ଧର୍ମୀୟ ଶ୍ରଦ୍ଧା ଓ ଆସ୍ଥା କେତେ ଉପଯୋଗୀ ?
ଧର୍ମୀୟ ଶ୍ରଦ୍ଧା ଓ ଆସ୍ଥା କେତେ ଉପଯୋଗୀ ?
ମଣିଷ ଗୋଟିଏ ତର୍କଶୀଳ ପ୍ରାଣୀ । ସଭ୍ୟତାର ବିକାଶ ହେବା ସହିତ ମଣିଷ ମନରେ ପ୍ରଶ୍ନ ମଧ୍ୟ ଜାତ ହୋଇଛି । ପ୍ରାକୃତିକ ଘଟଣା ସମୂହର କାରଣଗୁଡିକ ଜାଣିବାପାଇଁ ସେ ସର୍ବଦା ପ୍ରୟାସ କରିଛି ।
କଅଣ , କାହିଁକି , କିପରି ଇତ୍ୟାଦି ପ୍ରଶ୍ନ ତା ' ମନକୁ ବିଚଳିତ କରିଛି । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନିଜକୁ ସୁରକ୍ଷିତ କରିବାପାଇଁ ଅସହାୟ ଅନୁଭବ କରିଛି । ଏମିତି କାହିଁକି ହେଉଛିର ଉତ୍ତର ସେତେବେଳେ କାହାରିକୁ ଜଣା ନଥିଲା ।
କେତେକ ବୁଦ୍ଧିଆ ଲୋକ ଭାବିଲେ - ଏସବୁ କୌଣସି ଅଦୃଶ୍ୟ ମହାଶକ୍ତିର କାମ । ସେହି କାଳ୍ପନିକ ମହାଶକ୍ତିକୁ ସର୍ବଶକ୍ତିମାନ ଈଶ୍ବର ନାମ ଦିଆଗଲା । ସେମାନେ ଭାବିଲେ - ତଥାକଥିତ ଈଶ୍ବର ଯଦି ଶାନ୍ତ ରହନ୍ତି , ପ୍ରକୃତି ମଧ୍ୟ ଶାନ୍ତ ରହେ , ଆଉ ଯଦି ଈଶ୍ବର ଅସନ୍ତୁଷ୍ଟ ହୁଅନ୍ତି , ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ।
ନିଜ ଜୀବନକୁ ସୁରକ୍ଷିତ କରିବାର ଏକ ସହଜ ଉପାୟ ହେଲା ଈଶ୍ବରଙ୍କ ଉପରେ ଆସ୍ଥା ରଖି ତାଙ୍କୁ ଶ୍ରଦ୍ଧା ସହ ପୂଜା ଓ ପ୍ରାର୍ଥନା କଲେ ସେ ଆମକୁ ବିପଦରୁ ରକ୍ଷା କରିବେ । ସେହି ଅବଧାରଣା , ସେହିକାଳରୁ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ମନକୁ ଆକ୍ରାନ୍ତ କରିରଖିଛି ।
ଶ୍ରଦ୍ଧା ଓ ଆସ୍ଥା ଦୁଇଟି ମଣିଷର ସଦଗୁଣ । ଭୌତିକ ଦୁନିଆରେ ସୁଖ ଓ ଶାନ୍ତିରେ ଜୀବନ ବିତେଇବାପାଇଁ ଶ୍ରଦ୍ଧା ଓ ଆସ୍ଥା ନିହାତି ଆବଶ୍ୟକ । ପରସ୍ପର ଭିତରେ ସ୍ନେହ ଏବଂ ସୌହାର୍ଯ୍ୟ ବୃଦ୍ଧି ପାଇଥାଏ । ମାନବିକତାର ବିକାଶ ଏବଂ ସ୍ଥାପନ ହୋଇଥାଏ । ଏହାର ବିପରୀତ ପରିବାର କିମ୍ବା ସମାଜରେ
ଯଦି କେହି କାହାକୁ ଧୋକା ଦିଏ ବା ବିଶ୍ବାସଘାତ କରେ ସେତେବେଳେ ମଣିଷର ଶ୍ରଦ୍ଧା ଓ ଆସ୍ଥା କମ ହୋଇଯାଏ । ମାନବିକତା ବଦଳି ଯାଇ ପଶୁତ୍ଵରେ ପରିଣତ ହୋଇଯାଏ । ମନରେ ଘୃଣା , ଦ୍ବେଷ ଓ ହିଂସା ଜାତହୁଏ । ଏହାହେଉଛି ଭୌତିକ ଜଗତର ଶ୍ରଦ୍ଧା ଓ ଆସ୍ଥାର କାହାଣୀ । ବର୍ତ୍ତମାନ ଆସନ୍ତୁ ଦେଖିବା ଆଧିଭୋତିକ ଜଗତର ଶ୍ରଦ୍ଧା ଓ ଆସ୍ଥାର କାହାଣୀ । ଆଦିମ କାଳରୁ ଦୁନିଆର ବହୁ ସଂଖ୍ୟକ ଲୋକ ଈଶ୍ବରଙ୍କ ଉପରେ ଆସ୍ଥା ରଖୁଛନ୍ତି ଏବଂ ଶ୍ରଦ୍ଧା ବି କରୁଛନ୍ତି । ସମୟାନୁକ୍ରମେ ମଣିଷର ବୁଦ୍ଧି , ବିବେକ ଓ ତର୍କ କରିବାର ଶକ୍ତି ବୃଦ୍ଧି ପାଇଲା । ପୂର୍ବ ବିଚାରଧାରା ଉପରେ ସନ୍ତୁଷ୍ଟ ନରହି କିଛି ବୁଦ୍ଧିଜୀବୀ ଅଧିକ ତଥ୍ୟ ଅନୁସନ୍ଧାନ କଲେ । ବିଜ୍ଞାନର ପ୍ରଗତି ହେଲା । ଏହା ଦ୍ବାର ଅନେକ ତଥ୍ୟ ସତ୍ୟ ରୂପେ ପ୍ରକାଶ ପାଇଲା । ଆଜି ଆମେ ବସ୍ତୁବାଦୀ ଦୁନିଆର ବିଜ୍ଞାନ ଦ୍ବାରା ଉତ୍ପାଦିତ । ସବୁ ସାଧନଗୁଡିକ ବ୍ୟବହାର କରୁଛୁ , ତାହା ବିଗତ ହଜାରେ ବର୍ଷ ପୂର୍ବରୁ ସ୍ବପ୍ନ ଥିଲା । ଇତିହାସ ଯେଉଁ ପଢି ସେହି ସମୟର ବ୍ୟକ୍ତି , ପରିବାର ଓ ସାମାଜିକ ବିବରଣୀ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସେମାନେ କେତେ ଅସୁବିଧା ଭୋଗ କରୁଥିଲେ ?
ଯୁଗଯୁଗ ବିତି ଯାଇଥିଲେ ମଧ୍ୟ ଧର୍ମକୁ ମଣିଷ ପୂର୍ଣ୍ଣ ସମର୍ଥନ କରୁଛି । ସମସ୍ତଙ୍କ ମନରେ ସନ୍ଦେହ ଓ ପ୍ରଶ୍ନ ଉଠୁଛି କିନ୍ତୁ ସ୍ବୀକାର କରିବାକୁ ଭୟ କରୁଛନ୍ତି ।
" ବିଶ୍ବାସେ ମିଳଇ ହରି , ତର୍କେ ବହୁଦୂର "
ଏହି ତର୍କରେ ସମସ୍ତେ ଭ୍ରମିତ । କାହାରି ମନରେ ପ୍ରଶ୍ନ ଉଠୁନି ଯେ ହରି ଯଦି ସତ୍ୟ ତେବେ ତାଙ୍କୁ ମାନିବା ନମାନିବାର ପ୍ରଶ୍ନ ଉଠୁଛି କାହିଁକି ?
ଧର୍ମୀୟ ଆସ୍ଥା ଯୋଗୁ ଆମର ଅନେକ କ୍ଷତି ହେଉଛି । ମହମ୍ମଦ ଗଜନି ସତର ଥର ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ମନ୍ଦିରର ପୂଜାରୀମାନଙ୍କର ଗଭୀର ବିଶ୍ବାସ ଥିଲା ଯେ ସୋମନାଥ ଦେବତା ନିଜର ଅସୀମ ଶକ୍ତି ଦ୍ବାରା ଶତୃମାନଙ୍କୁ ସଂହାର କରି ମନ୍ଦିରକୁ ରକ୍ଷା କରିବେ । ସେଥିପାଇଁ ସେମାନେ ମନ୍ଦିର ଦ୍ବାରରେ ଛିଡା ହୋଇ ଶତୃମାନଙ୍କ ଉପରକୁ ମନ୍ତ୍ର ଗାନ ପୂର୍ବକ ମନ୍ତୁରା ପାଣି ଛାଟୁଥିଲେ । ଗଜନିସେନାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଲା ନାହିଁ । ସେମାନେ କୌଣସି ପ୍ରକାର ପ୍ରତିରୋଧର ସାମନା ନକରି ମନ୍ଦିର ଭିତରକୁ ନିର୍ବିଘ୍ନରେ ପଶି ଯାହା ଯେଉଁଠି ଥିଲା ନେଇଗଲେ , ବାକି ସବୁ ଭଙ୍ଗା ରୁଜା କରି ଚାଲିଗଲେ । ଥରେ ବା ଦୁଇଥରର ଆକ୍ରମଣ ପରେ ପୂଜାରୀମାନଙ୍କ ଭ୍ରମ ଦୂର ହୋଇଯିବା ଉଚିତ ଥିଲା ଯେ ଠାକୁର କିଛି କରିପାରିବେ ନାହିଁ ବରଂ ଆମ ଦେଶର ବୀର ସୈନିକମାନେ ସେମାନଙ୍କ ସହ ଯୁଦ୍ଧ କରି ଶତୃମାନଙ୍କୁ ପରାସ୍ତ କରିପାରିବେ । ତଥାପି ସେମାନେ ଦେଶର ରାଜା ଓ ସୈନିକମାନଙ୍କୁ ଯୁଦ୍ଧ କରିବାପାଇଁ ନିର୍ଦ୍ଦେଶ ଦେଲେ ନାହିଁ । ସେମାନଙ୍କର ଶ୍ରଦ୍ଧା ଓ ଆସ୍ଥା ଆମର ଏତେ ବଡ଼ କ୍ଷତି କରିଦେଲା ।
ଅନ୍ୟ ଏକ ଉଦାହରଣ ମହମ୍ମଦ ଘୋରୀକୁ ରାଜା ଜୟଚନ୍ଦ ନିଜ ସ୍ବାର୍ଥପାଇଁ ପୃଥ୍ବୀରାଜ ଚୌହାନଙ୍କୁ ପରାସ୍ତ କରିବାପାଇଁ ନିମନ୍ତ୍ରଣ କଲେ । ମହମ୍ମଦ ଘୋରୀ ପୃଥୀରାଜଙ୍କ ସୈନ୍ୟ ଶକ୍ତିର ପରାକ୍ରମ ଜାଣିଥିବାରୁ ସେ ହିନ୍ଦୁ ସୈନ୍ୟମାନଙ୍କର ଏକ ଦୁର୍ବଳତାର ଫାଇଦା ଉଠାଇଲା । ହିନ୍ଦୁ ସେନା ଗାଈକୁ ସମ୍ମାନ କରନ୍ତି ତେଣୁ ଗୋହତ୍ୟା ମହାପାପ ବୋଲି ଆସ୍ଥା ରଖନ୍ତି । ସେଥିପାଇଁ ମହମ୍ମଦ ଘୋରୀ ନିଜର ସୈନ୍ୟମାନଙ୍କ ଆଗରେ ଶହ ଶହ ଗୋରୁ ଓ ଗାଈ ଠିଆ କରିଦେଲା । ହିନ୍ଦୁ ସୈନ୍ୟ ବଡ ଦ୍ଵନ୍ଦରେ ପଡିଗଲେ । ସେମାନେ ତୀର ଚଲେଇଲେ ପ୍ରଥମେ ଗୋରୁ ଦେହରେ ବାଜିବ । ଘୋରୀର ସୈନ୍ୟ ଗୋରୁମାନଙ୍କ ପଛରେ ରହି ହିନ୍ଦୁ ସୈନ୍ୟମାନଙ୍କୁ ମାରିବାରେ ସଫଳତା ପାଇଗଲେ । ପରିଣାମ ସ୍ବରୂପ ପୃଥ୍ବୀରାଜ ହାରିଗଲେ । ମହମ୍ମଦ ଘୋରୀ ତାଙ୍କୁ ବନ୍ଦୀକରି ପରେ ହତ୍ୟା କରିଦେଲେ । ଏଇଠି ହିନ୍ଦୁ ସେନା ଯଦି ସେମାନଙ୍କର ଏହି କୂଟନୀତି ବୁଝିପାରି ନିଜର ଅନ୍ଧ ଆସ୍ଥା ତ୍ୟାଗକରି ଯୁଦ୍ଧ କରିଥାନ୍ତେ ତେବେ ଇତିହାସ ଅନ୍ୟ କିଛି କହୁଥାନ୍ତା ।
ସେହିଭଳି ବାବା ରାମରହିମକୁ ଲୋକମାନେ ଭଗବାନ ବୋଲି ମାନୁଥିଲେ । ଗଭୀର ଶ୍ରଦ୍ଧା ଯୋଗୁ ପୂଜା ବି କରୁଥିଲେ । ତା'ର ଯାବତୀୟ କୁକର୍ମ ଗୁଡିକୁ ଅଣଦେଖା କରୁଥିଲେ । ପୋଲିସ ଗୁପ୍ତ ସୂତ୍ରରୁ ଖବର ପାଇ ଯେତେବେଳେ ଆଇନ ବଳରେ ତା'କୁ ଧରିବାକୁ ଚେଷ୍ଟା କଲେ , ତା'ର ଭକ୍ତଗଣ ଉତ୍ପାତ ଆରମ୍ଭ କରିଦେଲେ । ଦୁଇପକ୍ଷର ସଂଘର୍ଷରେ ପ୍ରାୟ 37 ଜଣ ପ୍ରାଣ ହରେଇଲେ । ଭକ୍ତମାନଙ୍କ ଦ୍ବାରା ଶହ ଶହ ଗାଡି ପୋଡି ଦିଆ ଗଲା । ଅନେକ ଜାତୀୟ ସମ୍ପତ୍ତି ନଷ୍ଟ କରି ଦିଆଗଲା । ପୋଲିସ ଏବଂ ଭକ୍ତଙ୍କ ଭିତରେ କଡା ସଂଘର୍ଷ ପରେ ଶେଷରେ ବାବା ରାମରହିମ ଜେଲ ଗଲା ।
ବାବା ଆଶାରାମର କାହାଣୀ ମଧ୍ୟ ତଦ୍ରୂପ । ସେ ଦିନେ ଅଜମେର ସହରରେ ଟାଙ୍ଗା ( ଘୋଡା ଗାଡି ) ଚଲାଇ ପେଟ ପୋଷୁଥିଲା , ସେ ନିଜର ଧୂର୍ତ ବୁଦ୍ଧି ଦ୍ବାରା ଲୋକମାନଙ୍କୁ ପ୍ରବର୍ତ୍ତାଇ ଧର୍ମଗୁରୁ ହୋଇଗଲା । ହଜାର ହଜାର ସ୍ତ୍ରୀ ଓ ପୁରୁଷ ତା'ର ଶିଷ୍ୟ ହୋଇଗଲେ । ଶେଷରେ ଆଶ୍ରମ ଭିତରେ ନାନା ପ୍ରକାର ବ୍ୟଭିଚାର କରୁଥିବା ଅଭିଯୋଗରେ ବାପ ଓ ପୁଅ ଦୁହେଁ ଆଜି ଜେଲରେ ବସିଛନ୍ତି । ମଜା କଥା ହେଉଛି ଯେ ତା'ର ଅନ୍ଧ ଭକ୍ତ ଏବେ ମଧ୍ୟ ଜେଲ ବାହାରେ ତା'ର ଜନ୍ମ ଦିବସରେ ଏକତ୍ରିତ ହୋଇ ଶୁଭ କାମନା ଦେଉଛନ୍ତି । ଜେଲ ବାହାରେ ଆଶାରାମର ଫୋଟକୁ ଆରତି କରି ଜେଲ କାନ୍ଥକୁ ମୁଣ୍ଡିଆ ମାରୁଛନ୍ତି।
ଆମ ରାଜ୍ୟର ବାବା ସାରଥୀ ଯେଉଁ ସବୁ କଳାକାରୀ ବିଦ୍ୟା ଦେଖାଇ ଲୋକମାନଙ୍କୁ ଭକ୍ତ ବନେଇ ପାରିଥିଲା ସେ ସବୁକୁ ବିଚାର କଲେ ମନରେ ବାରମ୍ବାର ପ୍ରଶ୍ନ ଉଠୁଛି - ଆଧୁନିକ ଏବଂ ବୈଜ୍ଞାନିକ ଯୁଗରେ ଜନ୍ମ ହୋଇ ଲୋକମାନଙ୍କର ଧର୍ମଭୀରୁ ହେବାଟା କ'ଣ ଏତେ ବୋକାମୀ ?
ସେ ତା'ର ପାଦରୁ ମହୁ ଝରୁଥିବା କହୁଥିଲା - ଲୋକେ ବିଶ୍ବାସ କରୁଥିଲେ । ସିମେଣ୍ଟରେ ତିଆରି ଗାଈ ମୂର୍ତ୍ତିରୁ କ୍ଷୀର ବାହାରୁଛି କହିଲା ତାକୁ ମଧ୍ୟ ଲୋକେ ବିଶ୍ବାସ କଲେ । ମୁଁ ବାଳକୃଷ୍ଣ ତେଣୁ ମୋର ଯଶୋଦା ମାଆମାନଙ୍କର ସ୍ତନପାନ କରିବି କହିଲା - ସମାଜରେ ନିଜକୁ ସଭ୍ୟ ଓ ସମ୍ଭ୍ରାନ୍ତ ବୋଲାଇଥିବା ସ୍ତ୍ରୀମାନେ ତାକୁ ନିଜ ସ୍ତନ ଖୋଲି ଦେଖେଇଦେଲେ । ତା'ର ଆଶ୍ରମ ଭିତରେ ଯାହା ଯାହା ହେଉଥିଲା ତାହା ଧିରେ ଧିରେ ଲୋକ ଲୋଚନକୁ ଆସିଯାଇଛି । ତଥାପି ଆଜି ବି କୁଆଡେ ତା'ର ଭକ୍ତମାନେ ଯୁକ୍ତି କରୁଛନ୍ତି - ଆମ ବାବା ନିର୍ଦୋଷ। ତାଙ୍କ ପାଖରେ ଅଦ୍ଭୁତ ଶକ୍ତି ଅଛି ବୋଲି କହୁଛନ୍ତି ।
ଯଦି ତାହା ସତ ତେବେ ତାଙ୍କୁଜେଲରେ ବନ୍ଦ କରିବା ବେଳେ ତାଙ୍କର ଶକ୍ତି ପ୍ରଦର୍ଶନ କଲେନାହିଁ କାହିଁକି ? ଏହା ବୋକାମୀ ନୁହେତ ଆଉ କଅଣ ? ସୁରବାବା ଇତ୍ୟାଦି ଆହୁରି ଅନେକ ବାବା ଆଜି ଜେଲ ଦଣ୍ଡ ଭୋଗ କରୁଛନ୍ତି । ସେମାନଙ୍କର ଭକ୍ତମାନଙ୍କର ଶ୍ରଦ୍ଧା ଓ ଆସ୍ଥା ଯୋଗୁ କେତେ ଯେ ସ୍ତ୍ରୀ ଶୋଷଣର ଶିକାର ହୋଇଛନ୍ତି ତା'ର ହିସାବନାହିଁ । ଏଇଠି ଗୋଟିଏ କଥା ସମସ୍ତେ ଜାଣିରଖିବା ଉଚିତ ହେବ ଯେ ଆଧ୍ୟାତ୍ମିକ ଶ୍ରଦ୍ଧା ଯୋଗୁ କାହାରି ଉପରେ ଆସ୍ଥା ସ୍ଥାପନ କରିବା ପୂର୍ବରୁ ଯଦି ମନରେ “ କାହିଁକି ମୁଁ ବିଶ୍ବାସ କରିବି ? " ପ୍ରଶ୍ନ ଉଠିବ ତେବେ ଶ୍ରଦ୍ଧା କରିବାର କାରଣ ଖୋଜିବ । କାରଣଟି ଯୁକ୍ତି ଯୁକ୍ତ ନଲାଗିଲେ ଶ୍ରାଦ୍ଧାରୁ ଦୂରେଇ ରହିହେବ । ପଛରେ ଅନୁତାପ କରିବାକୁ ପଡିବ ନାହିଁ ।
(ବ୍ୟୟ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment