ଯମପୁର ଭାରତରେ ହିଁ ଅଛି
ହିନ୍ଦୁ ଧର୍ମର ମାନ୍ୟତା ପ୍ରାପ୍ତ ଅଷ୍ଟାଦଶ ପୁରାଣ ମଧ୍ୟରେ , ଗରୁଡ଼ ପୁରାଣର ଏକ ବିଶେଷ ମହତ୍ତ୍ୱ ରହିଛି । କାରଣ ମଣିଷ ନିଜ ଜୀବନ କାଳରେ , କରିଥିବା ପାପ ଓ ପୂଣ୍ୟ କର୍ମ ଅନୁସାରେ , ତା'ର ମୃତ୍ୟୁ ପରେ ନର୍କକୁ ଯାଇ , ଦଣ୍ଡ ଭୋଗ କିମ୍ବା ମୋକ୍ଷ ପ୍ରାପ୍ତ କରି ସ୍ବର୍ଗ ଭୋଗ କରିବା ଭଳି ବର୍ଣ୍ଣନା , ଏହି ପୁରାଣରେ ଉଲ୍ଲେଖ ଅଛି ।
ମଣିଷର ଅନେକ ପ୍ରକାର ଭୟ ମଧ୍ୟରୁ , ମୃତ୍ୟୁ ଭୟ ସବୁଠାରୁ ଯନ୍ତ୍ରଣା ଦାୟକ I ମୃତ୍ୟୁ ପରେ ମଣିଷକୁ ସମସ୍ତ ଭୟରୁ ମୁକ୍ତି ମିଳି ଯାଇଥିବା କଥା ସତ ବୋଲି ସମସ୍ତେ ଜାଣିଥିଲେ ବି ଦଣ୍ଡ ମିଳୁଥିବା କଥା ଶୁଣିଲେ ବଞ୍ଚିଥିବା ମଣିଷମାନେ ଏକ ଅହେତୁକ ଭୟ ମନରେ ସ୍ଥାପନ କରି ଆତଙ୍କିତ ହୋଇରହନ୍ତି ।
ଗରୁଡ ପୁରାଣକୁ ଯେଉଁ ସରଳ ବିଶ୍ବାସୀ ଲୋକମାନେ ପଢୁଛନ୍ତି କିମ୍ବା ଶୁଣିଛନ୍ତି , ସେମାନେ ପୁରାଣ ବର୍ଣ୍ଣିତ ତଥ୍ୟଗୁଡିକୁ କେତେ ଦୂର ବୁଝି ପାରୁଛନ୍ତି ତାହା ହିଁ ଏକ ବଡ଼ ପ୍ରଶ୍ନ ।
ଏଇଠି ଆମେ ମୂଳ ସଂସ୍କୃତ ଗରୁଡ଼ ପୁରାଣରୁ ପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ଦ୍ବାରା ପଦ୍ୟାନୁବାଦ ପୁସ୍ତକ ଉପରେ ମୁକ୍ତ ମନରେ ବିଚାର କରିବା । ଗରୁଡ଼ ପୁରାଣ ମୋଟ ଅଠର ଗୋଟି ଅଧ୍ୟାୟରେ ସମ୍ପୂର୍ଣ୍ଣ ହୋଇଛି ।
ପ୍ରଥମରୁ ଶେଷ ଅଧ୍ୟାୟ ପର୍ଯ୍ୟନ୍ତ , ଯେଉଁ ସବୁ ତଥ୍ୟ ଓ କାହାଣୀ ବର୍ଣ୍ଣନା କରାଯାଇଛି , ସେଗୁଡିକ ପଢିବାପରେ , ଆମଭଳି ସାଧାରଣ ଜ୍ଞାନ ରଖୁଥିବା କିଛି ମଣିଷମାନଙ୍କ ମନରେ , କିଛି ମୌଳିକ ପ୍ରଶ୍ନ ଉଠିବା ସ୍ବାଭାବିକ । ସୁଧୀ ଏବଂ ବିଜ୍ଞ ପାଠକମାନେ ଆମ ମନର ଶଙ୍କାଗୁଡିକୁ , ତର୍କସଙ୍ଗତ ଓ ବିଜ୍ଞାନ ସମ୍ମତ ଉତ୍ତର ଦେଇ ନିବାରଣ କରିଦେଲେ , ଆମେ ଚିର କୃତଜ୍ଞ ରହିବୁ ।
ପ୍ରଥମ ପ୍ରଶ୍ନ - ସେ ଯୁଗରେ " ଗରୁଡ଼ " ଏକ ପକ୍ଷୀ ଜାତୀୟ ପ୍ରାଣୀ ହୋଇ ମଧ୍ୟ ମଣିଷମାନଙ୍କ ଭାଷାରେ କଥାବାର୍ତ୍ତା କରି ପାରୁଥିଲା କିପରି ?
ଦ୍ୟିତିୟ ପ୍ରଶ୍ନ - ଗରୁଡ଼ ନିଜର ପକ୍ଷୀ ଜୀବନ ସମ୍ପର୍କରେ ଜାଣିବା ପରିବର୍ତ୍ତେ ମଣିଷମାନଙ୍କ ଜୀବନ ସମ୍ପର୍କରେ ଜାଣିବାପାଇଁ ବିଷ୍ଣୁଙ୍କୁ ପ୍ରଶ୍ନ କରିଥିଲା କାହିଁକି ?
ତୃତୀୟ ପ୍ରଶ୍ନ - ମଣିଷ ଜାତିର ଗୂଢ଼ତତ୍ତ୍ବ ଜାଣିବା ଓ ବୁଝିବା ପରେ ପକ୍ଷୀ ଜାତିର କ'ଣ ଲାଭ ହୋଇଥିଲା ? ଏଥର ଆସନ୍ତୁ ପ୍ରଥମ ଅଧ୍ୟାୟରେ ଥିବା ସୃଷ୍ଟି ସର୍ଜନା ବୃତ୍ତାନ୍ତକୁ ବିଚାର କରିବା । ବ୍ୟାସଦେବଙ୍କ ରଚିତ ଗରୁଡ଼ ପୁରାଣକୁ ବ୍ୟାସ ଶିଷ୍ୟସୃତ ମହାମୁନି ନୈମିଷାରଣ୍ୟରେ ଯଜ୍ଞ
କରୁଥିବା ଋଷିମାନଙ୍କୁ ଶୁଣାଇ ଥିଲେ ।
ସୁତମୁନି କହିଲେ - ଦିନେ ଗରୁଡ଼ ପକ୍ଷୀ ବୈକୁଣ୍ଠପୁରକୁ ଯାଇ , ସୃଷ୍ଟିର ରହସ୍ୟ ଜାଣିବାପାଇଁ , ବିଷ୍ଣୁଙ୍କୁ ଅନୁରୋଧ କଲା । ବିଷ୍ଣୁ ଖୁସିହୋଇ ଗରୁଡକୁ ସୃଷ୍ଟି ରହସ୍ୟ ସହିତ , ଯମପୁରରେ ମଣିଷ କିଭଳି ପାପ କର୍ମର ଦଣ୍ଡ ଭୋଗ କରିଥାଏ , ସେ ବିଷୟରେ ବୁଝାଇ ଥିଲେ ।
ଆମେ ଦେଖୁଛୁ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ସମ୍ପର୍କରେ , ବିଭିନ୍ନ ଧର୍ମ ସମ୍ପ୍ରଦାୟଙ୍କ ମତ ଓ ବିଶ୍ବାସ ଅଲଗା ଅଲଗା ରହିଛି । ଆଧୁନିକ ବିଜ୍ଞାନର " ବିବର୍ତ୍ତନବାଦ " ମତ ସମସ୍ତ ଧର୍ମୀୟ ମତଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ରହିଛି ।
ଗରୁଡ଼ ପୁରାଣ ଅନୁସାରେ ସୃଷ୍ଟି ରହସ୍ୟ - "
ଜଳବେଷ୍ଟିତ କରଣ ପ୍ରଭୁ ନିରାକାର ,
ବଟପୁଟେ ନିଦ୍ରା ଗଲେ ସେହି ଦାମୋଦର ।
ସହସ୍ର ସହସ୍ର ବର୍ଷ ବିତିଣ ଯାଆନ୍ତେ ,
କି କରିବି ବୋଲି ଠାକୁରାଣୀ ମନେ ଚିନ୍ତେ ।
ପୁନର୍ବାର ଏ ପ୍ରଳୟ କେଉଁ ପରାଇବେ ,
ଧ୍ବଂସକରି ନୂଆ ସୃଷ୍ଟି ଅପର୍ଣ୍ଣା ସୃଜିବେ ।
ବହୁକାଳ ଚିନ୍ତା କରି ଦେବୀ ଠାକୁରାଣୀ ,
ସ୍ବପ୍ନ ଦେଖାଇବା ଆଶେ ଚିନ୍ତିଲେ ତକ୍ଷଣି ।
ମହାମାୟୀ ନିରାକାର ପାଶକୁ ଗମିଲେ ,
ଭିନ୍ନ ଭିନ୍ନ ରୂପେ ଦେବୀ ସ୍ବପ୍ନ ଦେଖାଇଲେ ।
କାମିନୀ ରୂପରେ ମାତା ବସିଲେ ଅଙ୍କରେ ,
ଯୋଗ ନିଦ୍ରା ସାରି ଘାରିଲେ ସେ ନୟନରେ ।
ମଦନ ରୂପରେ ଦେବୀ ଶରୀରେ ପଶିଲେ ,
ଘାତକିନୀ ସାଜି ଦେବୀ ରତିକ୍ରିୟା କଲେ ।
ଘାତକିନୀ ସାଜି ଦେବୀ ବ୍ରହ୍ମ ରନ୍ଧ୍ର କାଟେ ,
ଶୁକ୍ର ରହି ନ ପାରିଲା ପ୍ରଭୁଙ୍କର ଘଟେ ।
ସ୍ଖଳନ ହୋଇଲା ରେତ ସହସା ବିଷ୍ଣୁର ,
ତତକ୍ଷଣ ନିରାକାର ହେଲେ ହୀନବଳ ।
ତାହା ଜାଣି ଠାକୁରାଣୀ ମହୁରୀ ବାସିନୀ ,
ଚେତନା ରୂପେ ପ୍ରଭୁଙ୍କ ପାଶେ ଗଲେ ପୁଣି ।
ଯୋଗନିଦ୍ରା କରାଇଲେ ତ୍ୟାଗ ଯେ ପାର୍ବତୀ ,
ବୀର୍ଯ୍ୟ ସ୍ଖଳନ ହେଉଛି ହେଜେ ରମାପତି ।
ବିଚଳିତ ହୋଇ ବିଷ୍ଣୁ କାଢି ଦାମକର ,
ଧଇଲେ ରେତକୁ ହସ୍ତପୁଟେ ଦାମୋଦର ।
ହସ୍ତରେ କି ଜଳ କେବେ ରହିବ ସେ ଶୁକ୍ର ,
ତିନି ଅଙ୍ଗୁଷ୍ଠି ପଥରେ ଗଡ଼ିଲା ସେ ଶୁକ୍ର ।
ତ୍ରିବୁନ୍ଦା ହୋଇଣ ସେହି ପୟୋଧ ଜଳରେ ,
ପଡିଗଲା ଦାମୋଦର ରେତଟି ସଧିରେ ।
ଅମୋଘ ବୀର୍ଯ୍ୟ ସେ ଅଟେ ଦାମୋଦରଙ୍କର ,
ଜଳେ ପଡି ଅବିଳମ୍ବେ ହୋଇଲା ଅସ୍ଥିର ।
ସମୁଦ୍ରରେ ବିଷ୍ଣୁଙ୍କ ହାଡରୁ ବୋହି ପଡିଥିବା ତିନି ବିନ୍ଦୁ ବୀର୍ଯ୍ୟରୁ ପ୍ରଥମେ ବ୍ରହ୍ମା , ଦ୍ୱିତୀୟରେ ବିଷ୍ଣୁ ଓ ତୃତୀୟରେ ଶିବଙ୍କୁ ଜାତ କରାଇଲେ । ସେହି ତିନି ପୁତ୍ରଙ୍କୁ ସୃଷ୍ଟିର ସର୍ଜନା କରିବାପାଇଁ ବିଷ୍ଣୁ ନିର୍ଦେଶ ଦେଲେ । ଏଇଠି ଗରୁଡ଼ ପୁରାଣ ପଢିଲେ , ମନରେ ଅନେକ ପ୍ରଶ୍ନ ଉଠୁଛି -
୧ . ବ୍ରହ୍ମାଣ୍ଡ ସୃଷ୍ଟି ହେବା ପୂର୍ବରୁ ହିଁ ମହାମାୟା ଓ ବିଷ୍ଣୁ କ'ଣ ବିଦ୍ୟମାନ ଥିଲେ ?
୨ . ଆଦିମାତା ଯୋଗମାୟା ବଳରେ ଯଦି ବିଷ୍ଣୁଙ୍କ ସହିତ ରତିକ୍ରିୟା ସମ୍ପନ୍ନ କଲେ ତେବେ ବିଷ୍ଣୁଙ୍କ ଅମୋଘ ବୀର୍ଯ୍ୟ ବାହାରେ ସ୍ଖଳିତ ହେଲା କାହିଁକି ?
୩ . ବିଷ୍ଣୁଙ୍କ ହାତରୁ ବୋହି ପଡିଥିବା ତିନି ବିନ୍ଦୁ ବୀର୍ଯ୍ୟରୁ ଯଦି ବ୍ରହ୍ମା , ବିଷ୍ଣୁ ଓ ଶିବ ଜାତହେଲେ ତେବେ ବୀର୍ଯ୍ୟ ସ୍ଖଳନ କରିଥିବା ବିଷ୍ଣୁ କିଏ ?
ଦ୍ଵିତୀୟ ଅଧ୍ୟାୟରେ ' ଯମପୁରର ପାପକର୍ମର ଫଳ ଓ ପିଣ୍ଡଦାନ ବର୍ଣ୍ଣନା ରହିଛି । ପୁରାଣରେ ଯମପୁରର ରହସ୍ୟମୟ ଦୃଶ୍ୟ , ଯମଦୂତମାନଙ୍କ ନିଷ୍ଠୁର ବ୍ୟବହାର ଆଦି ବର୍ଣ୍ଣନା କରାଯାଇଛି । "
ଅତୀବ ଦୁର୍ଗମ ଅଟେ ସେହି ଯମପୁରେ ,
ପଶେ ନାହିଁ ସୂର୍ଯ୍ୟଙ୍କ କିରଣ ସେଠାରେ ।
ସୂର୍ଯ୍ୟ ଚନ୍ଦ୍ର ବିନା ତାହା ଦିଶେ ଅନ୍ଧକାର ,
ପୁରିଛନ୍ତି ହିଂସ୍ର ଜନ୍ତୁ ଭିତରେ ତାହାର ।
ସିଂହ , ବ୍ୟାଘ୍ର , ସର୍ପ ଆଦି ରହିଛନ୍ତି ଯେତେ ,
ପ୍ରାଣୀଙ୍କୁ ଦେଖିଲେ ନାଶ କରନ୍ତି ତ୍ୱରିତେ ।
ଯେ ଜନ ହାବୁଡେ ତାଙ୍କ ପଡ଼ିଯାଏ ଜାଣ ,
କେବେହେଲେ ରହେ ନାହିଁ ତା ପୈତୃକ ପ୍ରାଣ ।
ମଳମୂତ୍ର ପୁଜ ଲାଳ ଆଦିରେ ସେ ପୂର୍ଣ ,
ହୋଇଥାଏ ମନେ ରଖ ସେ ନର୍କ ଭୁବନ ।
ଦୁର୍ଗନ୍ଧ ସର୍ବଦା ନୀରିଗତ ହୋଇଥାଏ ,
ଯେଉଁ ଆଡେ ଚାହିଁ ବିଷ୍ଠା ପରିପୂର୍ଣ୍ଣ ଥାଏ ।
କଣ୍ଟକ ପୂର୍ଣ୍ଣ ଅଟଇ ସେହି ସ୍ଥାନ ଗୋଟି ,
ଯମଦୂତେ ଅସ୍ତ୍ର ଧରି ବୁଲୁଣ ଥାଆନ୍ତି ।
କଣ୍ଟକମୟ ପଥରେ ଯମଦୂତ ଗଣ ,
ନିଅନ୍ତି ତପ୍ତ ତଇଳେ ପକାନ୍ତି ସେ ଜାଣ ।
ବିଭିନ୍ନ ପ୍ରକାରେ ମାଡ ଦିଅନ୍ତି ତାହାଙ୍କୁ ,
କୀଟ ପୂର୍ଣ୍ଣ ସ୍ଥାନେ ଛାଡି ଦିଅନ୍ତି ଯେ ତାଙ୍କୁ ।
କ୍ଷୁଧା ତୃଷାକାଳେ ଅନ୍ନ ଅବା ଜଳଦାନ ,
ନ କରିଣ ଏଣୁ ତେଣୁ କରନ୍ତି ବଚନ ।
ଯମପୁରର ଏହି ବର୍ଣ୍ଣନା ପଢିଲେ ଲାଗୁଛି , ଯେମିତି ଯମପୁରଟି ପୃଥ୍ବୀର ଯେ କୌଣସି ଦେଶ ବା ରାଜ୍ୟର ଗୋଟିଏ ଅପନ୍ତରା ଓ ବର୍ଜିତ ଘନ ଜଙ୍ଗଲରେ ଅବସ୍ଥିତ । ଏଥିରେ ମଣିଷକୁ ଦଣ୍ଡ ଦେବାପାଇଁ କେତେ ପ୍ରକାର ବିଧି ଲେଖା ଅଛି , ସମସ୍ତ ଦଣ୍ଡ କେବଳ ଶରୀର ଥିବା ମଣିଷକୁ ହିଁ ଦିଆଯାଇ ପାରିବ ।
ତେଣୁ ପ୍ରଶ୍ନ ଉଠୁଛି - ମଣିଷର ମୃତ୍ୟୁପରେ ଏଇଠି ଛାଡି ଯାଇଥିବା ଶରୀର ତ ନଷ୍ଟ ହୋଇଯାଉଛି , ତେବେ ଯମପୁରରେ ଦଣ୍ଡ ଭୋଗ କରିବା ପାଇଁ କ'ଣ ଆଉ ଏକ ଶରୀର ତିଆରି କରାଯାଇଛି ?
ଯମଦୂତମାନେ ଏଠାରୁ ମୃତ ଶରୀରକୁ ଇଠେଇ ନେଇ ଯାଉନାହାନ୍ତି କାହିଁକି ? ଯମପୁରରେ ଯଦି ପୃଥ୍ବୀ ଭଳି ସମସ୍ତ ଭୌତିକ ପଦାର୍ଥ ଯଥା : ଲୁହାରେ ତିଆରି ମରଣାସ୍ତ୍ର , କଡେଇ , ତେଲ , ଅଗ୍ନି ଆଦି ରହିଛି ତେବେ ସେଠାରେ ବାସ କରୁଥିବା ହିଂସ୍ର ଜନ୍ତୁ ଯମଦୂତ ଆଦିଙ୍କ ପାଇଁ ଖାଦ୍ୟ ପଦାର୍ଥ ବି ରହିଥିବ
ତେଣୁ ଅଯଥା ପିତୃ ପୁରୁଷଙ୍କ ଶ୍ରାଦ୍ଧ ନାମରେ ପିଣ୍ଡଦାନ କରାଯାଉଛି କାହିଁକି ?
ଏହି ଅଧ୍ୟାୟରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହେଉଛି - ମଣିଷ ଯେତେ ଯାହା ମନ୍ଦକର୍ମ କଲେ ମଧ୍ୟ ଅପରାଧ ବୋଧ କରିବା ଆବଶ୍ୟକ ନାହିଁ
କାରଣ ସେ ମୃତ୍ୟୁ ବରଣ କଲାପରେ , ତା'ର ସୁପୁତ୍ର ( ଜାରଜ ପୁତ୍ର ନୁହେଁ ) ଯଦି ବ୍ରାହ୍ମଣଙ୍କ ନିର୍ଦ୍ଦେଶରେ ବିଧୂ ପୂର୍ବକ ଶ୍ରାଦ୍ଧ ଓ ପିଣ୍ଡଦାନ କରିବ ଏବଂ ବ୍ରାହ୍ମଣଙ୍କୁ ଗୋଦାନ , ଭୁଦାନ , ସ୍ଵର୍ଣଦାନ , ଟଙ୍କାଦାନ ଆଦି କରିବ ତା'ହେଲେ ଯମପୁରରେ ତା'ର ସମସ୍ତ ପାପ କ୍ଷମା ହୋଇଯିବ ।
ମୃତ ପିତା ( କେବଳ ଆତ୍ମା କିମ୍ବା ଶରୀର ସହିତ ଜଣା ନାହିଁ ) ନର୍କକୁ ନଯାଇ ବୈକୁଣ୍ଠପୁରକୁ ଯାତ୍ରା କରିବ । ଏଥୁରେ କନ୍ୟାଦ୍ୱାରା ପିଣ୍ଡଦାନ କରିବା ବିଧି ନାହିଁ ।
ତୃତୀୟ ଅଧ୍ୟାୟରେ ପିଣ୍ଡାଧିକାର ବୃତ୍ତାନ୍ତ ,
ଚତୁର୍ଥ ଅଧ୍ୟାୟରେ ' କର୍ମାନୟେ ଦଣ୍ଡ ବିଧାନ
ପଞ୍ଚମ ଅଧ୍ୟାୟରେ ପାପୀର ଯମଦଣ୍ଡ ବର୍ଣ୍ଣନ '
ଷଷ୍ଠ ଅଧ୍ୟାୟରେ ପାପ ଅନୁଯାୟୀ ରୋଗମାନଙ୍କର ଉତ୍ପତ୍ତି ବର୍ଣ୍ଣନା କରାଯାଇଛି । ସବୁଥିରେ ଏକାଭଳି ଅସଙ୍ଗତ , ଅବିଶ୍ୱାସନୀୟ ତଥ୍ୟ ଗୁଡିକୁ ବୁଲେଇ ବଙ୍କେଇ ପୁନରାବୃତ୍ତି କରାଯାଇଛି । ଯାହାର ସିଧା ଅର୍ଥ ହେଉଛି - ବଞ୍ଚିବାପାଇଁ ସାଂସାରିକ ସୁଖ ଓ ସୁବିଧା ଅପେକ୍ଷା , ମୃତ୍ୟୁପରର ଜୀବନପାଇଁ ବେଶୀ ଚିନ୍ତା କର ।
ସପ୍ତମ ଅଧ୍ୟାୟରେ ଗର୍ଭରେ ଗର୍ଭବାସ ବର୍ଣ୍ଣନା କରି ଲେଖକ କହିଛନ୍ତି ମାଆ ପେଟରେ ରହୁଥିବା ଶିଶୁ ବି ନର୍କ ବାସ କରୁଥାଏ।
ପିତା ବୀର୍ଯ୍ୟ ସେ ସମସ୍ତେ ମାତାର ରଜରେ ,
ହୁଅଇ ନାଶ ପତିତ ଯୋନିର ମଧ୍ୟରେ ।
ଗମନ କରଇ ରଜ ବୀର୍ଯ୍ୟ ଧୀରେ ଧୀରେ,
ଯାଇ ପ୍ରବେଶଇ ମାତା ଗର୍ଭର ମଧ୍ୟରେ ।
ଜୀବଥାଏ ଚାହିଁ ପୂର୍ବ କର୍ମ ଅନୁସାରେ ,
ଯନ୍ତ୍ରଣା ନରକପାଇଁ ଭୋଗ କରିବାରେ ।
ମାତୃଗର୍ଭେ ତତକ୍ଷଣେ ହୁଅନ୍ତି ପ୍ରବେଶ ,
କରିବାପାଇଁ ଭୋଗ ନରକର କେଶ ।
ମାତା ଜାଣ କେଉଁ କାଳେ ରଜବତୀ ହୁଏ ,
ଦେହ ତାହାରିଟି ପାପ ବୋଲି ଶାସ୍ତ୍ର କହେ ।
ଏହି ତଥ୍ୟକୁ ଆମେ ଯୁକ୍ତି ସଙ୍ଗତ ଭାବି ଗ୍ରହଣ କରିପାରିବାକି ? ଲେଖା ଅଛି - ବୃତ୍ତାସୁରକୁ ବଧ କରି ଇନ୍ଦ୍ର ବ୍ରହ୍ମହତ୍ୟା ପାପ କରିଥିବାରୁ ସ୍ବର୍ଗ ରାଜ୍ୟ ଶାସନ କରିପାରିଲେ ନାହିଁ ।
ବ୍ରହ୍ମା ଇନ୍ଦ୍ରକୁ ଶାପମୁକ୍ତ କରିବାପାଇଁ ତାଙ୍କର ବ୍ରହ୍ମହତ୍ୟା ପାପକୁ ଛଅ ଭାଗ କରିଦେଲେ । ପ୍ରତ୍ୟେକ ଭାଗକୁ କ୍ରମାନ୍ଵୟଭାବେ ନାରୀର ଋତୁମତୀ ସମୟ , ବୃକ୍ଷ , ଅଗ୍ନି , ପୃଥ୍ବୀ , ନଦୀ ଓ ବୈଶାଖ ମାସକୁ ବାଣ୍ଟିଦେଲେ ।
ଇନ୍ଦ୍ର ପାପ ମୁକ୍ତ ହୋଇ , ସ୍ବର୍ଗରେ ରାଜା ହୋଇ ବସିଲେ । ଏହି କାହାଣୀରୁ କାହାକୁ କି ଭଳି ଶିକ୍ଷା ମିଳୁଛି ?
ଅଷ୍ଟମ ଅଧ୍ୟାୟରେ " ବବୃବାହନ କୃତ ପ୍ରେତ ସଂସ୍କାର , ନବମ ଅଧ୍ୟାୟରେ ‘ ଆତୁରେ ଗୋ - ଦାନାଦି ଫଳ " , ଦଶମ ଅଧ୍ୟାୟରେ " ପାପ ଓ ପୂଣ୍ୟର ବିଚାର " , ଏକାଦଶ ଅଧ୍ୟାୟରେ " ଶବଦାହ ବିଧି ଓ ପ୍ରେତକର୍ମ " , ଦ୍ବାଦଶ ଅଧ୍ୟାୟରେ " ଦଶ ଦିବସୀୟ ବିଧି ଓ ସନ୍ତାନହୀନର ପ୍ରେତ କୃତ୍ୟ ବର୍ଣ୍ଣନା " , ତ୍ରୟୋଦଶ ଅଧ୍ୟାୟରେ " ଏକାଦଶ ପିଣ୍ଡଦାନ ବିଧ୍ ' , ଚତୁର୍ଦ୍ଦଶ ଅଧ୍ୟାୟରେ " ଦ୍ଵାଦଶାହ ପିଣ୍ଡଦାନ ଓ ଶୌଚ ବିଧାନ ବର୍ଣ୍ଣନା ' , ପଞ୍ଚଦଶ ଅଧ୍ୟାୟରେ " ଯମପୁର ବୃତ୍ତାନ୍ତ " , ଷୋଡଶ ଅଧ୍ୟାୟରେ " ଗୃହସ୍ଥର କର୍ତ୍ତବ୍ୟ ଓ ବୈକୁଣ୍ଠ ପ୍ରାପ୍ତିର ଉପାୟ " , ସପ୍ତଦଶ ଅଧ୍ୟାୟରେ " ବିରାଟ ପୁରୁଷ ରୂପ ବର୍ଣ୍ଣନା ତଥା ପିଣ୍ଡରୁ ପ୍ରାଣତ୍ୟାଗ ଏବଂ ଅଷ୍ଟାଦଶ ଅଧ୍ୟାୟରେ " ମୋକ୍ଷ ଯୋଗର ବର୍ଣ୍ଣନା " କରାଯାଇଛି ।
ଉପରୋକ୍ତ ସମସ୍ତ ଅଧ୍ୟାୟରେ , ବର୍ଣ୍ଣନା କରାଯାଇଥିବା କାଳ୍ପନିକ ତଥା ଅବିଶ୍ୱାସନୀୟ ପ୍ରସଙ୍ଗ ଗୁଡିକର ମୂଳ ଉଦ୍ଦେଶ୍ୟ ହେଉଛି - ' ' ଧର୍ମବିଶ୍ବାସୀ ଲୋକମାନଙ୍କୁ ମାନସିକ ସ୍ତରରେ ଆତଙ୍କିତ କରି ରଖିବା । କାରଣ ଆତଙ୍କିତ ମଣିଷ ମୃତ ବ୍ୟକ୍ତିଙ୍କ ପ୍ରେତାତ୍ମାକୁ ଶାନ୍ତ କରିବାପାଇଁ ଏବଂ ମୋକ୍ଷ ପ୍ରାପ୍ତ କରେଇବାପାଇଁ ବ୍ରାହ୍ମଣମାନଙ୍କୁ ଯଥୋଚିତ ଦାନ ଦକ୍ଷିଣା ଦେବାକୁ ପଛଘୁଞ୍ଚା ଦିଏ ନାହିଁ ।
ପଞ୍ଚଦଶ ଅଧ୍ୟାୟରେ ଯମପୁରର ଯେଉଁ ବର୍ଣ୍ଣନା ଅଛି , ତାହା ପୃଥ୍ବୀର କୌଣସି ଏକ ମହାରାଜାଙ୍କ ରାଜଭବନ ଠାରୁ କମ ନୁହେଁ । ଦେଖନ୍ତୁ - "
ପୁର ଚାରି ପାରୁଶେ ଯେ ଚାରିଟି ଦୁଆର ,
ପୂର୍ବ , ପଶ୍ଚିମ , ଦକ୍ଷିଣ ଆବର ଉତ୍ତର ।
ପ୍ରାଚୀର ଦୀର୍ଘାକାର ଯେ ଘେରିଛି ସେ ପୁର ,
ଯୋଜନ ସହସ୍ର ଯୁଣ ଅଟଇ ବିସ୍ତାର ।
କାରୁକାର୍ଯ୍ୟ ବହୁତ ହିଁ ହୋଇଛି ନିର୍ମିତ ,
ନୀଳା , ହୀରା , ମାଣିକ୍ୟରେ ଖମ୍ବ ସେ ଶୋଭିତ ।
ସୂର୍ଯ୍ୟ ସମ ବାଳ କନ୍ତି ଅଟଇ ତାହାର ,
ଅଟଇ ବିଚିତ୍ର ପୁର ନିର୍ମାଣ ପ୍ରକାର ।
ବିଜଡିତ ନବରତ୍ନ ତହିଁ ଏକ ପୁରେ ,
ଆନନ୍ଦରେ ଚିତ୍ରଗୁପ୍ତ ତହିଁ ବାସ କରେ ।
ଅର୍ଥାତ ଯମପୁରରେ ବାସ କରୁଥିବା ଯମ , ଚିତ୍ରଗୁପ୍ତ ଓ ଯମଦୂତମାନେ ଆରମ୍ଭ ଦାୟକ ଜୀବନ ଅତିବାହିତ କରୁଛନ୍ତି । ଯମପୁରବାସୀ କେବେ ଓ କିପରି ଜାତ ହୋଇଛନ୍ତି ?
ସେମାନେ ଅମର ନା ମରଣଶୀଳ ? ସେମାନେ ଅଶରୀର ନା ଶରୀରଧାରୀ ? ସେମାନେ ଅନ୍ନ , ଜଳ ସେବନ କରନ୍ତି ନା ନାହିଁ ? ଏ ସବୁ ସମ୍ପର୍କରେ ବି କୌଣସି ଉଲ୍ଲେଖ ନାହିଁ । ଷୋଡଶ ଅଧ୍ୟାୟରେ ଗୃହସ୍ଥର କରବ୍ୟ ହେଉଛି - " ବ୍ରହ୍ମଚର୍ଯ୍ୟ ପାଳନ କରିବା , ପୁତ୍ର ପ୍ରାପ୍ତିପାଇଁ ହିଁ ସ୍ତ୍ରୀ ସହବାସ କରିବା , ବୈକୁଣ୍ଠ ପ୍ରାପ୍ତିକୁ ଧ୍ୟାନରେ ରଖି ସର୍ବଦା ପୂଜା , ପାଠ କରି ଦାନ ଦକ୍ଷିଣା ଦେବା ।
କିନ୍ତୁ ଗୃହସ୍ଥପାଇଁ ପାରିବାରିକ ଓ ସାମାଜିକ କର୍ଭବ୍ୟ କ'ଣ ହେବା ଉଚିତ ? ସେ ବିଷୟର ଚର୍ଚ୍ଚା ହୋଇନାହିଁ ।
ଏହି ଅଧ୍ୟାୟରେ ଗୋଟିଏ ଅବୈଜ୍ଞାନିକ ତଥ୍ୟ ବି ଲେଖା ହୋଇଛି । ନାରୀ ରଜସ୍ବଳା ହେବାର ପାଞ୍ଚ ଦିନଠାରୁ ହିଁ ଗର୍ଭବତୀ ହୋଇପାରେ । ଯୁଗ୍ମ ଦିନଗୁଡ଼ିକରେ ସମ୍ଭୋଗ କଲେ , ପୁତ୍ର ହେବ ଏବଂ ଅଯୁଗ୍ମ ଦିନଗୁଡ଼ିକରେ ସମ୍ଭୋଗ କଲେ କନ୍ୟା ଜନ୍ମ ହେବ ।
ଏହା ଏକ ଭୁଲ ତଥ୍ୟ । ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣିତ ବିରାଟ ପୁରୁଷ , କେବେ ଓ କେଉଁଠି ଜାତ ହୋଇଛି ଲେଖା ନାହିଁ କିନ୍ତୁ ତାହାର ବିଭିନ୍ନ ଅଙ୍ଗରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ରହିଥିବା କଥା ଲେଖା ହୋଇଛି ଯଥା : ପାତାଳ , ବିତଳ , ସୂତଳ , ମହାତଳ , ତଳାତଳ , ସରାତଳ , ସପତ ପାତାଳ , ଭୂଲୋକ , ଭୁବଲୋକ , ଜନଲୋକ , ତପଲୋକ , ସତ୍ୟଲୋକ , ସୁଲୋକ ଓ ମହାଲୋକ ।
ସେହିଭଳି କିଛି ପର୍ବତର ନାମ ବି ଉଲ୍ଲେଖ ଅଛି - ମେରୁ ପର୍ବତ , କୈଳାସ ପର୍ବତ , ହିମାଳୟ ପର୍ବତ , ଗନ୍ଧ ମାର୍ଦ୍ଦନ ପର୍ବତ ଓ ସପ୍ତକୁଳାଚଳ ପର୍ବତର ନାମ ଲେଖା ଅଛି ,
ଯେଉଁ ଗୁଡିକ ଭାରତ ଓ ଆଖପାଖରେ ବିଦ୍ୟମାନ ଅଛି । କେବଳ ସେହିଗୁଡିକ ଉଲ୍ଲେଖ ଅଛି । ଆମେରିକା , ଋଷିଆ , ଜାପାନ , ଚୀନ ଆଦି ଦୂର ଦେଶର କୌଣସି ପର୍ବତର ନାମ ଇଲେଖ ନାହିଁ । ସେହିଭଳି ଜମ୍ବୁଦ୍ବୀପ , ଶାକଦ୍ୱୀପ , ଶାଳ୍ମଳୀଦ୍ବୀପ ଓ ପ୍ଳକ୍ଷଦ୍ବୀପର ନାମ ଅଛି । ଆମ ଜ୍ଞାତରେ ଥିବା ଆଣ୍ଡାମାନ , ପୋର୍ଟ ବ୍ଲେୟାର , ଲାକ୍ଷା ଦ୍ବୀପ ସମୂହକୁ କେଉଁ ନାମ ଦିଆ ହୋଇଛି ବୁଝିବାର ଉପାୟ ନାହିଁ ।
ଏଥୁରେ ବର୍ଣ୍ଣିତ ( ଛଅ ଗୋଟି ) ସପ୍ତସାଗର ହେଇଛି ଲବଣ ସମୁଦ୍ର , କ୍ଷୀର ସାଗର , ଦଧି ସିନ୍ଧୁ , ସୁର ସିନ୍ଧୁ , ଘୃତ ସାଗର ଓ ଇନ୍ଦୁ ସାଗର । ସପ୍ତମ ସାଗରର ନାମ ନାହିଁ । ନବଗ୍ରହଙ୍କ ନାମ ଉଲ୍ଲେଖଅଛି - ' ରବି , ସୋମ , ମଙ୍ଗଳ , ବୁଧ , ଗୁରୁ , ଶୁକ୍ର , ଶନି , ରାହୁ ଓ କେତୁ ।
ସମାଜ ଉପରେ ଏହାର କୁପ୍ରଭାବ
ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଥିବା ତଥ୍ୟ , ପ୍ରସଙ୍ଗ , କାହାଣୀ , ଉପଦେଶ ଓ ନିର୍ଦ୍ଦେଶଗୁଡିକ ବିବାଦୀୟ ବିଷୟ । ସେ ଗୁଡିକ ବ୍ୟକ୍ତି ଓ ସମାଜ ଉପରେ କିଭଳି କୁପ୍ରଭାବ ପକାଇଛି , ତାହା ଅନୁଧ୍ୟାନ କଲେ ସାଧାରଣ ଜ୍ଞାନ ରଖୁଥିବା ଶିକ୍ଷିତ ଓ ଅଶିକ୍ଷିତ ଲୋକମାନଙ୍କ ଜ୍ଞାନ ଚକ୍ଷୁ ଖୋଲିଯିବ , ଏଥ୍ରେ ସନ୍ଦେହ ନାହିଁ ।
ଆଜିର ଯୁଗରେ ଯୌଥ ପରିବାର ଭାଙ୍ଗି ଯାଇ ଛୋଟ ଛୋଟ ପରିବାର ଗଠନ ହେଇଛି । କଥାରେ ଅଛି " ଯେତେ ଭାଇ ସେତେ ଘର " ନୀତିରେ ଭାଇ ଭଉଣୀ ସିନା ଗୋଟିଏ ଘରୁ ଅଲଗା ହୋଇଯାଉଛନ୍ତି କିନ୍ତୁ ସେମାନଙ୍କୁ ଜନ୍ମ କରି , ପାଳି ପୋଷି ବଡ଼ କରିଥିବା ବୃଦ୍ଧ ପିତା ଓ ମାତା ଅସହାୟ ଦୁର୍ବଳ ଓ ରୋଗଗ୍ରସ୍ତ ଅବସ୍ଥାରେ ବି ଦଣ୍ଡ ଭୋଗ କରୁଛନ୍ତି କାହିଁକି ?
ଏଥିପାଇଁ ଅର୍ଥନୈତିକ ସମସ୍ୟା ଯେତିକି ଦାୟୀ ନୁହେଁ , ଭାବନାତ୍ମକ ସମ୍ପର୍କ , ସମ୍ବେଦନଶୀଳ ମନୋବୃରି ଏବଂ ବିଶେଷ କରି ମାନବିକ ଦାୟିତ୍ବବୋଧର ଅଭାବ ବେଶୀ ଦାୟୀ ।
ବଞ୍ଚିଥିବା ଅବସ୍ଥାରେ ଗୁରୁଜନଙ୍କୁ ଅବହେଳା ତଥା ଉପେକ୍ଷା କରିଥିବା ପୁତ୍ରମାନେ , ସେମାନଙ୍କର ମୃତ୍ୟୁପରେ ବଢ଼େଇ ଚଢେଇ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି । ଯିଏ ଯେତେ ଅଧିକ ଟଙ୍କା ଖର୍ଚ୍ଚ କରିପାରିବ , ସେ ସେତିକି ସୁପୁତ୍ର ବା ପିତୃଭକ୍ତ ବୋଲି ସମାଜରେ ଖ୍ୟାତ ହେବ । ଅର୍ଥାତ ସମାଜରେ ନିଜକୁ ପିତୃ ମାତୃ ଭକ୍ତ , ଧାର୍ମିକ ତଥା ଦାନବୀର ବ୍ୟକ୍ତି ହିସାବରେ , ପ୍ରଚାର କରିବାର ମୌକା ମିଳିଯାଏ ।
ଏହାର ବିପରୀତ ଅସଲ କାରଣ ହେଉଛି ଜୀବିତାବସ୍ଥାରେ ଗୁରୁଜନଙ୍କ ପ୍ରତି କରିଥିବା ଦୁର୍ବ୍ୟବହାର ଯୋଗୁଁ ଯେଉଁମାନଙ୍କର ମାନସିକ ଗ୍ଳାନୀ ଥାଏ , ସେମାନେ ଭୟ କରନ୍ତି , କାଳେ ମୃତ ବ୍ୟକ୍ତିର ଅତୃପ୍ତ ଆତ୍ମା ପ୍ରତିଶୋଧ ନେବାପାଇଁ ଆମର ଅନିଷ୍ଟ କରିବ ?
ସେହି ଭୟରୁ ମୁକ୍ତି ପାଇବାପାଇଁ ଗରୁଡ଼ ପୁରାଣର ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ପିଣ୍ଡଦାନ କରି ଦେଲେ ପ୍ରତାତ୍ମା ମୁକ୍ତି ପାଇଯିବ ଏବଂ ସେମାନେ ସୁରକ୍ଷିତ ରହିବେ ବୋଲି ଦୃଢ ବିଶ୍ବାସ କରନ୍ତି ପଯୁକ୍ତ ଚିକିତ୍ସା କରେଇ ଆରୋଗ୍ୟ ହେବାପାଇଁ ରୋଗୀ ଯେମିତି ଦୂର ଦୁରାନ୍ତରେ ଥିବା କୁଶଳ ଡାକ୍ତରଙ୍କ ପାଖକୁ ଯେତେ ଖର୍ଚ୍ଚ ହେଉ ପଛେ ଦୌଡ଼ି ଯାଆନ୍ତି , ଠିକ ସେହିଭଳି ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କଲେ , ତୁରନ୍ତ ଏବଂ ନିଶ୍ଚିତ ଭାବେ ପ୍ରେତାତ୍ମାକୁ ମୋକ୍ଷ ମିଳୁଥିବା , ପ୍ରତ୍ୟେକ ହିନ୍ଦୁମାନଙ୍କର ଏକ ସହଜ ବିଶ୍ୱାସ ।
ପୁରୀ , ତିରୁପତି , କାଶୀ , ବନାରସ ଆଦି ଅନେକ ତୀର୍ଥସ୍ଥଳ ଏଥିପାଇଁ ବିଖ୍ୟାତ । ଏହି ସବୁ ଜାଗାରେ ଶ୍ରାଦ୍ଧ , ମୁଣ୍ଡନ ଓ ପିଣ୍ଡଦାନ ନାମରେ ଜଳ ପ୍ରଦୂଷଣ ହେବା ସହିତ କୋଟି କୋଟି ଟଙ୍କାର ବ୍ୟବସାୟ ବି ଚାଲିଛି । ଆର୍ଥିକସ୍ୱଚ୍ଛଳ ଥିବା ବ୍ୟକ୍ତିମାନେ , ଏହି କାମ କରିବାପାଇଁ ନିଜର ସୌଭାଗ୍ୟ ବୋଲି ମନେକରନ୍ତି ।
ଏଥର ଦେଖିବା ଗରିବ ଲୋକମାନଙ୍କର ଦୂରାବସ୍ଥା । ଗରୁଡ଼ପୁରାଣ , ନବମ ଅଧ୍ୟାୟରେ ଲେଖା ଅଛି "
ଦାନ ଦେବାପାଇଁ ଏହିପରି ଯେ ଅକ୍ଷମ
କହୁଅଛି ତେବେ ଶୁଣ ଉପାୟ ଯେ ଆନ ।
ନାମ କୀର୍ତ୍ତନ ପ୍ରଭୁର କରି ବା କରାଇ ,
କର୍ଣ୍ଣରେ ଶ୍ରବଣ କରି ମୁଖେ ବା ଗୁଣଇ ।
ଶୁଣି ଗୀତା ଭାଗବତ ଆଦି ବିପ୍ର ମୁଖ ,
ସକାଳ ପାପ ନାଶିବ ତରିଯିବ ଦୁଃଖ ।
ଅର୍ଥାତ ଗରିବ ପୁତ୍ର ଦାନ ନଦେଇ ମଧ୍ୟ ପିତାଙ୍କ ଆତ୍ମାର ସଦଗତି ପାଇଁ ଗୀତା , ଭାଗବତ ଆଦି ପଢିବା ଶୁଣିବା ଯଥେଷ୍ଟ ହେବ । କିନ୍ତୁ ବାସ୍ତବରେ ଗରିବଙ୍କୁ ରିହାତି ମିଳୁଛି କି ? ଆଦୌ ନୁହେଁ । ସମାଜ ସେହି ଗରିବ ଲୋକଙ୍କୁ କୌଣସି ପ୍ରକାରେ ରିହାତି ଦେବାକୁ ରାଜି ହୁଏ ନାହିଁ । ବ୍ରାହ୍ମଣମାନେ ବି ଗରୁଡ଼ ପୁରାଣର ମହତ ନିର୍ଦ୍ଦେଶକୁ " ଗରିବଙ୍କୁ ଦାନ କରିବା ଆବଶ୍ୟକ ନାହିଁ " ଲୁଚାଇ ରଖି ଦିଅନ୍ତି ।
ବିଚାରା ଗରିବଲୋକ , ଧାର ଉଧାର କରି , ଜମି ବା ସୁନା ବିକ୍ରି କରି କିମ୍ବା ଋଣ ଆଣି ଶ୍ରାଦ୍ଧ କରିବାକୁ ବାଧ୍ୟ ହୋଇଥାଏ । କେତେକ ଅତି ଗରିବ ଲୋକ ଦ୍ବାର ଦ୍ବାର ବୁଲି ଭିକ ମାଗି , ଶବ ଦାହ କରୁଥିବା ଏବଂ ଶ୍ରାଦ୍ଧ କରୁଥିବା ଦୃଶ୍ୟ ଆମେ ଦେଖୁଛୁ ।
ଭିକ୍ଷାରୁ ପ୍ରାପ୍ତ ଧନରେ ଶ୍ରାଦ୍ଧ କରି ବ୍ରାହ୍ମଣଙ୍କୁ ଦାନ ନାମରେ ଭିକ୍ଷା ଦେବା , କେଉଁ ତର୍କରେ ଆମେ ନ୍ୟାୟସଙ୍ଗତ ବୋଲି କହିବା ? ପିତା ଓ ମାତାଙ୍କୁ ହରେଇ ଅନାଥ ଅନୁଭବ କରୁଥିବା ଗରିବ ପୁତ୍ରପାଇଁ ' ' ବୋଝ ଉପରେ ନଳିତା ବିଡା ' ' ଭଳି ଅନ୍ୟାୟ ନୁହେଁ କି ?
ଯମପୁର , ନର୍କ , ପ୍ରେତାତ୍ମା ଆଦି କାଳ୍ପନିକ ମାୟା ଜଗତରୁ ମୁକ୍ତ ହୋଇ ଆମେ ଯଦି ବାସ୍ତବ ଜଗତକୁ ଫେରିବା , ତେବେ ଆମକୁ ନିଶ୍ଚିତ ଭାବେ ମାନସିକ ଶାନ୍ତି , ଶାରୀରିକ ସୁଖ ଏବଂ ଆର୍ଥିକ ଲାଭ ପ୍ରାପ୍ତିହେବ ।
ଆଜି ଶରୀର ବିଜ୍ଞାନୀମାନେ ମାନବ ଶରୀରକୁ ସୁସ୍ଥ ରଖିବାପାଇଁ ବିଭିନ୍ନ ଗବେଷଣା କରୁଛନ୍ତି । ଡାକ୍ତରୀ ଛାତ୍ର , ଛାତ୍ରୀଙ୍କୁ ଶିକ୍ଷା ଦେବାପାଇଁ ଡାକ୍ତରଖାନା , ମେଡିକାଲ କଲେଜକୁ ଅନେକ ଶବ ଆବଶ୍ୟକ ପଡୁଛି । ଆମେ ଯଦି ଯେ କୌଣସି କାରଣରୁ ମୃତ୍ୟୁ ବରଣ କରିଥିବା ଶବକୁ ନଷ୍ଟ ନ କରି ମେଡିକାଲ କଲେଜକୁ ଶରୀର ଦାନ କିମ୍ବା ଅଙ୍ଗ ଦାନ ପ୍ରକ୍ରିୟାରେ ଦାନ କରିଦେବା , ତେବେ ତାଙ୍କ ଶରୀରର କିଛି ଅଙ୍ଗ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିହେବ ଏବଂ ତାଙ୍କୁ ନୂଆ ଜୀବନ ପ୍ରାପ୍ତ ହେବ । ଏହା ହେବ ଏକ ସର୍ବୋତ୍ତମ ମାନବୀୟ ଧର୍ମ ।
କିଛି ଲୋକ ଏହାର ପ୍ରତିବାଦ କରି କହନ୍ତି – ' ' ଏହି ଜନ୍ମରେ ଅଙ୍ଗଦାନ କରିଦେଲେ ଆସନ୍ତା ଜନ୍ମରେ ଅପାଙ୍ଗ ହୋଇ ଜନ୍ମ ହେବ । " ଏହା ସମ୍ପୂର୍ଣ ଭିରିହୀନ ଓ ଅବୈଜ୍ଞାନିକ ବିଶ୍ବାସ ।
ବିଭିନ୍ନ ଧର୍ମଶାସ୍ତ୍ର ବି ଅଙ୍ଗଦାନକୁ ସମର୍ଥନ କରୁଛନ୍ତି । ଆମର ଚିନ୍ତା କରିବା ଉଚିତ ଯେ ଜୀବିତାବସ୍ଥାରେ ଦାନ ଯଦି ପାର୍ଥିବ ଶରୀରକୁ ମୋକ୍ଷ ବାଟ ଦେଖାଇ ପାରୁଛି ତେବେ ମୃତ୍ୟୁପରେ , ଜଡ଼ ଶରୀରକୁ ଦାନ ନ କରିବା କାହିଁକି ?
ପରାଣରେ ଉଲ୍ଲେଖ ଅଛି - ବ୍ୟାତାସୁରକୁ ନିଧନ କରିବାପାଇଁ ମହର୍ଷି ଦଧୀଚି ନିଜ ଶରୀରରୁ ଅସ୍ଥି ଦାନ କରିଥିଲେ । ବିଦ୍ୟାଦାତା ଗଣେଶଙ୍କ ମସ୍ତକ ସ୍ଥାନରେ ଗଜମୁଣ୍ଡ ଖଞ୍ଜା ଯାଇଥିଲା । ତେଣୁ କୌଣସି ଅଙ୍ଗ କାହା ଉପରେ କୁପ୍ରଭାବ ପକାଇବ ଏହା ଭାବିବା ଭୁଲ । କୌଣସି ଧର୍ମ କେଉଁଠି ଅଙ୍ଗ ଦାନକୁ ବାଧା ଦେବାକୁ ପ୍ରୟାସ କରିନାହିଁ । ମାନବ ସେବାକୁ ମାଧବ ସେବା ବୋଲି ଯେଉଁମାନେ ବିଶ୍ବାସ କରୁଛନ୍ତି , ସେମାନେ ଶରୀର ଦାନପାଇଁ ଉଦାର ମନରେ ଆଗେଇ ଆସିବା ଉଚିତ । ଧନ ଦାନକୁ ଶାସ୍ତ୍ରରେ ମହାପୂଣ୍ୟ ବୋଲି କୁହା ଯାଇଥିବା ବେଳେ , ଅଙ୍ଗ ଦାନ ଦ୍ବାରା ଆଉ ଜଣକୁ ଜୀବନ ଦାନ ଦେବାଠାରୁ ବଳି ପୂଣ୍ୟ କିଛି ଥାଇ ନପାରେ । ଅର୍ଥାତ ଅଙ୍ଗ ଦାନ ମହାଦାନ ।
(ସଂଗ୍ରାହକ ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)

Comments
Post a Comment