ଭକ୍ତର ଭଗବାନ : ଏକ ବିଶ୍ଳେଷଣ
ଭକ୍ତର ଭଗବାନ : ଏକ ବିଶ୍ଳେଷଣ
ଏହି ଲେଖାଟି ବହୁତ ସରଳ ଭାବରେ ଲେଖା ହୋଇଛି ପଢନ୍ତୁ ଆଉ ବୁଝିବା କୁ ଚେଷ୍ଟା କରନ୍ତୁ
ପିଲାଟି ଦିନରୁ ଆମେ ଅନେକ ପ୍ରକାର ଧର୍ମୀୟ ପ୍ରବାଦ ଓ ଆପ୍ତ ବଚନ ଶୁଣି ଆସୁଛୁ । ଧର୍ମୀୟ ଭାବନା ଓ ଈଶ୍ବର ବିଶ୍ବାସ ଯୋଗୁ ସେ ଗୁଡିକ ଉପରେ ସନ୍ଦେହ ଜାତ ହେଲେ ମଧ୍ୟ କେହି ତର୍କ ବା ପ୍ରଶ୍ନ କରନ୍ତିନାହିଁ । କୁହା ଯାଉଥିବା ଆପ୍ତ ବଚନ ଗୁଡିକ କେତେ ସତ ? କେତେ ମିଛ ?
ବିଚାରକରିବାକୁ କେହି ସାହସ କରୁନାହାନ୍ତି । ଏହାର ଦୁଇଟି କାରଣ ରହିଛି - ପ୍ରଥମ , ନିଜ ମନରେ ପିଲାଟିବେଳୁ ଗଢି ଉଠିଥିବା ବଦ୍ଧମୂଳ ଅବଧାରଣାକୁ ପରିତ୍ୟାଗ କରିବା ସହଜ ହୁଏନି ,
ଭିରିହୀନ ବିଶ୍ବାସକୁ ପରିତ୍ୟାଗ କରିବାକୁ ମନ ଚାହୁଁଥିଲେ ମଧ୍ୟ ଅହେତୁକ ଭୟ ଏବଂ ସମାଜର ବିରୋଧକୁ ସାମନା କରିବା ସହଜ ହୁଏନି ।
ସେଦ୍ୱିତୀୟରେଥ୍ପାଇଁ ଅନେକ ଉଚ୍ଚଶିକ୍ଷିତ ଓ ପ୍ରଗତିଶୀଳ ବୋଲାଉଥିବା ବ୍ୟକ୍ତି ବିଶେଷ ମଧ୍ୟ କୌଣସି ଧାର୍ମିକ ପ୍ରବାଦ ଉପରେ ନିଜର ବିରୋଧୀ ମତ ବ୍ୟକ୍ତ କରନ୍ତିନାହିଁ । ଯାହା ଯେମିତି ଚାଲିଛି ଚାଲିଥାଉ କହି ସମସ୍ୟାରୁ ଦୂରେଇ ରହନ୍ତି ।
ଆମେ ଏଇଠି ଗୋଟିଏ ବହୁ ପ୍ରଚଳିତ ଆପ୍ତବଚନ ଉପରେ ବିଚାର କରିବା । କୁହାଯାଏ " ଭକ୍ତିର ଭଗବାନ " ଏବଂ " ଯାହାର ଭକ୍ତି ଯେତେ , ତାହାର ଭଗବାନ ସେତେ "
ଦୁଇଟି ଯାକ ଆପ୍ତବଚନର ଅର୍ଥ ଏକ ଅର୍ଥାତ ଭକ୍ତି ନକଲେ ଐଶ୍ବରୀୟ କୃପା ମିଳିବନାହିଁ ।
ଏଇଠି ପ୍ରଶ୍ନ ଉଠୁଛି - ଭଗବାନ ଯଦି ସମସ୍ତଙ୍କର ସୃଷ୍ଟିକର୍ତ୍ତା , ତେବେ ତାଙ୍କୁ ଯିଏ ପୂଜା ଓ ପ୍ରାର୍ଥନା କରିବ ତାକୁ ହିଁ ଭଗବାନ କୃପା କରିବେ , ଯେଉଁମାନେ ପୂଜା କରିବେ ନାହିଁ ତାଙ୍କୁ ଦୁଃଖ ଓ କଷଣ ଦେବେ କାହିଁକି ?
ସେ କ'ଣ ଏତେ ସ୍ବାର୍ଥପର ? ଏହି ପ୍ରଶ୍ନର ଯଥାର୍ଥତା ଉପରେ ବିଚାର କରାଯାଉ - ପୃଥ୍ବୀର ସମସ୍ତ ଜୀବଜଗତର ଗୋଟିଏ ପ୍ରାକୃତିକ ଗୁଣ ହେଉଛି - ଯାହାଠାରୁ ସେ ସ୍ନେହ , ଶ୍ରଦ୍ଧା ଓ ସୁରକ୍ଷା ପାଇବାର ଗ୍ୟାରେଣ୍ଟି ବା ଆଶ୍ୱାସନା ପାଏ , ସେ ତାହାରି ଅଧିନସ୍ଥ ହୋଇଯାଏ । ବିଷଧର ସର୍ପ , ହିଂସ୍ରକ ସିଂହ , ବାଘ ଓ ଭାଲୁ , ଶକ୍ତିଶାଳୀ ବିଶାଳ ଵପ୍ରଧାରୀ ହାତୀ ଇତ୍ୟାଦି ସାମାନ୍ୟ ମଣିଷର ସ୍ନେହ , ଶ୍ରଦ୍ଧା ପାଇ ଅଧିନସ୍ଥ ସ୍ବୀକାର କରି ନେଉଛନ୍ତି ।
ଗୃହ ପାଳିତ ପଶୁ ଓ ପକ୍ଷୀମାନଙ୍କ ଉଦାହରଣ ସମସ୍ତେ ସ୍ବୀକାର କରିବେ । ଏଥିରୁ ସ୍ପଷ୍ଟ ବୁଝା ପଡୁଛି ଯେ ପ୍ରଥମେ ମଣିଷର ଆଚରଣ ନମ୍ର ଓ ସ୍ନେହଶୀଳ ଦେଖି ପଶୁ ବା ପକ୍ଷୀମାନେ ବଶ୍ୟତା ସ୍ବୀକାର କରୁଛନ୍ତି ।
ଅନ୍ୟ ଅର୍ଥରେ ପଶୁ ଓ ପକ୍ଷୀମାନେ ମଣିଷକୁ ଭକ୍ତିକରୁଛନ୍ତି । ମଣିଷ ସେମାନଙ୍କୁ ଯେମିତି ନିର୍ଦ୍ଦେଶ ଦେଉଛନ୍ତି , ସେମାନେ ତାହା ପାଳନ କରୁଛନ୍ତି ।
ମଣିଷମାନଙ୍କର ମଧ୍ୟ ଠିକ ସେହିଗୁଣ ଅଛି । ସେମାନେ ଯେଉଁଠି ସ୍ନେହ , ଶ୍ରଦ୍ଧା ଓ ସୁରକ୍ଷା ପାଇବାର ଗ୍ୟାରେଣ୍ଟି ପାଉଛନ୍ତି , ସେଇଠି ନିଜର କୃତଜ୍ଞତା ପ୍ରକଟ କରୁଛନ୍ତି । ଜନ୍ମ କରିଥିବା ପିତା ଓ ମାତା ପ୍ରଥମେ ସନ୍ତାନକୁ ସ୍ନେହ , ଶ୍ରଦ୍ଧା ସହିତ ଖାଦ୍ୟ ଓ ସୁରକ୍ଷା ପ୍ରଦାନ କରୁଥିବାରୁ ସନ୍ତାନ ତା'ର ପିତା ଓ ମାତାଙ୍କୁ ଭକ୍ତି କରିଥାଏ । ଅପବାଦ କ୍ଷେତ୍ରରେ ଯେଉଁ ପିତା ଓ ମାତା ସନ୍ତାନ ପ୍ରତି ଉପେକ୍ଷା ବା ଅବହେଳା କରିଥାନ୍ତି , ସେହି ଭଳି ପିତା , ମାତାଙ୍କୁ ସନ୍ତାନ ମଧ୍ୟ ଭକ୍ତି କରିନଥାଏ । ଏଇଠି ଭଗବାନଙ୍କ କ୍ଷେତ୍ରରେ ମଧ୍ୟ ସେହି ନିୟମ ଲାଗୁହେବ ନାହିଁ କାହିଁକି ?
ନିଜେ ସୃଷ୍ଟି କରିଥିବା ମଣିଷମାନଙ୍କୁ ଯଦି ଭଗବାନ ପ୍ରଥମେ ସୁଖ , ସୁବିଧା ଓ ସୁରକ୍ଷା ପ୍ରଦାନ କରିବେ , ସମସ୍ତଙ୍କୁ ରୋଗ , ଶୋକ , ଅଭାବ , ଅନାଟନ ଓ କଷଣରୁମୁକ୍ତ ରଖିବେ , ତେବେ ମଣିଷ ତ ଆପେ ଆପେ ଭଗବାନଙ୍କୁ ଭକ୍ତି କରିବ ।
ତୁମେ ତା'ଙ୍କୁ ଭକ୍ତି କଲେ ହିଁ ସେ ତୁମକୁ କୃପା କରିବେ ବୋଲି କହିବା ଦ୍ବାରା ଭଗବାନଙ୍କ ମହାନତା ପ୍ରତି ଅବମାନନା ଏବଂ ତାଙ୍କୁ ଏକ ନିହାତି ଚାଟୁଖୋର ଓ ସ୍ବାର୍ଥପର ଦେବତା ରୂପେ ଚିତ୍ରଣ କରାଯାଉଛି ।
ଏହା ବି ସତ ଯେ ଦୁନିଆର ସମସ୍ତ ଜୀବଜଗତରୁ କେବଳ ମଣିଷକୁ ଛାଡିଦେଲେ ଅନ୍ୟ କୌଣସି ପ୍ରାଣୀ ତଥାକଥିତ ଭଗବାନଙ୍କୁ ଜାଣନ୍ତିନାହିଁ କି ଚିହ୍ନନ୍ତିନାହିଁ । ତେଣୁ ସେମାନେ ଭଗବାନଙ୍କୁ ପୂଜା କରିବାର ପ୍ରଶ୍ନ ହିଁ ଉଠୁନାହିଁ । ତଥାପି ସେମାନଙ୍କର ଜୀବନ ଚକ୍ର ତ ସ୍ବାଭାବିକ ଭାବେ ଚାଲିଛି ।
ମଣିଷମାନଙ୍କର ଆଉ ଗୋଟିଏ ଆପ୍ତବଚନ ବହୁ ପ୍ରଚଳିତ - ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ " ଅର୍ଥାତ ସେ ସୃଷ୍ଟି କରିଥିବା ସମସ୍ତ ପ୍ରାକୃତିକ ସାଧନ ପ୍ରାଣୀଙ୍କପାଇଁ ଉପଯୁକ୍ତ ପ୍ରଣାଳୀରେ ନିର୍ମାଣ କରାଯାଇଛି ।
ଏଇଠି ପ୍ରଶ୍ନ ଉଠୁଛି - ଏହା ଯଦି ସତ୍ୟ , ତେବେ ମଣିଷ ମନରେ ସନ୍ଦେହ ରହୁଛି କାହିଁକି ଯେ ଭଗବାନ ପ୍ରାକୃତିକ ସାଧନ ନିର୍ମାଣ କରିବାରେ କିଛି କିଛି ଭୁଲ ବା ତୃଟି କରିଦେଉଛନ୍ତି ?
ଯେଉଁଥିପାଇଁ କେଉଁଠି ଅଧିକ ବର୍ଷା ହୋଇ ବନ୍ୟା ହେଉଛି , କେଉଁଠି ଭୀଷଣ ଗ୍ରୀଷ୍ମତାପ ଓ ଅତ୍ୟନ୍ତ ଥଣ୍ଡା ଯୋଗୁ ମଣିଷକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଭଗବାନଙ୍କ ତୃଟି ସୁଧାରିବାପାଇଁ ମଣିଷ ପୁଣି ପ୍ରାର୍ଥନା କରୁଛି -
ହେ ଭଗବାନ ତୁମ ସୃଷ୍ଟିରେ କିଛି ଭୁଲ ରହି ଯାଉଛି , ସେଥିପାଇଁ ଆମେ କଷ୍ଟ ଭୋଗ କରୁଛୁ , ଦୟାକରି ସେଥିରେ ଏମିତି ପରିବର୍ତ୍ତନ କରିଦିଅ , ଯାହା ଆମପାଇଁ ସୁଖଦାୟକ ହେବ ।
ଅନ୍ୟାନ୍ୟ ପ୍ରାଣୀମାନେ ପ୍ରକୃତି ସହିତ ତାଳମେଳ ରଖି ବା ନିଜକୁ ଖାପଖୁଆଇ ଚଳି ପାରୁଛନ୍ତି । ମଣିଷ କାହିଁକି ଚଳି ପାରୁନି ?
ଭଗବାନ କ'ଣ ମଣିଷର ପ୍ରାର୍ଥନା ଶୁଣି କିଛି ପରିବର୍ତ୍ତନ କରିପାରୁଛନ୍ତି ?
ନାହିଁ । ମଣିଷର ଏହି ଭ୍ରାନ୍ତ ଧାରଣା ତଥାପି ରହିଛି । ତେଣୁ ସେ ରାତିଦିନ ପ୍ରାର୍ଥନା କରୁଛି । ଦୁନିଆର ବହୁତ ବ୍ୟକ୍ତି ଭଗବାନଙ୍କୁ ପୂଜା ଓ ପ୍ରାର୍ଥନା ନକରି ମଧ୍ୟ କେବଳ ଉଚିତ କର୍ତ୍ତବ୍ୟ କରି ସଫଳତା ପ୍ରାପ୍ତ କରିଛନ୍ତି ଓ କରୁଛନ୍ତି ।
ତଥାକଥିତ ଭଗବାନ ତ ସେମାନଙ୍କୁ ଅଲଗା ଭାବେ ଦଣ୍ଡ ଦେଉନାହାନ୍ତି ଯେ ତୁମେ ମୋତେ କାହିଁକି ଭକ୍ତି କରୁନାହଁ ?
ଅନ୍ୟ ଏକ ବିଚାରଣିୟ ବିଷୟ ହେଉଛି - ପୃଥ୍ବୀର କେତେକ ଧର୍ମରେ ଏକ ବା ଦୁଇଟି ଈଶ୍ବର , ଈଶ୍ବରଙ୍କଦୂତ କିମ୍ବା ଈଶ୍ବରଙ୍କପୁତ୍ର ଥିବା କଥା ବିଶ୍ବାସ କରାଯାଏ । ହିନ୍ଦୁ ଧର୍ମରେ ତେତିଶ କୋଟି ଦେବୀ , ଦେବତା ରହିଥିବା ବିଶ୍ବାସ କରାଯାଏ ।
ସୂର୍ଯ୍ୟ ଆଲୋକ ଶକ୍ତିର ଦେବତା ,
ଇନ୍ଦ୍ର ଓ ବରୁଣ ଜଳର ଦେବତା , ବାୟୁ ଦେବତା । ପ୍ରାଣୀଙ୍କପାଇଁ ଏହି ତିନୋଟି ହେଉଛି ମୌଳିକ ଆବଶ୍ୟକତା ।
ଏମାନଙ୍କୁ କେହି ପୂଜା କରୁ ବା ନକରୁ , ମାଗଣାରେ ସମସ୍ତଙ୍କୁ ଆଲୋକ , ଜଳ ଓ ବାୟୁ ମିଳୁଛି । ବାକି ଆବଶ୍ୟକତା ଭିତରେ ଖାଦ୍ୟ , ସ୍ବାସ୍ଥ୍ୟ , ଶିକ୍ଷା ବା ଜ୍ଞାନ , ବାସସ୍ଥାନପାଇଁ ମଧ୍ୟ ବିଭିନ୍ନ ଦେବୀ ଦେବତା ରହିଛନ୍ତି । ଲକ୍ଷ୍ମୀଙ୍କୁ ପୂଜାକରି ଧନ , ସରସ୍ବତୀଙ୍କୁ ପୂଜାକରି ଜ୍ଞାନ , ଅଶ୍ବିନୀ କୁମାରଙ୍କୁ ପୂଜା କରି ସ୍ବାସ୍ଥ୍ୟ , ବିଶ୍ୱକର୍ମାଙ୍କୁ ପୂଜାକରି ବାସସ୍ଥାନ କେହି ମଧ୍ୟ ମାଗଣାରେ ପାଇପାରୁ ନାହାନ୍ତି ।
ସେଥିପାଇଁ କଠିନ ପରିଶ୍ରମ , ଗହନ ଅଧ୍ୟୟନ କରି ହିଁ ଧନ ଓ ଜ୍ଞାନ ପ୍ରାପ୍ତ ହୋଇଥାଏ । ଦେବୀ ଓ ଦେବତାଙ୍କୁ ପୂଜା କଲେ ହିଁ ଯଦି ଧନ , ଜ୍ଞାନ ଓ ସ୍ବାସ୍ଥ୍ୟ ମିଳିଯାଉଥାନ୍ତା ତେବେ ହିନ୍ଦୁ ମାନେ ଦୁନିଆର ସବୁଠୁଁ ଆଗରେ ରହିଥାନ୍ତେ। କାରଣ ଧନ ଓ ଜ୍ଞାନର ଦେବୀ ଦେବତାଙ୍କୁ କେବଳ ହିନ୍ଦୁମାନେ ହିଁ ଚିହ୍ନନ୍ତି।
ପ୍ରଶ୍ନ ଉଠୁଛି - ଅନ୍ୟ ଦେଶର ଲୋକମାନଙ୍କୁ ଭାରତ ଅପେକ୍ଷା ଅଧିକ ଧନ ଓ ଜ୍ଞାନ କେଉଁ ଦେବତା ଦେଉଛନ୍ତି ?
ସେମାନେ ହିନ୍ଦୁମାନଙ୍କ ଅପେକ୍ଷା ଅଧିକ ପ୍ରଗତିଶୀଳ କାହିଁକି ?
ସେମାନଙ୍କ ଭଗବାନ କ'ଣ ହିନ୍ଦୁ ଦେବୀ ଦେବତାଙ୍କ ଅପେକ୍ଷା ବେଶୀ ଶକ୍ତିମାନ କି ?
ସେମାନଙ୍କ ଭଗବାନ କ'ଣ ପୂଜା ପାଇ ସବୁ କିଛି ଅଜାଡି ଦେଉଛନ୍ତି ?
ନାହିଁ । ସେମିତି କିଛି ଘଟୁନାହିଁ । ସେଠିକା ଲୋକେ ଇମାନଦାର ଭାବେ କଠିନ ପରିଶ୍ରମ କରି ଧନ ଓ ଜ୍ଞାନ ପ୍ରାପ୍ତ କରୁଛନ୍ତି । ଆମଦେଶରେ ମଧ୍ୟ ଯେଉଁମାନେ ଧର୍ମଶାସ୍ତ୍ରକୁ ଅଲଗା ରଖ୍ ଜ୍ଞାନ , ବିଜ୍ଞାନର ପାଠ ପଢୁଛନ୍ତି ସେମାନେ ମଧ୍ୟ ଯଥେଷ୍ଟ ଧନ ଓ ସମ୍ମାନ ପ୍ରାପ୍ତ କରୁଛନ୍ତି । ଆମଦେଶରେ ଆଉ ଗୋଟିଏ ଅପ୍ରିୟ ସତ୍ୟ ହେଉଛି- ଯେଉଁମାନେ ଜ୍ଞାନ ଓ ବିଜ୍ଞାନର ପାଠ୍ୟ ବହିକୁ ଅଲଗା ରଖ୍ କେବଳ ଧର୍ମଶାସ୍ତ୍ର ଅଧ୍ୟୟନ କରୁଛନ୍ତି , ସେମାନେ ମଧ୍ୟ ସାଧୁ , ସନ୍ୟାସୀ ଓ ବାବା ବନିଯାଇ , ଲୋକମାନଙ୍କୁ ଭକୁଆ ବନେଇ ଅଜସ୍ର ଧନ ଓ ସମ୍ମାନ ପାଉଛନ୍ତି ।
ଅବଶ୍ୟ ସେମାନଙ୍କ ସଂଖ୍ୟା ସମାଜରେ ବହୁତ କମ । ପ୍ରକୃତରେ ଆଜିପର୍ଯ୍ୟନ୍ତ ପ୍ରଯୁକ୍ତି ବିଦ୍ୟା ହେଉ କିମ୍ବା ବୈଜ୍ଞାନିକ ଅନୁସନ୍ଧାନ ହେଉ , ସେ ସବୁ କିଛି ମଣିଷର ବୁଦ୍ଧି , ବିବେକ ଓ କଠିନ ପରିଶ୍ରମ ଦ୍ବାରା ଉପଲବ୍ଧ ହୋଇଛି । କୌଣସି ଈଶ୍ବରଙ୍କ ଦ୍ବାରା ରଚିତ ଧର୍ମଶାସ୍ତ୍ରର ଜ୍ଞାନ ସାହାଯ୍ୟରେ ଭୌତିକ ସାଧନଗୁଡିକ ଉତ୍ପାଦନ ହୋଇନାହିଁ ।
ବୈଜ୍ଞାନିକମାନେ ଧର୍ମଶାସ୍ତ୍ର ଗୁଡିକୁ ଅଲଗା ରଖ୍ ପ୍ରକୃତି ଉପରେ ଗଭୀର ଅଧ୍ୟୟନ ଓ ଗବେଷଣା କରୁ ଥିବାରୁ ଆଜି ସାରା ଦୁନିଆରେ ବିଜ୍ଞାନର ଏତେ ଉନ୍ନତି ଘଟିଛି ।
ଧର୍ମଗୁରୁମାନେ କୁହନ୍ତି - ଭକ୍ତି ସହିତ ଧର୍ମୀୟ କର୍ମକାଣ୍ଡପାଇଁ ଯଥେଷ୍ଟ ଧନ ( ଯିଏ ଯେତେ ଅଧିକ ଦେଇ ପାରିବ ) ଆଦି ଦାନ କଲେ , ଭଗବାନଙ୍କ କୃପା ଶୀଘ୍ର ପ୍ରାପ୍ତ ହେବ ।
ଧର୍ମଭୀରୁ ଲୋକମାନେ ମଧ୍ୟ ବୁଝୁଛନ୍ତି ଯେ ଗୁରୁ ଯାହା କହୁଛନ୍ତି ଠିକ କଥା । କିଛି ପାଇବାପାଇଁ ତ କିଛି ତ୍ୟାଗ କରିବାକୁ ପଡିବ । ମାଗଣାରେ କ'ଣ କିଛି ମିଳିବ ?
ସେମାନେ କିନ୍ତୁ ନିଜର ତର୍କ ବୁଦ୍ଧି ଖର୍ଚ୍ଚ କରି ପ୍ରଶ୍ନ କରନ୍ତି ନାହିଁ ଯେ -ମୁଁ ଦାନ ଦେବି କାହାକୁ ?
ଦାନରୁ ସଂଗୃହିତ ଧନର ବ୍ୟବହାର କେଉଁଠି ଓ କିପରି ହେଉଛି ?
ଭଗବାନଙ୍କ ନାମରେ ଧନ୍ଦା କରୁଥିବା ଆଜିକାଲି ବହୁ ସଂଖ୍ୟାରେ ଭଣ୍ଡ ତଥା ଧୂର୍ତ ବାବାମାନଙ୍କର ପର୍ଦାଫାସ ହେଉଛି । ସେମାନଙ୍କର ମଠ ଓ ଆଶ୍ରମମାନଙ୍କରେ ଏକତ୍ରିତ ହୋଇଥିବା ଦାନ ପାଣ୍ଠିର ହିସାବ ମିଳୁନି । ସେମାନଙ୍କର ଆଶ୍ରମରେ ହେଉଥିବା ଅନେକ ପ୍ରକାର କୁକର୍ମର ଲମ୍ବା ତାଲିକାମାନ ପ୍ରକାଶ ପାଉଛି । ତଥାପି ଭକ୍ତମାନଙ୍କର ଜ୍ଞାନ ଚକ୍ଷୁ ଖୋଲୁ ନାହିଁ । ଭକ୍ତମାନଙ୍କୁ ଏତିକି ବୁଝା ପଡୁନି ଯେ ଭଗବାନ ଯଦି କେବଳ ଭକ୍ତମାନଙ୍କୁ ହିଁ କୃପା କରନ୍ତି , ତେବେ ବିଭିନ୍ନ ଧର୍ମସ୍ଥଳକୁ ଯାଉଥିବା ବେଳେ କିମ୍ବା ପୂଜା କରି ଫେରୁଥିବା ବେଳେ ଯାନ ବାହାନର ଦୁର୍ଘଟଣା ଘଟୁଛି କାହିଁକି ?
ସେଥିରେ ଅନେକ ଭକ୍ତମାନଙ୍କର ଅକାଳ ମୃତ୍ୟୁ ଘଟୁଛି କାହିଁକି ?
ଧର୍ମସ୍ଥଳରେ ହିଁ ଭଗବାନଙ୍କ ଆଗରେ ଦଳା ଚକଟା ହୋଇ ଭକ୍ତମାନେ ଧନ ଜୀବନ ହରାଉଛନ୍ତି କାହିଁକି ?
ଭଗବାନଙ୍କୁ ଭକ୍ତି ନକରୁଥିବା ଲୋକ ତ କେହି ସେଠାକୁ ଯା'ନ୍ତି ନାହିଁ । ଭଗବାନ କେଉଁନାସ୍ତିକମାନଙ୍କୁ ଦଣ୍ଡଦେଉଛନ୍ତି ?
ଏଇଠି ଦୁଇଟି ପ୍ରଶ୍ନ ଉଠୁଛି - ଯେଉଁମାନେ ଅକାଳ ମୃତ୍ୟୁ ବରଣକଲେ , ସେମାନେ କ'ଣ ଭଗବାନଙ୍କୁ ଭକ୍ତି କରୁନଥିଲେ ?
ଭକ୍ତି ନଥାଇ ଧର୍ମସ୍ଥାଳକୁ ଗଲେ କ'ଣ ଭଗବାନ ଏଭଳି ଦଣ୍ଡ ଦିଅଛି ?
କିଏ କହିବ ଭକ୍ତିର ପରିମାଣ କାହା ମନରେ କେତେ ଅଛି ?
ସାଧାରଣତଃ ଆମେ ସମାଜରେ ଦେଖୁଛୁ - ବ୍ୟଭିଚାର , ଶୋଷଣ , ହତ୍ୟା ଆଦି କରୁଥିବା ଲୋକମାନେ ଅଚଳାଚଳ ସମ୍ପତ୍ତିର ମାଲିକ ହୋଇ ସମାଜରେ ସମ୍ମାନ ପାଉଛନ୍ତି । ଅଥଚ ଦିନରାତି ଭଗବାନଙ୍କ ପ୍ରତି ଭକ୍ତି ପ୍ରଦର୍ଶନ କରୁଥିଲେ ମଧ୍ୟ ଅନେକ ଲୋକଙ୍କ ରୋଗ , ଶୋକ ଓ ଅଭାବ ମେଣ୍ଟି ପାରୁନି । ଅନେକ ଭକ୍ତ ଭଗବାନଙ୍କୁ ପୂଜା ଓ ପ୍ରାର୍ଥନା କରି କରି ହିଁ ନିଜର ଜୀବନ ଶେଷ କରିଦେଉଛନ୍ତି କିନ୍ତୁ ଜୀବନ ସାରା ଦୁଃଖ କଷ୍ଟ ଭୋଗ କରୁଛନ୍ତି । ଏହା ଦେଖି ଆମେ ଭକ୍ତର ଭଗବାନ କହିବା କେତେଦୂର ଯୁକ୍ତି ଯୁକ୍ତ ଭାବନ୍ତୁ ?
ଏହି ଲେଖାଟି ଆପଣମାନଙ୍କ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ଲେଖନ୍ତୁ
ସଂଗ୍ରାହକ ସତ୍ୟ ମହାନନ୍ଦ
ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ
Comments
Post a Comment