ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା

ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା 


ରଖେ ହରି ମାରେ କିଏ : ଏକ ମିଥ୍ୟା ଆଶ୍ବାସନା 

 ଏକ ମିଥ୍ୟା ଆଶ୍ବାସନା ଆମ ରାଜ୍ୟରେ ବହୁ ପ୍ରଚଳିତ ପ୍ରବାଦଟିଏ ପିଲାଟି ଦିନରୁ ଶୁଣିଆସିଛି, ରଖେ ହରି ମାରେ କିଏ , ମାରେ ହରି ରଖେ କିଏ ? ଭଗବାନଙ୍କ ସର୍ବଶକ୍ତିମାନ ଗୁଣକୁ ମହିମାନ୍ବିତ କରୁଥିବା ଏହି ଆପ୍ତବଚନଟି ସମସ୍ତେ ଖୁବ ସହଜରେ ବିଶ୍ବାସ ମଧ୍ୟ କରୁଛନ୍ତି । ଆମେ ଯଦି ମୁକ୍ତମନରେ ଏହି ଆପ୍ତବଚନର ଯଥାର୍ଥତା ଉପରେ ବିଚାର କରିବା , ତେବେ ନିମ୍ନ ଲିଖ୍ ପ୍ରଶ୍ନ ଗୁଡିକର ଉତ୍ତର ଖୋଜିବାକୁ ହେବ । 

 ( କ ) ମଣିଷ ଓ ଅନ୍ୟାନ୍ୟ ପ୍ରାଣୀଜଗତରେ ଯେତେ ମୃତ୍ୟୁ ଘଟୁଛି , ସବୁ କ'ଣ ତଥାକଥିତ ହରିଙ୍କ ନିର୍ଦ୍ଦେଶ ବା ଆଦେଶରେ ହିଁ ସଂଘଟିତ ହେଉଛି ? 
 ( ଖ ) ଏହା ଯଦି ସତ , ତେବେ ପ୍ରାଣୀର ମୃତ୍ୟୁ ପାଇଁ ମଣିଷ ଅନ୍ୟାନ୍ୟ କାରଣକୁ ଦାୟୀ କରୁଛି କାହିଁକି ? ଯଥା : ବିଭିନ୍ନ ରୋଗ , ବିଭିନ୍ନ ଦୁର୍ଘଟଣା , ଆତଙ୍କବାଦୀଙ୍କ ଆକ୍ରମଣ ଓ ଧାର୍ମିକ ହିଂସା ଇତ୍ୟାଦି । 

 ( ଗ ) ଭୂମିକମ୍ପ , ବାତ୍ୟା , ବନ୍ୟା , ବିଜୁଳି ବଜ୍ରାଘାତ ଆଦି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବହୁତ ମଣିଷ ଓ ପ୍ରାଣୀ ମୃତ୍ୟୁ ବରଣ କରୁଥିବା ବେଳେ ଆଉକିଛି ଅକସ୍ମାତ ବଞ୍ଚି ମଧ୍ୟ ଯାଆନ୍ତି । ସେତିକିବେଳେ ଯେଉଁମାନେ ବଞ୍ଚିଗଲେ , କୁହାଯାଏ - ସେମାନଙ୍କୁ ହରି ବଞ୍ଚେଇ ଦେଲେ । କିନ୍ତୁ ଯେଉଁମାନେ ମୃତ୍ୟୁ ବରଣ କଲେ ସେମାନଙ୍କୁ ହରି ମାରିଦେଲେ ବୋଲି କୁହନ୍ତି ନାହିଁ । ସେତେବେଳେ ଦୁର୍ଘଟଣାର କାରଣକୁ ଦାୟୀ କରାଯାଏ କାହିଁକି ? 

 ( ଘ ) ସମସ୍ତେ କୁହନ୍ତି - ହରି ମଙ୍ଗଳ କର୍ରା -ପ୍ରଶ୍ନ ଉଠୁଛି- ଏହା ଯଦି ସତ , ତେବେ ରୋଗ ଓ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଭୋଗ କରୁଥିବା ମଣିଷମାନଙ୍କର ହରି କିଭଳି ମଙ୍ଗଳ ସାଧନ କରୁଛନ୍ତି ? ସେମାନଙ୍କ ପ୍ରିୟ ପରିବାରଜନ ବିଚ୍ଛେଦ ଦୁଃଖ ସହ୍ୟ କଲେ , ସେମାନଙ୍କ କିଭଳି ମଙ୍ଗଳ ସାଧନ ହେଉଛି ? 

 ( ଙ ) ହରିଙ୍କୁ ବିଶ୍ବାସ କରୁନଥିବା ( ନାସ୍ତିକ ) ଲୋକମାନେ ତୀର୍ଥଯାତ୍ରାରେ ଯାଉନାହାନ୍ତି , ତେଣୁ ବଣ , ପାହାଡ଼ , ଅଞ୍ଚଳରେ ଯାନବାହାନ ଦୁର୍ଘଟଣା ଯୋଗୁ ଜୀବନ ହରାଉ ନାହାନ୍ତି । କିନ୍ତୁ ହରି ଭକ୍ତମାନେ ( ଆସ୍ତିକ ) ପରମ ବିଶ୍ବାସରେ ତୀର୍ଥଯାତ୍ରା କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଅକାଳ ମୃତ୍ୟୁ ବରଣ କରୁଛନ୍ତି କାହିଁକି ? ଜଣେ ବିଦେଶୀ ନାଗରିକ ' ମାର୍ଟେନ ଡେଜଙ୍ଗ ' ନିଜକୁ ବଡ଼ ଭାଗ୍ୟବାନ ମନେ କରି ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଏହାର କାରଣ ହେଉଛି- ସେ ଦୁଇଥର ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉଡ଼ାଜାହାଜରେ ନିଜର ଯାତ୍ରା ବାତିଲ କରିଦେଇଥିଲେ । ଭଗବାନ ତାଙ୍କୁ ବଞ୍ଚେଇ ଦେଇଛନ୍ତି । ସତେ ଯେମିତି ତାଙ୍କୁ ସେହି ଜାହାଜଗୁଡିକରେ ଯାତ୍ରା ନକରିବାପାଇଁ ଭଗବାନ ତାଙ୍କୁ ସୂଚେଇ ଦେଇଥିଲେ । ଏହିଭଳି ଗାଲୁ ମାରିବା - ନିହାତି ପିଲାଳିଆ ଯୁକ୍ତି କିମ୍ବା ତାଙ୍କର ମାନସିକ ଦିବାଲିଆପଣ ବୋଲି କହିଲେ ଭୁଲ ହେବକି ? 

ଯଦି ସେ ବଞ୍ଚି ଯାଇଛନ୍ତି , ତାହା ଏକ କାକତାଳିକ ନ୍ୟାୟରେ ସଂଯୋଗ ମାତ୍ର । ସେଦିନ ସେହି ଜାହାଜରେ ଯାତ୍ରା କରିବା ପ୍ରୋଗ୍ରାମ ସେ ଏକା ନୁହନ୍ତି , ଆହୁରି ଅନେକ ଯାତ୍ରୀ ବାତିଲ କରିଥିବେ । ତେଣୁ ସେହି ଜାହାଜରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନିହତ ହୋଇଥିବା ସ୍ଥଳେ ଭଗବାନ କେବଳ ତାଙ୍କୁ ହିଁ ବଞ୍ଚେଇ ଦେଇଛନ୍ତି କହିବା ଆତ୍ମପ୍ରବଞ୍ଚନା ମାତ୍ର । 

 ଏଇଠି ପ୍ରଶ୍ନ ଉଠୁଛି - ଏଥିରେ ଭଗବାନଙ୍କ ମହାନତା ରହିଲା କେଉଁଠି ?
 ଜାହାଜର ଅନ୍ୟ ସମସ୍ତ ମୃତ ଯାତ୍ରୀ କ'ଣ ଭଗବାନଙ୍କ ସନ୍ତାନ ନଥିଲେ ? ଆସନ୍ନ ମୃତ୍ୟୁ ମୁଖରୁ ହରି ଯେଉଁମାନଙ୍କୁ ଉଦ୍ଧାର କରି ଆଣୁଛନ୍ତି , ସେମାନେ ହରିଙ୍କର ଗୁଣଗାନ କରୁଛନ୍ତି । ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି , ସେମାନଙ୍କୁ ପୁଣି ମାରୁଛି କିଏ ? 

ହରି କ'ଣ ନିଜେ ହିଁ କିଛି ଲୋକଙ୍କୁ ବଞ୍ଚେଇ ଅନ୍ୟମାନଙ୍କୁ ମାରିଦେଉଛନ୍ତି ? ଯଦି ଅନ୍ୟ କିଏ ମାରୁଛି , ତେବେ ସେ କ'ଣ ହରି ଅପେକ୍ଷା ବେଶୀ ଶକ୍ତିମାନ ? 
ତା ' କବଳରୁ ନିଜ ସନ୍ତାନମାନଙ୍କୁ ହରି ବଞ୍ଚେଇ ପାରୁନାହାନ୍ତି କାହିଁକି ?

 ବାସ୍ତବରେ ତର୍କସଙ୍ଗତ ଓ ବିଜ୍ଞାନସମ୍ମତ ତଥ୍ୟ ହେଉଛି - ଜନ୍ମ ଓ ମୃତ୍ୟୁ କେବଳ ସଂଯୋଗ ବା ଦୁର୍ଯୋଗ ନୁହେଁ । ମଣିଷ ଆଜି ବିକଶିତ ବିଜ୍ଞାନ ବଳରେ ଜନ୍ମକୁ ନିୟନ୍ତ୍ରିତ କରିପାରିଛି । ସେହିଭଳି ମାରାତ୍ମକ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଚିକିତ୍ସା ବିଜ୍ଞାନ ବଳରେ ବଞ୍ଚେଇ ଦିଆଯାଇ ପାରୁଛି । ଅର୍ଥାତ ଯେଉଁମାନଙ୍କୁ ଉଚିତ ବା ଠିକ ସମୟରେ ଉପଯୁକ୍ତ ଚିକିତ୍ସା ନମିଳିଲେ ମୃତ୍ୟୁ ନିଶ୍ଚିତ , ସେମାନଙ୍କୁ ହରି ମଧ୍ୟ ରକ୍ଷା କରିପାରୁନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି 

ରଖେ ହରି ମାରେ କିଏ ? " କେତେ ଦୂର ସତ୍ୟ ? 

 ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ