ନଜର ଲାଗିବାର ଭୟ




ଜୟ ଭୀମ ନମଃ ବୁଦ୍ଧାୟ ବନ୍ଧୁଗଣ

ଆଜି ଆଉ ଗୋଟିଏ ନୁଆ ଟପିକ୍ ବିଷୟରେ ଜାଣିବା

ନଜର ଲାଗିଗଲେ କେବଳ ଅନିଷ୍ଟ ହିଁ ହୁଏ , ନଜର ଲାଗି କାହାର ଭଲ ହେଉଥିବା କଥା କେହି କହୁନାହାନ୍ତି । 

ଧାର୍ମିକ ବିଶ୍ବାସ ଅନୁସାରେ ଅତୃପ୍ତ ବା ଦୁଷ୍ଟ ଆତ୍ମାର ନଜର ଲାଗିଯାଏ ଏବଂ ମଣିଷର ମଧ୍ୟ ଖରାପ ଦୃଷ୍ଟି ପଡିଥାଏ । 

ସତରେ ବୁଝା ପଡୁନି ନଜର ବା ଦୃଷ୍ଟିରେ ଏମିତି କି ଶକ୍ତିଅଛି ଯାହା ଅନ୍ୟର କ୍ଷତି କରି ଦେଇପାରୁଛି ? 

ମଣିଷର କ'ଣ ଭଲଦୃଷ୍ଟି ନାହିଁ ? 

ଭଲଦୃଷ୍ଟି ପଡିବାପାଇଁ କୌଣସି ଉପାୟ କାହିଁକିନାହିଁ । ପ୍ରଥମ କଥା ହେଲା - ଗୀତା ଜ୍ଞାନ ଅନୁସାରେ ଆତ୍ମା ଅଜର , ଅମର , ନିଆଁରେ ପୋଡିବ ନାହିଁ , ଜଳରେ ବୁଡିବ ନାହିଁ , ବାୟୁରେ ଶୁଖି ନାହିଁ , ତା'ର ଆଦି ନାହିଁ କି ଅନ୍ତ ନାହିଁ , ଜନ୍ମ ନାହିଁ କି ? ମୃତ୍ୟୁ ନାହିଁ , ଆତ୍ମା ଦୁଷ୍ଟ ନୁହେଁ କି ଶିଷ୍ଟ ନୁହେଁ , ସେ ତୃପ୍ତ ବା ଅତୃପ୍ତ ହୁଏନି , ତେଣୁ ତା'ର ଖରାପ ଦୃଷ୍ଟି ପଡୁଥିବା କଥା ମିଛ

ଦ୍ଵିତୀୟରେ ମଣିଷର ଆଖିରେ କେବଳ ଦର୍ଶନ ଯୋଗ୍ୟ କ୍ଷମତା ହିଁ ଅଛି । ସେ ଅନ୍ଧାରରେ ଦେଖି ପାରୁନି , କେବଳ ଆଲୁଅରେ ହିଁ ଦେଖିପାରେ । ମଣିଷ ଯାହା ବି କାମ କରୁଛି ନିଜର ବିଭିନ୍ନ ଅଙ୍ଗ ଦ୍ବାରା କରୁଛି । ଆଖିର ମହତ୍ତ୍ୱ ପୂର୍ଣ୍ଣ କାମ ହେଉଛି - ସମସ୍ତ କାମକୁ ଟିକିନିଖି ଭାବେ ଦେଖି ମସ୍ତିଷ୍କକୁ ସୂଚନା ଦେବା । ମସ୍ତିସ୍କ ସେହି ଅନୁସାରେ ଅଙ୍ଗମାନଙ୍କୁ ନିୟନ୍ତ୍ରଣ କରିଥାଏ । ତେଣୁ ଆଖି କେବଳ କୁଦୃଷ୍ଟି କିମ୍ବା ସୁଦୃଷ୍ଟିରେ ଦେଖୁ କାହାରି ମନ୍ଦ ବା ଭଲ କରିପାରିବ ନାହିଁ ।

ଏହା ଠିକ ଭାବେ ବୁଝିବା ଉଚିତ । ଅନ୍ୟ ଦେଶମାନଙ୍କରେ ଏଭଳି ନଜର ଲାଗିବା କଥାକୁ ବିଶ୍ବାସ କରୁଛନ୍ତି କି ନାହିଁ ଆମକୁ ଜଣା ନାହିଁ । କିନ୍ତୁ ଆମଦେଶର କିଛି ଉଦାହରଣ ଦେଖିବା । କେତେକ ଟ୍ରକ , ବସ ଓ ଅଟୋ ରିକ୍ସାପଛରେ ଲେଖାଥାଏ " ବୁରି ନଜରବାଲେ ତେରା ମୁହଁ କାଲା " ଗାଡି ଆଗରେ କିମ୍ବା ପଛରେ ଛିଣ୍ଡା ଚପଲ ବନ୍ଧା ହୋଇଥିବା ଦେଖିବେ । ଆପଣ କୌଣସି ମାର୍ସିଡିଜ , ମାରୁତି ଆଦି ମହଙ୍ଗା କାର ପଛରେ , ଏମିତି ଲେଖାଥିବା କିମ୍ବା ଛିଣ୍ଡା ଚପଲ ବନ୍ଧା ହୋଇଥିବା ଦେଖୁବେ ନାହିଁ । ଭାବିବା କଥା ଯେ ଯଦି ବା ଇର୍ଷା ଯୋଗୁ କିଏ ନଜର ପକେଇବ , ସେ ମହଙ୍ଗା କାର ଉପରେ ସିନା ପକାଇବ , ଶସ୍ତା ଅଟୋରିକ୍ସା ଉପରେ କାହିଁକି ନଜର ପକାଇବ ? ଅନେକଲୋକ ନିଜର ଛୋଟ ଛୋଟ ପିଲାଙ୍କ ଗାଲରେ କିମ୍ବା କପାଳରେ କଳା ଟୀକା ଲଗାଇ ଦିଅନ୍ତି । କାରଣ ଅନ୍ୟର ଦୃଷ୍ଟି ପଡିଗଲେ ପିଲାର ଦେହ ଖରାପ ହୋଇଯିବ ବୋଲି ସେମାନଙ୍କ ବିଶ୍ବାସ । ସତକଥା ହେଉଛି - ପିଲାର ଦେହ ଖରାପ ହେବାର ଅନେକ ବୈଜ୍ଞାନି କାରଣ ରହିଛି । ତାର ଖାଇବା , ପିଇବା , ରହିବା ଆଦିରେ ଯତ୍ନ ନନେଲେ ସେ ଅସୁସ୍ଥ ହୋଇପଡେ । ମଣିଷ ଯେତେ ଦୁଷ୍ଟ ପ୍ରକୃତିର ହେଉପଛେ ଗୋଟିଏ ସୁନ୍ଦର ଛୋଟ ପିଲାକୁ ଦେଖୁଲେ ତାଙ୍କ ମନରେ ସ୍ନେହାଭାବ ଜାଗ୍ରତ ହୋଇଥାଏ । ଛୋଟ ପିଲାଟି ଯଦି ଟିକିଏ କାହାରି ମୁଁହକୁ ଚାହିଁ ହସିଦିଏ , ମଣିଷ ମନରେ ବାତ୍ସଲ୍ୟ ମମତା ଜାଗିଉଠେ । ଏହା ମଣିଷର ମନସ୍ତାତ୍ଵିକ ଏବଂ ପ୍ରାକୃତିକ ସତ୍ୟ । ତା  ଆଖିରେ ପିଲାର ଅନିଷ୍ଟ କରିବାର ଚିନ୍ତା ଆସିବ କାହିଁକି ?

ଆଉଗୋଟିଏ ମଜା କଥା ଦେଖନ୍ତୁ - ଯେଉଁ ନାରୀ ବା ପୁରୁଷ ଅଧିକରୁ ଅଧିକ ସୁନ୍ଦର ଓ ସ୍ମାର୍ଟ ଦେଖାଯିବାପାଇଁ ବିଭିନ୍ନ ଆଧୁନିକ ଶୈଳୀରେ ଡ୍ରେସ ପିନ୍ଧନ୍ତି ଏବଂ ନିଜକୁ ସଜେଇ ହୁଅନ୍ତି , ସେମାନଙ୍କ ଉପରେ ସମସ୍ତଙ୍କର ନଜର ପଡେ । ସେମାନଙ୍କ କେବେ ନିଜର ଗାଲ ବା ମଥାରେ କଳା ଟୀକା ଲାଗିଥିବା ଦେଖୁଛନ୍ତିକି ? 

ଗାଁ ଗହଳର ଅଶିକ୍ଷିତ ଲୋକମାନେ କୌଣସି କାରଣରୁ ପିଲାର ପେଟ ଖରାପ ହୋଇ ଝାଡା ଓ ବାନ୍ତି ହେଲେ , କାହାରି ନଜର ଲାଗିଗଲା ଭାବି କୌଣସି ଗୁଣିଆ କିମ୍ବା ତାନ୍ତ୍ରିକ ପାଖକୁ ନେଇଯାଆନ୍ତି । ସେ ମନ୍ତ୍ର ପଢି , ଝଡା - ଫୁଙ୍କା କଲାପରେ ବି ଠିକ ନହେଲେ ପିଲାର ପେଟରେ ଗରମ ଲୁହାଛଡ଼ ଦ୍ବାରା ଚେଙ୍କ ଦିଆଯାଉଥିବା ପ୍ରଥା ମଧ୍ୟ ଅଛି । ପିଲାର ଅବସ୍ଥା ବେଶୀ ବିଗିଡ଼ିଗଲେ ବାଧ୍ୟ ହୋଇ ଡାକ୍ତରଙ୍କ ପାଖକୁ ନେଇଯା'ନ୍ତି । ଆଜିକାଲି ଅବଶ୍ୟ ଲୋକମାନେ ବୁଝିଲେଣି । ପିଲାକୁ ପ୍ରଥମରୁ ହିଁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ନେଇଯାଉଛନ୍ତି । ଅନେକ ଲୋକ ନିଜର ବାସଭବନ ତିଆରି କରିବାପାଇଁ ସିଭିଲ ଇଞ୍ଜିନିୟରଙ୍କ ଦ୍ବାରା ପ୍ଲାନ କରେଇ , ସବୁଠାରୁ ଭଲ ଓ ମହଙ୍ଗା ବ୍ବାଲିଟିର ସିମେଣ୍ଟ , ଲୁହାଛଡ , ବାଲି ଇତ୍ୟାଦି ବ୍ୟବହାର କରି ଅତ୍ୟାଧୁନିକ ଟେକନିକରେ ଗୃହ ନିର୍ମାଣ କରନ୍ତି । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରନ୍ତି । ଘର ତିଆରିର ସମସ୍ତ ପ୍ରସ୍ତୁତି କରିବାପରେ , ପାଳିପଡ଼େ ଦୈବୀକୃପା ପାଇବାପାଇଁ । ଶୁଭମୁହୂର୍ବ ନିର୍ଦ୍ଧାରଣ , ଭୂମି ପୂଜନ ଓ ଶୁଭ ମୁହୂର୍ତରେ ମାଟି ଖୋଳା ହେବା ଓ ଶେଷରେ ଗୃହ ପ୍ରବେଶ ପାଇଁ ହୋମ , ଯଜ୍ଞ କରାଇ ଘର ଆଗରେ ମାଟିହାଣ୍ଡି , କୌଣସି ରାକ୍ଷସର ମୁହଁ , ପାଣି କଖାରୁ , ନଡ଼ିଆ ଆଦି ନିଶ୍ଚୟ ଓହଳାଇ ଦେବେ ।

କାରଣ ତାଙ୍କର ସୁନ୍ଦର ଘରଟି ଉପରେ କାହାରି ନଜର ଲାଗିଯିବ । କେତେଲୋକ ଘର କିମ୍ବା ଦୋକାନ ଆଗରେ ଗୋଟିଏ ଲେମ୍ବୁ ଓ କିଛି କଞ୍ଚାଲଙ୍କାର ମାଳକରି ଝୁଲାଇ ଦିଅନ୍ତି । ଏଇଠି ବିଚାର ଯୋଗ୍ୟ କଥା ହେଉଛି - ସେମାନଙ୍କର ପ୍ରଶିକ୍ଷିତ ଇଞ୍ଜିନିୟର ଓ ଆଧୁନିକ ଟେକ୍ନୋଲୋଜି ଉପରେ ବିଶ୍ବାସ ରହିଲା ନାହିଁ କାହିଁକି ?

ଅନେକ ଲୋକ ନଜର ନ ଲାଗିବାପାଇଁ ଛୋଟ ପିଲା , ମହିଳା ଓ ପୁରୁଷମାନେ ମଧ୍ୟ ନିଜ ହାତ , ଅଣ୍ଟା ଓ ଗଳାରେ ବିଭିନ୍ନ ପ୍ରକାର ଡେଉଁରିୟା , ତାବିଜ , ଆଙ୍ଗୁଠିରେ ବିଭିନ୍ନ ପଥରବସା ମୁଦି ପିନ୍ଧିଥାନ୍ତି । କଳା ଓ ନାଲି ସୁତା ମଧ୍ଯ ବାନ୍ଧିଥାନ୍ତି । ସେମାନଙ୍କର ବିଶ୍ବାସ - ଦୁଷ୍ଟଗ୍ରହ , ଦୁଷ୍ଟାତ୍ମା କିମ୍ବା ଦୁଷ୍ଟ ଲୋକମାନଙ୍କ କୁଦୃଷ୍ଟିକୁ ବାଧା ଦେବାପାଇଁ ଏହିସବୁ ମନ୍ତ୍ର - ଶୋଧୀତ ବସ୍ତୁ ସକ୍ଷମ ହେବ । 

ସତକଥା ହେଉଛି -ଏହା ଏକ ଲାଭଜନକ ବ୍ୟବସାୟ । ଏଥିରେ କୌଣସି ଦୈବୀଶକ୍ତି ବା ମନ୍ତ୍ରଶକ୍ତି ନଥାଏ । ଯଦି ଥାଆନ୍ତା ସେମାନେ ନିଜେ ହିଁ ସର୍ବ ସୁଖ ହାସଲ କରି ବସିଥାନ୍ତେ । ପ୍ରଥମଥର ତାବିଜ କାମ ନ କଲେ , ତାନ୍ତ୍ରିକ କହିବେ- 

ଚିନ୍ତା କରନାହିଁ ଏଥର ମୁଁ ଆହୁରି ଶକ୍ତିଶାଳୀ ଓ ଦାମିକା ତାବିଜ ଗୋଟିଏ ଦେବି । କାରଣ ତୁମର ଗ୍ରହଦୋଷ ବେଶୀ ଅଛି । ତୁମକୁ ମଧ୍ୟ ଏଥର ଆଉଟିକିଏ ଅଧିକ ପରିଶ୍ରମ କରିବାକୁ ପଡିବ । 

ବିଚାରା ସରଳବିଶ୍ବାସୀ ଲୋକମାନେ ବୁଝି ପାରନ୍ତିନାହିଁ ଯେ ପ୍ରଥମଥର ଦେଇଥିବା ଟଙ୍କା ପାଣିରେ ପଡିଲା । ତାନ୍ତ୍ରିକ କାହିଁକି ଜାଣିପାରିଲାନାହିଁ ଯେ ମୋର ଗ୍ରହଦୋଷ ବେଶୀ ଅଛି ? 

ମୋତେ ଟାଣୁଆ ତାବିଜ କାହିଁକି ଦେଲାନି ? 

ଦ୍ୱିତୀୟରେ କଠିନ ପରିଶ୍ରମ କରିବାକୁ କାହିଁକି କହୁଛି ? ତାବିଜ ବଳରେ ତ ମୋତେ ସଫଳତା ମିଳିଯିବା ଉଚିତ ? ଏହିଭଳି ଅବୁଝା ଲୋକମାନଙ୍କ ଯୋଗୁ ତାନ୍ତ୍ରିକ , ଜ୍ୟୋତିଷ ଏବଂ ତଥାକଥିତ ସାଧୁ ସନ୍ୟାସୀମାନେ ଖୁବ ସହଜରେ ମାଲାମାଲ ହେଉଛନ୍ତି । ଏହା ହେଉଛି ମଣିଷର ରୁଗଣ ମାନସିକତା । 

ସଂଗ୍ରାହକ ସତ୍ୟ ମହାନନ୍ଦ

ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ




Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ