ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ
ସତୀଙ୍କ ନାମରେ ଶକ୍ତିପୀଠମାନଙ୍କ ରହସ୍ୟ ଧର୍ମଶାସ୍ତ୍ର ମାନଙ୍କରେ ମହାଦେବ ଶିବଙ୍କ ପତ୍ନୀ ପାର୍ବତୀଙ୍କ ଅନେକ ନାମ ଉଲ୍ଲେଖ ଅଛି । ଦୁର୍ଗା , କାଳୀ ଓ ସତୀ ବି କୁହାଯାଏ । ସତୀଙ୍କ ନାମରେ ଭାରତ ଓ ସିଂହଳ ଦେଶରେ ଅନେକ ଶକ୍ତିପୀଠ ନିର୍ମାଣ ହୋଇଛି ।
ଶକ୍ତିପୀଠ ସମ୍ପର୍କରେ ବିଭିନ୍ନ ଗ୍ରନ୍ଥରେ ବିଭିନ୍ନ ପ୍ରକାର ମତ ରହିଛି । କେଉଁଠି ଲେଖା ଅଛି 108 ଗୋଟି ଶକ୍ତିପୀଠ , ଅନ୍ୟ ଗ୍ରନ୍ଥରେ 51 ଗୋଟି ରହିଛି । ଆଦିଶଙ୍କରାଚାର୍ଯ୍ୟଙ୍କ ମତରେ 18 ଗୋଟି ଶକ୍ତିପୀଠ ରହିଛି । ସମସ୍ତ ଶକ୍ତିପୀଠର ତାଲିକା ମଧ୍ୟ ରହିଛି । ଏଇଠି ତାଲିକା ଦେଲେ ପ୍ରବନ୍ଧଟି ଲମ୍ବା ହୋଇଯିବ । ଏହାର ଆବଶ୍ୟକତା ବି ନାହିଁ । ଶକ୍ତିପୀଠ ନିର୍ମାଣର ପ୍ରଚଳିତ କାହାଣୀ ନିମ୍ନରେ ବର୍ଣ୍ଣନା କରିବା ।
ମହାଭାରତ କାହାଣୀରେ ଦକ୍ଷପ୍ରଜାପତି ଗୋଟିଏ ଯଜ୍ଞ ଅନୁଷ୍ଠିତ କରିଥିଲେ । ସେ ତାଙ୍କର ସମସ୍ତ କନ୍ୟା ଓ ଜାମାତାଙ୍କୁ ଯଜ୍ଞରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଥିଲେ କିନ୍ତୁ ଜାଣିଶୁଣି ପାର୍ବତୀ ଓ ଶିବଙ୍କୁ ଡାକି ନଥିଲେ ।
ପାର୍ବତୀ ଏହି ଖବର ନାରଦଙ୍କଠାରୁ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହାର କାରଣ ଜାଣିବାପାଇଁ ସେ ବାପଘରକୁ ଯିବାକୁ ଶିବଙ୍କ ଅନୁମତି ମାଗିଲେ । ଶିବ କହିଲେ ବିନା ନିମନ୍ତ୍ରଣରେ ଯିବା ଉଚିତ ନୁହେଁ ।
ପାର୍ବତୀ କିନ୍ତୁ ନମାନି ବାପଘରକୁ ଦୌଡ଼ି ଯାଇଥିଲେ । ପାର୍ବତୀଙ୍କୁ ଦେଖୁ ଦକ୍ଷପ୍ରଜାପତି ଆଦର ସମ୍ମାନ ଦେବା ବଦଳରେ ଶିବ ଓ ପାର୍ବତୀଙ୍କୁ ଅପମାନ ସୂଚକବାଣୀ ଶୁଣାଇଥିଲେ ।
ବାପା ଦେଇଥିବା ଅପମାନ ସହ୍ୟ କରି ନପାରି ଦେବୀ ପାର୍ବତୀ , ସେହି ଜଳନ୍ତା ଯଜ୍ଞକୁଣ୍ଡରେ ଝାସ ଦେଇଥିଲେ । ମହାଦେବ ଶିବ ନିଜର ଯୋଗ ବଳରେ ଏହା ଜାଣିପାରି କ୍ରୋଧ ସମ୍ବରଣ କରି ପାରିଲେନାହିଁ ।
ସେ ତୁରନ୍ତ ଯଜ୍ଞସ୍ଥଳରେ ପହଞ୍ଚିଥିଲେ । ତାଙ୍କର କ୍ରୋଧକୁ ଶାନ୍ତ କରିବାପାଇଁ ଶାଶୁମା ' ସ୍ବାଗତ ବନ୍ଦାଣ ଥାଳିଧରି ଉପସ୍ଥିତ ହୋଇଥିଲେ । ସେହି ସମୟର କାହାଣୀ ନିହାତି ଅଶ୍ଳୀଳ ଓ ଅଶୋଭନୀୟ । ଶିବ ଲିଙ୍ଗର ପୂଜା କୁଆଡେ ସେହି ସମୟରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଏ ।
ଶିବ , ପାର୍ବତୀଙ୍କ ଅର୍ଦ୍ଧ ଦଗ୍ଧ ଶରୀରକୁ ? ଉଦ୍ଧାର କରି , ନିଜ କାନ୍ଧରେ ଥୋଇ ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ । ତାଙ୍କର ତାଣ୍ଡବ ନୃତ୍ୟ ଯୋଗୁଁ ସାରା ବ୍ରହ୍ମାଣ୍ଡ ଥରହର ହେଲା । ଦେବତାମାନେ ପ୍ରମାଦଗଣି , ବିଷ୍ଣୁଙ୍କୁ ଏହାର ସମାଧାନ କରିବାକୁ ଅନୁରୋଧ କଲେ ।
ବିଷ୍ଣୁ ତୁରନ୍ତ ନିଜର ସୁଦର୍ଶନ ଚକ୍ର ପଠାଇ , ଶିବଙ୍କ କାନ୍ଧରେ ଥିବା ପାର୍ବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲେ । ଶିବ ତାଣ୍ଡବ ନୃତ୍ୟ କରି ବ୍ରହ୍ମାଣ୍ଡ ସାରା ଘୁରୁଥିବାରୁ , ପାର୍ବତୀଙ୍କ ଶରୀରର ଅଙ୍ଗ ଗୁଡିକ ବିଭିନ୍ନ ସ୍ଥାନରେ ପଡିଲା ।
ସେଥିପାଇଁ ଯେଉଁଠି ତାଙ୍କର ଅଙ୍ଗ ପଡିଲା , ସେଇଠି ଏକ ଶକ୍ତିପୀଠ ନିର୍ମାଣ କରାଗଲା । ସତରେ ଦେବୀଙ୍କ ଶରୀର କେତେ ଖଣ୍ଡ ହୋଇଥିଲା , କେହି ଠିକ ଭାବେ କହି ନାହାନ୍ତି ।
ଆଦି ଶଙ୍କରାଚାର୍ଯ୍ୟଙ୍କ 18 ଗୋଟି ଶକ୍ତିପୀଠର ତାଲିକାରେ ଓଡ଼ିଶାରେ ମାତ୍ର ଗୋଟିଏ ଅଛି । ଯାଜପୁରରେ ଦେବୀଙ୍କର ' ନାଭି ' ଭାଗଟି ପଡ଼ିଥିବାରୁ ' ବିରଜା ' ନାମରେ ଏକ ଶକ୍ତିପୀଠ ନିର୍ମାଣ ହୋଇଛି । ଓଡ଼ିଶାରେ ପ୍ରଚଳିତ ଶିବ ପୁରାଣ ଅନୁସାରେ ବିଷ୍ଣୁ ପାର୍ବତୀଙ୍କ ଶରୀରକୁ ମାତ୍ର ଆଠଖଣ୍ଡ କରି ଦେଇଥିଲେ । ସେହି ଆଠଖଣ୍ଡ କେବଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପଡିଥିଲା । ( ଶରୀରର କେଉଁ ଭାଗଟି କେଉଁଠି ପଡିଥିଲା ଲେଖାନାହିଁ ) ତେଣୁ ଓଡ଼ିଶାରେ ଆଠଗୋଟି ଶକ୍ତିପୀଠ ତିଆରି ହୋଇଛି ।ଯଥା
1. ବାଣପୁରରେ ଭଗବତୀ , 2 , କାକଟପୁରରେ ମଙ୍ଗଳା , 3 . ଝଙ୍କଡ଼ରେ ଶାରଳା , 4 , ପୁରୀରେ ବିମଳା , 5. ଯାଜପୁରରେ ବିରଜା , 6. ବାଙ୍କିରେ ଚର୍ଚ୍ଚିକା , 7 . ତାଳଚେରରେ ହିଙ୍ଗୁଳା ଏବଂ 8 . ସମ୍ବଲପୁରରେ ସମଲେଇ ।
ଦେବୀ ଭାଗବତ ଓ କାଳିକା ପୁରାଣ ଅନୁସାରେ ଭାରତରେ ମାତ୍ର ଚାରିଗୋଟି ଶକ୍ତିପୀଠ ଅଛି । 1. ପୁରୀରେ ଦେବୀଙ୍କ ପାଦ ପଡ଼ିଥିବାରୁ ବିମଳା , 2 , ବ୍ରହ୍ମପୁରରେ ଦେବୀଙ୍କ ସ୍ତନ ପଡ଼ିଥିବାରୁ ତାରାତାରିଣୀ , 3 , ଆସାମରେ ଦେବୀଙ୍କ ଯୋନି ଭାଗଟି ପଡ଼ିଥିବାରୁ କାମାଖ୍ୟା ଏବଂ 4. କଲିକତାରେ ଦେବୀଙ୍କ ମୁଖ ପଡ଼ିଥିବାରୁ ଦକ୍ଷିଣକାଳୀ ଶକ୍ତିପୀଠ ତିଆରି ହୋଇଛି । ବାକି ଅଙ୍ଗଗୁଡିକ କୁଆଡେ ଗଲା ଜଣାନାହିଁ ।
ଉପରୋକ୍ତ ସମସ୍ତ ଶକ୍ତିପୀଠ ମଧ୍ୟରୁ , ଆମେ ଆସାମ ପ୍ରଦେଶର ଗୌହାଟୀ ସହର ନିକଟରେ ଥିବା , ନୀଳାଚଳ ପାହାଡ଼ ସ୍ଥିତ , କାମାଖ୍ୟା ଶକ୍ତିପୀଠ ଉପରେ ଚର୍ଚ୍ଚା କରିବା । ଏଇଠି ସତୀଙ୍କ ଜରାୟୁ ଓ ଯୋନୀ ପଡ଼ିଯାଇଥିବା କଥା ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ଶକ୍ତିପୀଠକୁ , ତନ୍ତ୍ରପୀଠ ବୋଲି ମଧ୍ୟ କୁହାଯାଏ । ଏହି ମନ୍ଦିରକୁ କୁଚବିହାର ରାଜା ନରନାରାୟଣ 1665 ମସିହାରେ ନିର୍ମାଣ କରିଥିଲେ । ଭାରତର ବିଭିନ୍ନ ପ୍ରଦେଶରୁ ତାନ୍ତ୍ରିକମାନେ ତନ୍ତ୍ର ମନ୍ତ୍ର ସାଧନ କରିବାପାଇଁ ଏହି ମନ୍ଦିରରେ ଭିଡ ଲଗାଇଥା'ନ୍ତି ।
ଏଠାରେ ତନ୍ତ୍ର ସାଧନା କରି ଯାଇଥିବା ତାନ୍ତ୍ରିକମାନଙ୍କର ଆମ ଦେଶରେ ବହୁତ ଡିମାଣ୍ଡ । ସତେ ଯେପରି ସେମାନେ ଆମେରିକାରୁ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରି ଫେରିଛନ୍ତି । ଏମାନେ କୁଆଡେ ନିଜର ତନ୍ତ୍ର ମନ୍ତ୍ର ବଳରେ ଭେଣ୍ଡାକୁ , ମେଣ୍ଢା ବନେଇଦେଇପାରିବେ । ମନ୍ତ୍ର ବଳରେ ଶତୃ ନାଶ କରିପାରିବେ , ଯାହାକୁ ଚାହିଁବେ ତାକୁ ବଶ୍ୟ କରି ନିଜର ଗୋଲାମ ବନେଇ ରଖୁପାରିବେ । ସେଥିପାଇଁ ଏମାନଙ୍କ ପାଖରେ ପ୍ରେମିକମାନଙ୍କ ଭିଡ ବେଶୀ ଦେଖାଯାଏ । ନିଜେ ପସନ୍ଦ କରିଥିବା ଝିଅକୁ ( ଝିଅ ପଛେ ତାକୁ ଘୃଣା କରୁଥାଉ ) ମନ୍ତ୍ର ବଳରେ ବଶ୍ୟ କରି ପାରିବେ ବୋଲି ତାନ୍ତ୍ରିକକୁ ଅଯଥା ଯଥେଷ୍ଟ ଟଙ୍କା ଦେଇଥାନ୍ତି । କୁହାଯାଏ ଆଷାଢ଼ ମାସରେ ଦେବୀଙ୍କର ଋତୁସ୍ରାବ ହୁଏ । ଏହି ସମୟରେ ପାହାଡ ନିକଟରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀର କିଛି ଅଂଶ ପାଣି ଲାଲ ଦେଖାଯାଏ । କୁହାଯାଏ ଏହା ହେଉଛି , ଦେବୀଙ୍କ ଯୋନୀରୁ ନିର୍ଗତ ହେଉଥିବା ରକ୍ତ । ଅବଶ୍ୟ ଆଜିପର୍ଯ୍ୟନ୍ତ କେହି ଏହି ଲାଲ୍ ପାଣିକୁ ପରୀକ୍ଷା କରି ବିଜ୍ଞାନ ସମ୍ମତ ତଥ୍ୟ ଦେଇନାହାନ୍ତି ।
ସେହି ଅଞ୍ଚଳରେ ରହୁଥିବା କିଛି ବୁଦ୍ଧିଜୀବୀ କହୁଛନ୍ତି ମନ୍ଦିରର ପୂଜାରୀମାନେ , ପାଣିରେ ଅଳତା ବା ସିନ୍ଦୁର ଗୋଳାଇ ଭକ୍ତମାନଙ୍କର ଅଲକ୍ଷ୍ୟରେ ସକାଳ ହେବା ପୂର୍ବରୁ ନଦୀ ପାଣିରେ ଢାଳି ଦିଅନ୍ତି । ଭକ୍ତମାନେ ଦୂରରୁ ଲାଲ ପାଣି ଦେଖୁ ସତ ବୋଲି ଭାବନ୍ତି । ଏହି ଘଟଣାର ଚତୁର୍ଥ ଦିନ ମନ୍ଦିରର କବାଟ ଖୋଲାଯାଏ । ଏହି ସମୟରେ ମାନସିକ କରିଥିବା ଭକ୍ତମାନେ ବିଭିନ୍ନ ପଶୁ ପକ୍ଷୀଙ୍କ ବଳି ମଧ୍ୟ ଦିଅଛି । ପୂଜାରୀମାନେ ଖଣ୍ଡ ଖଣ୍ଡ କନାକୁ , ସେହି ରକ୍ତରେ ଭିଜାଇ ଭକ୍ତଙ୍କୁ ବାଣ୍ଟି ଦିଅନ୍ତି । କୁହନ୍ତି ଏହି ରକ୍ତ ଦେବୀଙ୍କ ଶରୀରରୁ ନିର୍ଗତ ହୋଇଛି । ମନ୍ଦିର ଭିତରେ କାମାଖ୍ୟା ଦେବୀଙ୍କ ମୂର୍ତ୍ତି ନାହିଁ । ଗର୍ଭ ଗୃହ ଭିତରେ ଯୋନୀ ଆକାରର ଏକ ପଥର ଖୋଦିତ ସାଙ୍କେତିକ ଚିହ୍ନ ରହିଛି । ସେଥିରେ ସିନ୍ଦୁର ଲିପା ହୋଇଥାଏ । ମନ୍ଦିର ବେଢାରେ କିଛି ଦେବୀଙ୍କ ମୂର୍ତ୍ତି ରହିଛି ।
ଯଥା : ଧୂମାବତୀ , ମାତଙ୍ଗୀ , ବାଗୋଲା , ତାରା , କମଳା , ଭୈରବୀ , ଛିନ୍ନମସ୍ତା , ଭୁବନେଶ୍ବରୀ , ତ୍ରିପୁରା ସୁନ୍ଦରୀ ଇତ୍ୟାଦି । ପ୍ରତିଦିନ ହଜାର ହଜାର ନରନାରୀ ନିଜର ବିଶ୍ବାସ ଆଧାରରେ ମାନସିକ ପୂରଣପାଇଁ ପ୍ରତ୍ୟେକ ଶକ୍ତିପୀଠକୁ ଦୌଡ଼ି ଯାଉଛନ୍ତି । ସେମାନଙ୍କ ଭିତରେ କେବଳ ଅଶିକ୍ଷିତ ନୁହନ୍ତି , ବହୁତ ଶିକ୍ଷିତ ବର୍ଗର ଲୋକ ମଧ୍ୟ ଯୋଗ ଦେଇଥା'ନ୍ତି । କାମାଖ୍ୟା ଦେବୀଙ୍କ ମନ୍ଦିରରୁ ରକ୍ତଭିଜା କନା ଖଣ୍ଡେ ନେଇ , ଭକ୍ତ ତାଙ୍କ ଘରର କେଉଁଠି ରଖନ୍ତି , ସେକଥା ସେଇମାନେ ହିଁ ଜାଣନ୍ତି । ଏହାଦ୍ବାରା ତାଙ୍କର କ'ଣ କ'ଣ ଫାଇଦା ହୁଏ , ସେ କଥା ବି ସେହିମାନେ ହିଁ କହିପାରିବେ । ଏଇଠି କିଛି ହେତୁବାଦୀ ପ୍ରଶ୍ନର ତର୍କସଙ୍ଗତ ଉତ୍ତର ଯଦି ଭକ୍ତମାନେ ଦେଇ ପାରିବେ , ତେବେ ଅନେକ ରହସ୍ୟର ପର୍ଦ୍ଦାଫାସ ହୋଇପାରିବ ।
1 , ପାର୍ବତୀଙ୍କ ଭଳି ଜଣେ ଶକ୍ତିଶାଳୀ ଦେବୀଙ୍କ ଶରୀରକୁ ଅଗ୍ନି ଦେବତା ଦଗ୍ଧ କରିପାରିଲେ କିପରି ?
2. ମହାଦେବ ଶିବ ଓ ବିଷ୍ଣୁଙ୍କଭଳି ସର୍ବଶକ୍ତିମାନ ଦେବତା ପାର୍ବତୀଙ୍କୁ ଜୀବନ ଦାନ ନ ଦେଇ ଏତେକାଣ୍ଡ କରୁଥିଲେ କାହିଁକି ?
3. ଶିବ ସାରା ବ୍ରହ୍ମାଣ୍ଡରେ ଘୁରି ଘୁରି ତାଣ୍ଡବ ନୃତ୍ୟ କରୁଥିବା ବେଳେ ପାର୍ବତୀଙ୍କ ଶରୀରର ଖଣ୍ଡ ସବୁ ଅନ୍ୟାନ୍ୟ ଦେଶରେ ନ ପଡି କେବଳ ଭାରତରେ ହିଁ ପଡିଲା କାହିଁକି ?
4. ପାର୍ବତୀଙ୍କ ଶରୀର କେତେ ଖଣ୍ଡ ହୋଇଥିଲା , ସେ ସମ୍ପର୍କରେ ଏକ ମତ ହୋଇନାହିଁ କାହିଁକି ?
5. ଓଡ଼ିଆମାନଙ୍କ ବିଶ୍ବାସ ଅନୁସାରେ ଦେବୀଙ୍କ ଶରୀର ଯଦି ମାତ୍ର ଆଠ ଖଣ୍ଡ ହୋଇ ଓଡ଼ିଶାରେ ହିଁ ପଡିଥିଲା , ତେବେ ଦକ୍ଷପ୍ରଜାପତି କ'ଣ ଓଡ଼ିଶାରେ ଯଜ୍ଞ କରିଥିଲେ ଏବଂ ଶିବ କ'ଣ ଓଡ଼ିଶାରେ ହିଁ ତାଣ୍ଡବ ନୃତ୍ୟ କରୁଥିଲେ ? ଏଇଠି ଆମେ ଏକ ସମ୍ବେଦନଶୀଳ ବିଷୟ ଉପରେ ବିଚାର କରିବା । ସତୀ ବା ପାର୍ବତୀ ଯଦି ସମସ୍ତଙ୍କର ମାତା , ତେବେ ତାଙ୍କର ଯୋନୀକୁ ସାର୍ବଜନିକ ଭାବେ ପ୍ରଦର୍ଶନ କରିବା , ନାରୀମାନଙ୍କର ଏକ ପ୍ରାକୃତିକ କ୍ରିୟା ଋତୁଶ୍ରାବକୁ ବିଭତ୍ସ ଭାବେ ପ୍ରଚାର କରିବା କ'ଣ ଅସଭ୍ୟତା ନୁହେଁ ? ଏହା କୌଣସି ସଭ୍ୟ ସମାଜର ନୈତିକ ଆଚରଣ ବୋଲି କୁହାଯାଇ ପାରିବକି ?
(ସଂଗ୍ରାହକ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment