ଧାର୍ମିକ ମେଳା ଓ ପର୍ବ ବେଳେ ବିପଦ

 


ଧାର୍ମିକ ମେଳା ଓ ପର୍ବ ବେଳେ ବିପଦ 

ଧାର୍ମିକ ମେଳା , ଯାତ୍ରା ଏବଂ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରୁଥିବାରୁ ଭାରତର ସାରା ଦୁନିଆରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆମର ' ସଂସ୍କୃତି ' ତଥାକଥ୍ତ ଦେବୀ ଦେବତାଙ୍କ ପର୍ବ ପର୍ବାଣି ସହିତ ଓତପ୍ରୋତ ଭାବେ ଜଡିତ । ସେଥିପାଇଁ ଭାରତର ଜନତା ପର୍ବଗୁଡିକୁ ଆଗ୍ରହ ସହକାରେ ପାଳନ କରିବାକୁ ଅପେକ୍ଷା କରିଥାନ୍ତି । 

ପ୍ରତ୍ୟେକ ବ୍ୟକ୍ତିଙ୍କର ଆନ୍ତରିକ ଇଛା ଥାଏ ଯେ ପର୍ବ ଓ ମେଳାଗୁଡିକ ନିର୍ବିଘ୍ନରେ , ଶାନ୍ତି ଶୃଙ୍ଖଳା , ହର୍ଷ ଓ ଉଲ୍ଲାସ ସହିତ ସମ୍ପନ୍ନ ହେଉ ।

କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ କିମ୍ବା କୌଣସି ଦୁର୍ଘଟଣା ନ ଘଟୁ । ଦୁଃଖ ଓ ପରିତାପର ବିଷୟ ହେଉଛି - ଭାରତରେ ଆୟୋଜିତ ହେଉଥିବା ପ୍ରତ୍ୟେକଟି ଧାର୍ମିକ ମେଳାରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।

ଏଇଟା ଅବଶ୍ୟ ସତ କଥା ଯେ ଯେଉଁଠି ଅସଂଖ୍ୟ ଆବାଳବୃଦ୍ଧବନିତାଙ୍କ ସମାବେଶ ହେବ , ସେଇଠି ସବୁ ପ୍ରକାର ଅବ୍ୟବସ୍ଥା ଦେଖାଯିବ । ମୂଖ୍ୟ ସମସ୍ୟାଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି - 

( କ ) ଖାଦ୍ୟ - ମେଳାମାନଙ୍କରେ ଅଧିକ ଲାଭ ପାଇବାପାଇଁ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ହୋଟେଲ ମାଲିକମାନେ ଯଦିଓ ଆସ୍ତିକ ଶ୍ରେଣୀରେ ଗଣା ହୁଅନ୍ତି କିନ୍ତୁ ନିଜର ଅପକର୍ମପାଇଁ ଜମା ଅପରାଧବୋଧ ଅନୁଭବ କରନ୍ତିନାହିଁ ।

( ଖ ) ସ୍ଥାନ - ଋତୁ ଓ ପାଗ ଅନୁସାରେ ଟାଣ ଖରା , ପ୍ରବଳ ବର୍ଷା ଓ ଭୀଷଣ ଶୀତରୁ ରକ୍ଷା ପାଇବାପାଇଁ ଉପଯୁକ୍ତ ବାସ ସ୍ଥାନର ଭୀଷଣ ଅଭାବ ରହିଥାଏ । ଭକ୍ତଙ୍କର ତଥାପି କ୍ଷୋଭ ବା ଆପତ୍ତି ନଥାଏ । 

( ଗ ) ଯାତାୟାତ - ମେଳା ସ୍ଥାନକୁ ଯିବା ଆସିବା ପାଇଁ ରାସ୍ତାଘାଟ ଅସ୍ତ ନିମ୍ନ ସ୍ତରର ହେଉଥିବା ଯୋଗୁଁ , ତୀର୍ଥ ଯାତ୍ରୀଙ୍କ ଯାନବାହାନ ଦୁର୍ଘଟଣା ଗ୍ରସ୍ତ ହୋଇ , ଅନେକ ଧନ ଜୀବନ କ୍ଷତି ହୋଇଥାଏ । ତଥାପି ଭକ୍ତମାନେ ଭାବନ୍ତି - " କଷ୍ଟ କଲେ କୃଷ୍ଣ ମିଳେ । 

( ଘ ) ସ୍ବାସ୍ଥ୍ୟ - ଅକସ୍ମାତ କେହି ଅସୁସ୍ଥ ହୋଇ ପଡିଲେ ଆଶୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଡାକ୍ତର ଓ ନର୍ସ ମିଳାନ୍ତିନାହିଁ । 

( ଙ ) ଭାରତର ବିଭିନ୍ନ ମେଳା ସମୟରେ ଦଳାଚକଟା ଯୋଗୁଁ ହତାହତ ହେଉଥିବା ଭକ୍ତମାନଙ୍କର ସଂଖ୍ୟା ଦେଖିଲେ ମନରେ ପ୍ରଶ୍ନ ଉଠେ - ଭକ୍ତମାନଙ୍କ ଦ୍ବାରା ଦାନ କରାଯାଉଥିବା ଲକ୍ଷ ଲକ୍ଷ ଟଙ୍କାରୁ କିଛି ଖର୍ଚ୍ଚ କରି ସେମାନଙ୍କର ସୁରକ୍ଷା ବ୍ୟବସ୍ଥା କରାଯାଉ ନାହିଁ କାହିଁକି ?

ଦୁର୍ଘଟଣା ପରେ ମୃତକମାନଙ୍କ ପରିବାରକୁ ପ୍ରଶାସନ ଜନତାଙ୍କ ଟିକସ ପାଣ୍ଠିରୁ କିଛି ଅର୍ଥ ଦାନ କରି ନିଜ ଦାୟିତ୍ବରୁ ଓହରି ଯାଆନ୍ତି । 

ଭକ୍ତମାନେ ନିଜକୁ ସାନ୍ତନା ଦେବା ପାଇଁ ଭାବନ୍ତି - " ଯାହାର ଯେଉଁଠି ମୃତ୍ୟୁ ଯୋଗ ଭାଗ୍ୟରେ ଲେଖା ଥାଏ , ସେ ସେଇଠି ହିଁ ମରିବ ଏବଂ ତୀର୍ଥ ସ୍ଥଳରେ ମଲେ ତ ସ୍ବର୍ଗ ପ୍ରାପ୍ତହେବ ।

 ଶେଷରେ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ମିଳିବ ।

 ଏହିଭଳି ଚିନ୍ତାଧାରା ମୃତକଙ୍କ ପରିବାରକୁ କ'ଣ ସତରେ ମାନସିକ ଶାନ୍ତି ଦେଇପାରୁଛି ? ମୃତ ବ୍ୟକ୍ତିର କ୍ଷତି ପୂରଣ ମାତ୍ର କିଛି ଟଙ୍କାରେ ହୋଇ ପାରୁଛିକି ?

ଜୀବନ କାଳ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ଏବଂ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ କରି , ସ୍ବର୍ଗାଧାମରେ ଅବସ୍ଥାନ କରାଇବା ଦାବି କରୁଥିବା , ତଥାକଥିତ ମହାମହିମ , ସିଦ୍ଧପୁରୁଷ ବାବାମାନେ କିନ୍ତୁ ମୃତକ ପରିବାରର ଲୋକମାନଙ୍କ ଦୁଃଖ ବୁଝିବା ଦୂରେ ଥାଉ , ସେମାନଙ୍କ ଖବର ମଧ୍ୟ ରଖନ୍ତି ନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି - ପ୍ରତ୍ୟେକ ଥର ଦଳାଚକଟାରେ ଶହ ଶହ ଭକ୍ତ ହତାହତ ହେଉଥିବା ସତ୍ତ୍ବେ ଜଣେ ବି ସାଧୁ ବା ସନ୍ୟାସୀ ମୃତ୍ୟୁ ବରଣ କରିଥିବା ନଜରକୁ ଆସେ ନାହିଁ କାହିଁକି ?

ଏହାର କାରଣ , ସେମାନେ ଜନଗହଳି ଯୋଗୁଁ ସମ୍ଭାବ୍ୟ ବିପଦକୁ ଆଖି ଆଗରେ ରଖି ନିଜକୁ ସୁରକ୍ଷିତ ସ୍ଥାନରେ ଅବସ୍ଥାନ କରାଇଥାନ୍ତି । ତେଣୁ ଦଳାଚକଟାରେ ସେମାନଙ୍କର ମୃତ୍ୟୁ ଘଟିବା ସମ୍ଭାବନା ହିଁ ନଥାଏ । 

ବାବାମାନେ ଭଲକରି ଜାଣନ୍ତି , ଭକ୍ତମାନେ ମଲେ ସେମାନଙ୍କ ପରିବାରକୁ କ୍ଷତି ପୂରଣ ମିଳିବ କିନ୍ତୁ ଜଣେ ସାଧୁ ମଲେ କ୍ଷତି ପୂରଣ କିଏ କାହାକୁ ଦେବ ? ବରଂ ସେମାନେ ବଞ୍ଚି ରହିଲେ ହିଁ ଧନ ବର୍ଷା ହେଉଥିବ । ମରିଗଲେ ତ ସବୁ ସରିଗଲା ।

ସେମାନେ ଭଲି ଏତେ ରିସ୍କ କାହିଁକି ନେବେ ? 

ପ୍ରବଚନ ଦେବାବେଳେ ସିନା କହନ୍ତି - ' ସ୍ବର୍ଗରେ ସବୁ କିଛି ସୁନ୍ଦର , ମାତ୍ର ନିଜେ ହିଁ ସନ୍ଦେହରେ ପଡି ପୃଥିବୀରେ ମିଳୁଥିବା ସୁଖକୁ ବେଶିଦିନ ଉପଭୋଗ କରିବାକୁ ଚାହାନ୍ତି 

( ଚ ) ଧର୍ମସ୍ଥଳ ଅର୍ଥାତ ଭଗବାନଙ୍କ ଘରେ ବି ଚୋର , ବଦମାସ ଓ ଦୁଷ୍ଟ ପ୍ରବୃରିର ଲୋକମାନେ ନିର୍ବିଘ୍ନରେ ସେମାନଙ୍କ କାମ କରିପାରନ୍ତି । କେଉଁଠି ମହିଳାମାନଙ୍କ ସହ ଅସୌଜନ୍ୟ ବ୍ୟବହାର ହେଉଛି ତ କେଉଁଠି ମହିଳାମାନଙ୍କ ଦେହରୁ ସୁନାଗହଣା ଚୋରି ହେଉଛି । କେଉଁଠି ପକେଟମାର ହେଉଛି ତ କେଉଁଠି ମାରଧର ହେଉଛି ।

ଏତେ ପ୍ରକାର ବିପଦ ଏବଂ ଅନ୍ୟବସ୍ଥା ସମ୍ପର୍କରେ ତୀର୍ଥଯାତ୍ରୀମାନେ ଆଗରୁ ଅବଗତ ହୋଇ ନଥାନ୍ତି ବୋଲି କହିବା ଭୁଲ ହେବ I ସବୁ ଜାଣି ମଧ୍ୟ ଲୋକମାନେ ଛୋଟ ଶିଶୁ , ବୃଦ୍ଧ ଓ ରୋଗୀଣା ବାପା ମାଆଙ୍କୁ ନେଇ ଯାତ୍ରା ବା ମେଳା ଦେଖିବାକୁ ଯାଇଥାନ୍ତି । ଆର୍ଥିତ ସମସ୍ତ ପ୍ରକାର ରିସ୍କ ନେବାକୁ କୁଣ୍ଠା ବୋଧ କରନ୍ତି ନାହିଁ |ସେତେବେଳେ ଭାବନ୍ତି ଆମର କିଛି ବି ହେବନାହିଁ ଠାକୁର ଆମକୁ ରକ୍ଷାକରିବେ।

ଏଇଠି ଏକ ମହତ୍ଵପୂର୍ଣ୍ଣ ପ୍ରଶ୍ନ ଉଠୁଛି - ଭକ୍ତମାନେ ଏତେ ବଡ଼ ରିସ୍କ ନେଇଥିବା ପଛରେ ମନସ୍ତାତ୍ଵିକ କାରଣ କଅଣ ? ସେମାନଙ୍କର ବିଶ୍ବାସ ମେଳାକୁ ଯାଇ ଦେବୀ ଦେବତାଙ୍କୁ ପୂଜା ଅର୍ଚନା କଲେ , ସେମାନଙ୍କର ରୁଗଣ ମାତା ପିତା ନିଶ୍ଚୟ ଆରୋଗ୍ୟ ହୋଇଯିବେ ?,

 ସମାନଙ୍କର ପିଲାମାନେ ବଡ ହେଲେ ନିଶ୍ଚୟ ଉଚ୍ଚ ଶିକ୍ଷା ପ୍ରାପ୍ତ କରି ଧନବାନ ହୋଇଯିବେ? କିମ୍ବା ସେ ନିଜେ ନିଶ୍ଚିତ ଭାବେ ପାରିବାରିକ ଓ ସାମାଜିକ ସମସ୍ୟା ଭୋଗ କରିବେ ନାହିଁ । ଯଦିଓ ଏହି ସବୁ ଆଶାର କୌଣସି ଗ୍ୟାରେଣ୍ଟି ନାହିଁ , ତଥାପି ସେମାନେ ରିସ୍କ ନେବାକୁ ପଛାନ୍ତି ନାହିଁ କାହିଁକି 

ଏହା ପଛରେ ଯେଉଁ ବିଜ୍ଞାନ ସମ୍ମତ ମନସ୍ତାତ୍ଵିକ ରହିଛି , ତାହାକୁ ସେମାନେ ପ୍ରକାଶ୍ୟ ଭାବେ ନମାନିଲେ ମଧ୍ୟ ଅପ୍ରିୟ ସତ କଥା ହେଉଛି - ପିଲାଟି ବେଳୁ ତାଙ୍କ ମନରେ କାଳ୍ପନିକ ଈଶ୍ୱର , ଆତ୍ମା , ପରମାତ୍ମା , ପୁନର୍ଜନ୍ମ , ମୋକ୍ଷ , ସ୍ବର୍ଗ ଆଦି ମନ ମୋହକ ଶବ୍ଦ ପ୍ରତି ଗଢି ଉଠିଥିବା ଗଭୀର ଆସ୍ଥା ହିଁ , ସମସ୍ତ ପ୍ରକାର ବିପଦ ପ୍ରତି ରିସ୍କ ନେବାକୁ ପ୍ରେରିତ କରିଥାଏ

ସେମାନଙ୍କ ଆସ୍ଥା ଏତେ ଗଭୀର ଯେ ମେଳା ଦେଖି ଫେରିବା ପରେ ଧନ ବା ଜୀବନ କ୍ଷତି ହୋଇଥିଲେ ବି ଅନୁତାପ କରି କହିବେ ନାହିଁ -ମୁଁ ଅଯଥା ମେଳା ଦେଖିବାକୁ ଯାଇଥିଲି । ' ଧନ ବା ଜୀବନ ନଷ୍ଟ ହେବା ପଛରେ ଅନ୍ୟାନ୍ୟ କାରଣକୁ ଦାୟୀ କରି ନିଜ ମନକୁ ସାନ୍ତନା ଦେବେ । ପୁଣି ଥରେ ମେଳା ଦେଖୁ ଯିବାକୁ ବି ମନସ୍ଥ କରିବେ ।

ଏହି ବାଚାଳ ଚିନ୍ତାଧାରାକୁ ହେତୁବାଦୀ ମତରେ ମଣିଷର ମାନସିକ ଦିବାଳିଆପଣ ବୋଲି କୁହାଯାଏ । କାରଣ ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଏହି ସତ୍ୟକୁ ସ୍ବୀକାର କରନ୍ତି ନାହିଁ ଯେ " ମୁଁ ଯଦି ସେ ଦିନ ମେଳା ଦେଖିବାକୁ ଯାଇ ନଥାନ୍ତି ମୋର ଏତେ ବଡ଼ କ୍ଷତି ହୋଇନଥାନ୍ତା । ଯାତ୍ରା ବା ମେଳା ବ୍ୟତୀତ ଘରେ ଘରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବଗୁଡିକ ମଧ୍ୟ ବିପଦ ମୁକ୍ତ ନୁହେଁ । ହୋଲି ଖେଳରେ ବିଭିନ୍ନ ରାସାୟନିକ ରଙ୍ଗର ବ୍ୟବହାର ଯୋଗୁଁ ମଣିଷର ଶରୀର କ୍ଷତି ଗ୍ରସ୍ତ ହୋଇଥାଏ । 

ପର୍ବକୁ ଉପଭୋଗ କରିବାପାଇଁ କେତେକ ଲୋକ ନିଶା ଦ୍ରବ୍ୟ ସେବନ କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥାନ୍ତି । ରଙ୍ଗ ଧୋଇବାପାଇଁ ନଦୀ ଓ ପୋଖରୀରେ ଗାଧୋଇବା ବେଳେ , ନିଶା ଗ୍ରସ୍ତ ଲୋକ ପାଣିରେ ବୁଡି ମୃତ୍ୟୁ ବରଣ କରୁଥି ଖବର ବି ଶୁଣିବାକୁ ମିଳୁଛି । 

ସେହିଭଳି ଦୀପାବଳି ଦିନ ପ୍ରଚୁର ପରିମାଣର , ବାଣଫୁଟା ଯାଉଥିବା ଯୋଗୁଁ ଅନେକ ପିଲା , ସ୍ତ୍ରୀ ଓ ପୁରୁଷ ବେଳେ ବେଳେ ଦୁର୍ଘଟଣାର ଶିକାର ହୋଇଥାନ୍ତି । କାହାର ଅଙ୍ଗହାନୀ ହେଉଛି ତ କାହାର ଜୀବନ ମଧ୍ୟ ଚାଲି ଯାଉଛି ।ମୋଟ ଉପରେ ବାଣର ବିଷାକ୍ତ ଧୂଆଁ ଯୋଗୁଁ ପରିବେଶ ଦୂଷିତ ହୋଇଯାଉଛି । ତାହା ମାନବ ଶରୀରପାଇଁ କ୍ଷତିକାରକ । 

ଦେବୀ ଦେବତାଙ୍କ ନିର୍ଦ୍ଦିଷ୍ଟ ପୂଜା ପର୍ବ ସମୟରେ ମେଢ଼ ତିଆରି କରି ସଡକ ଅବରୋଧ କରିବା , ଉଚ୍ଚ ଧ୍ବନି ବିଶିଷ୍ଟ ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଧ୍ବନି ପ୍ରଦୂଷଣ କରିବା , ମୂର୍ତ୍ତି ବିସର୍ଜନ କରିବାପାଇଁ ନଦୀ ଓ ପୋଖରୀ ଜଳକୁ ଦୂଷିତ କରିବା ଆଦି କର୍ମକାଣ୍ଡ ମଣିଷ ପାଇଁ ବିପଦ ହିଁ ବିପଦ ।

ଶେଷରେ ଆମର ବକ୍ତବ୍ୟ ହେଉଛି - ମେଳା ଆୟୋଜନ କିମ୍ବା ପର୍ବ ପାଳନ ଆମ ପରମ୍ପରା ଓ ସଂସ୍କୃତିର ଅଙ୍ଗ । ତେଣୁ ସେଗୁଡିକ ପାଳନ କରିବା ଆବଶ୍ୟକ ନାହିଁ ବୋଲି କହିଲେ , ହୁଏତ ସମସ୍ତଙ୍କୁ ଅପ୍ରିୟ ଲାଗିବ । କିନ୍ତୁ ପ୍ରତ୍ୟେକ ମେଳା ଓ ପର୍ବପାଳନ ବେଳେ ଧନ ଓ ଜୀବନର କୌଣସି କ୍ଷୟକ୍ଷତି ନ ହେଲାଭଳି ସୁନ୍ଦର ଓ ବିକଳ୍ପ ବ୍ୟବସ୍ଥା କରିବା ଉଚିତ ।

ସମସ୍ତେ ପର୍ବକୁ ଖୁସିର ଉପଭୋଗ କରନ୍ତୁ । ଜନ ସମାଗମକୁ ସୂଚାରୁ ରୂପେ ବ୍ୟବସ୍ଥିତ କରିବାପାଇଁ ମନ୍ଦିର ଓ ପ୍ରଶାସନ ପାଖରେ ଧନର ଅଭାବ ନାହିଁ । ଅଭାବ ରହୁଛି ମନୋବୃତ୍ତିରେ । ଚିନ୍ତା କରନ୍ତୁ କାହାର ମନୋବୃତ୍ତିରେ ଏହି ଅଭାବ ରହୁଛି ?

(ସତ୍ୟ ମହାନନ୍ଦ)

(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ