ପରମ୍ପରା ବନାମ ଆହତ ଭାବନା
| ପରମ୍ପରା ବନାମ ଆହତ ଭାବନା |
ପରମ୍ପରା ବନାମ ଆହତ ଭାବନା
ଦୁନିଆର ସମସ୍ତ ଧର୍ମ ସଂସ୍କୃତିରେ ଅଲଗା ଅଲଗା ପରମ୍ପରା ରହିଛି । ସମସ୍ତେ ଯଦିଓ କୁହନ୍ତି - ଭଗବାନ ଏକ କିନ୍ତୁ ସମସ୍ତଙ୍କ ଧର୍ମୀୟ କର୍ମକାଣ୍ଡ , ଆଚାର , ବିଚାର ଓ ପରମ୍ପରା ପରସ୍ପରଠାରୁ ଭିନ୍ନ ।
ଭଗବାନ ଯଦି ଏକ , ତେବେ ପରମ୍ପରା ଭିନ୍ନ କାହିଁକି ?
ଏହି ପ୍ରଶ୍ନର ଉତ୍ତର ଦେବାପାଇଁ ଧର୍ମଗୁରୁ କହନ୍ତି - ଲକ୍ଷ୍ୟସ୍ଥଳ ଏକ କିନ୍ତୁ ମାର୍ଗ ଅଲଗା ଅଲଗା ହୋଇଥାଏ । ଯାହାକୁ ଯେଉଁ ମାର୍ଗ ପସନ୍ଦ ସେ ସେହି ମାର୍ଗରେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ।
ଏଭଳି ଉତ୍ତର ଖୁବ ସରଳ ଓ ଅବୁଝା ଲାଗୁନି । ଧରନ୍ତୁ- ଦିଲ୍ଲୀରେ ପହଞ୍ଚିବାପାଇଁ କିଛି ଲୋକ ବାଙ୍ଗାଲୋରରୁ ବାହାରିଲେ । ସେମାନେ ନିଜର ପସନ୍ଦ ଓ କ୍ଷମତା ଅନୁସାରେ ବିଭିନ୍ନ ଯାନବାହାନ ବ୍ୟବହାର କରି , ଦେଶର ବିଭିନ୍ନ ପ୍ରଦେଶ ଦେଇ ଯାତ୍ରା କରି ଦିଲ୍ଲୀରେ ପହଞ୍ଚି ପାରିବେ । କେବଳ ଜାଣିବା କଥା ହେଉଛି - ଦିଲ୍ଲୀରେ କିଏ ଶୀଘ୍ର ପହଞ୍ଚିବ ?
କିଏ ସହଜରେ ପହଞ୍ଚିବ ?
କିଏ ବହୁ କଷ୍ଟରେ ଏବଂ ବିଳମ୍ବରେ ପହଞ୍ଚିବ ?
ଏଇଠି ସମସ୍ତେ କିନ୍ତୁ ଆଶ୍ବସ୍ତ ହୋଇ ଯାତ୍ରା ଆରମ୍ଭ କରନ୍ତି ଯେ ଯାତ୍ରା ସହଜ ହେଉ କି କଷ୍ଟସାଧ , ଶୀଘ୍ର ହେଉ କି ବିଳମ୍ବରେ ଦିନେ ଦିଲ୍ଲୀରେ ନିଶ୍ଚୟ ପହଞ୍ଚି ହେବ ।
ଈଶ୍ବରଙ୍କୁ ପାଇବାପାଇଁ ଆସ୍ତିକମାନଙ୍କର ଯାତ୍ରା ପୂର୍ବରୁ ମନ କିନ୍ତୁ ଆଶ୍ବସ୍ତ ହୋଇ ନଥାଏ ।
ଧର୍ମଗ୍ରନ୍ଥରେ ଲିଖିତ ଅନେକ ମାର୍ଗ ଯଥା : ଜପ , ତପ , ପୂଜା , ଅର୍ଜନାକରି - ଦାନ , ଦକ୍ଷିଣାଦେଇ ମଧ୍ୟ ଈଶ୍ୱର ପ୍ରାପ୍ତିର ଗ୍ୟାରେଣ୍ଟି ନଥାଏ ।
କାରଣ ସେ ଜାଣେନାହିଁ ଈଶ୍ବର କେଉଁଠି ରହନ୍ତି ?
ସେଠାକୁ ଯିବା ବାଟ କେତେ ଦୂର ?
ସେ ବାଟ ଦୁର୍ଗମ ନା ସୁଗମ ?
ସେ କେବଳ ଶୁଣି ଆସିଛି - " ବିଶ୍ୱାସ ମୂଳେ ଏ ଜଗତ " ତେଣୁ ଧର୍ମୀୟ ପରମ୍ପରାକୁ ବିଶ୍ବାସ ପୂର୍ବକ ଚୁପଚାପ ପାଳନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ମଣିଷ ପାଖରେ ନଥାଏ ।
ଏଇଠି ଯଦି କେହି ବୁଦ୍ଧିବାଦୀ ଲୋକଟିଏ ଆସ୍ତିକ ବ୍ୟକ୍ତିଙ୍କୁ ଉପରୋକ୍ତ ଦିଲ୍ଲୀର ଯାତ୍ରା । ଉଦାହରଣ ଦେଇ ଯୁକ୍ତି ଦର୍ଶାଇ ବୁଝାଇ କହିବ - " ତୁମେ ଈଶ୍ବରଙ୍କୁ ପାଇବାପାଇଁ ଯେତେ କଷ୍ଟ କଲେ ମଧ୍ୟ ପାଇବନାହିଁ ।
ସେ ତୁରନ୍ତ ରାଗିଯିବ । ପ୍ରତିକ୍ରିୟା ପ୍ରକଟ କରି କହିବ । ତୁମେ ମୋର ଧାର୍ମିକ ଭାବନାକୁ ଆହତ କରୁଛ ।
ଗତ କିଛି ବର୍ଷ ହେଲା ଲୋକମାନଙ୍କ ଭାବନା ଆହତ ହେଉଥିବା ଘଟଣା ବୃଦ୍ଧି ପାଇଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଭାବନା ଆହତ ନାମରେ ସମାଜରେ ହିଂସା ବ୍ୟାପି ଯାଇଛି । ଅଧିକାଂଶ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
ଯଦି ଆମେ ଆମର ପୁରୁଣା ପରମ୍ପରାକୁ ନମାନିବା , ତେବେ ଆମର , ଧର୍ମ , ସଂସ୍କୃତି ଓ ଦେଶ ରସାତଳକୁ ଚାଲିଯିବ ।
2016 ମସିହାରେ ତାମିଲନାଡୁର ଜିଲ୍ଲିକଙ୍କୁ ନାମକ ମଣିଷ ଓ ଷଣ୍ଢଯୁଦ୍ଧ ଖେଳ ଉପରେ ପ୍ରଶ୍ନ ଉଠିବାରୁ ସ୍ବୟଂଭୂ ଧର୍ମଗୁରୁମାନେ କହିଲେ - ଏହି ଖେଳ ବନ୍ଦ କରିଦେଲେ ଆମର ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଯିବ ।
ପରମ୍ପରା ନାମରେ ଷଣ୍ଢ ସହିତ ମଣିଷମାନଙ୍କ ଲଢେଇରେ ଅନେକ ଷଣ୍ଢ ଓ ମଣିଷ କ୍ଷତିଗ୍ରସ୍ତ ହେଉଛନ୍ତି । ତଥାପି ଏହି ରୂଢିବାଦୀ ପରମ୍ପରା ତ୍ୟାଗ କରିବାକୁ ଅନେକ ଲୋକ ଚାହୁଁ ନାହାନ୍ତି ।
ତାମିଲନାଡୁର ଜଣେ ପ୍ରଗତିଶୀଳ ଲେଖକ ମୁରୁଗାନ ଏକ ଉପନ୍ୟାସ ଲେଖୁଥିଲେ । ଉପନ୍ୟାସଟି ବହୁତ ପାଠକଙ୍କ ଦ୍ବାରା ଉଚ୍ଚ ପ୍ରସଂଶିତ ହୋଇଥିଲେ ମଧ୍ୟ କିଛି ବ୍ୟକ୍ତି ବିଶେଷଙ୍କ ଭାବନାକୁ ଆହତ କରିଥିଲା । ସେମାନେ ମୁରୁଗାନଙ୍କୁ ଧମକ ଦେଲେ ।ମୁରୁଗାନ ଡରିଯାଇ କହିଲେ - " ଆଜିଠାରୁ ଲେଖକ ମୁରୁଗାନଙ୍କ ମୃତ୍ୟୁ ଘଟିଲା ।
ମହାରାଷ୍ଟ୍ରରେ ଗଣେଶ ପୂଜା ପର୍ବ ସମୟରେ ଦହିହାଣ୍ଡିକୁ ବହୁତ ଉଚ୍ଚରେ ବନ୍ଧାଯାଏ ଏବଂ ମଣିଷମାନେ ମିଶି ଗୋଟିଏ ସ୍ତୁପ ତିଆରି କରନ୍ତି , ଜଣକ ଉପରେ ଜଣେ ଚଢି ଦହିହାଣ୍ଡିକୁ ଭାଙ୍ଗନ୍ତି । ଏହାଦ୍ବାରା ମଣିଷମାନଙ୍କ ପିରାମିଡ଼ ବା ସ୍ତୁପ ଅନେକ ସମୟରେ ଭୁଶୁଡି ପଡେ ଏବଂ ସବାଉପରେ ଚଢିଥିବା ବ୍ୟକ୍ତି ତଳେ ପଡି ଆଘାତ ପାଇଥାଏ । ଏହାକୁ ସୁରକ୍ଷିତ ଭାବେ ପାଳନ କରିବାପାଇଁ ସୁପ୍ରିମ କୋର୍ଟ ରାୟ ଦେଲେ -
ଦହି ହାଣ୍ଡିକୁ ଅତି ବେଶୀରେ 20 ଫୁଟ ଉଚ୍ଚରେ ବାନ୍ଧିବା ଉଚିତ । ଏହାକୁ ବିରୋଧକରି ସେଠିକା ହିନ୍ଦୁ ସମାଜ କହିଲା କୋର୍ଟ ଆମର ପୁରାତନ ପରମ୍ପରା ସହିତ ଖେଳୁଛି । ଗତ ଦୁଇ ଦଶକ ମଧ୍ୟରେ ଅନେକ ପ୍ରବୃଦ୍ଧ , ପ୍ରଗତିଶୀଳ ଲେଖକମାନଙ୍କ ରଚିତ ପୁସ୍ତକ ଗୁଡିକୁ ଅସହିଷ୍ଣୁ ଲୋକମାନଙ୍କ ପ୍ରତିବାଦ ଯୋଗୁ ସରକାର ପ୍ରତିବନ୍ଧ ଲଗାଇ ଦେଇଛନ୍ତି ।
ଭୋଟ ବ୍ୟାଙ୍କର ରାଜନୀତି ଯୋଗୁ ସରକାର ପକ୍ଷର ମନ୍ତ୍ରୀ ଓ ନେତାମାନେ ପୁସ୍ତକ ନପଢି , ସମୀକ୍ଷା ନକରି ମଧ୍ୟ ପ୍ରତିବାଦୀଙ୍କୁ ସମର୍ଥନ କରୁଛନ୍ତି । କେବଳ ସାହିତ୍ୟ ନୁହେଁ , ନାଟକ ଓ ସିନେମା ଗୁଡିକ ମଧ୍ୟ ଭାବନାକୁ ଆହତ କରୁଥିବା ଆଳରେ ବନ୍ଦ କରି ଦିଆଯାଉଛି । ବିଚାରଣିୟ ବିଷୟ ହେଉଛି - କାହାରି ଭାବନାକୁ ଆହତ କରୁଥିବା ବାହାନାରେ କୌଣସି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ଉପେକ୍ଷା କରାଯିବା ଉଚିତ ହେବକି ?
ଗଣତନ୍ତ୍ର ଦେଶର ସରକାର ବ୍ୟକ୍ତିର ଲେଖିବା , କହିବା ଓ ବିଚାର ଅଭିବ୍ୟକ୍ତିର ସ୍ଵତନ୍ତ୍ରତାକୁ ରକ୍ଷା କରିବା ବଦଳରେ ଅନ୍ଧବିଶ୍ବାସୀ ଭୋଟ ଦାତାଙ୍କ ଭାବନାକୁ ବେଶୀ ଗୁରୁତ୍ବ ଦେଉଛନ୍ତି ।
ଯଦି ବ୍ୟକ୍ତିର ଭାବନା ଆହତ କରୁଥିବା ପ୍ରସଙ୍ଗକୁ ଆମେ ବିଚାର କରିବା , ତେବେ ଚିନ୍ତା କରନ୍ତୁ . ଯେତେବେଳେ ବୈଜ୍ଞାନିକମାନେ କହିଲେ ଯେ ସୂର୍ଯ୍ୟ ସ୍ଥିର ଏବଂ ପୃଥିବୀ ଘୁରୁଛି , ସେତେବେଳେ କେତେକେତେ ଲୋକମାନଙ୍କ ଭାବନାକୁ ଆହତ ହୋଇ ନଥିବ ?
ଡାରବିନ ଯେତେବେଳେ କହିଲେ ' ପୃଥ୍ବୀ ଓ ଜୀବଜଗତକୁ କୌଣସି ସର୍ବଶକ୍ତିମାନ ଈଶ୍ବର ସୃଷ୍ଟି କରିନାହାନ୍ତି ବରଂ ଭୌତିକ ପ୍ରକ୍ରିୟା ଯୋଗୁ ସୃଷ୍ଟି ହୋଇଛି । ସେତେବେଳେ ମଧ୍ୟ ଅନେକ ଲୋକଙ୍କ ଭାବନା ଆହତ ହୋଇଥିବ । ଭାବନା ଆହତ ହୋଇଥିବା ସତ୍ତ୍ୱେ ଧିରେ ଧିରେ ସମସ୍ତେ ସତ୍ୟକୁ ସ୍ବୀକାର କଲେ । ଆଜି ପୃଥିବୀ ଘୁରୁଥିବା ତଥ୍ୟକୁ ସମସ୍ତେ ମାନୁଥିଲେ ମଧ୍ୟ କେତେକ ଧର୍ମଭୀରୁ ଲୋକ ବିଶ୍ବକୁ ଈଶ୍ବର ହିଁ ସୃଷ୍ଟି କରିଥିବା କଥା ବିଶ୍ବାସ କରୁଛନ୍ତି ।
ବିବର୍ତ୍ତନବାଦକୁ ଆଜି ମଧ୍ୟ ବହୁତ ଲୋକ ମାନୁ ନାହାନ୍ତି । ଭାରତ ବର୍ଷରେ ଏହାର ପ୍ରଭାବ ଦେଖନ୍ତୁ - ପ୍ରାୟ ଦୁଇ ହଜାର ବର୍ଷତଳୁ ଭାରତରେ କୃର ଜାତିପ୍ରଥା ଯୋଗୁ ବହୁ ସଂଖ୍ୟକ ( 85 % ) ଲୋକମାନଙ୍କୁ ଅମାନବୀୟ ଅବସ୍ଥାରେ ବଞ୍ଚି ରହିବା ପାଇଁ ବାଧ୍ୟ କରାଯାଇଥିଲା । ସେତେବେଳେ ଉଚ୍ଚଜାତିର ଲୋକମାନେ ନିଜଜାତିର ଲୋକମାନଙ୍କୁ କୌଣସି ସମ୍ବେଦନା ଦେଖାଇ ନଥିଲେ । ଆଜି ଯେତେବେଳେ ଦଳିତ ଜନତା ସଚେତନ ହୋଇ ଜାତି ବ୍ୟବସ୍ଥାକୁ ବିରୋଧ କରି ସ୍ବର ଉତ୍ତୋଳନ କଲେ , ସେତେବେଳେ ଉଚ୍ଚଜାତିର ଲୋକମାନଙ୍କ ଭାବନାକୁ ଆହତ କଲା । କାଲି ପର୍ଯ୍ୟନ୍ତ ପାଦତଳେ ରହୁଥିବା ନିଜଜାତିର ଲୋକମାନେ ଆଜି ମାଥାଟେକି କଥାବାର୍ତ୍ତା କରୁଥିବା ଦେଖୁ , ସେମାନଙ୍କର ପୁରୁଣା ପରମ୍ପରା ଭାଙ୍ଗି ଚୁରମାର ହେଉଥିବା ଅନୁଭବ କରୁଛନ୍ତି ।
ପରିବାରର ଗୋଟିଏ ପୁଅ ବା ଝିଅ ପ୍ରେମ କରି ଅନ୍ୟ ଜାତିରେ ବିବାହ କରିବାକୁ ଚାହିଁଲେ , ସେହି ପରିବାରର ଲୋକମାନଙ୍କ ଭାବନାକୁ ଗଭୀର ଭାବେ ଆହତ କରୁଛି । ସେଥିପାଇଁ ସେମାନେ ପ୍ରେମୀ ଯୁଗଳକୁ ପରମ୍ପରା ଭାଙ୍ଗିଥିବା ଦୋଷଦେଇ ହତ୍ୟା କରିବାକୁ ପଛାଉ ନାହାନ୍ତି ।
ଇଁରେଜମାନଙ୍କ ଶାସନ କାଳରେ ଆମ ଦେଶର ଅନେକ ରୂଢିବାଦୀ ପରମ୍ପରା ଭାଙ୍ଗି ଯାଇଛି । ସତୀଦାହ ପ୍ରଥା ବନ୍ଦ ହୋଇଯାଇଛି । ବାଲ୍ୟବିବାହ ପ୍ରଥା ବନ୍ଦ ହୋଇଛି । ବିଧବା ବିବାହକୁ ଆଇନ ଗତ ସ୍ବୀକୃତି ମିଳିଛି । ତନ୍ତ୍ର ମନ୍ତ୍ର ସାଧନା ନାଁରେ ନରବଳୀକୁ ନିଷେଦ୍ଧ କରାଯାଇଛି । ବ୍ୟବହାରିକ ଜୀବନରେ ଭୌତିକ ବସ୍ତୁର ପ୍ରଚଳନକୁ ସମସ୍ତେ ସ୍ବୀକାର କରୁଛନ୍ତି । ଯାତାୟାତ ପାଇଁ ଗତାନୁଗତିକ ପଶୁଙ୍କ ଦ୍ବାରା ଚାଳିତ ବାହାନ ଗୁଡିକ ତ୍ୟାଗକରି ଯାନ୍ତ୍ରିକ ବାହାନ ବ୍ୟବହାର କରୁଛନ୍ତି । ମନୋରଞ୍ଜନର ମାଧ୍ୟମରେ ଅଭୂତପୂର୍ବ ପରିବର୍ତ୍ତନକୁ ଆମେ ଖୁସିରେ ଆପଣେଇ ନେଲୁଣି । ଖବର ପଠେଇବାପାଇଁ ଚିଠି ଲେଖା ଛାଡି , ଟେଲିଫୋନ ଓ ମୋବାଇଲ ବ୍ୟବହାର କଲୁଣି । ପିଲାମାନଙ୍କୁ ଶିକ୍ଷା ଦେବାପାଇଁ ଆଉ କେହି ଗୁରୁକୁଳ ଆଶ୍ରମକୁ ପଠାଉ ନାହାନ୍ତି । ସମସ୍ତେ ଆଧୁନିକ ସ୍କୁଲ ଓ କଲେଜକୁ ହିଁ ପଠାଉଛନ୍ତି ।
ଏହିସବୁ ପରିବର୍ତ୍ତନ ପ୍ରକ୍ରିୟା ଯଦି କାହାରି ଧାର୍ମିକ ଭାବନାକୁ ଆହତ କରୁଥିବ , ତଥାପି ଆମେ କ'ଣ ପରିବର୍ତ୍ତନକୁ ରୋକି ପରିବା ? କେବେ ନୁହେଁ ।
ନିଜର ସ୍ବାର୍ଥ ସାଧନପାଇଁ ଅନେକ ପ୍ରକାର ରୂଢିବାଦୀ ପରମ୍ପରାକୁ ଅଣଦେଖା କରୁଥିବା ରାଜନୈତିକ ନେତାମାନେ ଧର୍ମଗୁରୁଙ୍କ ସାହାଯ୍ୟରେ ଧର୍ମଭୀରୁ ଲୋକମାନଙ୍କୁ ପ୍ରବର୍ତ୍ତାଇ , ନିଜର ଭୋଟବ୍ୟାଙ୍କ ବୃଦ୍ଧିକରିଥାନ୍ତି । ରୂଢିବାଦୀ ବା ଭୁଲ ପରମ୍ପରାକୁ ଭାଙ୍ଗିବା ଖରାପ କଥା ନୁହେଁ । ଏହା ଏକ ପ୍ରଗତିଶୀଳ ପଦକ୍ଷେପ । ଯେଉଁ ରୂଢିବାଦୀ ପରମ୍ପରା ବ୍ୟକ୍ତି ଓ ସମାଜର ପ୍ରଗତିରେ ବାଧା ସୃଷ୍ଟି କରୁଛି , ସେଗୁଡିକ ଭାଙ୍ଗିଯିବା ଉଚିତ । ଯେଉଁ ପରମ୍ପରା ଗୁଡିକ ସମାଜପାଇଁ ଦରକାର ନଥିଲା କିମ୍ବା ସମଜାକୁ ପଛକୁ ଟାଣି ନେଉଥିଲା , ସେ ଭଳି ପରମ୍ପରା ଆମଦେଶରୁ ଅନେକ ଆଗରୁ ମଧ୍ୟ ଦୂର ହୋଇ ପାରିଥାନ୍ତା ।
କିନ୍ତୁ କେତେକ ଅଜ୍ଞାନୀ , ସ୍ବାର୍ଥପର ଓ କାମଚୋର ଅଳସୁଆ ଧର୍ମଗୁରୁଙ୍କ ପ୍ରବଚନରେ ପ୍ରଭାବିତ ହୋଇଥିବା ଧର୍ମଭୀରୁ ଜନତା , ପୁରୁଣା ପରମ୍ପରାକୁ ଭାଙ୍ଗିଦେବାକୁ ସାହସ ଜୁଟାଇ ପାରୁନଥିଲେ । ପରମ୍ପରା ଭାଙ୍ଗିଲେ ମହାପାପ ହେବ , ଅନିଷ୍ଟ ହେବ , ମୋକ୍ଷ ପ୍ରାପ୍ତ ହେବନି ଇତ୍ୟାଦି ଭୟ ମନରେ ଭରି ରହିଥିଲା ।
ଭାରତରେ ବିବିଧ ସାମାଜିକ ପରମ୍ପରା ରହିଛି । ତେଣୁ ଗୋଟିଏ ସମାଜର ଆଚରଣ ଅନ୍ୟ ଏକ ସମାଜକୁ ଆହତ କରିବା ସହଜ ହେଉଛି ।
ଗୋଟିଏ ଶାକାହାରୀ ଜୈନ ପରିବାର ଯଦି କୁକୁଡ଼ା ବା ଛେଳି କଟା ଦୃଶ୍ୟ ଦେଖେ ତାଙ୍କର ଭାବନା ଆହତ ହୁଏ । ସେହିଭଳି ମାଂସାହାରୀ ପରିବାରକୁ ଯଦି ଏଥିରୁ ବଞ୍ଚିତ କରାଯାଏ ସେମାନଙ୍କର ଭାବନା କୁ ଆହତ କରିଥାଏ ।
ପ୍ରକୃତରେ ପରମ୍ପରା ଓ ପରିବର୍ତ୍ତନ ପରସ୍ପର ପ୍ରତି ବିରୋଧ ପ୍ରକଟ କରିଥାନ୍ତି ।
ପରମ୍ପରା ଏକ ଜଡ଼ ବା ଯଥାସ୍ଥିତିବାଦକୁ ସ୍ଥାୟୀ ଭାବେ ରଖିବାକୁ ଚାହେଁ । ଏହାର ବିପରୀତ ପରିବର୍ତ୍ତନ ସର୍ବଦା କିଛି ନୂତନତ୍ବର ସନ୍ଧାନରେ ଥାଏ । ସୁଖ ଓ ସମୃଦ୍ଧି ଯୁକ୍ତ ନୂତନତ୍ବ ମିଳିଲେ ସେ ପୁରୁଣା ପରମ୍ପରାକୁ ତ୍ୟାଗ କରିଦେବାକୁ ଚାହେଁ । କିନ୍ତୁ ପୁରୁଣା ପରମ୍ପରା ଯଦି ବ୍ୟକ୍ତି ଓ ସମାଜପାଇଁ ଭଲ ଓ ପ୍ରଗତିମୂଳକ ହୋଇଥାଏ , ତେବେ ସେହିଭଳି ପରମ୍ପରାକୁ କେହି ମଧ୍ଯ ତ୍ୟାଗ କରିବାକୁ ଚାହିଁବେ ନାହିଁ । କେବେ କେହି କହିବେକି - ମାନବିକତା , ସ୍ନେହ , ପ୍ରେମ , ସମାନତା , ସାମାଜିକ ଶ୍ରମ , ଅନ୍ୟକୁ ସାହାଯ୍ୟ କରିବା ପ୍ରବୃତ୍ତି ଭଳି ପୁରୁଣା ପରମ୍ପରା ଗୁଡିକୁ ବଦଳାଇଦିଆଯାଉ ?
ଇତିହାସ ଏବଂ ପୌରାଣିକ ଆଖ୍ୟାନ ଭିତରେ ମୌଳିକ ପ୍ରଭେଦ ହେଉଛି - ଇତିହାସ ପ୍ରମାଣ ସହିତ ଏବଂ ପୁରାଣ ପ୍ରମାଣ ରହିତ ତଥ୍ୟ ପ୍ରଦାନ କରେ ।
ପ୍ରମାଣ ସହିତ ରଚନା କରାଯାଇଥିବା ଇତିହାସକୁ ବିଶ୍ବାସ କରିବା ସହଜ କିନ୍ତୁ ପ୍ରମାଣ ରହିତ ପୁରାଣକୁ ବିଶ୍ବାସ କରିବା କଷ୍ଟକର ହୋଇଥାଏ ।
ମଜାକଥା ହେଉଛି ଯେ ଭାରତରେ ଦେବୀ ଓ ଦେବତାଙ୍କୁ ମାନୁଥିବା ଲୋକ ଅଛନ୍ତି ଏବଂ ଦାନବ ବା ଅସୁରଙ୍କୁ ମାନୁଥିବା ଲୋକ ମଧ୍ୟ ଅଛନ୍ତି ।
ଦେବୀ ଦୁର୍ଗା , ଶ୍ରୀରାମଚନ୍ଦ୍ର , ଓ ଶ୍ରୀକୃଷ୍ଣଙ୍କ ଭକ୍ତ ଅଛନ୍ତି । ଅନ୍ୟପକ୍ଷରେ ମହିଷାସୁର , ରାବଣ ଓ କଂସଙ୍କ ଭକ୍ତ ମଧ୍ୟ ଅଛନ୍ତି । ସେମାନେ ପରସ୍ପରଙ୍କ ଭାବନାକୁ ଆହତ କରିଥାନ୍ତି ।
ଏଇଠି ପ୍ରଶ୍ନ ଉଠୁଛି - ଯଦି ସମସ୍ତଙ୍କର ବିଶ୍ବାସ ଦୃଢ଼ , ତେବେ ସେମାନେ ଆହତ ହୁଅନ୍ତି କାହିଁକି ?
କେହି କାହାର ବିଶ୍ଵାସ ଉପରେ ସନ୍ଦେହ ପ୍ରକଟ କରିଦେଲେ , ଆହତ ହୋଇଯାଉଥିବା ଅର୍ଥ ତା'ର ବିଶ୍ବାସରେ କିଛି ଭୁଲ ରହିଛି । କିନ୍ତୁ ବିଡମ୍ବନା ହେଉଛି ଯେ କେହି ଏହି ତର୍କକୁ ମାନୁ ନାହାନ୍ତି ।
(ଉପସ୍ଥାପନା ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment