ସମାଜକୁ ସାଧୁ ସନ୍ୟାସୀ ମାନେ କେତେ ଆବଶ୍ୟକ?

ସମାଜକୁ ସାଧୁ- ସନ୍ନ୍ୟାସୀ କେତେ ଆବଶ୍ୟକ ? 
ଲେଖକ ହେତୁବାଦୀ ବାଲ୍ମୀକି
Mobile 9482016260
ଏହି ଲେଖାର voice audio ଶୁଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ଓପନ୍ କରନ୍ତୁ ଆଉ ଭିଡିଓ ଦେଖନ୍ତୁ
https://youtu.be/CZyFRVfXxdU

ଭାରତକୁ ମୁନି , ଋଷି , ଯୋଗୀ , ସାଧୁ , ସନ୍ନ୍ୟାସୀଙ୍କ ଦେଶ ବୋଲି ବହୁତ କାଳରୁ କୁହାଯାଉଛି । ଭାରତୀୟମାନେ ଏଥିପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି । ପ୍ରକୃତରେ ଏହି ଦେଶରେ ଯେତେ ବହୁତ ସଂଖ୍ୟାରେ ସାଧୁ , ସାଧବୀ , ସନ୍ନ୍ୟାସୀ , ସନ୍ନ୍ୟାସୀନୀ , ଯୋଗୀ , ଯୋଗିନୀ , ସ୍ବୟଂଭୂ ଭଗବାନ , ସ୍ବାମୀ , ବାବା , ମାତା , ତାନ୍ତ୍ରିକ , ଗୁଣିଆ , ଜ୍ୟୋତିଷ ଇତ୍ୟାଦି ରୂପରେ ଅଛନ୍ତି , ଅନ୍ୟ କୌଣସି ଦେଶରେ ସେତିକି ନାହାନ୍ତି । ସେଥିପାଇଁ ଭାରତୀୟ ଲୋକମାନେ ନିଜ ଦେଶକୁ ସର୍ବୋତ୍ତମ ବୋଲି ମାନୁଛନ୍ତି ।

ମୁନି - ଋଷିମାନଙ୍କ ଦ୍ବାରା ଦିଆ ଯାଉଥିବା ଆଧ୍ୟାତ୍ମିକ ଜ୍ଞାନକୁ ବିଶ୍ବର ଶ୍ରେଷ୍ଠ ଓ ଅନ୍ତିମ ଜ୍ଞାନ ବୋଲି ବିଶ୍ବାସ ବି କରୁଛନ୍ତି । ସାଧୁ - ସନ୍ଥମାନଙ୍କୁ ସମାଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏବଂ ଆବଶ୍ୟକ ଅଙ୍ଗ ରୂପେ ମାନ୍ୟତା ପ୍ରାପ୍ତ ଅଛି । କାରଣ ଆରମ୍ଭରୁ ହିଁ ସେହିମାନେ ସମାଜକୁ ଦିଶା ପ୍ରଦର୍ଶନ କରୁଥିଲେ । ଧର୍ମକର୍ମ ସହିତ , ପୂଜା ପାଠ କରି , ଦାନ - ପୂଣ୍ୟ କଲେ , ପାପରୁ ମୁକ୍ତି ପ୍ରାପ୍ତ କରିବାର ଉପଦେଶ ଦେଇ ଆସୁଛନ୍ତି ।

 ଭାରତର ଇତିହାସ ଓ ପୁରାଣ ଶାସ୍ତ୍ର ଏହି ସବୁ ମୁନି , ଋଷି , ସାଧୁ , ସନ୍ନ୍ୟାସୀଙ୍କ ଚମତ୍କାରୀ କାହାଣୀରେ ଭରି ରହିଛି । ଭାରତୀୟ ସମାଜର ସମସ୍ତ ଆବଶ୍ୟକତାକୁ ପୂରା କରିବାପାଇଁ ଏହିସବୁ ମୁନି , ଋଷି , ସାଧୁ ସନ୍ନ୍ୟାସୀମାନଙ୍କର ବହୁତ ବଡ଼ ସହଯୋଗ ରହିଛି ବୋଲି ଅନେକ ଧର୍ମଗ୍ରନ୍ଥରେ ଲେଖା ହୋଇଛି । ସମାଜରେ ଲୋକମାନଙ୍କୁ ଶିକ୍ଷିତ କରିବାପାଇଁ ଏଭଳି ଧାର୍ମିକ ଶିକ୍ଷା ଦେଇଛନ୍ତି ଯେ ଆଜି ପର୍ଯ୍ୟନ୍ତ ଆମେ ତାହାର ଦଂଶନ ଭୋଗ କରି ଆସୁଛୁ ।

 ସେମାନଙ୍କର ଧାର୍ମିକ ଶିକ୍ଷା ନାମରେ କହିଲେ- ଏହି ଦୁନିଆ ହେଉଛି , ମିଛ - ମାୟା ଓ ଦୁଃଖର ସଂସାର l ଏହାର ପରିଣାମ ସ୍ବରୂପ ମଣିଷ ପୂଜା , ପ୍ରାର୍ଥନା , ଭଜନ , କୀର୍ତ୍ତନ କରି , ଭକ୍ତି ମାର୍ଗରେ ଚାଲିବା ଆରମ୍ଭ କଲା ଏବଂ ପରଲୋକକୁ ସୁଧାରିବା ପାଇଁ ପ୍ରୟତ୍ନଶୀଳ ହୋଇଗଲା । 

ଏହି ଜୀବନ ଏବଂ ଜଗତପାଇଁ ମୁନି - ଋଷିମାନେ ଏକ ଆଧିଭୌତିକ ଦୁନିଆ ସୃଷ୍ଟି କରିବାରେ ସଫଳ ହୋଇଗଲେ । ଏହା ଦ୍ବାରା ସମାଜର ଗୋଟିଏ ଲାଭ ଅବଶ୍ୟ ହେଲା ଯେ ମଣିଷ ସଂଘର୍ଷ କରି ଦୁଃଖରେ କାନ୍ଦିବା ଅପେକ୍ଷା , ସବୁ ସହନ କରି ଆତ୍ମସନ୍ତୋଷ ପ୍ରାପ୍ତ କରିବା ଶିଖିଲା । ଏହି ଜୀବନ ଓ ଜଗତର ମୋହ ଭଙ୍ଗ ହୋଇଗଲା । ଲୋକମାନେ ମୋକ୍ଷ ପ୍ରାପ୍ତ କରିବାପାଇଁ ଉପାୟ ଚିନ୍ତା କଲେ । ସମସ୍ତ ଝଗଡା , କଳହ , କ୍ଳେଶ ଲୁପ୍ତ ହୋଇ ଯିବାପାଇଁ କାମ , କ୍ରୋଧ , ଲୋଭ ,ମୋହ , ଅହଙ୍କାର ଠାରୁ ଦୂରେଇ ରହିବାକୁ ଶିକ୍ଷା ଦିଆଗଲା । 
ପ୍ରତ୍ୟେକ ସମସ୍ୟାର ସମାଧାନ ଭଗବାନଙ୍କ ଉପରେ ଛାଡି ଦେବାକୁ କୁହାଗଲା । ସଂସାର ମାୟାରୁ ଦୂର ହୋଇ ଧୈର୍ଯ୍ୟର ସହିତ ସନ୍ତୋଷମୟ ଜୀବନ ଅତିବାହିତ କରିବାକୁ ପ୍ରେରଣା ଦିଆଗଲା । ଏହା ବ୍ୟତୀତ ମଣିଷକୁ ଚୋରି , ଠକାମୀ , ବ୍ୟଭିଚାର ବଦଳରେ ସତ୍ୟ , ଈମାନଦାରୀ , ପରୋପକାର , ସେବା ଇତ୍ୟାଦି କରିବାକୁ ଶିକ୍ଷା ଦିଆଗଲା । ଏହିଭଳି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଜ୍ଞାନ ଦେଲେ । ସେମାନେ ମଣିଷର ପ୍ରେରଣାର ସ୍ରୋତ ହୋଇଗଲେ । ଏହି କାରଣରୁ ସମାଜ ସେମାନଙ୍କୁ ବହୁତ ସମ୍ମାନ ଦେଉଥିଲେ । ଆଜି ବି ଭାରତର ଅଧିକାଂଶ ଲୋକ ସାଧୁ - ସନ୍ଥଙ୍କ ଧାର୍ମିକ ପ୍ରବଚନକୁ ଜୀବନର ଅଭିନ୍ନ ଅଙ୍ଗ ବୋଲି ମାନୁଛନ୍ତି ।

 ସେମାନଙ୍କର ଚମତ୍କାରୀ କାହାଣୀଗୁଡିକରେ ବିଭିନ୍ନ ଦୈବୀଶକ୍ତିର ବର୍ଣ୍ଣନା ଭରି ରହିଛି । ନିଃସନ୍ତାନ ରାଜା ଓ ମହାରାଜାଙ୍କୁ ନିୟୋଗ ପ୍ରଥା ଦ୍ବାରା ତାଙ୍କର ଉତ୍ତରାଧ୍ୟାକାରୀ ପୁତ୍ର ସନ୍ତାନ ପ୍ରାପ୍ତି କରାଇବା , ସେମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ କାମ ଥିଲା । ଭାରତର ଲୋକପ୍ରିୟ ହିନ୍ଦୁ ଧର୍ମଗ୍ରନ୍ଥ , ମହାଭାରତ ଓ ରାମାୟଣର ଅଧିକାଂଶ ଚରିତ୍ର ସେଇମାନଙ୍କ ଆଶୀର୍ବାଦରୁ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ଆଶୀର୍ବାଦ ଓ ଅଭିଶାପର କାହାଣୀ ପ୍ରତ୍ୟେକ ଧର୍ମଗ୍ରନ୍ଥରେ ପଢିବାକୁ ମିଳୁଛି । 
ବିଦ୍ୟା - ଦାନ , ଅସ୍ତ୍ର - ଦାନ , ପୁତ୍ର - ଦାନ ଇତ୍ୟାଦି ସମାଜକୁ ସେମାନଙ୍କର ବହୁତ ବଡ଼ ଯୋଗଦାନ ରହିଛି । ତଥାପି ସାଧୁ ସନ୍ୟାସୀଙ୍କ କର୍ମଶୈଳୀ , ଆଚରଣ ଓ ଅଧ୍ୟାତ୍ମବାଦୀ ବ୍ୟବସ୍ଥା ଉପରେ ଯଦି କେହି ପ୍ରଶ୍ନ କରିବ ତେବେ ତାଙ୍କୁ ଧର୍ମ ଦ୍ରୋହୀ କହି ନିନ୍ଦା କରାଯାଉଛି । ଏହି ଆଲେଖ୍ୟର ଉଦ୍ଦେଶ୍ୟ କୌଣସି ଧର୍ମ ସମ୍ପ୍ରଦାୟ କିମ୍ବା ବ୍ୟକ୍ତିଗତ ବିଶ୍ବାସକୁ ଆକ୍ଷେପ କରିବା ନୁହେଁ । ସମାଜକୁ ପ୍ରଗତିଶୀଳ କରିବା ପାଇଁ ସର୍ବଦା ବୁଦ୍ଧିଜୀବୀ ଲେଖକ , ମୂକ୍ତମନା ପାଠକ , ବୈଜ୍ଞାନିକ ଓ ଗଭୀର ଚିନ୍ତକମାନଙ୍କର ହିଁ ମହତ୍ତ୍ୱପୂର୍ନ ଯୋଗଦାନ ରହିଛି । କିନ୍ତୁ ରୂଢିବାଦୀ ସମାଜ , ପୁରାତନ ମାନ୍ୟତା ଓ ପରମ୍ପରାଗୁଡ଼ିକୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଯଥାସ୍ଥିତି ଭାବେ ପାଳନ କରିବାକୁ ଚାହୁଁଛି । 

ସହୀଦ ଭଗତ ସିଂ ପ୍ରଗତିଶୀଳତା ବିଷୟରେ କହିଛନ୍ତି ଯେଉଁ ବ୍ୟକ୍ତି ପ୍ରଗତି ଚାହୁଁଛି , ତାକୁ ନିଶ୍ଚିତ ଭାବେ ପୁରାତନ ବିଶ୍ଵାସର ପ୍ରତ୍ୟେକ ତର୍କ ବିହୀନ ବିଷୟକୁ ଖଣ୍ଡନ କରିବାକୁ ପଡିବ , ସେଥିପ୍ରତି ଅବିଶ୍ବାସ ପ୍ରକଟ କରିବାକୁ ହେବ । ବିଡମ୍ବନା ହେଉଛି ଆମ ଦେଶର ଲୋକମାନେ ହଜାର ହଜାର ବର୍ଷର ପୁରୁଣା ଜ୍ଞାନକୁ ହିଁ ଦୁନିଆର ଅନ୍ତିମ ଜ୍ଞାନ ବୋଲି ମାନୁଛନ୍ତି । 
ପୁରାତନ ଯୁଗରେ ମୁନି - ଋଷିମାନଙ୍କ ପ୍ରବଚନ ଓ ଲେଖିଥିବା ଧର୍ମଗ୍ରନ୍ଥ ହିଁ ସର୍ବୋରମ ବୋଲି ଭାରତୀୟମାନଙ୍କ ଏହି ରୂଢିବାଦୀ ବିଚାର ଯୋଗୁଁ ଆମ ଦେଶ ହଜାର ହଜାର ବର୍ଷ ଧରି ବିଦେଶୀମାନଙ୍କ ପାଖରେ ଗୋଲାମ ହୋଇ ରହିଥିଲା । ଋଷି - ମୁନିଙ୍କ ବୈଦିକ ବିଚାର ଓ ଆଧାୟିକ ଦର୍ଶନ ଅନୁସାରେ ଚାଲିବା ଦ୍ବାରା ଭାରତୀୟମାନେ , ବିଦେଶୀମାନଙ୍କ ଦ୍ବାରା ଯେତେ ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ମଧ୍ୟ ପ୍ରତିବାଦ ନ କରି ନପୁଂସଙ୍କ ଭଳି ନିରବ ଦର୍ଶକ ହୋଇ ସହନ କଲେ । 

ନିଜର ଗୋଲାମୀକୁ ଭଗବାନଙ୍କ ଲୀଳା ବା ରାଗ୍ୟର ଲିଖନ ଭାବି ସହ୍ୟ କରୁ ଥିଲେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମହମଦ ଗଜନୀର ସୈନ୍ୟମାନେ ସୋମନାଥ ମନ୍ଦିର ଲୁଣ୍ଠନ କରିବା ସମୟରେ ପୂଜାରୀମାନେ ରାଜାଙ୍କୁ ଯୁଦ୍ଧ କରିବାପାଇଁ ମନା କରିଦେଲେ । ଆମେ ମନ୍ତ୍ର ପଢି ଶତୃଙ୍କୁ ନାଶ କରିଦେବୁ ବୋଲି ବିଶ୍ବାସ ଦେଲେ । ଦୁଃଖର କଥା ସେମାନଙ୍କର କୌଣସି ମନ୍ତ୍ର କିମ୍ବା ନିଜେ ସୋମନାଥ କିଛି କରିପାରିଲେ ନାହିଁ । ଗଜନୀର ସୈନ୍ୟମାନେ ମନ୍ଦିରର ସମସ୍ତ ଧନ ସମ୍ପତ୍ତି ଲୁଟି ନେବା ସହିତ ଭଗବାନଙ୍କ ମୂର୍ତ୍ତିଗୁଡିକ ମଧ୍ୟ ଭାଙ୍ଗିଦେଇ ଗଲେ । ଏହାସବୁ ଭୁଲ ଶିକ୍ଷାରୁ ଜାତ ହୋଇଥିବା ଅନ୍ଧବିଶ୍ବାସ ଯୋଗୁଁ ଘଟିଲା । 

ଦୁନିଆର ଯେକୌଣସି ମଣିଷ ସମାଜର ଉଚିତ ବିକାଶ ପାଇଁ ବ୍ୟବହାରିକ ତଥା ପ୍ରଗତିଶୀଳ ଶିକ୍ଷାର ପ୍ରବନ୍ଧ ହେବା ଆବଶ୍ୟକ । ଇତିହାସରୁ ଜଣା ପଡୁଛି , ଯେଉଁ ଦେଶର ମଣିଷ ସମାଜରେ ଉଚ୍ଚକୋଟିର ବିଦ୍ୱାନ , ଚିନ୍ତକ ତଥା ବୈଜ୍ଞାନିଳ ଥିଲେ , ସେହି ଦେଶଗୁଡିକ ହିଁ ବିକାଶ ଲାଭ କରିପାରିଛି । କିନ୍ତୁ ଆମଦେଶର ହଜାର ହଜାର ବର୍ଷର ଇତିହାସ ଅନୁସାରେ ବହୁତ କମ ସଂଖ୍ୟକ ସେହିଭଳି ବିଦ୍ବାନ , ଚିନ୍ତକ ଓ ବୈଜ୍ଞାନିକ ଥିଲେ । ସେମାନଙ୍କୁ ବୈଜ୍ଞାନିକ ଗବେଷଣା କରିବାପାଇଁ ଉପଯୁକ୍ତ ପରିବେଶ ଓ ସୁଯୋଗ ମିଳିଲା ନାହିଁ । 

ଏହାର ବିପରୀତ ଆମ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଧର୍ମଗୁରୁ , ସାଧୁ , ସନ୍ନ୍ୟାସୀଙ୍କ ଭିଡ଼ ଲାଗି ରହିଛି । ଆଜିର ଭାରତରେ ଏକ ଆକଳନ ଅନୁସାରେ ପ୍ରାୟ 40 ଲକ୍ଷରୁ ଉର୍ଦ୍ଧ ସାଧୁ , ସନ୍ୟାସୀ , ସ୍ବାମୀ ଓ ଗୁରୁମାତା ଦେଶର ବିଭିନ୍ନ ମଠ , ମନ୍ଦିର , ଆଶ୍ରମ ଇତ୍ୟାଦିରେ ଆସନ ଜମେଇ ବସିଛନ୍ତି । ସେମାନେ ଭକ୍ତମାନଙ୍କର ଦାନ ଦକ୍ଷିଣା ଧନକୁ ଖାଇବା , ପିଇବା , ପିନ୍ଧିବା , ଯାନବାହାନରେ ଯାତ୍ରା କରିବା ଇତ୍ୟାଦି କାମରେ ଖର୍ଚ୍ଚ କରୁଛନ୍ତି ।
ଆମର ଆଧୁନିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଋଷି , ମୁନି , ସାଧୁ , ସନ୍ଥମାନଙ୍କ ଗୁଣକୁ ପ୍ରଶଂସା କରାଯାଉଛି । ସେମାନଙ୍କର ଜୀବନ ଶୈଳୀକୁ ଅନୁସରଣ କରିବାକୁ କୁହାଯାଉଛି । ଏହି କାରଣରୁ ଭାରତରେ ବୈଜ୍ଞାନିକ ଓ ବୈଜ୍ଞାନିକ ଚିନ୍ତନ କରୁଥିବା ଲୋକମାନଙ୍କ ସଂଖ୍ୟା ବହୁତ କମ । ପ୍ରକୃତରେ ଆମ ଦେଶରେ ବୈଜ୍ଞାନିକମାନଙ୍କ ଅପେକ୍ଷା କାମଚୋର , ପଳାୟନବାଦୀ , ଭଣ୍ଡ , ପାଖଣ୍ଡ ଅସାଧୁ ସନ୍ଥମାନଙ୍କୁ ଅଧିକ ସମ୍ମାନ ଦିଆଯାଉଛି । ଯେଉଁମାନେ ନିଜେ କୌଣସି ଉତ୍ପାଦନ ମୂଳକ କାମ କରୁନାହାନ୍ତି ଏବଂ କାମ କରୁଥିବା ଲୋକମାନଙ୍କଙ୍କୁ ଶୋଷଣ କରୁଛନ୍ତି , ସେହିମାନଙ୍କୁ ବେଶୀ ମହତ୍ତ୍ବ ଦିଆଯାଉଛି । ସେମାନେ ଆମର ମୂଳ ସମସ୍ୟା ଗୁଡ଼ିକରୁ ଧ୍ୟାନ ହଟେଇ ପରଲୋକ ସୁଧାରିବା ପାଇଁ ଶିକ୍ଷା ଦେଉଛନ୍ତି । ମୋଟ ଉପରେ ସେମାନେ ସରଳ ବିଶ୍ବାସୀ ନିରୀହ ଜନତାଙ୍କୁ ବାଟବଣା କରିଦେଉଛନ୍ତି । ଭାରତର ପ୍ରଗତିରେ ଅବକ୍ଷୟ ହେବାର ମୂଳକାରଣ ହେଉଛି ଋଷି - ମୁନିଙ୍କ ଅବୈଜ୍ଞାନିକ ଶିକ୍ଷା । 

ସେମାନେ ନିଜ ନିଜର ଜ୍ଞାନ ଅନୁସାରେ ବିଭିନ୍ନ ଧର୍ମଗ୍ରନ୍ଥ ସବୁ ଲେଖିଦେଲେ । ସେଗୁଡିକୁ ଶିକ୍ଷା ପାଠ୍ୟକ୍ରମର ମୂଖ୍ୟ ଅଙ୍ଗ ବନେଇ ଦେଇ , ଛାତ୍ର ଛାତ୍ରୀଙ୍କୁ ପଢିବାକୁ ବାଧ୍ୟତା ମୂଳକ କରିଦେଲେ । ଏହା ଦ୍ବାରା ଶିକ୍ଷାର ସ୍ତର ସୀମିତ ହୋଇଗଲା । ନିଜର କପୋଳ କଳ୍ପିତ ବିଚାରଗୁଡିକୁ ସତ ବୋଲି ପ୍ରଚାର କଲେ । ସେମାନେ ପ୍ରକୃତରେ ରାଜା , ମହାରାଜାମାନଙ୍କ ଦାନ ଦକ୍ଷିଣା ଦ୍ବାରା ଜୀବନ ପୋଷଣ କରୁଥିଲେ । ଏହା ବଦଳରେ ରାଜାମାନଙ୍କୁ ଦୈବୀ ଅଧିକାର ପ୍ରଦାନ କରିଥିଲେ । ରାଜା ହିଁ ଲୋକମାନଙ୍କର ଭଗବାନ ବୋଲି ପ୍ରଚାର କରୁଥିଲେ । ରାଜା ଭଲ ହେଉ କି ମନ୍ଦ ପ୍ରଜାଙ୍କୁ ତାଙ୍କର ଶାସନ ବ୍ୟବସ୍ଥା ମାନିବାକୁ ବାଧ୍ୟ କରାଯାଉଥିଲା । 
ରାଜାଙ୍କୁ ବିରୋଧ କରିବା ମହାପାପ ବୋଲି ପାଠ ପଢାଉଥିଲେ । ସେମାନେ ରାଜାସାହି ଶାସନ ବ୍ୟବସ୍ଥାର ପୃଷ୍ଠପୋଷାକ ଥିଲେ । 

ସେମାନଙ୍କର ଭୁଲ ଶିକ୍ଷା ଦ୍ବାରା ଜନତା ନିଜର ଅଧିକାର ଦାବି କରିବାକୁ ଭୁଲି ଗଲା । ଅନ୍ୟାୟର ପ୍ରତିବାଦ କରିବା , ବ୍ୟଭିଚାରୀ ସହିତ ସଂଘର୍ଷ କରିବା ବଦଳରେ ପୂଜା ପାଠ କରି ନିଜର ଭାଗ୍ୟକୁ ଆଦରି ଜୀବନ ଅତିବାହିତ କଲେ । ନିଜର ଦୟନୀୟ ଅବସ୍ଥା ପାଇଁ ପୂର୍ବଜନ୍ମର ପାପର ଫଳ ବୋଲି ମନକୁ ସାନ୍ତନା ଦେଲେ । ଇତିହାସ ଅନୁସାରେ ପ୍ରତ୍ୟେକ ମତର ପ୍ରଚାରକ ନିଜ ମତ ପ୍ରଚାର କରିବାପାଇଁ ଶିକ୍ଷାକୁ ହିଁ ନିଜର ସାଧନ ରୂପେ ବ୍ୟବହାର କରିଛନ୍ତି । ଆଜି ବି ଆମ ଦେଶର ଶାସନ ସ୍ତରରେ ଥିବା କିଛି ନେତା ସାଧୁ - ସନ୍ଥମାନଙ୍କ ଦ୍ବାରା ପରିଚାଳିତ ଶିକ୍ଷା ସଂସ୍ଥାନରେ ଛାତ୍ର ଓ ଛାତ୍ରୀମାନଙ୍କୁ ପୁରାତନ ଧର୍ମଶାସ୍ତ୍ରକୁ ପଢ଼ିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । 

ଯେଉଁ ଶିକ୍ଷାରେ କେବଳ ଆଧ୍ୟାତ୍ମିକ ଦର୍ଶନ ବ୍ୟତୀତ ଆଧୁନିକ ଜ୍ଞାନ ବିଜ୍ଞାନର ଶିକ୍ଷା ନାହିଁ । ଏପରିକି ଆଧୁନିକ ସ୍କୁଲ କଲେଜ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର , ବାସ୍ତୁ ଶାସ୍ତ୍ର , ଅଙ୍କଜ୍ୟୋତିଷ ଭଳି କେତେକ ଅବୈଜ୍ଞାନିକ ପାଠକୁ ପାଠ୍ୟକ୍ରମରେ ସାମିଲ କରାଗଲାଣି । 
ମୁନି - ଋଷିମାନଙ୍କ ଗୋଷ୍ଠୀ ଆଧିଭୌତିକ କାଳ୍ପନିକ ସୁଖ - ସମ୍ଭୋଗର ଲୋଭ ଦେଖାଇ ଏକ ସୁକଳ୍ପିତ ଲାଭଜନକ ବ୍ୟବସାୟ ସ୍ଥାପନ କରିଦେଇଛନ୍ତି । ଭକ୍ତମାନେ ମୋକ୍ଷ ପ୍ରାପ୍ତ କରି ସ୍ବର୍ଗରେ ସ୍ଥାନ ପାଇବାପାଇଁ ନିଜର କଷ୍ଟ ଉପାର୍ଜିତ ଧନକୁ ମୁକ୍ତ ମନରେ ଦାନ କରିଦେଉଛନ୍ତି । 

ସେହି ଦାନ କରିଦେଉଥିବା ଧନର ପରିମାଣ ଏତେ ଅଧିକ ଯେ ମନ୍ଦିର , ମସଜିଦ୍ , ଚର୍ଚ୍ଚ , ଗୁରୁଦ୍ବାର ଇତ୍ୟାଦିର ଆୟର ହିସାବ ଠିକ ଭାବେ କେହି ଜାଣି ପାରୁନାହାନ୍ତି । 
ସରକାରୀ ସୂତ୍ରରୁ ଯେତିକି ଟଙ୍କାର ହିସାବ ମିଳୁଛି ତାହା ମଧ୍ୟ ବହୁତ ଅଧିକ । ସେଥୁରୁ ଯେତିକି ଟଙ୍କା ମାନବ ମଙ୍ଗଳପାଇଁ ଖର୍ଚ୍ଚ ହେଉଛି , ତା'ଠାରୁ ବହୁତ ଅଧିକ ସେମାନଙ୍କ ପାଖରେ ଗଛିତ ରହିଛି । ଅନ୍ୟ ପକ୍ଷରେ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡୁଛି । ଲୋକମାନଙ୍କ ପାଇଁ ଯଥେଷ୍ଟ ସଂଖ୍ୟାରେ ଶିକ୍ଷା ସଂସ୍ଥାନ ନାହିଁ । ଡାକ୍ତରଖାନା ନାହିଁ ।

 ଅନେକ ରାଜ୍ୟର ଗ୍ରାମ୍ୟ ଅଞ୍ଚଳରେ ପାନୀୟ ଜଳର ସୁବିଧା ନାହିଁ । ଏହି ସବୁ କରିବାପାଇଁ କୌଣସି ଧର୍ମସ୍ଥଳର ଟ୍ରଷ୍ଟିମାନେ ମୁକ୍ତ ମନରେ ଆଗେଇ ଆସୁନାହାନ୍ତି । ଓଲଟା ନିଜ ଧର୍ମସ୍ଥଳର ଧନର ପରିମାଣ ବୃଦ୍ଧି କରିବାପାଇଁ ଭକ୍ତମାନଙ୍କୁ ପ୍ରଭାବିତ କରୁଛନ୍ତି । 

ଜର୍ମାନୀର ମହାନ ଦାର୍ଶନିକ କାର୍ଲମାକ୍ସ ଠିକ କହିଛନ୍ତି - 
 ଧର୍ମ ଏକ ଅଫିମ ' । 
ମହାନ ହେତୁବାଦୀ ପେରିୟାର କହିଛନ୍ତି 
ଧର୍ମ ସାଧାରଣ ଲୋକମାନଙ୍କ ପାଇଁ ସତ୍ୟ , ବୁଦ୍ଧିଜୀବୀମାନଙ୍କ ପାଇଁ ମିଥ୍ୟା ଏବଂ ରାଜନୈତିକ ଲୋକମାନଙ୍କ ପାଇଁ ଏକ ଲାଭଜନକ ବସ୍ତୁ । 

ମାଲିକ ଯେପରି ଶ୍ରମିକଙ୍କୁ ଅଫିମ ଖୁଆଇ ଆଠ ଘଣ୍ଟା ବଦଳରେ ବାର ଘଣ୍ଟା ପରିଶ୍ରମ କରାଇ ପାରୁଛି । ତଥାପି ଶ୍ରମିକ ବୁଝି ପାରୁନି ଯେ ତାକୁ ଶୋଷଣ କରାଯାଉଛି ବରଂ ଅଫିମ ଖୁଆଉଥିବା ମାଲିକର ଗୁଣଗାନ କରୁଛି , ଠିକ ସେହିଭଳି ଧର୍ମ ନିଶାଗ୍ରସ୍ତ ଭକ୍ତ ସବୁ କିଛି ଦାନ କରିଦେଇ ମଧ୍ୟ ନିଜେ ଠକି ହୋଇଥିବା କଥା ବୁଝି ପାରୁନି । ଯେତେଦିନ ପର୍ଯ୍ୟନ୍ତ ଦେଶରେ ଏହି ସାଧୁ - ସନ୍ୟାସୀଙ୍କ ଗୋଷ୍ଠୀ ବଞ୍ଚି ରହିଥିବେ , ସେତେଦିନ ଯାଏଁ ଧର୍ମ ନାମରେ ଠକାମୀ , ଲୁଣ୍ଠନ ଓ ଶୋଷଣ ଜାରି ରହିଥିବ । ଏହାକୁ ବନ୍ଦ ବା ନିୟନ୍ତ୍ରଣ କରିବା ସମ୍ଭବ ହେବନାହିଁ । 

ସାଧାରଣ ଲୋକମାନେ ଅସଲ କଥାକୁ ବୁଝିପାରି ସେମାନଙ୍କୁ ବହିଷ୍କାର କରି ପାରିଲେ ହିଁ ସମସ୍ୟାର ସମାଧାନ ସମ୍ଭବ ହେବ । ସାଧୁ - ସନ୍ଥମାନେ ସମାଜର ନୈତିକ ନିୟମ ଗୁଡିକୁ ଧର୍ମର ଅଙ୍ଗ କହି ବହୁତ ବଡ଼ ଭ୍ରମ ବିସ୍ତାର କରି ଦେଇଛନ୍ତି । ସେଥିପାଇଁ ସାଧାରଣ ଲୋକମାନେ ଭାବୁଛନ୍ତି - ଧର୍ମ ବିନା ସମାଜରେ ନୈତିକତା ସ୍ଥାପନ କରିବା ଅସମ୍ଭବ । 
ଧର୍ମର କୁହୁକ ଜାଲ ହିଁ ସାଧୁ - ସନ୍ୟାସୀଙ୍କ ରକ୍ଷା କବଚ । ଏହା ଦ୍ବାରା ସେମାନେ ସମାଜର ବୁଦ୍ଧିଜୀବୀ , ନିରୀଶ୍ବରବାଦୀ , ନ୍ୟାୟବାଦୀ ପୋଲିସ , ମାନବବାଦୀ ଜନନେତାମାନଙ୍କ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖି ପାରୁଛନ୍ତି । ରାଜନୈତିକ ନେତାମାନଙ୍କ ସହିତ ସେମାନଙ୍କର ଗଭୀର ସମ୍ପର୍କ ରହିଥାଏ । ଯେଉଁମାନେ ଧର୍ମ ଓ ରାଜନୀତିକୁ ଅଲଗା ରଖିବା ପାଇଁ ଯୁକ୍ତି କରୁଛନ୍ତି , ସେମାନେ ପ୍ରକୃତରେ ରାଜନୀତିକୁ ଠିକ ଭାବେ ବୁଝି ନାହାନ୍ତି । 
ପ୍ରକୃତରେ ରାଜସତ୍ତା ହାସଲ କରିବାପାଇଁ ଧର୍ମ ହିଁ ସବୁଠାରୁ ବଡ଼ ହତିଆର । ସାଧୁ ସନ୍ନ୍ୟାସୀମାନେ ହେଉଛନ୍ତି , ଭୋଟରମାନଙ୍କୁ ପ୍ରଭାବିତ କରି ଯେ କୌଣସି ପାର୍ଟିର ନେତାଙ୍କୁ ଜିତେଇବାର ମାଧ୍ୟମ । 

ସେଥିପାଇଁ ନେତାମାନେ ସବୁ ବେଳେ ଆମ ଧର୍ମକୁ ବିପଦ ଆମ ଧର୍ମ ଉପରେ ଆକ୍ରମଣ ଆମର ଧାର୍ମିକ ଭାବନାକୁ ଆହତ କରାଯାଉଛି ଭଳି ସ୍ଲୋଗାନ ଦେଇ ଜନତାଙ୍କୁ ଭ୍ରମିତ କରିଦେଉଛନ୍ତି । ଏହା ଦ୍ବାରା ସାଧାରଣ ଲୋକ ସାଧୁ - ସନ୍ନ୍ୟାସୀଙ୍କ ନିର୍ଦ୍ଦେଶରେ ଧର୍ମ ରକ୍ଷାପାଇଁ ହିଂସ୍ର ଆଚରଣ କରି ନିଜର ଜୀବନ ହରେଇ ବସୁଛନ୍ତି ଏବଂ ରାଜନେତା ସତ୍ତା ହାସଲ କରି ନେଉଛନ୍ତି । ସାଧାରଣ ଜନତା ବୁଝି ପାରୁନାହାନ୍ତି ଯେ ସଂସାରତ୍ୟାଗୀ ସାଧୁ , ସନ୍ନ୍ୟାସୀ ରାଜନୀତିରେ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି କାହିଁକି ? ସେମାନେ ବହୁତ ଚତୁରତାର ସହିତ ଭକ୍ତମାନଙ୍କୁ ବୁଝାଉଛନ୍ତି - ଏହି ଧାର୍ମିକ ବ୍ୟକ୍ତି ସଂସଦକୁ ଗଲେ ତୁମର ଧର୍ମ ଓ ଧାର୍ମିକ ଅଧିକାର ସୁରକ୍ଷିତ ହେବ । 

ବର୍ତ୍ତମାନ ସେମାନେ ଅନ୍ୟ ରାଜନେତାମାନଙ୍କୁ ସମର୍ଥନ କରିବା ଅପେକ୍ଷା ନିଜେ ହିଁ ରାଜନୀତିରେ ସକ୍ରିୟ ଭାବେ ଭାଗ ନେଉଛନ୍ତି । ଆଜିର ଭାରତରେ ଏହିଭଳି ଅନେକ ଅର୍ଦ୍ଧଶିକ୍ଷିତ ସାଧୁ ସନ୍ୟାସୀମାନେ ନିଜର ଜପ , ତପ , ଧ୍ୟାନ , ଧାରଣା ସବୁ ତ୍ୟାଗକରି ରାଜ୍ୟ ଓ ଦେଶର ଶାସନ ଗାଦିରେ ବିରାଜମାନ କରୁଛନ୍ତି । ସେଥିପାଇଁ ସେମାନେ ଜନତାଙ୍କ ବିକାଶ ଓ ପ୍ରଗତିପାଇଁ ସ୍କୁଲ କଲେଜ ନିର୍ମାଣରେ ଧନ ଖର୍ଚ୍ଚ ନକରି , ମୃତ୍ୟୁ ପରେ ମୋକ୍ଷପାଇଁ ମନ୍ଦିର , ତୀର୍ଥସ୍ଥଳ ଆଦିରେ ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଆଜି ଆମେ ଦେଖିବା ପ୍ରତ୍ୟେକ ଗ୍ରାମ ଓ ସହରର ଗଳିରେ ଗୋଟିଏ ବି ଡାକ୍ତର ନଥାଇ ପାରନ୍ତି କିନ୍ତୁ କୌଣସି ବାବା ଓ ମାତା ନିଶ୍ଚୟ ନିଜର ଡେରା ଜମେଇ ବସିଥିବେ । ତାଙ୍କର ଚାରିପାଖରେ ଭକ୍ତମାନଙ୍କର ଭିଡ଼ ଲାଗିଥିବ । ବର୍ଷା ସାରା କିଛି ନା କିଛି ଧାର୍ମିକ ଅନୁଷ୍ଠାନ ଚାଲିଥବ । ପୁରାଣ ଯୁଗର ମୁନି ଋଷିଙ୍କ ବିଷୟରେ ପୁରାଣ ଶାସ୍ତ୍ର ଏବଂ ଆଧୁନିକ ଯୁଗର ସାଧୁ ସନ୍ୟାସୀଙ୍କ ବିଷୟରେ ଇତିହାସ ବହିରେ ଲେଖାଥିବା ଅସଲ ଚରିତ୍ର ଉପରେ ଗବେଷଣା କଲେ ଆହୁରି ଅନେକ ବିସ୍ମୟକର ତଥ୍ୟ ମିଳିବ । ସେମାନଙ୍କର ଉଚ୍ଚାରଣ ଓ ଆଚରଣ ଭିତରେ ରହୁଥିବା ପ୍ରଭେଦଗୁଡିକୁ ଦେଖି ଯେ କେହି କହିପାରିବେ ଯେ ସେମାନେ ମଣିଷ ସମାଜପାଇଁ କ୍ଷତିକାରକ ଏବଂ ଅନାବଶ୍ୟକ ବ୍ୟକ୍ତି । 

ଶେଷରେ ଏତିକି କୁହାଯାଇ ପାରିବ ଯେ ଆଜିର ଆଧୁନିକ ଏବଂ ବୈଜ୍ଞାନିକ ଯୁଗରେ , ସାଧୁ ସନ୍ୟାସୀମାନେ ଆମକୁ କୌଣସି ସକାରାତ୍ମକ ଦିଗଦର୍ଶନ ଦେଇ ପାରିବେନାହିଁ । ଆଜି ସେମାନଙ୍କର ଧାର୍ମିକ ପ୍ରବଚନ ଓ ଶିକ୍ଷା ଆମର ସମାଜକୁ ସୁଧାରି ପାରିବନାହିଁ । ଆମର ସମସ୍ତ ସମସ୍ୟାର ସମାଧାନ ସମାଜର ବୁଦ୍ଧିଜୀବୀ , ବୈଜ୍ଞାନିକ , ଡାକ୍ତର , ମନୋଚିକିତ୍ସକ , ଇଂଜିନିୟର ଓ ଉଚ୍ଚଶିକ୍ଷିତ ପ୍ରଶାସନିକ ଅଧିକାରୀମାନଙ୍କ ପାଖରେ ଅଛି , ଯେଉଁମାନଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ତର୍କଶୀଳ ବୁଦ୍ଧି ଅଛି । ଆମକୁ ବର୍ତ୍ତମାନ ଏହି ମହାନୁଭବଙ୍କ ଦିଶା ନିର୍ଦେଶ ଏବଂ ଶିକ୍ଷା ଅନୁସାରେ ଚାଲିବାକୁ ହେବ । 
ସାଧୁ - ସନ୍ୟାସୀଙ୍କ ପାଖରେ କୌଣସି ନୂତନ ଶିକ୍ଷା ବା ଜ୍ଞାନ ନାହିଁ । ସେମାନେ ପୁରୁଣା ମଦକୁ ନୂତନ ବୋତଲରେ ପୂରେଇ , ମଣିଷର ମୃତ୍ୟୁ ପରର କାଳ୍ପନିକ ଦୁନିଆର କାହାଣୀକୁ ନେଇ , ଲୋକମାନଙ୍କୁ ଭ୍ରମିତ କରି ରଖିଛନ୍ତି । ଆସନ୍ତୁ ଆମେ ଚଳନ୍ତି ଜଗତର ବାସ୍ତବ ଜୀବନକୁ , ମାନବବାଦୀ ଧର୍ମ ପାଳନ କରି , ସୁଖ ଓ ଶାନ୍ତିରେ ବଞ୍ଚିବାର କଳା ଶିକ୍ଷା କରିବା ।
ଏହି ଲେଖାର ମୁଳ ଲେଖକ ହେତୁବାଦୀ ବାଲ୍ମୀକି

Comments

Popular posts from this blog

ହିନ୍ଦୁ ଧର୍ମର ଐତିହାସିକ ତଥ୍ୟ

ନାସ୍ତିକତାର ଆବଶ୍ୟକତା ଅଛି କି ?

ବୈଜ୍ଞାନିକ ଦୃଷ୍ଟିକୋଣ ନାସ୍ତିକତା ନୁହେଁ