଣ ଆଜି ଗୋଟିଏ ବହୁତ ସୁନ୍ଦର ପୋଷ୍ଟ ହୋଇଛି ଆପଣ ମାନଙ୍କ ଙ୍କୁ ନିଶ୍ଚୟ ଭଲ ଲାଗିବ

 ଧର୍ମ ଓ ବିଜ୍ଞାନ କିଏ ଆଗ ? 

ଏହି ପ୍ରଶ୍ନଟି ଶୁଣିବାକୁ ଜଟିଳ ଲାଗୁଛି । ଯେମିତି କି ପ୍ରଶ୍ନ ହେଉଛି 

ମଞ୍ଜି ଆଗ ନା ଗଛ ? ଅଣ୍ଡା ଆଗ ନା କୁକୁଡ଼ା ? 

ସେମିତି ଧର୍ମ ଆଗ ନା ବିଜ୍ଞାନ ? ଉତ୍ତରର ଖୋଜିବା ସହଜ । ପ୍ରକୃତରେ ଦେଖିବାକୁ ଗଲେ , ପ୍ରଶ୍ନ ଗୁଡିକ ଅବାନ୍ତର । ଧର୍ମର ବ୍ୟାଖ୍ୟା ତ ସହଜ । ମଣିଷ , ପଶୁ , ନିଆଁ , ପାଣି ଓ ବାୟୁର ଧର୍ମ କଅଣ , ସମସ୍ତେ ଜାଣନ୍ତି । ଏଗୁଡିକ ନିଶ୍ଚିତ ଭାବେ ବିଜ୍ଞାନସମ୍ମତ ଓ ପ୍ରମାଣିତ । କାରଣ ଏହାର ଅର୍ଥ - ଗୁଣ ବା ଚରିତ୍ରକୁ ନେଇ ଧର୍ମ । ଯେକୌଣସି ଜୀବିତ ପ୍ରାଣୀର ଚରିତ୍ର ଏବଂ ନିର୍ଜୀବ ପଦାର୍ଥର ଗୁଣ ଜାଣିବାପାଇଁ ବିଜ୍ଞାନରେ ଅନେକ ଉପାୟ ଅଛି । ଏସବୁ କ୍ଷେତ୍ରରେ ଧର୍ମ ଓ ବିଜ୍ଞାନ କେହି ଆଗ ବା ପଛ ନୁହନ୍ତି । 

ଏହା ବିଜ୍ଞାନ ଆଧାରିତ ଧର୍ମ । ଅନ୍ୟ କ୍ଷେତ୍ରରେ ଯେଉଁଠି ଧର୍ମକୁ ଆଧ୍ୟାତ୍ମିକ ଜୀବନ ପଦ୍ଧତି ସହିତ ଯୋଡି ଦିଆଯାଉଛି , ସେଇଠି ବିଜ୍ଞାନ ଶହେକୋଶ ଦୂରକୁ ଚାଲିଯାଉଛି । ଆଧ୍ୟାତ୍ମିକ ଜ୍ଞାନ ଅନୁସାରେ , ଦୁନିଆର ସବୁକିଛି ଈଶ୍ବରଙ୍କ ଦ୍ବାରା ସୃଷ୍ଟି , ପରିଚାଳିତ ଓ ନିୟନ୍ତ୍ରତ ।

 ଦୁନିଆର ସମସ୍ତ ଧର୍ମାବଲମ୍ବୀ ଲୋକ ଏହା କହୁଥିଲେ ମଧ୍ୟ ସେମାନଙ୍କ ଈଶ୍ବର , ଜୀବନଶୈଳୀ , ପୂଜାପଦ୍ଧତି ଓ କର୍ମକାଣ୍ଡ ପରସ୍ପର ଠାରୁ ଭିନ୍ନ । ହିନ୍ଦୁଧର୍ମରେ ସବୁଠାରୁ ଅଧିକ , ତେତିଶ କୋଟି ଦେବଦେବୀ ରହିଥିବା ବିଶ୍ବାସ କରାଯାଏ । କିନ୍ତୁ ସେହି ଦେବଦେବୀମାନେ ପୃଥିବୀର କେଉଁଭାଗରେ ଓ କେଉଁ ସମୟରେ ସର୍ବପ୍ରଥମେ ମଣିଷକୁ ସର୍ବାଙ୍ଗ ଭାବେ ସର୍ଜନାକରି , ଆଣି ଥୋଇଲେ - ସେ ସମ୍ପର୍କରେ କୌଣସି ଧର୍ମଶାସ୍ତ୍ର ସ୍ପଷ୍ଟ କରିନାହିଁ । 

ମଣିଷର ଉତ୍ପରି ଓ ବିକାଶ ସମ୍ପର୍କରେ ଉପଲବ୍ଧ ଆଧ୍ୟାୟିକ ଜ୍ଞାନ , ବିଜ୍ଞାନ ସହିତ ଆଦୌ ମେଳ ଖାଉନାହିଁ । ଆଧ୍ୟାତ୍ମିକ ମତରେ - " ଈଶ୍ବର ଓ ଧର୍ମ ଦୁନିଆକୁ ପ୍ରଥମେ ଆସିଛି । ବିଜ୍ଞାନ ବହୁତ ପରେ ଆସିଛି । ପ୍ରଶ୍ନ ଉଠୁଛି - ଈଶ୍ବର ଯଦି ସବୁକିଛି ସୃଷ୍ଟି କଲେ , ତେବେ ବିଜ୍ଞାନକୁ ଏତେ ବିଳମ୍ବରେ ସୃଷ୍ଟି କରିବାର ଉଦ୍ଦେଶ୍ୟ କଅଣ ଥିଲା ? 

ବୈଜ୍ଞାନିକ ଜ୍ଞାନ ଅଭାବରେ ହଜାର ହଜାର ବର୍ଷଧରି ମଣିଷ ବଣଜଙ୍ଗଲରେ ପଶୁଭଳି ଜୀବନ ଅତିବାହିତ କରୁଥୁଲାକାହିଁକି ?

 ଅସ୍ଥିକମାନେ କହିପାରନ୍ତି - ଈଶ୍ବର ହିଁ ତ ଆଧୁନିକ ଭୌତିକ ଉପକରଣ ତିଆରି କରିବାପାଇଁ ମଣିଷକୁ ଜ୍ଞାନ ଓ ଉପାଦାନ ଦେଲେ । ସେମାନଙ୍କ ଯୁକ୍ତି ଠିକ ହୋଇପାରେ ତଥାପି ପ୍ରଶ୍ନ ଉଠୁଛି - ଈଶ୍ବର ପ୍ରଥମରୁ ଏହି ଜ୍ଞାନ ନଦେଇ ରୂପ ବସିଥିଲେ କାହିଁକି ? ସେତେବେଳେ କୋଟି କୋଟି ଲୋକ ତ ବିଜ୍ଞାନର ସ୍ବାଦ ନ ଚାଖ୍ କେବଳ ପଶୁଭଳି ଜୀବନ ଅତିବାହିତ କରି ମୃତ୍ୟୁ ବରଣ କରିସାରିଛନ୍ତି । ସେତେବେଳେ ଈଶ୍ବର କ'ଣ ଚାହୁଁନଥିଲେ ଯେ ମଣିଷ ଆଜିଭଳି ଯାତାୟତ ପାଇଁ ଯାନବାହାନ ବ୍ୟବହାର କରୁ , ଶୀତ ତାପରୁ ରକ୍ଷା ପାଇବାପାଇଁ ଆରାମଦାୟକ ବାସଗୃହରେ ରହୁ , ପରସ୍ପର ସହିତ ଯୋଗାଯୋଗ ପାଇଁ ଟେଲିଫୋନ , ମୋବାଇଲ , ଇଣ୍ଟରନେଟ , ଟେଲିଭିଜନ ଆଦି ବ୍ୟବହାର କରୁ ? ଈଶ୍ବର ମଣିଷକୁ କେବଳ ସୃଷ୍ଟି କରିଦେଇ , ପ୍ରକୃତି ସହିତ ସଂଘର୍ଷ କରି ବଞ୍ଚିବା ପାଇଁ ଛାଡିଦେଲା । 

ମଣିଷ ନିଜ ଚେଷ୍ଟାରେ ପ୍ରତ୍ୟେକ ନୂତନ ବସ୍ତୁ ଉଦ୍ଭାବନ କରିବାପାଇଁ କେତେ ସମୟ ଓ ଶକ୍ତି ବିନିଯୋଗ କରିଛି । ଅନେକ ଗବେଷଣା କରି , ଗଭୀର ଅଧ୍ୟୟନ ଦ୍ବାରା ପ୍ରଯୁକ୍ତି ବିଦ୍ୟାର ବିକାଶ ସମ୍ଭବ ହୋଇଛି । 

ଯଦି ଈଶ୍ବର ଏହି ଜ୍ଞାନ ଦେଇଛନ୍ତି , ତେବେ ପରିଣାମ ପ୍ରାପ୍ତ କରିବାପାଇଁ ମଣିଷକୁ ଏତେ ପରିଶ୍ରମ କରିବାକୁ ପଡିଲା କାହିଁକି ? ଦୈବୀଶକ୍ତି ବଳରେ ସବୁ ସିଧାସିଧା ନିର୍ମାଣ ହୋଇଗଲା ନାହିଁ କାହିଁକି ?

ଆଜିକାଲି ସ୍ବୟଂଭୂ ଭଗବାନ ବାବାଜାତୀୟ ମଣିଷମାନେ ହାତ ହଲେଇ ଶୂନ୍ୟରୁ ଜାପାନ ତିଆରି ହାତଘଣ୍ଟା , କୌଣସି ପ୍ରସିଦ୍ଧ ଗହଣା ତିଆରି କମ୍ପାନୀର ସୁନା ମୁଦି , ଚେନ ଆଦି ପ୍ରକଟ କରିଦେଉଛନ୍ତି । ତେଣୁ ସତ ଭଗବାନଙ୍କ ଶକ୍ତି ଦ୍ବାରା ଉଡ଼ାଜାହାଜ କିମ୍ବା ରେଳଗାଡି ଇତ୍ୟାଦି ଶୂନ୍ୟରୁ ଗଳି ପଡିବ ଅସମ୍ଭବ ହେବ କଥା ନୁହେଁ । ଆସ୍ତିକବାଦୀଙ୍କ ଦାବି ' ବିଜ୍ଞାନ ପଛରେ ସୃଷ୍ଟି ହୋଇଛି ' ଏହା ଯୁକ୍ତିସଂଗତ ନୁହେଁ । ଅସଲ କଥା ହେଉଛି - ବିବର୍ତ୍ତନବାଦ ଯୋଗୁ ରାସାୟନିକ ପ୍ରକ୍ରିୟାରେ ଧିରେ ଧିରେ କ୍ରମବିକାଶ ଘଟି ପୂର୍ଣାଙ୍ଗ ମଣିଷ ରୂପ ନେଇଛି । 

ଅର୍ଥାତ - ଆରମ୍ଭରୁ ହିଁ ବିଜ୍ଞାନ କାମ କରିଛି । ମଣିଷର ବୁଦ୍ଧିର ବିକାଶ ହେଲାପରେ , ସେ ପ୍ରକୃତିର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି । କିନ୍ତୁ ବୈଜ୍ଞାନିକ ପଦ୍ଧତି ଜାଣି ପାରୁନଥିଲା । ସେଥିପାଇଁ ପ୍ରତ୍ୟେକ ରହସ୍ୟପାଇଁ ଈଶ୍ବର ବା ଦୈବୀଶକ୍ତିର କଳ୍ପନା କରିଥିଲା । ଅନେକ ବର୍ଷ ଧରି ରୂଢିବାଦ କାମ କଲା । କାଳକ୍ରମେ ମଣିଷର ବୁଦ୍ଧିଶକ୍ତି ଆହୁରି ବିକାଶ ଲାଭ ହେଲା ଏବଂ ପ୍ରାକୃତିକ ରହସ୍ୟ ପଛରେ କେବଳ ଈଶ୍ବରଙ୍କ ହାତଥିବା କଥା ବିଶ୍ବାସ କଲାନାହିଁ । 

ଅନ୍ୟ କାରଣ ଖୋଜିବାକୁ ଯାଇ ଅନେକ ବୈଜ୍ଞାନିକ କାରଣ ଆବିଷ୍କାର କଲା । ସେହି କାରଣ ଓ ତଥ୍ୟ ଗୁଡିକୁ ସେ ବାରମ୍ବାର ପରୀକ୍ଷା କରି , ସମସ୍ତଙ୍କ ଆଗରେ ପ୍ରମାଣିତ କରିପାରିଲା । ପ୍ରମାଣ ସହ ପରିଣାମ ଦେଖି କେହି ମଧ୍ୟ ଅସ୍ବୀକାର କରିପାରିଲେ ନାହିଁ ଯେ ଏସବୁ ପ୍ରାକୃତିକ କ୍ରିୟା ନୁହେଁ । ଯେଉଁ ପ୍ରଶ୍ନସମୂହର ଉତ୍ତର ମଣିଷ କେବଳ ଧର୍ମଧ୍ଵଜାଧାରୀଙ୍କ ଠାରୁ ପାଇବାର ଆଶା କରୁଥିଲା , ସେହି ପ୍ରଶ୍ନର ଉରର ପୁଣି ମୂଳରୁ ଖୋଜିବା ଆରମ୍ଭ କଲା । 

ଏହି ମାନବ ଚେତନାରୁ ଏକ ନୂଆ ବିଚାର ଜାତହେଲା । ଯାହାକୁ ସାଧାରଣ ଭାଷାରେ ବୈଜ୍ଞାନିକ ଚିନ୍ତନ କହୁ । ଖୁବ ଶୀଘ୍ର ଆଭାସ ମିଳିଲା କି ମଣିଷର ବିଭିନ୍ନ ଜିଜ୍ଞାସାକୁ ଶାନ୍ତ କରିବାପାଇଁ ବୈଜ୍ଞାନିକ ଚିନ୍ତନ ହେବ ଏକ ଉପଯୁକ୍ତ ଅସ୍ତ୍ର । 

ଏହି ଚିନ୍ତନ 1300 ଶତାବ୍ଦୀ ପରେ ଆହୁରି ତୀବ୍ର ଗତିରେ ବିକାଶ ଲାଭ କଲା । ସେତେବେଳେ ରୋଜର ବେକଲିୟୋନାର୍ଡ , ଦାଭିନ୍ସି , କୋପରନିକସ , ଫ୍ରାନସୀସ ବେକନ , ଗାଲିଲିଓ ଏବଂ ୱାଇଜାକ ନିଭଟନଙ୍କ ଭଳି ବୈଜ୍ଞାନିକ ଓ ବୁଦ୍ଧିଜୀବୀ ଜଣେ ପରେ ଜଣେ ଜନ୍ମ ଗ୍ରହଣ କଲେ । ଏମାନେ ବୈଜ୍ଞାନିକ ଚିନ୍ତନକୁ ଯେଉଁ ନୂତନ ବାଟ ଦେଖାଇଲେ , ତାହା ପ୍ରତ୍ୟେକ ପ୍ରଶ୍ନର ଉତ୍ତରକୁ ପରୀକ୍ଷା , ନିରୀକ୍ଷା କରି ବିଶ୍ବାସ କରିବାପାଇଁ ମଣିଷକୁ ପ୍ରସ୍ତୁତ କଲା । ଆଧ୍ୟାତ୍ମିକ ସ୍ତରରେ ଯାହା ସବୁ କେବଳ ବିଶ୍ବାସ ଆଧାରରେ ମାନିବାକୁ ବାଧ୍ୟ କରାଯାଉଥିଲା ,

 ବୈଜ୍ଞାନିକ ବୁଧି ସେଗୁଡିକୁ ମିଥ୍ୟା ପ୍ରମାଣିତ କରାଗଲା । ଧର୍ମଗୁରୁମାନେ ଭକ୍ତଙ୍କ ସାହାଯ୍ୟରେ ବୈଜ୍ଞାନିକମାନଙ୍କୁ ବିରୋଧ କଲେ । ସେତେବେଳକୁ ଭାରତରେ ଧର୍ମ ସହିତ ବିଜ୍ଞାନର କୌଣସି ସଂଘର୍ଷ ନଥିଲା । କାରଣ , ଭାରତରେ ବିଜ୍ଞାନର ବିକାଶ ନଗଣ୍ୟ ଥିଲା । ଆଜିଭଳି ବିଜ୍ଞାନର ଉଦାହରଣ ଦେଇ କେହି ଧର୍ମର ବିରୋଧ କରୁନଥିଲେ । ବିଦେଶରେ ଯେହେତୁ ଖ୍ରୀଷ୍ଟିୟାନ ଧର୍ମ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ଏବଂ ତାଙ୍କର ଧର୍ମଗ୍ରନ୍ଥ ବାଇବେଲର ଯାହା ଲେଖା ଯାଇଛି ତାହା ଈଶ୍ବରଙ୍କ ବାଣୀ ଏବଂ ନିରାଟ ସତ୍ୟ ବୋଲି ସମସ୍ତେ ବିଶ୍ବାସ କରୁଥିଲେ । ସେଥୂପାଇଁ ଖ୍ରୀଷ୍ଟିୟାନ ଧର୍ମଗୁରୁମାନେ ଅସହିଷ୍ଣୁ ହୋଇ ପଡିଲେ । 

ଡାରବିନ ଯେତେବେଳେ ବିବର୍ତ୍ତନବାଦ ଯୋଗୁ ପ୍ରାଣୀ ସୃଷ୍ଟି ହୋଇଛି ବୋଲି ପ୍ରମାଣ ସହିତ ପ୍ରକାଶ କଲେ ସେତେବେଳେ ଧର୍ମଗୁରୁ ( ଚର୍ଜ ପ୍ରଶାସନ ) ପକ୍ଷରୁ ତୀବ୍ର ବିରୋଧ କରାଗଲା । ଏହି ବିକାଶବାଦକୁ ସମର୍ଥନ କରି ବୈଜ୍ଞାନିକ ଥୋମାସ ହକସଲେ ଜୀବର ବିକାଶ ହୋଇ ମଣିଷ ଉପୂରି ହୋଇଥିବା ସିଦ୍ଧ କରିଦେଲେ । ଏହି କ୍ରମରେ ଅନେକ ବୈଜ୍ଞାନିକ ଧର୍ମହାନି କରିଥିବା ଅପରାଧରେ ଅକଥନୀୟ ଦଣ୍ଡଭୋଗ କରିବା ସହ ଅକାଳ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ପରବର୍ତି କାଳରେ ସେମାନେ ଆବିଷ୍କାର କରିଥିବା ବୈଜ୍ଞାନିକ ତଥ୍ୟ ଗୁଡିକ ସତ୍ୟ ବୋଲି ସାରା ଦୁନିଆ ସମର୍ଥନ କରିଛି । ଆଜିର ବିଜ୍ଞାନ ଅଗ୍ରଗାମୀ ଓ ଧର୍ମ ପାଶ୍ଚାତଗାମୀ ହୋଇ ଚାଲିଛି । 

ବିଜ୍ଞାନ ଦ୍ବାରା ଉତ୍ପାଦନ କରାଯାଇଥିବା ଭୌତିକ ଉପକରଣ ଗୁଡିକ ଦିନକୁ ଦିନ ଉନ୍ନତରୁ ଉନ୍ନତତର ହେବା ସମସ୍ତେ ଚାହାନ୍ତି । ସେଥୂପାଇଁ ପ୍ରତ୍ୟେକ ଉପକରଣରେ ବାରମ୍ବାର ପରିବର୍ତନ କରା ଯାଇଥାଏ । ମଟରଗାଡି , ମୋବାଇଲ ଓ ଟିଭି ଆଦି ଦ୍ରଷ୍ଟବ୍ୟ । ଏହାର ବିପରୀତ ଧାର୍ମିକ ରୀତିନୀତିରେ କୌଣସି ପରିବର୍ତ୍ତନ ହେବା କେହି ଚାହାନ୍ତି ନାହିଁ । ପରିବର୍ତ୍ତନ କରିବା ଅର୍ଥ ଠାକୁରଙ୍କ କୋପ ଭାଜନ ହେବ ବୋଲି ଭାବରି । ଧାର୍ମିକ କର୍ମକାଣ୍ଡ ଯେତେ ଅସଙ୍ଗତ ଓ  ଅବୈଜ୍ଞାନିକ ଲାଗୁଥିଲେ ମଧ୍ୟ ସମସ୍ତେ ଆଖୁ ବନ୍ଦକରି ପାଳନ କରୁଛନ୍ତି । ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକରି ପିଣ୍ଡଦାନ କରିବା ଆବଶ୍ୟକ କାହିଁକି ? ନିଜଘରେ ତାଙ୍କର ସ୍ମୃତିଦିବସ ପାଳନକରିବା ଯଥେଷ୍ଟ ହେବ ନାହିଁକି ? ଏହି ପ୍ରଶ୍ନ ମୁଁ ଅନେକ ଉଚ୍ଚ ଶିକ୍ଷିତ ଭଦ୍ର ଲୋକଙ୍କୁ ପଚାରିଛି । ସେମାନେ ନିଜର ବିଜ୍ଞତା ବଞ୍ଚାଇ ରଖୁବାପାଇଁ କୁହନ୍ତି - ମୁଁ ଜାଣେ ଏସବୁ ବେକାର ପ୍ରଥା କିନ୍ତୁ ପରିବାର ଓ ସମାଜରେ ଚାଲିଆସୁଥିବା ପରମ୍ପରା ଓ ପ୍ରଥାକୁ ସମ୍ମାନ ଦେବାପାଇଁ ପାଳନ କରୁଛି । ସେମାନେ ବୈଜ୍ଞାନିକ ଚିନ୍ତନର ଅଭାବଯୋଗୁ ରୂଢିବାଦୀ ପରମ୍ପରାକୁ ସମର୍ଥନକରୁଛନ୍ତି 

ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ