ଧର୍ମାଳୟରେ ନିଶା ସେବନ ଉଚିତକି ?
ଧର୍ମାଳୟରେ ନିଶା ସେବନ ଉଚିତକି ?
ଆଦିମ କାଳରୁ ମଣିଷ ସମାଜରେ ବିଭିନ୍ନ ପ୍ରକାର ନିଶା ସେବନ ଚାଲି ଆସିଛି । ନିଶା ଦ୍ରବ୍ୟ ମଣିଷ ଶରୀର ପାଇଁ ହାନିକାରକ ତତ୍ତ୍ବ ହୋଇଥିବାରୁ , ଏହାକୁ ସାମାଜିକ ସ୍ତରରେ ନିବାରଣ କିମ୍ବା ନିୟନ୍ତ୍ରଣ କରିବାକୁ ପ୍ରୟାସ ମଧ୍ୟ ଲାଗିରହିଛି
ନିଶାସକ୍ତ ବ୍ୟକ୍ତିଙ୍କୁ ସମାଜ ଯଥୋଚିତ ସମ୍ମାନ ଦେଇନଥାଏ । ନିଶାଦ୍ରବ୍ୟର ଅପକାରିତା ସମ୍ପର୍କରେ ଡାକ୍ତର , ଶିକ୍ଷକ , ଗୁରୁଜନ ଓ ବିଭିନ୍ନ ସ୍ବୟଂସେବକ ସଂସ୍ଥା ଲୋକମାନଙ୍କୁ ସଚେତନ କରୁଛନ୍ତି ।
ନିଶା ସେବନ କରି ଘରେ ବା ବାହାରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ , ପୋଲିସ ଆଇନଗତ ପଦକ୍ଷେପ ନେଉଛନ୍ତି । ଏହିସବୁ ପ୍ରତିବନ୍ଧ ଯୋଗୁ , ନିଶା ସେବନ ସମ୍ପୂର୍ଣ୍ଣ ବନ୍ଦ ନହେଲେ ମଧ୍ୟ ନିୟଂତ୍ରଣ ଭିତରେ ରହୁଛି ।
ଏହାର ବିପରୀତ ଆମେ ଦେଖୁଛୁ , ସମାଜ ଦ୍ବାରା ସ୍ବୀକୃତ ଧାର୍ମିକ ବ୍ୟବସ୍ଥା , ନିଶା ସେବନକୁ ନିବାରଣ କରିବା ପରିବର୍ତ୍ତେ , ଖୋଲା ଖୋଲି ଭାବେ ଉତ୍ସାହିତ କରୁଛି ।
ଅଧିକାଂଶ ଧର୍ମସ୍ଥଳ , ଯେଉଁଠି ସ୍ବୟଂ ଦେବୀ - ଦେବତା ବାସ କରୁଛନ୍ତି ବୋଲି ସମସ୍ତଙ୍କର ବିଶ୍ଵାସ , ସେଇଠି ମଣିଷକୁ ଶାରୀରିକ ଓ ମାନସିକ ଭାବେ ପଙ୍ଗୁ କରିଦେବାଭଳି ନିଶାଦ୍ରବ୍ୟର ପ୍ରଚଳନ କାହିଁକି ଚାଲିଆସିଛି ?
ଏହାର ତର୍କ ସଂଗତ ଉତ୍ତର କାହାରି ପାଖରେ ନାହିଁ । ମଠ , ମନ୍ଦିର ଓ ଆଶ୍ରମମାନଙ୍କରେ ସଂସାର ତ୍ୟାଗୀ ତଥାକଥିତ ଧର୍ମଗୁରୁ , ସାଧୁ , ସନ୍ୟାସୀ ଓ ପୂଜକମାନେ ଆଧ୍ୟାତ୍ମିକ ପ୍ରବଚନ ଦେବାରେ ତ ଧୁରନ୍ଧର କିନ୍ତୁ ବ୍ୟାବହାରିକ ଜୀବନରେ , ନିଶାସେବନକୁ ପାପ ବା ଅନୈତିକ ବୋଲି ଭାବନ୍ତି ନାହିଁ ।
ଆଗରୁ ଭାଙ୍ଗ , ଗଞ୍ଜେଇ , ମୋଦକ , ଅଫିମ , ବିଡି ଓ ସିଗାରେଟ ଆଦି ନିଶାଦ୍ରବ୍ୟରେ ସେମାନଙ୍କ କାମ ଚଳି ଯାଉଥିଲା । ବର୍ତ୍ତମାନ ଯୁଗରେ ଦେଶୀ - ବିଦେଶୀ ମଦ , ଚରସ , ବ୍ରାଉନ ସୁଗାର , ହିରୋଇନ ଆଦି ଆଧୁନିକ ଧରଣର ଡ୍ରଗସ ମଧ୍ୟ ବହୁଳ ଭାବେ ବ୍ୟବହାର କରୁଛନ୍ତି ।
ପୋଲିସ କିମ୍ବା ଅବକାରୀ ବିଭାଗ , ଧର୍ମସ୍ଥଳ ମାନଙ୍କରେ ପଶି , ସେମାନଙ୍କୁ ବ୍ୟକ୍ତିଗତ ଭାବେ ଦୋଷାରୋପ କରି , ଧରି ଆଣିବା ପାଇଁ , ପ୍ରଶାସନ ପକ୍ଷରୁ ଅନୁମତି ପାଆନ୍ତିନାହିଁ ।
ଯଦି କେଉଁଠି ଡ୍ରଗସ ବ୍ୟବସାୟ ଚାଲୁଥିବା ଖବର ମିଳେ , ତେବେ ପ୍ରଶାସନ ବାଧ୍ୟ ହୋଇ କାର୍ଯ୍ୟକାରୀ କରିଥାଏ । ଦୋଷୀଙ୍କୁ ଦଣ୍ଡ ମଧ୍ୟ ମିଳିଥାଏ ।
ପ୍ରଶ୍ନ ଉଠୁଛି -ସାଧୁ ସନ୍ୟାସୀମାନେ ନିଶା ସେବନ କରନ୍ତି କାହିଁକି ?
ଏହାର ଉତ୍ତର ସମ୍ପର୍କରେ କୁହାଯାଏ 1.ସେମାନେ ଆଧ୍ୟାତ୍ମିକ ଯୋଗ ସାଧନା କରିବାବେଳେ , ଏକାଗ୍ରତା ରକ୍ଷା କରିବାପାଇଁ ନିଶା ସେବନ ଆବଶ୍ୟକ । 2 , ସେମାନେ ନିଜ ଶରୀରକୁ ଶୀତ ଓ ତାପରୁ ରକ୍ଷା କରିବାପାଇଁ ବହୁତ କମ ବସ୍ତ୍ର ବ୍ୟବହାର କରିଥାନ୍ତି , ତେଣୁ ନିଶାସେବନ କରି ବାହ୍ୟ ଶୀତ ଓ ତାପରୁ ନିଜକୁ ରକ୍ଷାକରନ୍ତି
3. ପୌରାଣିକ କାଳରୁ ଚଳିଆସୁଥିବା ଧାର୍ମିକପରମ୍ପରାକୁ ପାଳନକରିବାପାଇଁ ନିଶାସେବନ ଆବଶ୍ୟକ । ପ୍ରଥମ ଦୁଇଟି କାରଣ ସମ୍ପୂର୍ଣ ଅବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ଏକବାହାନା । ତୃତୀୟ କାରଣଟିକୁ କେହି ଅସ୍ବୀକାର କରିପାରିବେନି । କାରଣ ଧର୍ମଶାସ୍ତ୍ରମାନଙ୍କରେ ଉଲ୍ଲେଖଅଛି - ଦେବତା , ଋଷି , ମୁନିମାନେ ମଧ୍ୟ ସୁରା ନାମକ ମଦ୍ୟପାନ କରୁଥିଲେ ।
ଦେବତାମାନଙ୍କ ରାଜା ' ଇନ୍ଦ୍ର ' ସୁରାପାନ କରିବା ଏବଂ ଗୋମାଂସ ଭକ୍ଷଣ କରିବାରେ ସବୁଠାରୁ ଆଗରେ ଥିଲେ । ସେହିଭଳି ଶିବ ମନ୍ଦିର ଓ ତ୍ରିନାଥ ମେଳାରେ ଗଞ୍ଜେଇ ଭୋଗ ଏକ ସାଧାରଣ କଥା । ଆମଦେଶର ଉଜ୍ଜୟିନୀ ସହରରେ ଥିବା ' କାଳ ଭୈରବୀ ' ଏବଂ ଉତ୍ତର ପ୍ରଦେଶର ସୀତାପୁର ଠାରେ ଥିବା ' ଖବିସବାବା ' ମନ୍ଦିରରେ ମଦ ହିଁ ଭୋଗ ଲାଗେ । ଶେଷର ବିଭିନ୍ନ ସ୍ଥାନରେ ' ଧୂମାବତୀ ' ଠାକୁରାଣୀଙ୍କ ମନ୍ଦିର ମାନଙ୍କରେ ତାନ୍ତ୍ରିକମାନେ ଭାଙ୍ଗ , ସିଗାରେଟ ଓ ମଦ ଭୋଗ ଲଗେଇ ପୂଜା କରନ୍ତି ।
ଭକ୍ତ ମାନଙ୍କୁ ମଧ୍ୟ ସେଗୁଡିକ ପ୍ରସାଦ ରୂପେ ବଣ୍ଟନ କରାଯାଏ ।
ଦେଶର ଅଧିକାଂଶ ଦେବୀ ଦେବତାଙ୍କ ଅସ୍ଥାୟୀ ମୂର୍ତ୍ତିକୁ ବିସର୍ଜନ ସମୟରେ ଯୁବକମାନେ ନିଶା ସେବନ କରି ଉନ୍ମତ୍ତ ହୋଇ ରାସ୍ତାରେ ନାଚିବା ଏକ ଧାର୍ମିକ ପରମ୍ପରା ହୋଇଗଲାଣି ।
ପ୍ରତ୍ୟେକ ବର୍ଷ ମୂର୍ତ୍ତି ଭସାଣି ସମୟରେ ନିଶାଗ୍ରସ୍ତ କିଛି ବ୍ୟକ୍ତି ପାଣିରେ ବୁଡି ପ୍ରାଣ ହରାଉଥିବା ଖବର ପ୍ରକାଶ ପାଉଛି । ଶ୍ରାବଣମାସରେ ଶିବ ଭକ୍ତମାନେ ପ୍ରଚୁର ନିଶା ସେବନ କରି , ରାସ୍ତାଘାଟରେ ଯେଉଁ ଅଶୋଭନୀୟ କାଣ୍ଡ କରିଥାନ୍ତି , ସେକଥା ସଭିଏଁ ଜାଣନ୍ତି ।
ମଜାକଥା ହେଉଛି ଯେ ଧର୍ମ ଉପରେ ଆସ୍ଥା ରଖୁଥିବା ଲୋକମାନେ , ସାତ୍ତ୍ଵିକ ଖାଦ୍ୟ ( ନିରାମିଷ ଭୋଜନ ) ଖାଇ ବ୍ରତ ଓ ପୂଜା ପାଠ କରନ୍ତି କିନ୍ତୁ ନିଶା ସେବନକୁ ସେମାନେ ପାପ ବୋଲି ଭାବନ୍ତି ନାହିଁ ।
ବିଡମ୍ବନା ହେଉଛି ଯେ ସାମାଜିକ ସ୍ତରରେ ନିଶା ସେବନକୁ , ଅନୈତିକ କର୍ମ ଏବଂ ଶରୀର ବିଜ୍ଞାନ ଅନୁସାରେ , ନିଶା ସେବନ ହାନି କାରକ ବୋଲି ସମସ୍ତେ ମାନୁଥିଲେ ମଧ୍ୟ ଧାର୍ମିକ ସ୍ତରରେ , ଏହାକୁ ସେବନ କରିବା ଅନୈତିକ ବା ହାନିକାରକ ବୋଲି କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି ।
ସାମାଜିକ ସଂସ୍କାର ପାଇଁ , ଧାର୍ମିକ କୁସଂସ୍କାରକୁ ବର୍ଜନ କରିବା ଆଜି ପାଇଁ ଅତି ଆବଶ୍ୟକ । ସୁଧୀ ପାଠକେ କୁହନ୍ତୁ- ଧର୍ମ ସ୍ଥଳରେ ନିଶା ସେବନ କ'ଣ ନ୍ୟାୟ ସଂଗତ ?
(ସତ୍ୟ ମହାନନ୍ଦ)
(ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)
Comments
Post a Comment