ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ?

 


ଭଗବତ ଗୀତାର ପ୍ରେରଣା କେତେ ଲାଭ ଦାୟକ ?

 ହିନ୍ଦୁମାନଙ୍କର ଅନେକ ଧର୍ମଗ୍ରନ୍ଥ ମଧ୍ୟରୁ ଭଗବତ ଗୀତାକୁ ସର୍ବଶ୍ରେଷ୍ଠ ଏବଂ ପ୍ରଧାନ ଧର୍ମଗ୍ରନ୍ଥ ବୋଲି କୁହାଯାଇଛି । ଧାର୍ମିକ ଦୃଷ୍ଟିକୋଣରୁ ତ ଏହାକୁ ଅତ୍ୟନ୍ତ ମହିମା ମଣ୍ଡିତ କରାଯାଇଛି । ବୌଦ୍ଧିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଅନୁପମ ବୋଲି କୁହାଯାଏ । ଗୀତାରେ ଦିଆଯାଇଥିବା ଉପଦେଶ ମାଳାକୁ ବ୍ୟାଖ୍ୟା ଏବଂ ତାର ପ୍ରଭାବକୁ ବର୍ଣ୍ଣନା କରିବାପାଇଁ ଯେତିକି କଷ୍ଟ କରାଯାଉଛି , ସେଥୁରୁ ଅତି ସାମାନ୍ୟ ପରିଶ୍ରମ କରି ଯଦି ଗୀତାର ପ୍ରଭାବକୁ ପରୀକ୍ଷା କରିବା ପାଇଁ ବ୍ୟୟ କରାଯାଆନ୍ତା ତାହେଲେ ହୁଏତ ହିନ୍ଦୁ ସମାଜ ଆଜି ଏତେ ପଳାୟନବାଦୀ , ଅକର୍ମଣ୍ୟ , ଅଳସୁଆ ଏବଂ ପରିଣାମତ ଏତେ ପଛୁଆ ହୋଇ ନଥାନ୍ତା । 

ଗୀତା ମୁଖ୍ୟତଃ ସବୁ କିଛି ଈଶ୍ବରଙ୍କ ଭରସାରେ ଛାଡ଼ିଦେଇ ଆପେ ଆପେ ଯାହା ଘଟିଯିବ ସେଇଆକୁ ସମ୍ବଳକରି ଜୀବନ ଅତିବାହିତ କରିବାକୁ ପ୍ରେରଣା ଦିଏ । ଲୋକେ ଟଣା ଓଟରାକରି ଗୀତାର ଶ୍ଳୋକମାନଙ୍କରୁ କର୍ମର ପ୍ରେରଣା ବାହାର କରୁଛନ୍ତି । କେତେକ ଗୀତାକୁ କର୍ମ ସହିତ ସମ୍ବନ୍ଧ ଯୋଡିବା ପାଇଁ " କର୍ମଯୋଗ ' ନାମକ ଟୀକା , ଟିପ୍ପଣୀ ଲେଖୁଛନ୍ତି । 

କିନ୍ତୁ କଥାଟି ଅତି ସହଜ ଓ ସିଧା ଭାବେ ବିଚାର କଲେ ଜାଣିବା ଯେତେବେଳେ କୌଣସି ଲୋକକୁ ଜଣା ପଡିବ ଯେ ସେ ଯାହା କର୍ମକରିବ ତାର ଫଳଉପରେ ଆଦୌ ଅଧିକାର ରହିବ ନାହିଁ , ତେବେ ସେ ଉକ୍ତ କର୍ମ କରିବାପାଇଁ କାହିଁକି ମନ ବଳାଇବ ବା ଆଗ୍ରହ ପ୍ରକାଶ କରିବ ?

 ଗୀତାରେ କୃଷ୍ଣ ଅର୍ଜୁନକୁ କହିଛନ୍ତି- ତୋର କେବଳ କର୍ମ କରିବା ଉପରେ ଅଧିକାର କିନ୍ତୁ ଫଳ ଉପରେନାହିଁ ।

 ତୁ ଫଳକୁ ଆଶାରଖି କର୍ମ କରିବା ଉଚିତ ନୁହେଁ । 

( 2/47 ) । ଏହି ଶ୍ଳୋକରେ ପୁଣି କୁହାଯାଇଛି ଯେ ତୋର କର୍ମ କରିବାର ଅନାଗ୍ରହ ବି ରଖିବା ଉଚିତ ନୁହେଁ । କର୍ମଯୋଗର ଦର୍ଶନକୁ ବଖାଣିବା ସମୟରେ ଏହି ଶ୍ଳୋକକୁ ନିଶ୍ଚିତ ଭାବେ ଉଦ୍ଧୃତ କରାଯାଇଥାଏ । କେଉଁଠି କିନ୍ତୁ କୁହାଯାଏନି ଯେ ଫଳପ୍ରତି ଉଦାସୀନହୋଇ କୌଣସି ବ୍ୟକ୍ତି କର୍ମ କରିବାର ପ୍ରେରଣା କେଉଁଠୁ ପାଇବ ? 

ଯେକୌଣସି କାମ କରିବା ପଛରେ କିଛି ନା କିଛି ଉଦ୍ଦେଶ୍ୟ ନିଶ୍ଚୟଥାଏ । ବିନା ଉଦ୍ଦେଶ୍ୟରେ କୌଣସି କାମ ହେବା ସମ୍ଭବନୁହେଁ । ଯଦି ଫସଲ ଅମଳର ଆଶା ନ ରଖିବ କେହି ଚାଷ କରିବ କାହିଁକି ? ଜିତିବାର ଆଶା ନରଖୁ କିଏ କୁସ୍ତି ଲଢ଼ିବ କାହିଁକି ? ଛୁଆକୁ ସଭ୍ୟ , ଶିକ୍ଷିତ , ସୁସଂସ୍କୃତ କରିବାର ଆଶା ନରଖି ତାକୁ ସ୍କୁଲ , କଲେଜରେ କିଏ କାହିଁକି ପଢେଇବ ? 

ତେଣୁ ଉଦ୍ଦେଶ୍ୟର ଆକାଂକ୍ଷା ପ୍ରଥମେ ଜାତହୁଏ ଏବଂ ସେହି ଆକାଂକ୍ଷାକୁ ପୂରା କରିବାପାଇଁ କର୍ମରେ ପ୍ରବୃରି ପରେ ଜାଗ୍ରତ ହୁଏ । ଗୀତାରେ ଉଦ୍ଦେଶ୍ୟ , ଆକାଂକ୍ଷା ବା ଫଳକୁ ନିରର୍ଥକ ଓ ତ୍ୟାଜ୍ୟ କହି ପ୍ରେରଣା ମୂଳରେ କୁଠାରାଘାତ କରାଯାଇଛି । ଗୀତା ପଳାୟନବାଦର ପ୍ରେରଣା ଦିଏ ନାହିଁ ବୋଲି ସିଦ୍ଧ କରିବାପାଇଁ କୁହାଯାଇଛି

ଅର୍ଜୁନ ଯୁଦ୍ଧପାଇଁ ବିମୁଖ ହେଉଥିଲା , ତାର ସାହାସ ଶିଥିଳ ପଡି ଯାଇଥିଲା । ସେତିକିବେଳେ ଶ୍ରୀକୃଷ୍ଣ ଅର୍ଜୁନକୁ ଗୀତାର ଉପଦେଶ ଦେଇ ତାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରାଇଦେଲେ । ” କୁହାଯାଏ ଯେ ଯୁଦ୍ଧ ତ୍ୟାଗକରି ସନ୍ୟାସୀ ହୋଇ ଯିବାକୁ ଚାହୁଁଥିବା ଅର୍ଜୁନ ଯଦି ଗୀତାର ଉପଦେଶ ଶୁଣି , ନିଜର ମନୋଭାବ ବଦଳେଇ ଦେଇ ପାରିଲେ ତେବେ ସାଧାରଣ ବ୍ୟକ୍ତି ସେଥିରୁ ପଲାୟନବାଦର ପ୍ରେରଣା କେମିତି ପାଇବ ?

ଏହି ଯୁକ୍ତି ଅବଶ୍ୟ ବେଶ ଓଜନଦାର ଲାଗୁଛି କିନ୍ତୁ ଗୀତାର ସମ୍ପୂର୍ଣ୍ଣ ଅଧ୍ୟାୟରେ ଏହି ସମ୍ପର୍କରେ ବିଶ୍ଳେଷଣକରି ଦେଖିଲେ ସତ୍ୟ ରୂପେ ଅନ୍ୟ କିଛିତଥ୍ୟ ଆଖରେ ପଡୁଛି । ମହାଭାରତ ଯୁଦ୍ଧ ପୂର୍ବରୁ ତ ଅର୍ଜୁନ ଆହୁରି ଅନେକ ଯୁଦ୍ଧ କରିଥିଲେ । ସେତେବେଳେ ସେ ଯୁଦ୍ଧ ନ କରିବାପାଇଁ ତ କେବେ ଅଡ଼ି ବସି ନଥିଲେ । କୃଷ୍ଣଙ୍କର କୂଟନୀତି ଯୋଗୁଁ ହିଁ ଭାଇ ଭାଇ ଓ ଆତ୍ମୀୟ ସ୍ବଜନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା । 

ଯୁଦ୍ଧ କ୍ଷେତ୍ରରେ ପାଦ ରଖିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଅନ୍ୟାୟ ଯୁଦ୍ଧ କହି ଅର୍ଜୁନ ଲଢ଼ିବାପାଇଁ ରାଜି ନଥିଲେ । ଗୀତାର ପ୍ରଥମ ଅଧ୍ୟାୟରେ ଅର୍ଜୁନଙ୍କ ଦ୍ବାରା କୁହାଯାଇଥିବା ଯେଉଁସବୁ ଶ୍ଳୋକ ଉଲ୍ଲେଖ ଅଛି , ସେଥିରେ ଯୁଦ୍ଧ ନକରିବାର ଯଥେଷ୍ଟ କାରଣ ଦର୍ଶାଯାଇଛି । ଯୁଦ୍ଧକ୍ଷେତ୍ରରେ ସେ ଯେତେବେଳେ ଆତ୍ମୀୟ ସ୍ବଜନମାନଙ୍କୁ ଦେଖନ୍ତି ସେ କୃଷ୍ଣଙ୍କୁ କହୁଛନ୍ତି " ଯୁଦ୍ଧ କରିବା ପାଇଁ ଏଠାରେ ଏକତ୍ର ହୋଇଥିବା ଆତ୍ମୀୟ ସ୍ବଜନଙ୍କୁ ହତ୍ୟାକରୀ ମୁଁ ବିଜୟ ପ୍ରାପ୍ତ କରିବାକୁ ଚାହୁଁନି । ମୋର ରାଜ୍ୟ ଦରକାର ନାହିଁ କି ସୁଖ ଦରକାର ନାହିଁ ।

ଯେଉଁମାନଙ୍କପାଇଁ ଆମେ ରାଜ୍ୟଭୋଗ ଏବଂ ସୁଖର କାମନା କରିଛୁ ସେହି ଆଚାର୍ଯ୍ୟ , ପିତୃଜନ , ପୁତ୍ର , ମାମୁଁ , ଶ୍ବଶୁର , ନାତି ଆଦି ଯଦି ଏହି ଯୁଦ୍ଧରେ ମୃତ୍ୟୁ ବରଣ କରିବେ ତେବେ ଯୁଦ୍ଧ କରିବାର ଫଳ କଅଣ ? ନିଜର ବନ୍ଧୁ ସ୍ବଜନଙ୍କୁ ମାରିବା ଆଦୌ ଉଚିତ ମନେ କରୁନି । ସେମାନଙ୍କୁ ମାରି ମୁଁ ସୁଖୀ ହେବି କିପରି ?

 ହିତୀୟ ଅଧ୍ୟାୟ , ନବମ ଶ୍ଳୋକରେ ଅର୍ଜୁନ ଏହାସବୁ କହିସାରି " ମୁଁ ଯୁଦ୍ଧ କରିବି ନାହିଁ ' ' ବୋଲି ଧନୁ ତ୍ୟାଗ କରିଦେଲେ । ଅର୍ଜୁନ କୃଷ୍ଣଙ୍କୁ ନିଜର ପରମ ସଖା ତଥା ଶୁଭଚିନ୍ତକ ବୋଲି ମାନୁଥିଲେ । ତେଣୁ କୃଷ୍ଣଙ୍କ ପ୍ରରୋଚନାରେ ହିଁ ସେ ଯୁଦ୍ଧ କରିବାକୁ ରାଜିହୋଇଥିଲେ । କିନ୍ତୁ ଯୁଦ୍ଧ କ୍ଷେତ୍ରକୁ ଆସି ଯୁଦ୍ଧର ଭୟାବହ ପରିଣାମ କଥା ଚିନ୍ତା କଲାପରେ ତାଙ୍କର ବିବେକ ଯୁଦ୍ଧ ନକରିବା ପାଇଁ ପ୍ରବର୍ତ୍ତାଉଥିଲା । ଏହିଭଳି ମାନସିକ ଦ୍ବନ୍ଦରେ ପଡି ଅର୍ଜୁନ କୃଷ୍ଣଙ୍କୁ ବିଶ୍ବାସ କଲେ ଏବଂ ତାଙ୍କୁ ହିଁ ପରାମର୍ଶ ମାଗିଲେ । କୃଷ୍ଣ ଅର୍ଜୁନଙ୍କ ଅନ୍ତର୍ଦ୍ଦ ଅନୁଭବ କରିପାରି ତାଙ୍କୁ ସମ୍ମୋହନ ପ୍ରଣାଳୀରେ ଗୀତାଉପଦେଶ ଦେଇ ପୁଣି ଯୁଦ୍ଧଭୂଇଁକୁ ଠେଲିଦେଲେ । ସେ ଯାହା ଉପଦେଶ ଦେଇଛନ୍ତି ତାର ସାରାଂଶ ହେଉଛି ମନୁଷ୍ୟ ନିମିତ୍ତ ମାତ୍ର , ସେ ପ୍ରକୃତରେ କିଛି କରେନାହିଁ । ସେ ଈଶ୍ବରଙ୍କ ଇଛାରେ ଚାଲିବାକୁ ବାଧ୍ୟ । 

ଈଶ୍ବରଃ ସର୍ବଭୂତାନାଂ ହ୍ରୁଦଦେଶେ ଅର୍ଜୁନ ତିଷ୍ଠତି ଭ୍ରାମୟନ ସର୍ବଭୂତାନି ସଂକ୍ରାରୂଢାନି ମାୟୟା ( 18/61 ) " 

ଅର୍ଥାତ ହେ ଅର୍ଜୁନ , ଈଶ୍ବର ସମସ୍ତ ପ୍ରାଣୀର ହୃଦୟରେ ଅବସ୍ଥାନ କରୁଛନ୍ତି , ନିଜର ମାୟା ବଳରେ ପ୍ରାଣୀଙ୍କୁ ଘୁରାଉଛନ୍ତି । କୃଷ୍ଣ ଅର୍ଜୁନଙ୍କୁ ଏହି ଉପଦେଶ ଦେଇଛନ୍ତି କେବଳ ତାଙ୍କ ( ଈଶ୍ବର ) ଇଛାରେ ହିଁ ଅର୍ଜୁନ ଚାଲିବା ଉଦ୍ଦେଶ୍ୟରେ । ଗୀତାରେ କୃଷ୍ଣ ନିଜକୁ ହିଁ ଈଶ୍ବର ବୋଲି ବାରମ୍ବାର ଅନୁସାରେ କାମକରିବାକୁ କହିଛନ୍ତି । ଘୋଷଣା କରିଛନ୍ତି । କୃଷ୍ଣ ଏହି ଘୋଷଣା ସହିତ ଅର୍ଜୁନଙ୍କୁ ଈଶ୍ବରଙ୍କ ଇଛା ଏବଂ ତାଙ୍କର ଆଦେଶ

 " ତସ୍ପାତ ସର୍ବେଷୁ କାଳେଷୁ ମାମନୁସ୍ମର ଯୁଦ୍ଧଚ ମୟାର୍ପିତ ମନୋ ବିଦ୍ଧିର୍ମମେ ବୈଷ୍ୟସ୍ୟ ସଂଶୟମ " ( 8/7 )

 ଅର୍ଥାତ : " ସଦା ମୋତେ ସ୍ମରଣ କରି ଯୁଦ୍ଧ କରିଯାଅ । ଏହିଭଳି ମନ ଓ ବୁଦ୍ଧିକୁ ମୋ ସହିତ ଏକାଗ୍ର ଚିତ୍ତ କରିନେଲେ ମୋତେ ପ୍ରାପ୍ତ କରିପାରିବ । 

 ମୟର୍ପିତ ମନୋବୁଦ୍ଧିଯୋର୍ମଭକ୍ତସ ମେ ପ୍ରିୟ ( 12/14 )

 ଅର୍ଥାତ :ଯିଏ ନିଜର ମନ ଓ ବୁଦ୍ଧିକୁ ମୋତେ ସମର୍ପଣ କରିଦିଏ ସେ ହିଁ ମୋତେ ପ୍ରାପ୍ତ କରିପାରେ । " ଏହିଭଳି ବହୁ ସମୟରେ କୃଷ୍ଣ ଅର୍ଜୁନଙ୍କୁ ନିଜର ମନ ଓ ବୁଦ୍ଧି ଈଶ୍ବରଙ୍କ ପାଖରେ ଲଗାଇ ରଖୁବା ପାଇଁ କହିଛନ୍ତି । ଆଶ୍ବାସନା ବି ଦେଇଛନ୍ତି ଯେ ଏହିପରି କଲେ ସେ ରାଜ୍ୟ ବା ସୁଖ ପାଇଁ ଭାଇ ବନ୍ଧୁଙ୍କୁ ହତ୍ୟା କରୁଥିବା ପାପରେ ଭାଗିଦାର ହେବନାହିଁ । ଅର୍ଜୁନଙ୍କର ଅସଲ ଭୟ ଥିଲା ସେ ବନ୍ଧୁ ସ୍ବଜନଙ୍କୁ ହତ୍ୟା କଲେ ଯେଉଁ ପାପ ସେ ଅର୍ଜନ କରିବ ସେ ପାପ ଦ୍ବାରା ତାଙ୍କ ପିତୃପୁରୁଷ ସମସ୍ତେ ନର୍କରେ ପଡିବେ । 

( 1 / 38-41 ) କୃଷ୍ଣ ଅର୍ଜୁନଙ୍କର ଏହି ଅପରାଧ ବୋଧକୁ ମନରୁ ଦୂର କରିବାପାଇଁ ତର୍କ ଦେଖାଇଛନ୍ତି " ମନୁଷ୍ୟର ଏହି ଶରୀର ତ ବିନାଶଶୀଳ , ତା ଭିତରେ ରହୁଥିବା ଆତ୍ମା କିନ୍ତୁ ଅମର । ଏହି ଆତ୍ମା ନା କାହାକୁ ମାରିପାରେ , ନା କାହାଦ୍ବାରା ମରିପାରେ । ତାର ଜନ୍ମ ନାହିଁ କି ମୃତ୍ୟୁନାହିଁ । ଯେଉଁଭଳି ମଣିଷ ପୁରୁଣା ଶରୀରକୁ ତ୍ୟାଗ କରି ନୂଆ ବସ୍ତ୍ର ବଦଳେଇ ନୂଆ ବସ୍ତ୍ର ଧାରଣ କରେ , ସେହିଭଳି ଆତ୍ମା ମଧ୍ୟ ଶରୀର ଧାରଣ କରେ ।

 ( 2 / 19-22 ) କୃଷ୍ଣ ପୁଣି ତର୍କ ଦେଇ ସେହି କଥାକୁ ବୁଝେଇ କହିଛନ୍ତି ତଥାପି ଯଦି ତୁମେ ଭାବୁଛ ଯେ ଆତ୍ମାର ମଧ୍ୟ ଜନ୍ମ ଓ ମୃତ୍ୟୁ ଅଛି , ଏଠାରେ କିନ୍ତୁ ନିଜର ବନ୍ଧୁ ସ୍ବଜନଙ୍କ ମୃତ୍ୟୁରେ ତୁମର ଦୁଃଖ କରିବା ଅନୁଚିତ , କାରଣ ଯିଏ ଜନ୍ମ ନିଏ ସେ ଅବଶ୍ୟ ମରିବ ଏବଂ ଯିଏ ମରିବ ସେ ନିଶ୍ଚିତ ଭାବେ ଜନ୍ମନେବ । ( 2 / 26-27 ) ଗୀତାର ଏହି ଉପଦେଶ ଆମେ ଆଜି ମାନିପାରିବାକି ?

 ଯିଏ ଯାହାକୁ , ଯେଉଁଥି ପାଇଁ , ମାରିଲେ ବି କାହାକୁ ବି ଦଣ୍ଡ ଦେବା ଉଚିତ ନୁହେଁ କାରଣ ଯିଏ ଜନ୍ମ ହୋଇଛି ସିଏ ତ ନିଶ୍ଚିତ ମରିବ । ସେ ଯେମିତି ମରିବ ମରୁ । ଏକାଦଶ ଅଧ୍ୟାୟରେ ଅର୍ଜୁନଙ୍କୁ ସମ୍ମୋହିତ ସ୍ଥିତିକୁ ଆଣି କୃଷ୍ଣ କହିଛନ୍ତି ମୁଁ ଏହି ଲୋକମାନଙ୍କୁ ବିନାଶ କରିବା ପାଇଁ ବର୍ଦ୍ଧିତ କାଳ ରୂପେ ବିଦ୍ୟମାନ । ତୁମେ ଯଦି ଏହି ଯୋଦ୍ଧାମାନଙ୍କୁ ବିନାଶ ନକରିବ , ତଥାପି ଏମାନେ ମୋ ଦ୍ବାରା ବିନାଶହେବେ । ସେଥିପାଇଁ ତୁମେ ଉଠ , ଶତ୍ରୁଙ୍କୁ ବିନାଶ କରି ଯଶ ପ୍ରାପ୍ତକର । ଏମାନେ ଆଗରୁ ମୋ ଦ୍ବାରା ନିହତ ହୋଇ ସାରିଛନ୍ତି । ତୁମେ କେବଳ ନିମିତ୍ତ ମାତ୍ର ହୋଇଯାଅ । 

( 11 / 32-33 ) କୃଷ୍ଣ ଅର୍ଜୁନଙ୍କୁ ବାକଚାତୁରୀରେ ବିଭ୍ରାନ୍ତ କରି ଯୁଦ୍ଧପାଇଁ ଠେଲି ଦେଲେ । ଅର୍ଜୁନଙ୍କ ମନରେ ଜାଗିଉଠିଥିବା ଅପରାଧ ବୋଧକୁ ଦୂର କରିବାପାଇଁ ଯୁଦ୍ଧରେ ଅନାଶକ୍ତ ଓ ନିର୍ଲିପ୍ତ ହୋଇ କେବଳ ଈଶ୍ବରଙ୍କ ଲାଗି ଲଢେଇ କରିବା ପାଇଁ ବାରମ୍ବାର କର୍ଷମନ୍ତ୍ର ଦେଲେ ଓ ଶେଷରେ ସେ ନିଜର ଉଦ୍ଦେଶ୍ୟରେ ସଫଳତା ହାସଲ କରିନେଲେ ।

 ଏହି ଉପଦେଶ ସେହି ସମୟ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା । ଅର୍ଜୁନ ଭାବି ନେଲେ ଯେ ଈଶ୍ବରଙ୍କ ଶରଣରେ ରହି ଯେ କୌଣସି କାମ କଲେ ବି ପରିଣାମ ପାଇଁ ସେ କଦାପି ଦାୟୀ ହେବେନାହିଁ । କାରଣ ସେ ତ କେବଳ ଈଶ୍ବରଙ୍କ ପାଇଁ କାମ କରୁଛନ୍ତି । ପାଠକ ମାନଙ୍କ ଉପରେ ଗୀତାର କୁପ୍ରଭାବ : ଗୀତା ପାଠକରୁଥିବା ସାଧାରଣ ହିନ୍ଦୁବ୍ୟକ୍ତି ଭଲ ମନ୍ଦ ନବିଚାରି ଈଶ୍ବରଙ୍କ ନାମରେ ଯେ କୌଣସି ଘୃଣ୍ୟ କାମ ମଧ୍ୟ କରିବାକୁ ଉଚିତ ମନେକରୁଛି କିମ୍ବା ଈଶ୍ବର ଯାହା କହୁଛନ୍ତି ସବୁ ଠିକ କହୁଛନ୍ତି ବୋଲି ଭାବୁଛି । 

ଦୁନିଆରେ ଯାହା ହେଉଛି ସବୁ ଈଶ୍ବର ହିଁ କରୁଛନ୍ତି । ଏହିଭଳି ଚିନ୍ତା କରି ସେ ଅନାଶକ୍ତ ଭାବେ କାମ କରେ ଅଥବା ଅକର୍ମଣ୍ୟ ଓ ନିଷ୍କ୍ରିୟ ହୋଇପଡେ । ଏହି ଦୁଇଟି ଯାକ ପ୍ରଭାବ ଗୀତା ପାଠକକୁ ଯଥେଷ୍ଟ କ୍ଷତି ପହୁଞ୍ଚାଏ । ସାଧାରଣତଃ ଦ୍ୱିତୀୟ ପ୍ରଭାବଟି ହିଁ ଲୋକଙ୍କ ଉପରେ ବେଶୀ ଦେଖାଯାଏ । ସବୁକିଛି ଈଶ୍ବର କରୁଛନ୍ତି । " କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ ' ତେଣୁ ଲୋକ ଭାବୁଛନ୍ତି ଈଶ୍ବରଙ୍କ ଇଛାରେ ହିଁ ଯଦି ସବୁ ହେଉଛି , ଆମେ ସେଥିରେ ମୁଣ୍ଡ ପୁରାଇବା କ'ଣ ଦରକାର ? 

ଏହି ଧାରଣା ଗୀତାକୁ ଭକ୍ତିଭାବରେ ପାଠ କରୁଥିବା ପ୍ରତ୍ୟେକଟି ବ୍ୟଭି ମନରେ ବେଶ ବସା ବାନ୍ଧିଯାଏ । ଅକର୍ମଣ୍ୟ ବନେଇବା ସହିତ ଦୁଷ୍ଟର ଅତ୍ୟାଚାରକୁ ମୁଣ୍ଡପାତି ସହ୍ୟ କରିଯିବାର ପ୍ରେରଣା ବି ଗୀତା ହିଁ ଶିଖାଏ । କୃଷ୍ଣ ଅର୍ଜୁନକୁ ନିଜର ଅବତାରର ଉଦ୍ଦେଶ୍ୟ ସମ୍ପର୍କରେ ଉପଦେଶ ଦେଇ ପରୋକ୍ଷ ଭାବେ ଅନୀତି ଓ ଦୁଷ୍ଟଶକ୍ତିଙ୍କୁ ସାମନା ନକରିବାର ପ୍ରେରଣା ଦେଇଛନ୍ତି ।

 ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଦ୍ଭୁତଥାନମଃ ଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ ପରିତ୍ରାଣାୟ ସାଧୂନା ବିନାଶାୟାଚ ଦୁଷ୍କୃତତାମ ଧର୍ମ ସଂସ୍ଥାପନାର୍ଥୟ ସମ୍ଭବାମି ଯୁଗେ ଯୁଗେ ।

 ( 4 / 7-8 ) ଅର୍ଥାତ : ହେ ଅର୍ଜୁନ , ଯେଉଁ ଯେଉଁ ସମୟରେ ଧର୍ମକୁ ହାନି ପହୁଚେ ମୁଁ ସେହି ସେହି ସମୟ ମାନଙ୍କରେ ଧର୍ମ ଉତ୍ଥାପନ କରିବାପାଇଁ ସଂସାରରେ ଜନ୍ମ ଗ୍ରହଣ କରେ I ସାଧୁପୁରୁଷ ମାନଙ୍କ ଉଦ୍ଧାର ପାଇଁ ତଥା ଦୁଷ୍ଟ ଲୋକଙ୍କ ବିନାଶ ପାଇଁ ମୁଁ ସୁଗେ ଯୁଗେ ଅବତାର ଗ୍ରହଣ କରିଥାଏ । ଅବତାର ବାଦର ଏହି ଭୁଲ ଧାରଣା ହିଁ ହିନ୍ଦୁ ମାନଙ୍କୁ ଶହ ଶହ ବର୍ଷ ଧରି ଗୋଲାମ କରି ରଖୁଥିଲା । ଯଦି ଅଳ୍ପ ସଂଖ୍ୟକ ଆକ୍ରମଣକାରୀ ମଧ୍ୟ କେଉଁଠି ଆସି ପହଞ୍ଚି ଯାଉଥିଲେ , ସେମାନଙ୍କ ସହ ଯୁଦ୍ଧ କରି ଘଉଡାଇବା ପରିବର୍ତ୍ତେ ହିନ୍ଦୁ ମାନେ ଭାବୁଥିଲେ ଯଦି ଏମାନେ ଦୁଷ୍ଟଲୋକ ତେବେ ଆମ ଈଶ୍ବର ସ୍ବୟଂ ଅବତାର ନେଇ ଏମାନଙ୍କୁ ବିନାଶ କରିବେ ଏବଂ ଆମକୁ ( ସାଧୁ ଲୋକ ) ଉଦ୍ଧାର କରିବେ । ଆମକୁ ସେମାନେ ଲୁଟିବା କିମ୍ବା ଆମ ଉପରେ ରାଜତ୍ବ କରିବା ମଧ୍ୟ ଈଶ୍ବରଙ୍କ ହିଁ ଇଛା । ତେଣୁ ଆମେ କିଛି କରିବା ସମ୍ଭବ ନୁହେଁ।

 ଯୁଦ୍ଧ ନକରିବାପାଇଁ ଦୃଢ଼ ନିଶ୍ଚିତ ଅର୍ଜୁନ ଶେଷରେ ଯୁଦ୍ଧରେ ପ୍ରବୃତ୍ତ ହୋଇଗଲେ ଏହି ତର୍କ ଗୀତାରେ କର୍ମବାଦକୁ ସିଦ୍ଧ କରୁନାହିଁ ବରଂ ଅର୍ଜୁନର ମାନସିକ ଦାସତ୍ବ ଓ କୃଷ୍ଣଙ୍କ ପ୍ରତି ବୌଦ୍ଧିକ ସମର୍ପଣ ହିଁ ବେଶୀ ପ୍ରତିପାଦନ କରୁଛି । ଗୀତାର ଶେଷରେ ଅର୍ଜୁନ କହୁଛନ୍ତି ।

 କରିଷ୍ୟ ବଚନଂ ତବମ ( 18/73 ) ଅର୍ଥାତ : ତୁମେ ଯାହା କହିବ ମୁଁ କରିବି । " ଏହା ସମର୍ପଣ ଦ୍ୟୋତକ ଗୁଣ ନୁହେଁକି ? ଯଦି କୃଷ୍ଣଙ୍କ ଉପଦେଶରୁ ଅର୍ଜୁନଙ୍କୁ ଯୁଦ୍ଧର ଆବଶ୍ୟକତା ସମ୍ପର୍କରେ ଜ୍ଞାନ ହାସଲ ହୋଇଥାନ୍ତା ତେବେ ସେ ନିଶ୍ଚୟ କହିଥାନ୍ତେ ହେ ସଖା , ମୋର ଭୁଲ ବା ଭ୍ରମ ମୁଁ ବୁଝି ପାରିଛି , ମୁଁ ବର୍ତ୍ତମାନ ଆଗ୍ରହର ସହିତ ଯୁଦ୍ଧ କରିବି । 

ଅର୍ଜୁନଙ୍କ ଦ୍ବାରା କୁହା ଯାଇଥବା ଅନ୍ତିମ ଶ୍ଳୋକରେ ତାଙ୍କର ଜ୍ଞାନ ଉଦୟ ହୋଇଥିବା ପରିବର୍ତ୍ତେ ସମ୍ପୂର୍ଣ ଭାବେ କୃଷ୍ଣଙ୍କ ପାଖରେ ସମର୍ପଣ କରିଥିବାର ମତ ବ୍ୟକ୍ତ କରୁଛି । ଏହି ମତରୁ କର୍ମର ପ୍ରେରଣା କେଉଁଠୁ ଓ କିପରି ମିଳୁଛି ବୁଝା ପଡୁନାହିଁ । ଆହୁରି ଗୋଟିଏ ବିଚାର ଯୋଗ୍ୟ ତଥ୍ୟ ଏହିଯେ ହିନ୍ଦୁ ଘର ମାନଙ୍କରେ ଛୋଟ ଛୁଆ ଓ କିଶୋର ମାନଙ୍କୁ ଗୀତା ପାଠ କରିବାକୁ ମନା କରାଯାଉଥିଲା

 ( କିନ୍ତୁ ବର୍ତ୍ତମାନ ସରକାର ସ୍କୁଲରେ ବି ଗୀତା ପାଠକୁ ଅନିର୍ବାଜ୍ୟ କରିବାକୁ ଚାହୁଁଛନ୍ତି । ) 

ଏହାକୁ ମନା କରିବା ଅର୍ଥ ଲୋକେ ଗୀତା ପ୍ରଭାବରୁ ପିଲାଙ୍କୁ ମୁକ୍ତ ରଖିବାକୁ ଚାହୁଁଥିଲେ । କାଳେ ଛୁଆ ଗୀତା ପଢି ସନ୍ୟାସୀ ହୋଇଯିବ ଏହି ଭୟ ଅଭିଭାବକଙ୍କ ମନରେ ଥାଏ । ଏହି ଭୟ ବାସ୍ତବିକ ମନେ ହୁଏ । 

ଭାରତରେ ଯେତେ ସାଧୁ ସନ୍ୟାସୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଟିବେଳୁ ଗୀତା ପାଠ କରୁଥିଲେ । 

କୁହାଯାଏ " ଋଚୁ ନ ଋଚୁ ଖାଅ ପିତା , ବୁଝ ନ ବୁଝ ପଢ଼ ଗୀତା ' ଦଶଜଣ ସାଧୁଙ୍କୁ ଯଦି ଆପଣ ପଚାରିବେ ସନ୍ୟାସୀ ହେବାର ପ୍ରେରଣା ଆପଣଙ୍କୁ କେଉଁଠୁ ମିଳିଲା ? ସେଥୁରୁ ନଅ ଜଣ ସାଧୁ ଭତ୍ତରଦେବେ"ମୁଁ ଗୀତାରୁ ପ୍ରେରଣା ପାଇଛି ।

ଗୀତାରେ ଲିଖିତ ଉପଦେଶ ସବୁ ଏତେ ପ୍ରଭାବଶାଳୀ ଯେ କ୍ରିୟାଶୀଳ ଜୀବନ ଓ ଜଗତ ପ୍ରତି ଉଦାସୀନତା ଜାଗ୍ରତ ନକରାଇ ଛାଡେନାହିଁ । ସେଥିପାଇଁ ଗୀତାରେ କର୍ମ ଓ ନୀତିର ପ୍ରତିପାଦନ ଖୋଜିବା ବା ସିଦ୍ଧ କରିବା ପରିବର୍ତ୍ତେ ତାର ସବୁକୁ ନିରପେକ୍ଷ ଭାବେ ବୁଝି ବିଶ୍ଳେଷଣ କରିବା ଉଚିତ । ସିଦ୍ଧାନ୍ତ 

(ସତ୍ୟ ମହାନନ୍ଦ) (ମୁଳ ଲେଖକ ହେତୁବାଦୀ ବାଲ୍ମୀକି ନାୟକ)

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ